Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୭

ଅମୃତା ଅଫିସ୍ ପାଇଁ ସଜାଡିନେଲା ନିଜକୁ। ହଜାରେ କାମହବ ପହଞ୍ଚିଲାପରେ। ସେତକ ସାରିଲେ ଛଉ ପାଇଁ  ସଜବାଜ। ଟିକିଏ ବିଶ୍ରାମ ପରେ ଆରମ୍ଭ ହୁଏ ଆଣ୍ଟିଙ୍କ ପାଇଁ କାମ। ସବୁଦିନ ଏକାକଥା।  ଖାଲି ନାଚ ଅଭ୍ୟାସ ଯୋଉଦିନ ନଥାଏ ,ସେଦିନ ନିଜ ଦେହମନର ଯତ୍ନ। ନିଜପାଇଁ  ସମୟ। ଏତେ ବଡ ପୃଥିବୀ,  ନିଜର ବୋଲି  ଅଛି କିଏ? ନିଜେ ହିଁ ନିଜର ପରା !

କାହିଁକି କେଜାଣି ଛଉ ଏତେ ଆକୃଷ୍ଟ କରେ… ଘାରିଯାଏ ସର୍ବାଙ୍ଗ। ଗୁରୁଙ୍କ ବ୍ୟବହାର,  ଆଉ ଛଉର ଆରମ୍ଭ କାହାଣୀ ବେଶ୍  ଉଦବେଳିତ କରେ  । ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ  ଦିନେ କେବେ ଚିତ୍ରଡା ଅମର୍ଦ୍ଦା  ରାସ୍ତାରେ ଯିବା ସମୟରେ  ଅସଂଖ୍ୟ ତିତିରି ପକ୍ଷୀ  ପାଣି ପିଇ ଡେଣାମେଲି ଆକାଶକୁ ଉଡିଯିବା ଦେଖି , ବନ୍ଧୁକ ଗର୍ଜ୍ଜି ଉଠିଲା ଶିକାର ଆଶାରେ। ମୃତାହତ ହେଲେ କିଛି ନିରୀହ ପକ୍ଷୀ।

ଦମ୍ଭିଲା ମଣିଷ ଜଣେ ଦୌଡି ଆସିଲେ, ବନ୍ଧୁକଠାରୁ ବି ଭୀଷଣ ସ୍ବରରେ କହିଲେ, ‘ପକ୍ଷୀଗୁଡିକ କାହାର କି କ୍ଷତି କରିଥିଲେ? କିଏ ମାଆ, କିଏ ବାପା ଥିବ ତା’ ଭିତରୁ, କାହାର ପିଲେ ଅପେକ୍ଷା କରିଥିବେ ବସାରେ, କାହାର ପେଟରେ ଅଣ୍ଡା ଥିବ ତ କାହା ବସାରେ ଅଣ୍ଡା ଥିବ ,ହାଁ ,ଏଡେ ନିର୍ଦ୍ଦୟ..।

ଅକାରଣେ ଗୁଡିଏ ନିରୀହ ଜୀବଙ୍କ ପ୍ରାଣଗଲା। ପାଣି ଟୋପାକ ପାଇଁ  ଏ ଜମିକୁ ଆସନ୍ତି ସେ ଗୁଡିକ , ହେରାଜା … ଶକ୍ତିର ଅପଚୟ  ଏସବୁ,  ନା କେବଳ ଅନ୍ଧ ବିଳାସିତା ? ‘ ସ୍ତବ୍ଧ ରାଜା…ପାରିଷଦ, ମହାମନ୍ତ୍ରୀ ।

‘ମୋ’ ରାଜ୍ୟରେ ଏମିତି ନିର୍ଭୀକ ଓ ଦୟାଳୁ ଅଛନ୍ତି’, ମହାରାଜା କହିଲେ ଗଦଗଦ ହୋଇ। ସ୍ବୀକାର କଲେ ଭୁଲନିଜର। କୁଣ୍ଢେଇପକାଇ ନାମ ପଚାରିଲେ। ‘ମାଙ୍ଗାତ ମହାନ୍ତ’ , ଉତ୍ତର ଫେରିଲା। ସେଇ ମୁହୂର୍ତ୍ତରୁ  ବନ୍ଧୁ ବୋଲି ଘେନିଲେ ରାଜା। ତାଙ୍କ ନାମରେ ବିରାଟ ଜଳାଶୟ , ମାଙ୍ଗାତ ବନ୍ଧ ଯାହା ଆଜିବି ରହିଛି ସେଠାରେ । ବାନ୍ଧି ହୋଇଗଲେ  ବନ୍ଧୁତାର ଡୋରିରେ ଉଭୟ ।  ସତେକି କୃଷ୍ଣ ସୁଦାମା !

