ମନସ୍ଵିନୀ ମିଶ୍ର
ଜନମ ମରଣ , ସେନେହ ବନ୍ଧନ
ମନ ହୃଦର ମିଳନ
କେବେ ଶହେ କେବେ ଶୂନ ହୋଇ
ଏଇତ ଆମ ଜୀବନ
ସୁଖ ସାଥେ ଦୁଃଖର ମିଳନ
ଅଧେ ଖରା ଅଧେ ଛାଇର କିରଣ
କେବେ ହସର ବାରିଧି
କେବେ ପୁଣି ଲୁହର ଶ୍ରାବଣ
ଏଇତ ଜୀବନ !
କେବେ ମାନ ସନମାନ
କେବେ ପୁଣି ହୀନିମାନ
କେବେ ଭାଙ୍ଗିଯାଏ ସପନ
ପୁଣି କେବେ ଅପୂର୍ବ ଆଭରଣ
ଏଇତ ଜୀବନ !
ଜୀଇଁ ଜୀଇଁ ନିତି ମରିବା
ମରି ମରି ପୁଣି ଜୀଇଁବା
ମର୍ତ୍ତ୍ୟ ଲାଗେ ଏଠି ନର୍କ ସମାନ
ତଥାପି ଚାହେଁନା ମରଣ
ଏଇତ ଜୀବନ !
ଧନ ଯଶ ଖ୍ୟାତି ପଛେ ଧାଇଁବା
ପରକୁ ଆପଣା କରିବା
ପୁଣି ଆପଣାକୁ ପର କରିବା
ଏଠି ଶହେ ପାଇ ପୁଣି ଲାଗଇ ଶୂନ
ଅଳପ ଧନକୁ ବିକଳ ମନ
ଏଇତ ଜୀବନ !
ଛଅ ଖଣ୍ଡ କାଠରେ ଶେଷ ଶୟନ
ଅଗ୍ନି ଜ୍ୱାଳାରେ ପୋଡଇ ହୀନ ଜୀବନ
ଶେଷ ହୋଇଯାଏ ଲୀଳା ଖେଳାମାନ
ଏଇତ ଜୀବନ !
ଏଇତ ଜୀବନ !
ରାଜକନିକା , କେନ୍ଦ୍ରାପଡ଼ା
Comments are closed.