Latest Odisha News

BREAKING NEWS

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର ଗୌରବ ଅର୍ଜନ କରିଛନ୍ତି । ଉତ୍ତରପ୍ରଦେଶ ବିପକ୍ଷରେ ଖେଳିବା ବେଳେ ୧୫୯ ବଲରେ ୨୨୦ ରନ୍ (ନଟ୍ ଆଉଟ୍) କରିଥିଲେ ଋତୁରାଜ । ୪୯ତମ ଓଭରରେ ସେ ଗୋଟିଏ ପରେ ଗୋଟିଏ ଛକା ମାରିଚାଲିଥିଲେ । ଏହି ଓଭରରେ ୪୩ ରନ୍ ହାତେଇଥିଲେ ଋତୁରାଜ । ତାଙ୍କର ବିଶାଳ ସ୍କୋର ବଳରେ ମହାରାଷ୍ଟ୍ର ଏହି ମ୍ୟାଚରେ ୫ ଓ୍ୱିକେଟ୍ ହରାଇ ୩୩୦ ରନ୍ କରିପାରିଥିଲା ।

ଋତୁରାଜ ମୋଟ ୧୦ଟି ଚୌକା ଓ ୧୬ଟି ଛକା ମାରିଛନ୍ତି । ୧୩୮.୩୬ ଷ୍ଟ୍ରାଇକ୍ ରେଟ୍ ରେ ରନ୍ କରିଛନ୍ତି ସେ । ଏହି ମ୍ୟାଚରେ ସେ ଏକାଧିକ ରେକର୍ଡ ନିଜ ନାଁରେ କରିଛନ୍ତି । ଲିଷ୍ଟ-ଏ କ୍ରିକେଟରେ ଏହା ଋତୁରାଜଙ୍କ ପ୍ରଥମ ଦ୍ୱିଶତକ । ଲିଷ୍ଟ-ଏ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ସେ ୧୧ତମ ଭାରତୀୟ ହୋଇଛନ୍ତି । ସେହିପରି ଲିଷ୍ଟ-ଏ କ୍ରିକେଟରେ ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ଆଜିର ମ୍ୟାଚରେ ମହାରାଷ୍ଟ୍ର ପାଇଁ  ଋତୁରାଜଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ବଡ଼ ରନ୍ କରିପାରିନଥିଲେ ।

Leave A Reply

Your email address will not be published.