ଲକ୍ଷ୍ମଣ ସାହୁ
ବିସ୍ତୀର୍ଣ୍ଣ ସାଗର ବେଳାର
ବିକ୍ଷିପ୍ତ ବାଲୁକା ରାଶିରେ
ଶାମୁକାର ସମାହାରେ
ଖୋଜୁଥାଏ ମୋ ଅତୀତ
ସ୍ମୃତି ଏବେ ଅନାହତ
ଖୁସିର ଶାମୁକାଟିଏ ।
ଖୋଜୁଥିଲି…….
କୋଣାର୍କର ଭଗ୍ନ ମୁଖଶାଳେ
ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ
ନୃତ୍ୟରତା ମୋ ପ୍ରିୟାର ମୁଖ
ପାଦର ଘୁଙ୍ଗୁର, ଅଳସ ଚାହାଣୀ
ଓଠେ ସ୍ମିତ ହାସ, ମଦାଳସା
ନୁପୁରର ରୁଣୁ ଝୁଣୁ ଶବ୍ଦ
କାମ କ୍ରୀଡ଼ାର ଘର୍ମାକ୍ତ ସ୍ୱେଦ
ପରମ ତୃପ୍ତି ନିର୍ବାଣ
ଭିନ୍ନ ଏକ ଉପପାଦ୍ୟ
ନୂଆ ଅଙ୍କର ଜୀବନ ।
କେବେ ପୁଣି
ଧଉଳିର ଶାନ୍ତିସ୍ତୂପେ
ଓଁକାର ଉଚ୍ଚାରଣେ
ଅମୃତ ବାଣୀ
ମୁଗ୍ଧ ନୟନ, ଖୋଜୁଥିବା
ବୁଦ୍ଧ ସନ୍ୟାସୀ, ଧର୍ମ ଶରଣକୁ
ଉଦୟଗିରିର ରାଣୀଗୁମ୍ଫାରେ
ବକ୍ଳଧାରୀ, ଅନାହାର ସାଧୁ
ସନ୍ଥ ମହାତ୍ମାଙ୍କୁ
ଅବା ମଣିକର୍ଣ୍ଣିକା ଖୋଲରୁ
ସବୁଠି ଶୁଭିଛି ମୋତେ
ଦରଦୀର ଆର୍ତ୍ତଚିତ୍କାର
ଯୋଉଠି ନାହାନ୍ତି ମୋ
ଦ୍ଵିତୀୟ ଈଶ୍ୱର ।।
କେଉଁଠି ଖୋଜିବି ଆଉ
ପରମ ସଖାଙ୍କୁ
ଦେବାକୁ ଗୀତା ଜ୍ଞାନ
ଜୀବନ ମୋ ଭାଗବତ
ମହାଭାରତର ଧର୍ମ ସମ୍ଭାବୀ କୃଷ୍ଣ
ଦ୍ୱାରିକାର ଅଧିପତି ଯଦି
ହସ୍ତିନାର ଦୂତ, ଏ ମହାଗହନେ
ରାମ ନାମ ଜପେ ଶୁଆ
ମହାଶୂନ୍ୟ, ମହାମନ୍ତ୍ର
ଜୀବନ ବେଳାର
ଦିଶୁଛନ୍ମି କ୍ରୀଶବିଦ୍ଧ ଯୀଶୁ,
ହାତ ଧରି ଡାକୁଛନ୍ତି ଆଲ୍ଲା
ମନ୍ଦିର ଗୀର୍ଜା ଚର୍ଚ୍ଚ ମୁକୁଳା
ହସୁଛନ୍ତି ଚକାଡୋଳା
ସାମ୍ୟ ବାର୍ତ୍ତା ଧରି
ଅହିଂସାର ମନ୍ତ୍ର ନେଇ
ଓହ୍ଲାଇ ଆସୁଛନ୍ତି ବାପୁ
‘ରଘୁପତି ରାଘଵ ରାଜା ରାମ’ ।।
ଖୋଜିବାକୁ ଲୋଡା ନାହିଁ
ଖୁସିର ଶାମୁକା, ଫରୁଆ ଭିତରୁ
ବୁଢ଼ୀ ଅସୁରୁଣୀ କାହାଣୀ
ଏମିତି ଇଲାକା ନାହିଁ
ଯେଉଁଠି ମୃତ୍ଯୁର ଖେଳ ନାହିଁ
ଏମିତି ବ୍ଯକ୍ତି ନାହିଁ
ଯିଏ ଯନ୍ତ୍ରଣାରେ କେବେ
ହୋଇନାହିଁ ଛଟପଟ
ହେଉ ସେ ରାମ ଅବା କୃଷ୍ଣ ।।
ଅମୃତର ପୃଥିବୀ ଯଦି
ପାଲଟିଛି ବିଷମୟ
କେଉଁଠି ଖୋଜିବି
ମୋ ପ୍ରେମ ଜ୍ୟାମିତିକ ସୂତ୍ର
ଖୋଜି କି ପାଇଛ ମିତ୍ର
ପ୍ରେମର ଗଣିତ ବିଚିତ୍ର
ଦେଲ ଯଦି ପ୍ରେମପତ୍ର
ମିରା ଟିଏ ହୋଇ ।।
ରଖ ସଖା ରାଧା ଭାବ
ନିତ୍ୟ ବୃନ୍ଦାବନେ
ଶଙ୍ଖ, ଚକ୍ର, ଗଦା, ପଦ୍ମ
ଶୋଭାବନ ତବ ପାଦପଦ୍ମେ
ଏ ଅଦୃଶ୍ୟ ଭୂତାଣୁର ପରାଭବ
ପରାହତ କେବେ ତମ ନୟନ କଟାକ୍ଷେ
ଜୀବନ ସାର୍ଥକ ଲଭୁ
ବେଦ, ମନ୍ତ୍ର ମୁଖେ
ହେ ଓଁକାର ଶୂନ୍ୟ ଦେହୀ
ଭିନ୍ନ ଭିନ୍ନ ରୂପ
କେବେ ମୋର ସଖା ତମେ
କେବେ ପାଲଟେ ମୁଁ ସଖୀ
ଖୋଜିବାର ବେଳ ଏବେ ରତ ରତ
ମୋ ଅନ୍ତିମ ବେଳାରେ ଆସ ସଖା
ତମକୁ ମୋ କୋଟି ନମସ୍କାର ।
ତାରା ନିଳୟ, ପ୍ଳଟ୍-୮୫୪/ଏ
ଚାଚରା ଶବରସାହି, ମୁକୁନ୍ଦ ପ୍ରସାଦ
ଖୋର୍ଦ୍ଧା -୫୫,
Comments are closed.