Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୪ 

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର । ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ ଓ ଅବ୍ୟକ୍ତ ବୋଲି ବିବେଚନା କରୁ । ପରମ ରହସ୍ୟମୟ ଦେବତା ଭାବରେ ସେ ଯେତିକି ପ୍ରସିଦ୍ଧ, ସେତିକି ପ୍ରସିଦ୍ଧ ଭକ୍ତବତ୍ସଳ ଓ ସର୍ବମଙ୍ଗଳମୟ ଦେବତା ହିସାବରେ ।

ସେଥିପାଇଁ ବ୍ରହ୍ମlଣ୍ଡ ପୂରାଣ କହେ “ସର୍ବାଥଶକ୍ତି ଯୁକ୍ତସ୍ୟ ଦେଵଦେବଶ୍ୟ ଚକ୍ରୀନଃ, ଯଛାଭୀରୁଚିତଂ ନାମ ତତ ସର୍ବାଂଥ୍ରେଷୁ ଯୋଜୟେତ । ଅର୍ଥାତ ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ବିଷ୍ଣୁ )ଙ୍କ ଶୌର୍ଯ୍ୟସୂଚକ ନାମ ଚକ୍ରୀ (ସୁଦର୍ଶନ ଚକ୍ର ଧାରଣ କରିଥିବାରୁ )ବା ଚକ୍ରପାଣିଙ୍କ ସହସ୍ର ନାମ ମଧ୍ୟରୁ ଯେ ଯାହାର ରୁଚି ଅନୁସାରେ ଗୋଟିଏ ଗୋଟିଏ ନାମରେ ଡାକିଲେ ମଧ୍ୟ ଜଗତ ମଙ୍ଗଳ କାରକ, ସର୍ବ ମଙ୍ଗଳ କାରକ ଶ୍ରୀଜଗନ୍ନାଥ ନାମଟି ସର୍ବଗ୍ରାହ୍ୟ, ସର୍ବମାନ୍ୟ ତଥା ସର୍ବଶକ୍ତି ଯୁକ୍ତ ହୋଇଛି । ଏହି ନାମ ଏକ ସତ୍ୟୋକ୍ତି ଭଳି ଚିରନ୍ତନ ଓ ଚିରସୁନ୍ଦର ଅଟେ । ସୃଷ୍ଟି ପ୍ରକ୍ରିୟାର ଆରମ୍ଭ ମଧ୍ୟ ଏକ ସତ୍ୟୋକ୍ତିଠାରୁ ହୋଇଛି ବୋଲି ଋଗବେଦ ବର୍ଣନା କରେ । ଏହାହିଁ ପ୍ରଥମ ଉକ୍ତି ବା ପ୍ରଣବର ପରିପ୍ରକାଶ । ଏହି ପ୍ରଣବର ପରିପ୍ରକାଶ ପରେ ପରମେଶ୍ୱର ପରଂବ୍ରହ୍ମ ଯୋଗ ନିଦ୍ରା ଭାଙ୍ଗ କରି ଏକରୁ ବହୁ ହେବାର ଇଛା କଲେ ବା ସଂକଳ୍ପ କଲେ । ଆଉ ସୃଷ୍ଟି କଲେ ବିଶ୍ୱ ବ୍ରହ୍ମlଣ୍ଡ । ଋଗ ବେଦ ବାଣୀ ହେଉଛି :

“ସୀମା ସତ୍ୟୋକ୍ତି ପରିପାତୁ ବିଶ୍ଵତୋ -ଦ୍ୟାନୀ ଚ ଯତ୍ର ତତନନ୍ନହାନି,
ବିଶ୍ୱମନ୍ୟଂ ନିବିଶତେ ଯଦେଦତି ବିଶ୍ୱା- ହାପୋ ବିଶ୍ୱାହୋଦେତି ସୂର୍ଯ୍ୟ । “

ଅର୍ଥାତ ଯେଉଁ ସତ୍ୟୋକ୍ତି ଦ୍ୱାରା ପୃଥିବୀ, ଅନ୍ତରୀକ୍ଷ , ନିଖିଳ ପ୍ରାଣୀ ଜଗତର ସୃଷ୍ଟି, ଯେଉଁ ସତ୍ୟୋକ୍ତିଠାରୁ ସମସ୍ତ ଜଡ଼, ସ୍ଥାବର ଜଙ୍ଗମର ସୃଷ୍ଟି । ଜୀବଙ୍କର କମ୍ପନ ଓ ସୂର୍ଯ୍ୟଙ୍କର ଉଦୟ ଅସ୍ତ ପ୍ରକ୍ରିୟାର ସୃଷ୍ଟି । ସେହି ସୃଷ୍ଟି ପାଳନ ଓ ପ୍ରଳୟର ସତ୍ୟୋକ୍ତି ଆମ୍ଭମାନଙ୍କୁ ସର୍ବ ମଙ୍ଗଳମୟ ଶ୍ରୀଜଗନ୍ନାଥ ହିସାବରେ ସତତ ରକ୍ଷା କରନ୍ତୁ ଏହି ପାର୍ଥନା । ସେ ହିଁ ଏହି ଜଗତର ସ୍ପନ୍ଦନ ଓ ନିର୍ଗୁଣରେ ସଗୁଣ ବେଦ ପୁରୁଷ, ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । କବି ଦୀନକୃଷ୍ଣଙ୍କ ଭାଷାରେ “କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ, କରନ୍ତି ପୂର୍ଣ୍ଣ ପ୍ରାଣୀ ମନୋରଥ “(ରସ କଲ୍ଲୋଳ ) ।

ତେଣୁ ଜଗତମୟ ଶ୍ରୀଜଗନ୍ନାଥଙ୍କୁ ଆମେ କୋଟି ବ୍ରହ୍ମlଣ୍ଡ କର୍ତ୍ତା ଭାବରେ ଅଭିହିତ କରିଥାଉ । ଯାହାଙ୍କ ପ୍ରତି ଲୋମ କୂପରେ ମାଳ ମାଳ ବ୍ରହ୍ମlଣ୍ଡ ବିରାଜମାନ କରୁଛି । ସେଭଳି ଜଗତ ଠାକୁରଙ୍କୁ ଏ ସମଗ୍ର ଓଡ଼ିଆ ଜାତି ନିଜର ଆରାଧ୍ୟ ହିସାବରେ ପାଇଛି । ଏହାହିଁ ଆମର ଗୌରବ । ଅନେକ ପୁଣ୍ୟର ଫଳ । ଆସନ୍ତୁ ତେବେ କାୟମନୋବାକ୍ୟରେ ଉଚ୍ଚାରଣ କରିବା : ହେ ଜଗତନାଥ ଶ୍ରୀଜଗନ୍ନାଥ ମୁଁ ଆପଣଙ୍କ ବିନା ସମ୍ପୂର୍ଣ୍ଣ ନିରାଶ୍ରୟ ଟିଏ । ତେଣୁ ଆପଣ ମୋତେ ଶରଣ ଦିଅନ୍ତୁ । ମୋତେ ଆପଣାର କରନ୍ତୁ । “ନିରାଶ୍ରୟମାମ ଜଗଦୀଶ ରକ୍ଷ ।” (ଦ. ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Comments are closed, but trackbacks and pingbacks are open.