ରଂଜିତା ରାଣୀ ହୋତା
ମଗ୍ନ ହୃଦୟେ ମହୁ ପ୍ରାୟେ ତୁମେ ମାଦକତା ଭରା କବିତା,
ରମ୍ୟ ଭୁବନେ ନନ୍ଦନବନେ ତୁମେ ସୁରଭିତ ଯୂଥିକା
ଜୀବନ ଅୟନେ ତୀବ୍ର ଦହନେ ସତେ କି ସଞ୍ଜ ସଳିତା
ଭଲ ପାଇବାର ଭାଲଦେଶେ ଚାରୁ କୁଙ୍କୁମ ତୁମେ ପ୍ରେମିକା ।
ନାରୀ ଜୀବନର ସୁମଧୁର ରୂପ ତୁମ ବିନେ ଲାଗେ ଅଧୁରା
କେଉଁ ସୁପୁରୁଷ ଚାହେଁନାହିଁ କୁହ ଜୀବନେ ମୁଗ୍ଧା ନାୟିକା ?
ଦୁଃସହ ପ୍ରାସ ଭୋଗିଭୋଗି ନିଜ ମରମେ ପ୍ରଣୟ ବିଧୁରା,
ତଥାପି ଗୋ ତୁମେ ସର୍ଜନଶୀଳ ହୃଦୟେ ମଧୁର ଗୀତିକା।
ପିଆସୀ ପୁରୁଷ ବୁଝିଛି କି କେବେ ତବ ଅନ୍ତର ବେଦନା
ପିନ୍ଧାଇ ଦେଇ ତୁମରି ଲଲାଟେ କୃଷ୍ଣ କାଳିମା ଟିକିଲି
ଚଟୁଳବାଣୀରେ ଭୁଲାଇ ତୁମକୁ ଦେଇଛି ଯେତିକି ଯାତନା
ପ୍ରଣୟ ସରସୀ ତୁମ ବୁକେ ପ୍ରେମ ପଦ୍ମ ଯାଇଛି ଚହଲି ।
ଅଶ୍ରୁ ସଜଳ ପରାଣେ ବି ତୁମେ ସକଳ ସୋହାଗବୋଳା ଗୋ
ଫୁଂସ ସାଗର ଉତ୍ତାଳ ବୁକେ ଦୀପ୍ତ ମୁକୁତାମାଳା ଗୋ। ।