କବିତା : ପୁନେଇଁ ନିଆଁ

ଜ୍ଞାନ ରଞ୍ଜନ କର

ତୁମେ ହେଇଥାଅ ବାର ମାସେ ବାର ପୁନେଇଁ ରାତିର ପୂର୍ଣ୍ଣ ଜହ୍ନ,
ହେଲେ ମୋତେ ତୁମେ ଜାଣିନ,
ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ ।

ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ…
ତୁମକୁ ଆକାଶରେ ଆଜି କେହି ଦେଖିବେନି,
କାରଣ ମୁଁ ମାଟିରେ ଜଳିଲେ ତୁମ ଆକାଶ ଝାଉଁଳି ପଡେ,
ମୋ ଦେହର ତେଜରେ ତମ ରୂପେଲି ଜୋଛନା, ଧେତ ଭାରି ଅସନା,
ମୋ ଦେହେ ପଡିଥିବା ଆଳୁର ବାସ୍ନା, କାଲିର ପଖାଳ ସ୍ୱପ୍ନ ଦେଖାଏ,
ମୁଁ ବର୍ଷକ ଭିତରେ ଥରେ ଆସେ, ତୁମ ଭଳି ବାର-ମାସି କୁଣିଆ ମୁଁ ନୁହେଁ
ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ ।

ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ
ମୋ ଭିତରେ ସୂର୍ଯ୍ୟକୁ ତେଜିବାର ଶକ୍ତି,
ତୁ ପ୍ରେମକୁ ଯେତେ କୋଳେଇ ନେ, ମୋ ଭିତରେ ପ୍ରେମକୁ ସହିବାର ଭକ୍ତି,
ମୁଁ ଜଳିବାକୁ ଡରେନା, ନା ନିଆଁରେ, ନା ପ୍ରେମରେ,
ମୁଁ କୁହୁଳିବାକୁ ବି ଡରେନା, ନା ସ୍ମୃତିରେ, ନା ଶାନ୍ତିରେ,
ମୁଁ ଆଜି ନିରାକାର ଧୂନି, ମୋ ଧୂଆଁ ଏ ସମାଜର କଣ କଣରେ,
ଆଉ ମୋ ଭିତରର ସକରାତ୍ମକତା ଆଜି ରାତ୍ରିର ଅନ୍ଧାରକୁ ସହଜେ ଜୟ କରେ
ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ ।

କଟକ