ମାନସ ରଞ୍ଜନ ମହାପାତ୍ର
ତାରାର ଆକାଶ ନୁହେଁ
ଦିଅ ଗୋଟେ ମାଟିର ଆକାଶ
ପବନର ଶ୍ଵାସ ନୁହେଁ
ଦିଅ ମୁଠେ ଫୁଲର ବିଶ୍ଵାସ
ସମୁଦ୍ରରେ ଭେଳା ବାନ୍ଧି ଦିଗବିଜୟର ସ୍ଵପ୍ନ
ସରିଯିବା ଆରମ୍ଭୁ ଏଇଠୁ ନାବିକର
ଫେରନ୍ତା ସଙ୍ଗୀତ
ପର୍ବତର ପାଦତଳେ ଠିଆ ହୋଇ
ଆକାଶ ଆରୋହିବାର ବିନୀତ ଆବେଗ
ଏଇଠୁ ପାଲଟୁ ରାଜପଥ।
ଏଇଠୁ କାଠହଣାର ଶବ୍ଦ ଓ
ଝରଣାର କୁଳୁକୁଳୁ ଗୀତ
ଘଡ଼ଘଡ଼ିର ବିମାନରେ ଶୋଇପଡନ୍ତୁ
ନୀରବରେ
ସଞ୍ଜ ଆସୁ ଧୂଳି ଖେଳ ଫେରନ୍ତା ପିଲାର
ଅପୂର୍ବ ସମ୍ମୋହିତ ଅନୁରାଗ ହୋଇ
ସବୁ ଶବ୍ଦ ନଈ ହେଉ
ସବୁ ଗୀତ ପାଲଟୁ ଲହର
ସବୁ ତାରା ଝଟକନ୍ତୁ ଫୁଲ ଓ ଫଗୁଣ ହୋଇ
ଆକାଶ ମଥାରେ।
ତଳେ ଥାଉ ବିମୁକ୍ତ ହୃଦୟଟିଏ
ଗାଇଯାଉ ବାରମ୍ବାର ତମ ସୃଷ୍ଟି ବିଚିତ୍ର ପ୍ରଭାରେ ।।
୯୮୯୧୯୪୬୧୭୮
Comments are closed.