ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’
“ସାବରମତୀକେ ସନ୍ଥ ତୁନେ କର୍ଦିୟା କମାଲ୍ ” ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି ପଖାଳନ୍ତି ।
ଆମ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସ୍ମାରକୀ ସାବରମତୀ ଆଶ୍ରମ । ସତ୍ୟ, ସାଧନା, ସଙ୍କଳ୍ପ, ସତ୍ୟାଗ୍ରହ, ଶୃଙ୍ଖଳା ଆଧାରରେ ଗଢ଼ା ସତ୍ୟାଗ୍ରହ ଅସ୍ତ୍ରର ସଫଳ ପ୍ରୟୋଗଶାଳା ସାବରମତୀ ଆଶ୍ରମ କେବଳ ଆମ ଦେଶକୁ ନୁହେଁ, ବିଶ୍ୱକୁ ନୂତନ ସୂର୍ଯ୍ୟୋଦୟର ସୂଚନା ଦିଏ । ସେଇଥିପାଇଁ ତ ଏଇ ପବିତ୍ର ମାଟିକୁ ମୁଣ୍ଡରେ ମାରି ପୂଣ୍ୟ ଅର୍ଜନ କରିବା ପାଇଁ ପ୍ରତି ବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକ ଛୁଟି ଆସନ୍ତି ସାବରମତୀକୁ । ଶତାଧିକ ଦେଶର ରାଷ୍ଟ୍ରମୁଖ୍ୟ ଓ କ୍ରାନ୍ତିକାମୀମାନେ ବିଭିନ୍ନ ସମୟରେ ଏଇ ମାଟିର କୋଳରେ ଅଫୁରନ୍ତ ଶାନ୍ତି ଓ ପ୍ରେରଣା ପାଇଛନ୍ତି । ଶହେ ବର୍ଷ ତଳର ଏହି ସ୍ମାରକୀକୁ ସାଇତି ରଖିବା ପରିବର୍ତ୍ତେ ଏହାକୁ ଧ୍ୱଂସ କରି ଏଠାରେ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଛି ବିଶାଳ ସୌଧ । ଏହି ଉଦ୍ୟମକୁ ଦ୍ୱିତୀୟ ଗାନ୍ଧୀ ହତ୍ୟା ଓ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ବିଷ ସଂଚାର ଉଦ୍ୟମ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।
ଗୁଜୁରାଟର ଅହମଦାବାଦ ସହରର ଉପକଣ୍ଠରେ ପୁରାଣ ପ୍ରସିଦ୍ଧ ପବିତ୍ର ନଦୀ ସାବରମତୀ କୂଳରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ହାତ ଗଢ଼ା ଏହି ଆଶ୍ରମ । ଏଇଠି କୁଆଡ଼େ ପୁରାଣ ଯୁଗରେ ମହର୍ଷି ଦଧିଚୀ ପ୍ରଚଣ୍ଡ ସାଧନା କରିଥିଲେ । ପାପ ଶକ୍ତିର ବିନାଶ ପାଇଁ ଯେଉଁ ଦଧିଚୀ ଦୈବୀ ଶକ୍ତିକୁ ବଜ୍ର ନିର୍ମାଣ ଲାଗି ନିଜ ଅସ୍ଥି ଦେଇଥିଲେ, ସେହି ମହର୍ଷିଙ୍କ ସ୍ମୃତି ସହ ଜଡିତ ସାବରମତୀ ।
