ବିଦ୍ୟୁତପ୍ରଭା ଗନ୍ତାୟତ
ମୁଁ ଜାଣେ
ଆଢୁଆଳେ ରହି କିଏ
ଦୁଇ ନିରୀହ ପ୍ରେମୀଙ୍କୁ
ଦୁଇ ସମ୍ପ୍ରଦାୟରେ ବାଣ୍ଟୁଛି
ଦୁଇ ଗୋଷ୍ଠୀ ରେ ନାମିତ କରୁଛି
ପୂଜା ଚାଙ୍ଗୁଡିରେ ସଜଡା ଫୁଲକୁ
ଧର୍ମ ପଚାରୁଛି ।
ମୁଁ ଜାଣେ
କେଉଁ ଦୁର୍ବୃତ୍ତ ମାନେ
କଅଁଳ ବୟସର ଅଫୁଟା ଫୁଲକୁ
ଦଳି ମକଚି ଜୀଅନ୍ତା ଜାଳି ଦିଅନ୍ତି ।
ଆଇନ କାନୁନର ଚକ୍ରବ୍ୟୁହ ଭିତରୁ
ଦିନ ଆଲୁଅର ଫର୍ଚାରେ ବି
ଚୁପଚାପ ଖସି ଯାଆନ୍ତି ।
ମୁଁ ଚିନ୍ହେ ସେଇ ଦାମ୍ଭିକ ମାନଙ୍କୁ
ଧୋବ ଧାଉଳିଆ ସାଜି
ସଭା ମଞ୍ଚ ମଣ୍ଡନ କରନ୍ତି
ଅର୍ଥ ଦେଇ ସ୍ୱାର୍ଥର ସଉଦା କରନ୍ତି l
ମୁଁ ଜାଣେ
ମୋ ପାଣି ପବନ ଆକାଶ ଓ ମାଟିରେ
ଜହର କିଏ ମିଶାଉଛି
ଚକଡାଏ ଜଙ୍ଗଲ କଟିଲେ
କେତେ ମାଟି ଧସୁଛି
ସମୁଦ୍ର କେତେ କୁଳ ଖାଉଛି
କେତେ ଶ୍ୱାସବାୟୁ ବିଷାକ୍ତ ହେଉଛି ।
ମୁଁ ଦେଖେ
ଖଣି ଖଦାନ ନଦୀ ଝରଣା
କ୍ଷେତବାଡ଼ି ବଗିଚାରୁ
ପ୍ରାଚୀନ ଦେବପୀଠ ଯାଏ
କାହାର ବିଷଦୃଷ୍ଟି ଚରି ଯାଉଛି
ପ୍ରକୃତିକୁ କିଏ ବ୍ୟବଚ୍ଛେଦ କରି
ଭାଗ ବଣ୍ଟା କରୁଛି ।
ଦାନବର ଅଖଣ୍ଡ ପିପାସା
ମାନବୀୟ ସମ୍ବେଦନା ର
ବଜାର ପ୍ରବେଶ କରାଇଛି
ଭୁତାଣୁର କାଳକୂଟ
ଭସ୍ମାସୁର ସାଜି ପଞ୍ଝା ପସାରିଛି ।
ଲାଳସାର ହଳାହଳ ! ଅନ୍ତକାହିଁ ?
ସବୁଠି କୁହେଳି ,
ସବୁଠି ପହେଳି
ଏ ଅସରନ୍ତି ଅନ୍ଧାରର
ଅନ୍ତ କେବେ ,
କେତେଦୂର ବାକି ?
Comments are closed.