ଏଥର ଦୁଇ ବନ୍ଧୁ ମଝିରେ ମଝିରେ ଦେଖାକରନ୍ତି ପରସ୍ପରକୁ। ରାଜବାଟିର ଆଥିତେୟତା ମୁଗ୍ଧ କରେ ମାଙ୍ଗାତଙ୍କୁ। ସେ ଆମନ୍ତ୍ରଣ କରନ୍ତି ମହାରାଜାଙ୍କୁ।  କୃଷ୍ଣଚନ୍ଦ୍ର ଗ୍ରହଣ କରନ୍ତି ସହୃଦୟ। ଗ୍ରାମୀଣ ପରିବେଶରେ ବନ୍ଧୁଙ୍କୁ  ଖୁସି କରିବାପାଇଁ  ଖାଦ୍ୟ ସହ ମନୋରଞ୍ଜନ ଉପଲକ୍ଷେ  ନୃତ୍ୟଗୀତର ଆସର ହେଲା। ରାଜା ମୁଗ୍ଧ ସେ ଆସରରେ। ଝୁମର ସହ ଏକ ଭିନ୍ନ ଶୈଳୀର ନୃତ୍ୟ। ଏସବୁ କ’ଣ ଇନ୍ଦ୍ରସଭା ! ଅଦ୍ଭୁତ ଶିହରଣ ତନୁରେ ମନରେ ।

ସେଇଠି ରାମହରି ଜିତ ବେବର୍ତ୍ତା କହିଲେ , ‘ମହାରାଜ, ଏ ନୃତ୍ୟକୁ କେତେକ  ଓସ୍ତାଦ ଉପାର୍ଜନ ପାଇଁ  ଷଢେଇକଳାରେ  ଶିଖଉଛନ୍ତି।’ ରାଜା କହିଲେ, ‘ଡକେଇଆଣ ଆମ ପାଖକୁ ଆଦରସହକାରେ ସେମାନଙ୍କୁ।’  ସେଇଠୁ ଆସିଲେ  ଓସ୍ତାଦ୍ ଉପେନ୍ଦ୍ର ବିଶ୍ବାଳ ଓ ବନମାଳୀ ଦାସ। ଶିଖିବେ କିଏ ସବୁ,  ଖୋଜାପଡିଲା ପିଲା।

ସେସମୟରେ ଝିଅମାନେ  ନାଚୁ ନଥିଲେ ଆଜିଭଳି। କେବଳ କୋଠିରେ ନାଚୁଥିଲେ ବୋଧହୁଏ। ବଳିଷ୍ଠ ତଥା ସୁକୁମାର ଅଙ୍ଗ ଏ ନୃତ୍ୟ ପାଇଁ  ପ୍ରକୃଷ୍ଟ।  ଲାଳିତ୍ୟ ନଥିଲେ ଫୁଟିବ କେମିତି ଚରିତ୍ର ! ବିଦଗ୍ଧ ରାଜା ଦେଖିଲେ ଏ ନୃତ୍ୟରେ ଆମ ପରମ୍ପରା, ଆମ ସଂସ୍କୃତି ରହିଚି ସତ ମାତ୍ର, ସୀମିତ ଲୋକଙ୍କ ଭିତରେ ଲୁଚି ରହିଚି। ଲୋକପ୍ରିୟ କରିବାକୁ ହେଲେ ଅନେକ କିଛି ସଂସ୍କାର ଆଣିବାକୁ ପଡିବ। ଆରମ୍ଭ ହେଲା ଗବେଷଣା। ଆରମ୍ଭ ହେଲା ତା’ ନିର୍ଦ୍ଦିଷ୍ଟ ବ୍ୟାକରଣ।  ନୀତି… ନିୟମ.. ଶୃଙ୍ଖଳା…। ବିଶାରଦଗଣଙ୍କୁ ଖୋଜାପଡିଲା।  ଭାରତୀୟ କର୍ଣ୍ଣାଟକୀ ପଦ୍ଧତିର ଶାସ୍ତ୍ରୀୟ ସଙ୍ଗୀତ, ଓଡିଆ ଛାନ୍ଦ,ଚମ୍ପୂ,ଚଉପଦୀ, ଲୋକ କଥା,ଝୁମର, କୀର୍ତ୍ତନ,…ପାଖ ପଡୋଶୀ  ରାଜ୍ୟର ରାଜକବି, ନୃତ୍ୟ ଓ ସଙ୍ଗୀତ ବିଶାରଦଙ୍କୁ ନେଇ ଆରମ୍ଭ ହେଲା ଏକ ନୂତନପ୍ରସ୍ଥର ଯାତ୍ରା।

