Latest Odisha News

BREAKING NEWS

କବିତା : ନିତି ଶିଖାଉଥିଲା

ଅନସୂୟା ପଣ୍ଡା 

ମୁଁ ଚାହୁଁ ଥିବାପରି,
ଉଡିବାକୁ ଚିନ୍ତା ଶୂନ୍ୟ ଆକାଶ,
ଜିଇଁବାକୁ ନିବିଡ଼ ଆଶ୍ୱାସନାର ଧରା,
ସଜାଇବାକୁ ତାରା ଫୁଲର ଚାନ୍ଦୁଆ,
ମନ ଭୁଲାଇବାକୁ ଶୀତଳ ରୁପା ଜହ୍ନର ବିଞ୍ଚଣା,
ଘୋଡେଇ ହେଉଥିବା ଉଷୁମ ଖରାର ଚାଦର,
ମୋ ଠାରୁ ଛଡାଇ ନେଇ ଯିବାପରେ,
ମୁଁ ମୋର ସବୁ ଇଛା,
ସବୁ ସ୍ବପ୍ନ ମନ ଭିତରେ ହିଁ ନିର୍ବାଣ ଦେଲି l
ସବୁ ଛାଡି ଦେଲି, ଏମିତିକି ତୁମକୁ ପାଖରେ ପାଇବାକୁ ଭାବିବା ବି
ହେଲେ,
ବଞ୍ଚିବାର ଇଛାକୁ କାହିଁକି ଆଜିଯାଏ ଛାଡି ପାରିଲିନି l
କିଛି ମୋ ପାଇଁ ବଡ଼ ନୁହେଁ,
ମୁଁ ଓ ମୋର ଲକ୍ଷ୍ୟ ଆଗରେ,
ତୁମେ ସବୁ ଖାଲି ମୋତେ ବାସ ନୁହେଁ ଯାତନାର ଝରା ଫୁଲ ଭେଟି ଦେଇଛ,
ସ୍ୱାର୍ଥପର ପରି ଏତିକି ବି ଭାବି ପାରିଲିନି l

ହେଲେ ବଞ୍ଚିବାର ଇଛା ମୋତେ ଜଞ୍ଜାଳର ବହଳ କୁଝଟିକା ଭିତରେ ବି,
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିବା ସ୍ବପ୍ନର ଆଇନା ରେ ଆଶାବାଡ଼ି ପରି,
ମୋ ପାଇଁ ଶେଷ ହେଉନଥିବା ସୁଖ,
ଅପରିଜ୍ୟାପ୍ତ ଶାନ୍ତି ଖୋଜି,
ପ୍ରାଣ ଆଲ୍ଲାଦିତ ସଙ୍ଗୀତ ଗାଇବା ନିତି ଶିଖାଉଥିଲା l

ନବୀନାବାଗ, ଖୋର୍ଦ୍ଧା 

 

 

 

 

Comments are closed.