ଦକ୍ଷିଣ ଆଫ୍ରିକାରୁ ଫେରି ମହାମାନବ ମହାତ୍ମା ଗାନ୍ଧୀ ୧୯୧୫ ଜାନୁଆରୀ ୯ ତାରିଖରେ ପଦାର୍ପଣ କଲେ ବମ୍ବେରେ । ତାଙ୍କ ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖ୍ଲେଙ୍କ ପରାମର୍ଶକ୍ରମେ ସେ ସାରା ଦେଶ ବୁଲି ଭାରତର ଆତ୍ମାକୁ ଦେଖିଲେ, ସମସ୍ୟା ବୁଝିଲେ ଓ ପ୍ରତିକାର ଲାଗି ସକାରାତ୍ମକ ବାଟ ଫିଟାଇଲେ । ସେତେବେଳେ ତାଙ୍କର ଜଣେ ବାରିଷ୍ଟର ବନ୍ଧୁ ଜୀବନଲାଲ ଦେଶାଇଙ୍କ ଅହମଦାବାଦ ଉପକଣ୍ଠରେ ଥିବା କୋଚରବସ୍ଥିତ ଘରେ ଗାନ୍ଧୀଜୀ ଆଶ୍ରମ ଆରମ୍ଭ କଲେ ସେହିବର୍ଷ ମଇ ୨୫ ତାରିଖରେ । ତେବେ ଏଠାରେ କୃଷି, ଗ୍ରାମ୍ୟଶିଳ୍ପ ଓ ବିଭିନ୍ନ ତାଲିମ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ବିକଳ୍ପ ଖୋଜା ଚାଲୁଥିଲା । ଶେଷରେ ସାବରମତୀ ନଦୀ କୂଳରେ ମନଲାଖି ଜାଗା ଖଣ୍ଡିଏ ମିଳିଲା ଏବଂ ଏଠି ପ୍ରାୟ ୩୬ ଏକର ଜାଗା ଉପରେ ଆଶ୍ରମ ଚାଲିଲା ୧୯୧୭ ବେଳକୁ ।
ଏହି ଆଶ୍ରମରେ ଥିଲା କେଇ ବଖରା ମାମୁଲି ଖପରଲି ଘର । ସରଳ ଜୀବନ ଓ ଉଚ୍ଚ ଚିନ୍ତନ ମଧ୍ୟରେ ଏଇଠି ବି ଚାଲିଥିଲା ଗାନ୍ଧୀଜୀଙ୍କ ସତ୍ୟର ପରଖ । ଏଇଠୁ ବାହାରୁଥିଲା ୟଙ୍ଗ ଇଣ୍ଡିଆ ଭଳି ସ୍ୱାଧୀନତା ସଂଗ୍ରାମ ଓ ସାଧାରଣ ଜନତାଙ୍କ ମୁଖପତ୍ର । ଦେଶ ବିଦେଶର ସତ୍ୟ ସନ୍ଧାନୀମାନେ ମାଟି କାଦୁଅରେ ଭରା ସାବରମତୀ ଆଶ୍ରମକୁ ସ୍ୱର୍ଗସମ ମଣୁଥିଲେ । ଏଇଠି କେତେ ସାଧାରଣ ମଣିଷକୁ ମହାତ୍ମା ଅସାଧାରଣ ସଂଗ୍ରାମୀରେ ପରିଣତ କରିଛନ୍ତି ତାହାର ହିସାବ ନାହିଁ । ଏହି ଆଶ୍ରମର ଗୋଟିଏ ପଟେ ପବିତ୍ର ଶ୍ମଶାନଘାଟ ଓ ଅନ୍ୟପଟେ ସାବରମତୀ ଜେଲ । ଏଇ ଆଶ୍ରମରୁ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ଗାନ୍ଧୀଜୀଙ୍କୁ ଗିରଫ କରାଯାଇ ରଖାଯାଇଥିଲା ସାବରମତୀ ଜେଲରେ । ପରେ ତାଙ୍କୁ ୟରୱାଡା ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେତେବେଳେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା ୟଙ୍ଗ୍ ଇଣ୍ଡିଆରେ ପ୍ରକାଶିତ ଚାରୋଟି ଲେଖା ଆଧାରରେ ଏବଂ ଏଥିରେ ବି ତାଙ୍କୁ କାରାଦଣ୍ଡାଦେଶ ହୋଇଥିଲା ।
