Latest Odisha News

କବିତା : ପ୍ରତିଦ୍ୱନ୍ଦୀ

ଦେବାଶିଷ ଦାଶ

ମୁଁ ପ୍ରତିଥର
ମୋର ଚରମ ବ୍ୟାପକତାକୁ
ଛୁଇଁ ପାରିଥିବାର ବିଜୟୋଲ୍ଲାସ ସହ
ତୁମଠୁ ହିଁ ଫେରୁଥିବାର ଅନୁଭବ
ପ୍ରାୟ ସମସାମୟିକ ।
ତମେ ମୋର ଚିର ପ୍ରତିଦ୍ୱନ୍ଦୀ,
ପଛେଇ ଯିବାର ଭୟରେ
ମୋତେ ଆକ୍ରାନ୍ତ କରି
ନୟାନ୍ତ କରୁଛ ।

ତମଠୁ ସ୍ବପ୍ନ ହରିନେଇ
ରାତ୍ରୀଚର ହେଲି ,
ଭାବୁଥିଲି ତମେ ମ୍ରିୟମାଣ ହେବ ।
ହେଲେ ତମେ ତ ସେତେବେଳଠୁ ତେରଛା ହସୁଛ !

ବାସ୍
ମୋତେ ଲହୁଲୁହାଣ କରିବାକୁ
ସେତିକି ହିଁ ଯଥେଷ୍ଟ ।

ମୋର ସମାନ୍ତର ରୈଖିକ ସ୍ଥିତି ପ୍ରତି
ତମେ ଏକ ତୀକ୍ଷଣ ଅଭିଳମ୍ବ ।
ମୋର ଅସୀମ ଉପଲବ୍ଧିର
ନିଭୃତ କୋଣରେ
ଝାପସା ତମର ସ୍ଵାକ୍ଷର ।

ପ୍ରତିଦ୍ୱନ୍ଦୀ ମାନେ କ’ଣ
ସବୁକାଳେ ଏମିତି ନିର୍ଲିପ୍ତ ?

ମୁଁ ପ୍ରତିଥର
ତରଳି ଯିବା ଆଗରୁ ଦେଖେ
ତମେ ସମୁଦ୍ର ହେଇ ଯାଇଛ ।
ନିଜକୁ ଟିକିଏ
ଉଷୁମ ଉଷୁମ ଲାଗିବାର
ଅବ୍ୟବହିତ ପୂର୍ବରୁ
ମୋତେ ଲାଗେ ତମେ କୁହୁଳି ଯାଇଛ ।

କାଳାନ୍ତରେ ଏହା ହିଁ କାମ୍ୟ,
ତମେ ବିସ୍ଫୋରିତ ହୋଇ ମୋତେ ଛିନ୍ନଛତ୍ର କର ।
ପରବର୍ତ୍ତୀ ମୁହୂର୍ତ୍ତରେ
ମୋର ପ୍ରତିଟି ମାଂସଟୁକୁଡାକୁ ଜଡେଇ ଧରି
ମୁହ୍ୟମାନ ଲୋଟୁଥାଅ ନିର୍ବିକାର ।

Leave A Reply

Your email address will not be published.