ଆକାଶରେ ଯେଉଁଦିନ ଜହ୍ନ ନଥାଏ
ସେଦିନ ମୁଁ ଅଧିକ ଉଦାସ
ଓ ତମ କଥା ବେଶି ବେଶି
ଉନେପଡୁ ଥାଏ ।
ଝର୍କା ଖୋଲେ,
ଗୁମ୍ ହୋଇ ବସିରହେ ସାରାରାତି
ଏମିତି ଏକା ଏକା
ତମେ ଏକ ଅନ୍ଧାରର ନଈ ଓ ମୁଁ ଏକ
ନିଃସଙ୍ଗ ନଉକା ।
କ୍ରମଶଃ କୋମଳ ହୁଏ ଅନ୍ଧାର
ଅନ୍ଧାରରେ ଫିଟିପଡେ
କେଉଁ ଛାୟାନାୟିକାର ଗଭା,
ଗଭା ଭିତରୁ
କେଉଁ ଅଚିହ୍ନା ଫୁଲର ବାସ୍ନା
ଓ ହଳେ ପାଉଁଜିର ଛମ୍ ଛମ୍
ମୋତେ ବାଟ କଢେଇ ନିଏ
ଅନ୍ଧାରରେ ।
ଅନ୍ଧାରରେ ଜହ୍ନର ଠିକଣା ଦେଇଯାଏ
ଭାନୁଜୀ ରାଓ, କହେ ଜହ୍ନର ରକ୍ତ ଧଳା
ଲୋକଟା ଯଦି ବଂଚିଥାନ୍ତା
ପଚାରନ୍ତି; ଜହ୍ନ କ’ଣ
ସୁନ୍ଦରୀର ସ୍ତନଠାରୁ ଅଧିକ ସୁନ୍ଦର
ଜହ୍ନ ଯାହା, ସୁନ୍ଦରୀର ସ୍ତନ ତାହା,
ଉଭୟରେ ଦାଗ ଅଛି
ଦୁହେଁ ଯାକ ଦୂରରୁ ସୁନ୍ଦର ।
ମତେ କେହି ପଚାରନା
ମୁଁ କାହିଁକି ମନ ମାରି ଜହ୍ନ ଖୋଜୁଥାଏ
ଅନ୍ଧାର ଭିତରେ ମୁଁ ମଲାଜହ୍ନଟିଏ ହୋଇ
କାହିଁ କେତେକାଳୁ ହଜିସାରିଥାଏ ।
ନିର୍ମାଲ୍ୟ, ୨୬୩୦/୧, କେଦାରଗୌରୀ ବିହାର
ଭୁବନେଶ୍ୱର-୭୫୧୦୧୪
ମୋବାଇଲ୍-୯୯୩୮୬୦୯୮୫୩
Comments are closed.