Latest Odisha News

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା

ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ
ଜ୍ଞାନ ବୁଦ୍ଧି ବିବେକର
ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ
ଅଜ୍ଞାନତା ଦୂର କର ।

ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା
ପଦ୍ମାସନା ଗୋ ଜନନୀ
ମୁକୁତାର ହାର ବୀଣାର ଝଙ୍କାର
ବାଣୀ ପୁସ୍ତକ ଧାରିଣୀ ।

ବାକଦେବୀ ଜନନୀ ଅନ୍ଧାର ନାଶିନୀ
ଅଧିଷ୍ଠାତ୍ରୀ ଦେବୀ ତୁହି
ତୋର କୃପା ବଳେ ଅଧମ ହୁଅଇ
ଜ୍ଞାନର ବର୍ତ୍ତିକା ସେହି ।

କବି କାଳିଦାସ ତୋ ଚରଣ ବନ୍ଦି
ହୋଇ ଗଲେ ମହାଜ୍ଞାନୀ
ତୋର କୃପା ମିଳୁ ଜଗତ ଜନଙ୍କୁ
ଅଜ୍ଞାନୀ ହେଉ ସୁଜ୍ଞାନୀ l୪ଲ

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ
ଅନୁଷ୍ଠାନେ ପୂଜା ପାଉ
ବିଦ୍ୟାର୍ଥୀ ଗଣଙ୍କ ପ୍ରାର୍ଥନା ଶୁଣିଣ
କୃପା ଢାଳି ଦେଇ ଥାଉ ।

ଶ୍ରୀପଞ୍ଚମୀ ଦିନ ଉପାସ କରନ୍ତି
ତୋର ଆରାଧନା ପାଇଁ
ଆଶୀର୍ବାଦ ଦେବୁ ବିଦ୍ୟାଦାୟିନୀ ମା
ଅଜ୍ଞାନ ଯାଉ ଦୂରେଇ ।

ଜିହ୍ୱା ଅଗ୍ରଭାଗେ ଉପବେଶ ହେଉ
ବିଦ୍ୟା ବୁଦ୍ଧି ଦେଉ କହି
ସତ୍ୟ ଧର୍ମ ମାର୍ଗ ପଥ ତୁ ଦେଖାଉ
ଜ୍ଞାନ ତୁ ଦେଉ ବତାଇ ।

କରୁଣାମୟୀ ମା ଜଗତ ଜନନୀ
ଜ୍ଞାନ ଦାତ୍ରୀ ଅଜ୍ଞାନର
ତୋର କୃପାବଳେ ମୂର୍ଖ ହୋଇ ପାରେ
ଶ୍ରେଷ୍ଠ ପାଣ୍ଡିତ୍ୟ ଜନର ।

ଅଧମ ସନ୍ତାନ କରୁଛି ପ୍ରାର୍ଥନା
ସୁଦୟା ଟିକେ କରିବୁ
ତୋର ପାଦ ସେବି କର୍ମ ମୁଁ କରିବି
ଏହି ଆଜ୍ଞା ଦେଉଥିବୁ ।

ଗାନ୍ଧୀନଗର, ନବରଙ୍ଗପୁର,

Comments are closed.