ନବ ଉଦ୍ଦୀପନା ନବ ଯୁବକଙ୍କୁ ଆକୃଷ୍ଟ କଲା। କିଶୋରଗଣ ଆଗ୍ରହ ପ୍ରକାଶ କଲେ। ବଡ ସୁଖଦ ମୁହୂର୍ତ୍ତ ଥିଲା। ମାତ୍ର ବିଧାତାଙ୍କ ଇଚ୍ଛା ଆଉକିଛି ଥିଲା। ମହାମାରୀ ବସନ୍ତରୋଗରେ ରାଜାଙ୍କ ନିଧନପରେ ରାଜକୁମାର ନାବାଳକ ହେତୁ ଜୁଆରିଆ ନଦୀରେ ପୁଣି  ଭଟ୍ଟା ପଡିଗଲା।  ସଙ୍ଗାତ ମାଙ୍ଗାତଙ୍କୁ  ଅସହ୍ୟହେଲା ସେ ପୀଡା। ସମଗ୍ର ରାଜ୍ୟରେ ବିଷାଦର ଭାଷା। ସାବାଳକ କୁମାର ସିଂହାସନ ଆରୋହଣ କଲାପରେ ପୁଣିଥରେ ଫେରିଲା ମଳୟ।  ସଂସ୍କାର ଆରମ୍ଭ ହେଲା ସବୁ କ୍ଷେତ୍ରରେ। ପୁଣି, ଖୋଜା ହୋଇ ଆସିଲେ ବିଶାରଦଗଣ।

ଏଥର ନୂତନତାର ସନ୍ଦେଶ ନେଇ ରଷିଆନ ବ୍ୟାଣ୍ଡ ମାଷ୍ଟର ଆସିଲେ ୱେଷ୍ଟର୍ଣ୍ଣ ନୋଟେସନ ସିଷ୍ଟମକୁ ଆପଣେଇ। କବିଚନ୍ଦ୍ର କାଳିଚରଣ ଆସିଲେ ଓଡିଶୀ ସଂଗୀତକୁ ନେଇ। ମୌଳିକତା ସହ ଏସବୁର ମିଶ୍ରଣ ଫଳରେ ରସଗ୍ରାହୀ ଆକୃଷ୍ଟ ହେଲେ ସ୍ବାଭାବିକ ଭାବରେ।ମାଦଳ,ଢୋଲ ,ଧୂମଷା, କଡଖା, ସାହାନାଇ ,ବଂଶୀ, ଟୁଇଲା, କେନ୍ଦରା, ଗୋପୀଯନ୍ତ୍ର ଇତ୍ୟାଦି ବାଦ୍ୟଯନ୍ତ୍ର ସହ  ଉଫଲୀ ଓ ଟବକା ଭଳି ଭଙ୍ଗୀ ତଥା ଲୟକୁ ନେଇ ନୃତ୍ୟ ଗତିଶୀଳ ହେଲା। ନିଜ ଉଚ୍ଚତାରୁ ଛଅ ଇଞ୍ଚ ଦବିକି ରହି ଉଫଲୀ ବା ଭଙ୍ଗୀ ପ୍ରକାଶ କରିବା କେତେଯେ କଷ୍ଟକର ତାହା କେବଳ ନାଚୁଥିବା ବ୍ୟକ୍ତି କହିପାରିବ।