ଏଇ ପବିତ୍ର ଆଶ୍ରମର ପ୍ରଥମ ଓଡିଆ ଅନ୍ତେବାସୀ ଥିଲେ ଓଡ଼ିଶାର ପଣ୍ଡିତ ଗୋବିନ୍ଦ ମିଶ୍ର । ମନ୍ତ୍ରୀପଦ ଛାଡିବାପରେ ଉତ୍କଳ ଗୌରବ ମଧୁସୂଦନ ବି ଯାଇଥିଲେ ଏଠାକୁ । ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଏଇଠୁ ସେ ଦେଇଥିଲେ ନିସର୍ତ୍ତ ସମର୍ଥନ, ଆଉ ଦୁର୍ଭିକ୍ଷ ଗସ୍ତ ଓଡିଶାର ଲୋକଙ୍କୁ ବଞ୍ଚାଇବା ପାଇଁ ଏଇଠୁ ସେ ପଠାଉଥିଲେ ବ୍ୟାପକ ସହାୟତା । ଓଡିଶାର ବହୁ ବରପୁତ୍ର ଓ ପୁତ୍ରୀଙ୍କ ସମେତ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କ ପ୍ରେରଣାସ୍ଥଳ ସାବରମତୀ ଆଶ୍ରମ । ଅସହଯୋଗରୁ ବର୍ଦ୍ଦୋଳି ଓ ଖେଡା ସତ୍ୟାଗ୍ରହ, ଅହମଦାବାଦର ଶ୍ରମିକ ସତ୍ୟାଗ୍ରହ ଆଦିର ଏନ୍ତୁଡିଶାଳା ସାବରମତୀ ।
୭୮ ଜଣ ତାଲିମପ୍ରାପ୍ତ ସତ୍ୟାଗହୀଙ୍କୁ ସାଙ୍ଗରେ ଧରି ୧୯୩୦ ମାର୍ଚ୍ଚ ବାର ତାରିଖରେ ସାବରମତୀରୁ ଗାନ୍ଧୀଜୀ ଆରମ୍ଭ କରିଥିଲେ ଦାଣ୍ଡି ଅଭିଯାନ ପଦଯାତ୍ରା । ଏହି ଦଳରେ ବି ଥିଲେ ଓଡ଼ିଶାର ଜଣେ ଯୁବକ ମୋତିବାସ ଦାସ । ପଦଯାତ୍ରା ଶେଷରେ ଏପ୍ରିଲ ୬ ତାରିଖରେ ଦାଣ୍ଡିରେ ଲୁଣ ମାରି ଗାନ୍ଧୀଜୀ ଲବଣ ଆଇନ ଭଙ୍ଗ କରିଥିଲେ । ମୁଠାଏ ଲୁଣରୁ ସୃଷ୍ଟି ହୋଇଥିବା ଏହି ଲବଣ ସତ୍ୟାଗ୍ରହରେ ମାତ୍ର ତିନି ସପ୍ତାହ ଭିତରେ ଗିରଫ ହୋଇଥିଲେ ୬୦ ହଜାରରୁ ଅଧିକ ସତ୍ୟାଗ୍ରହୀ । ଦାଣ୍ଡି ସତ୍ୟାଗ୍ରହର ଯେଉଁ ବିବରଣୀ ଧାରାବାହିକ ଭାବେ ଗଣ ମାଧ୍ୟମରେ ପ୍ରକାଶ ପାଇଲା ତାହା ସମଗ୍ର ବିଶ୍ୱରେ, ଏମିତିକି ଇଂଲଣ୍ଡରେ ବି ବ୍ରିଟିଶ ସରକାରର ବିଭତ୍ସତାକୁ ପଦାରେ ପକାଇଲା । ସେ ସମୟରେ ପରଦା ଆଢ଼ୁଆଳରୁ ବାହାରି ମାତୃଶକ୍ତି ଦେଶପ୍ରେମର ଚରମ ପରାକାଷ୍ଠା ପ୍ରଦର୍ଶନ କଲେ । ଅନେକ ମହିଳା ଏହି ଆନ୍ଦୋଳନରେ ଜେଲ୍ ଗଲେ ।
ସାବରମତୀରୁ ଦାଣ୍ଡି ପଦଯାତ୍ରା ଆରମ୍ଭବେଳେ ଗାନ୍ଧୀଜୀ ତାଙ୍କର ବଜ୍ର ଶପଥ ଘୋଷଣା କରିଥିଲେ ଯେ ସମୁଦ୍ରରେ ତାଙ୍କର ଶବ ଭାସିବ ପଛେ ଭାରତବାସୀଙ୍କ ସ୍ୱାଭିମାନର ସୁରକ୍ଷା ପାଇଁ ଲବଣ ଆଇନଭଳି କଳା କାନୁନ୍ ଭାଙ୍ଗି ସେ ଲୁଣ ମାରିବେ ଏବଂ ତାହା ବି କରି ଦେଖାଇଲେ । ସେତେବେଳେ ଗାନ୍ଧୀଜୀ କହିଥିଲେ ଯେ ଭାରତ ସ୍ୱାଧୀନ ନ ହେବା ପର୍ଯ୍ୟନ୍ତ ସେ ଆଉ ସାବରମତୀ ଆଶ୍ରମକୁ ଫେରିବେ ନାହିଁ । ତାଙ୍କ ଶପଥ ସେ ରଖିଲେ । ୧୯୪୮ ଜାନୁଆରୀ ୩୦ରେ ସହିଦ୍ ହେବା ପର୍ଯ୍ୟନ୍ତ ଗାନ୍ଧୀଜୀ ଆଉ ଫେରି ନ ଥିଲେ ସାବରମତୀ ଆଶ୍ରମକୁ । ୧୯୪୭ ଅଗଷ୍ଟ ୧୫ରେ ଯେଉଁ ସ୍ୱାଧୀନତା ଆସିଲା ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଉଲ୍ଲେଖ କରି ପୁଣି ଲମ୍ବା ଲଢ଼େଇ ପାଇଁ ସେ ଆହ୍ୱାନ ଦେଇଥିଲେ । ଲବଣ ସତ୍ୟାଗ୍ରହ କାଳରେ ବ୍ରିଟିଶ୍ ସରକାର ତଣ୍ଟିରେ କଣ୍ଟାଭଳି ଲାଗିଥିବା ଗାନ୍ଧୀଜୀଙ୍କୁ ଗିରଫ କରିବାପରେ ଏହି ଆଶ୍ରମକୁ ବ୍ରିଟିଶ ସରକାର ଦଖଲକୁ ନେଇଥିଲା । ପରେ ଗାନ୍ଧୀଜୀ ଏହାକୁ ହରିଜନ ସେବକ ସଙ୍ଘକୁ ଦାନ କରିଦେଇଥିଲେ । ଏଇ ଆଶ୍ରମରେ ଦିନେ ଶାନ୍ତି ପାଇଁ ପହଞ୍ଚିଥିଲେ ବ୍ରିଟିଶ ନୌସେନାଧ୍ୟକ୍ଷଙ୍କ କନ୍ୟା ମିସ୍ ମେଡ୍ଲିନ୍ ସ୍ଲେଡ୍ । ମହାତ୍ମାଙ୍କ ମୋହନ ମନ୍ତ୍ରରେ ସେ ପାଲଟିଗଲେ ସ୍ୱାଧୀନତା ସଂଗ୍ରାମୀ ମୀରାବେନ୍ରେ । ସର୍ଦ୍ଦାର ପଟେଲ୍ଙ୍କଠାରୁ ଆରମ୍ଭ କରି କୁମାରାପ୍ପା, ବିନୋବାଭାବେ ଆଦି ବହୁ ମହାପୁରୁଷ ସୃଷ୍ଟି ହୋଇଛନ୍ତି ସାବରମତୀର କମାଲ୍ରେ ।
ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ୍ ଗଫାର୍ ଖାଁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହାରଲାଲ ନେହେରୁ, କବିଗୁରୁ ରବିନ୍ଦ୍ରନାଥ, ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା ଓ ଡୋନାଲ୍ଡ ଟ୍ରମ୍ପ୍, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ନେଲ୍ସନ୍ ମଣ୍ଡେଲା, ମାର୍ଟିନ୍ ଲୁଥର କିଙ୍ଗ୍, ମଦର ଟେରେସାଙ୍କ ଭଳି ଲକ୍ଷ ଲକ୍ଷ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭିନ୍ନ ସମୟରେ ଟାଣି ଆଣିଛି ସାବରମତୀର ଆକର୍ଷଣ । ବର୍ଷ ବର୍ଷ ଧରି ଜନାଧାରିତ ଉପାୟରେ ଏହି ଐତିହାସିକ ସ୍ମାରକୀ ସୁରକ୍ଷିତ ରହିଥିବାବେଳେ ୧୯୬୩ରେ ଏଠି ଏକ ଭବ୍ୟ ଗୃହରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଉଦ୍ଘାଟନ କରିଥିଲେ ଗାନ୍ଧୀ ସ୍ମାରକ ସଂଗ୍ରାହଳୟ । ତେବେ ଏହି ଆଶ୍ରମର ଯେଉଁ କୋଠିରେ ଗାନ୍ଧୀ ରହୁଥିଲେ ତାହା ‘ହୃଦୟକୁଞ୍ଜ’ ନାମରେ ସଂରକ୍ଷିତ ହୋଇ ରହିଛି । ଏଠି ଏବେ ବି ନନ୍ଦିନୀ ଅତିଥି ନିବାସ, ମଗନ ନିବାସ, ମୀରା କୂଟୀର, ଉପାସନା ମନ୍ଦିର ଆଦି ଅଛି । ଏଠି ୩୪,୧୧୭ପୃଷ୍ଠାର ଗାନ୍ଧୀଜୀଙ୍କ ମୂଳ ଚିଠି ଓ କେତେକର ପ୍ରତିଲିପି ସାଇତା ହୋଇ ରହିଛି । ଏହାଛଡା ଗାନ୍ଧୀଜୀଙ୍କ ହାତ ଲେଖା ୮୭୮୧ ପୃଷ୍ଠାର ବିରଳ ପାଣ୍ଡୁଲିପିମାନ ଅଛି ।
ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଗାନ୍ଧୀଜୀଙ୍କର ୬୦୦୦ରୁ ଅଧିକ ଫଟୋ ସମେତ ଅନେକ ତୈଳ ଚିତ୍ର, ଗାନ୍ଧୀଜୀଙ୍କର ଅମର ବାଣୀ, ଏକ ବଡ ପାଠାଗାର, ଗାନ୍ଧୀଜୀଙ୍କ ବ୍ୟବହୃତ ବହୁ ସାମଗ୍ରୀ, ପୁସ୍ତକ ଭଣ୍ଡାର, ଚରଖା ଆଦି ସାଇତା ହୋଇ ରହିଛି । ପ୍ରତିଦିନ ସକାଳ ୮ରୁ ସଞ୍ଜ ୭ଟା ପର୍ଯ୍ୟନ୍ତ ଆଶ୍ରମ ଖୋଲା ରୁହେ । ବର୍ଷକୁ ହାରାହାରି ୭,୦୦,୦୦୦ ପରିଦର୍ଶକ ଆସନ୍ତି ସାବରମତୀ ଆଶ୍ରମକୁ । ଗାନ୍ଧୀ ଦର୍ଶନ ଉପରେ ଗବେଷଣା ପାଇଁ ଏହାବି ଏକ ଉନ୍ନତ କେନ୍ଦ୍ର । ଏଇଠି ରହିଛି ଗାନ୍ଧୀଜୀଙ୍କ ମୂର୍ତ୍ତୀ ସମେତ ତାଙ୍କ ପ୍ରିୟ ୩ ମାଙ୍କଡଙ୍କ ପ୍ରତିକୃତି, ଆଉ ଓଡିଆ ସମେତ ୧୧ଟି ଭାଷାରେ ଗାନ୍ଧୀଜୀଙ୍କ ଦସ୍ତଖତର ବିରଳ ପ୍ରଦର୍ଶନୀ । ଏଠାରେ ଥିବା ଉଦ୍ୟୋଗ ମନ୍ଦିର, ସୋମନାଥ ଚିତ୍ରାଳୟ, ଶିକ୍ଷକ ନିବାସ, ପେଣ୍ଟିଙ୍ଗ ଗ୍ୟାଲେରୀ ଆଦି ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହାଛଡା ଗାନ୍ଧୀ ସାହିତ୍ୟ ଓ ବିଚାରର ପ୍ରଚାର ପ୍ରସାର କ୍ଷେତ୍ରରେ ବି ଏହି ଆଶ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏକ ସାତ୍ୱିକ ପରିବେଶରେ ଏଠି ନିଜ ଜୀବନକୁ ଧନ୍ୟ କରିବାକୁ ଆସୁଥିବା ଅତିଥିମାନଙ୍କୁ ଆଶ୍ରମର ପ୍ରବେଶ ପଥରେ ଲେଖାଯାଇଥିବା ଅମରବାଣୀ ‘ନତ୍ୱହଂ କାମୟେ ରାଜ୍ୟମ୍, ନସ୍ୱର୍ଗଂ ନପୁର୍ନଭବଂ, କାମୟେ ଦୁଃଖତପ୍ତାନାମ୍, ପ୍ରାଣୀନାମ୍ ଆର୍ତ୍ତିନାଶନମ୍’ ବିଶେଷଭାବେ ବାପୁଙ୍କୁ ସ୍ମରଣ କରାଇ ଦିଏ ।
ସାବରମତୀ ଏକ ସୌଖିନ ପର୍ଯ୍ୟଟନସ୍ଥଳୀ ନୁହେଁ, ଏହା ବିଶ୍ୱବାସୀଙ୍କ ପାଇଁ ଏକ ଜୀବନ୍ତ କିମ୍ବଦନ୍ତୀ । ଏଠାରେ ଥିବା ଐତିହ୍ୟକୁ ଧ୍ୱଂସ କରି ତାହା ଉପରେ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସରକାର ନିର୍ମାଣ କରିବାକୁ ଚାହାଁନ୍ତି ଗାନ୍ଧୀ ଆଶ୍ରମ ମେମୋରିଆଲ ଆଣ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ । ଭାରତର ଆତ୍ମା ଗାଁ ଗହଳର ଦରିଦ୍ର ଲୋକଙ୍କ କୁଟୀରରେ ରହିଛି ବୋଲି କହିବା ସହିତ ଆଣ୍ଠୁଲୁଚା ଖଦି ଖଣ୍ଡେ ପିନ୍ଧି ଗାନ୍ଧୀ ନିଜକୁ ନେଇଯାଇଥିଲେ ସେଇମାନଙ୍କ ସ୍ତରକୁ । ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ବିକାଶ ପାଇଁ ସେ ସର୍ବୋଦୟ ଓ ଅନ୍ତୋଦୟ ଅର୍ଥନୀତି ଏବଂ ସମାଜ ନୀତିର ପରିକଳ୍ପନା କରିଥିଲେ । ଜଣେ ଯେତେବେଳେ ସନ୍ଦେହରେ ପଡିଛି ବା ନିଜକଥା ତାଙ୍କୁ ବେଶି ଘାରିଛି ସେତେବେଳେ ନିଜେ ପୂର୍ବରୁ ଦେଖିଥିବା ଦରିଦ୍ରତମ ଲୋକର ଚେହେରାକୁ ମନେ ପକାଇ ତାଙ୍କ କାମ ଓ ଯୋଜନା ଏଭଳି ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ପରିବର୍ତ୍ତନ କ୍ଷେତ୍ରରେ ସହାୟକ ହେଉଛି କି ନାହିଁ ତାହା ପରଖିଲେ ସନ୍ଦେହ ଓ ସ୍ୱାର୍ଥ ଭାବନା କୁଆଡେ ଉଭେଇଯିବବୋଲି ଗାନ୍ଧୀଜୀ ଦେଇଥିବା ତାରକମନ୍ତ୍ରରେ କୁହାଯାଇଛି ।
ଯେଉଁମାନେ ସାବରମତୀର ପବିତ୍ରତାକୁ ନଷ୍ଟ କରି ସେଠାରେ ସୁରମ୍ୟ ଅଟ୍ଟାଳିକା ନିର୍ମାଣରେ ଗରିବଲୋକଙ୍କ ରାଜକୋଷର ୧୨୦୦ କୋଟି ଟଙ୍କା ବରବାଦ କରିବାକୁ ଚାହୁଁଛନ୍ତି ସେମାନେ ଗାନ୍ଧୀଜୀଙ୍କ ଏହି ତାରକମନ୍ତ୍ରର ଅନୁପାଳନ କଲେ ବହୁ ସମସ୍ୟାର ସମାଧାନ ହୋଇଯିବ । ଗାନ୍ଧୀଜୀଙ୍କ ନାମରେ ବ୍ୟବସାୟ ପାଇଁ ପର୍ଯ୍ୟଟନ ଶିଳ୍ପ ଆଳରେ ସୌଧ ଗଢ଼ିବା ଅପେକ୍ଷା ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା ଭଳି ସାମାଜିକ ପାପରୁ ଦୂରେଇ ରହିବା ପାଇଁ ସାବରମତୀର ସନ୍ଥ ଏବେ ବି ଚେତାଇ ଦେଉଛନ୍ତି । ଲୋକ ଦେଖାଣିଆ ଚାକଚକ୍ୟ ପରିବର୍ତ୍ତେ ପରିଶ୍ରମ, ପରାକ୍ରମ, ପରାକାଷ୍ଠା, ଶୃଙ୍ଖଳା, ସକାରାତ୍ମକ ଚିନ୍ତନ ସହ ସ୍ୱଦେଶୀ, ସ୍ୱାବଲମ୍ବନ, ସ୍ୱାଭିମାନ ଆଧାରରେ ଭାଇଚାରାଯୁକ୍ତ ସଶ୍ରଦ୍ଧ ଆଚରଣ ଭିତିରେ ଦୁର୍ନିତି, ହିଂସା, ନିଶା, ଦାରିଦ୍ର୍ୟ, ବେକାରୀ ଓ ଶୋଷଣମୁକ୍ତ ଶ୍ରେଷ୍ଠ, ସ୍ୱଚ୍ଛ ଓ ସମୃଦ୍ଧ ଭାରତ ଗଠନ ସଙ୍ଗେ ସଙ୍ଗେ ଗ୍ରାମ ସ୍ୱରାଜ ସ୍ଥାପନ କରି ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶୃତିଗୁଡିକର ଅନୁପାଳନ ହିଁ ହେବ ସାବରମତୀ ସନ୍ଥଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ଫୋନ : ୯୪୩୭୦୧୭୩୯୫
Comments are closed.