ଅନନ୍ତାଂଶୁ ଜେନା
କୁହ ତ !
ଚୁପ ରହିବା ଭଲ, ନା ଅନର୍ଗଳ ଗପିବା
କିଛି ତ ଫରକ ଥିବ !
ନ ହେଲେ
ଅନର୍ଗଳ ଗପୁଥିବା ଲୋକ ବି
ବେଳେବେଳେ ଚୁପ
ହୁଏତ ସୀମାବଦ୍ଧ
ପୁଣିଥରେ, ଆଉ କାହା ପାଇଁ
କିମ୍ବା, ପ୍ରାୟଶ୍ଚିତ
ଘଟିଥିବା ଘଟଣାର
କିଛି କୋହ ସାଇତା ଅଙ୍ଗାର
ସହି ହୁଏ ସବୁବେଳେ
ସହିବାକୁ ବି ହୁଏ
ଆଉ କ’ଣ ଉପାୟ ଅଛି
ମୁକ୍ତିର, ଉଡ଼ିଯିବାର ?
ସବୁଦିନ ହସିବାକୁ ହୁଏ
ସବୁ କଥାରେ
ଯନ୍ତ୍ରବତ ଜୀବନ
କେମିତି ବଞ୍ଚି ହୁଏ !
ଦୀର୍ଘ ଦିନ ଧରି
ନିଜକୁ ଜାବୁଡ଼ି ଧରି
ନିଜ ପାଇଁ ନିଜେ
ଲକ୍ଷ୍ମଣ ଗାର
ପୁଣି, ସେହି କଥା
ବାରମ୍ବାର ଦୋହରାଇ
କ’ଣ ମିଳେ ?
ପୂର୍ଣ୍ଣତା , ହଁ ସତରେ !
ମିଛ ବି ହେଇପାରେ
ତୁମକଥା ତୁମ ପାଇଁ
ତୁମେ ତ ସେମିତି
ଭାସିବାକୁ ପସନ୍ଦ କର
ବୁଡ଼ିବା ଯେ ଭୟ
କାଳେ ଗୋଡ଼ ଲାଖିଯିବ
ଅନ୍ଧାର ହେବା ଆଗରୁ
ମେଘ ଢାଙ୍କିଦେବ
ପୁଣି ଥରେ ଦିନଟିଏ
ସରିବାର ଭୟ !
ଆହାଃ, ବଞ୍ଚି ହେଲାନି ତ
ଯେମିତି ଭାବିଥିଲ
ରାତିର ସ୍ୱପ୍ନରେ
ଏକୁଟିଆ-ଏକାନ୍ତରେ
କେତେ କଥା
ଫୁଲକୁ ଆଉଜି
ଝଡ଼ି ଯିବାର ମୋହ
ସେମିତି ଅଛି
ଖାଲି ଅପେକ୍ଷା
କୁହ ତ !
Comments are closed.