ନାଟକୀୟ ଆରମ୍ଭ ଓ ଶେଷ ସହିତ ଧୁମାଲ,ରଙ୍ଗବାଜା, ପୁଡନ୍, ଆସର ଚମକା, ବଡତାଳ ବା ନାଟକୀ ବାଜାର ତାଳେ ତାଳେ ଧରନ୍ ଉପରେ କଳାକାର ଯେଉଁ  ପ୍ରକାର ଚରିତ୍ର ପାଇଁ  ନିଜକୁ ପ୍ରକାଶିତ କରେ ପୁଣି ବିନା ମୁଖାରେ  ସଠିକ ମୁଖଭଙ୍ଗୀ ସହ  ତାହାହିଁ  ସ୍ବାତନ୍ତ୍ର୍ଯ  ଏଇ ମାଟିର ଛଉରେ। ଛଅ ଲୟ ବା ଚାଲି ଯେମିତି ,ସାଦା,  ଲହରା, ଉସକା,  ଢେଉ, ମୁଡା ,ଡୁବା ସହ ଛତିଶ ଉଫଲୀ ବା ଅଙ୍ଗଭଙ୍ଗୀ  …ମାଞ୍ଜା, ଛାନ୍ଦା, ଛଲକା, ,ଗେଞ୍ଜା, ଦହଲା, ଥାପା.. ପୁଣି  କଥିତ ଭାଷାରେ ଅଳ୍ପ ଶିକ୍ଷିତଙ୍କୁ ବୁଝାଇବା ପାଇଁ  ମୁହଁପୋଛା, ସିନ୍ଦୂର ପିନ୍ଧା, ଝୁଣ୍ଟି ପକା , ଛୁଞ୍ଚଦିଆ,ଗୋବର ଗୋଟା, ବାସନ ମଜା,ହଳଦିବଟା,ଉଢଣୀ ଛଟା ସମୟର ଅଙ୍ଗଭଙ୍ଗୀ ଇତ୍ୟାଦିକୁ ନେଇ ନୃତ୍ୟ ଗତିଶୀଳ ହୁଏ। ବିଭିନ୍ନ ଚରିତ୍ର ଆସନ୍ତି।  ବିଶେଷତଃ ପୌରାଣିକ ଚରିତ୍ର। ଭାବପ୍ରକାଶ ପାଇଁ ମୁଖଭଙ୍ଗୀ ସହ ଅଙ୍ଗଭଙ୍ଗୀ ତଥା ଭାରତୀୟସଙ୍ଗୀତ ‐ନୃତ୍ୟ ସହ ପାଶ୍ଚାତ୍ୟ  ଶୈଳୀକୁ ନେଇ ଋଦ୍ଧିମନ୍ତ ହେଲା ଏ ନୃତ୍ୟ  – ଛଉ , ଛଅଟି ବିଶେଷ ଲୟକୁ ନେଇ, ବାଦ୍ୟକୁନେଇ। କଥିତ ଭାଷାରେ ଛଅକୁ ‘ଛୋ’ କହନ୍ତି  ,ବୋଧହୁଏ ସେଇଠୁ ହେଲା ଛଉ।ପୁ ଣି ,ଛାଉଣି ଶବ୍ଦରୁ ଆରମ୍ଭ ହୋଇଥାଇପାରେ, କାରଣ ସମରକଳା ଭାବରେ ଏ ନୃତ୍ୟ ବେଶ ବଳିଷ୍ଠ ଲାଗେ। ଏଇକଥା ମାଷ୍ଟ୍ରେ ବାରମ୍ବାର କହନ୍ତି, ଲେଖାନ୍ତି, ଶିଖାନ୍ତି, ମନେପକେଇଦିଅନ୍ତି, ପ୍ରଶ୍ନ ପଚାରନ୍ତି, ଆଉ ନକହି ପାରିଲେ ପଡେ ଛାଟ….କଥାର ଛାଟ, ଅନ୍ତର ଭିତରେ ଗଳିଯାଏ।

ଅମୃତା ସେଇଥିପାଇଁ ଏସବୁକୁ ବାରମ୍ବାର ଦୋହରାଏ। ଗବେଷଣା କରେ,ପରୀକ୍ଷା ନିରୀକ୍ଷା କରେ….ଆଗକୁ ବଢିବାର ପ୍ରେରଣା ପାଏ।ବିଶ୍ବ ଦରବାରରେ  ନୂଆ ଭାବେ କିଛି କରିବାପାଇଁ ପ୍ରତିଜ୍ଞା କରେ।

Leave A Reply

Your email address will not be published.