ବ୍ୟଙ୍ଗ : ସେ କାଳ ପଖାଳ

କାସିଆ ଅଜା ଓ ବିଶିଆ ଜେଜେ ଦୁଇଜଣଯାକ ନଈକୂଳ ହନୁମାନ ଚଉତରା ଉପରେ ବସି ଗପ କରୁଥାନ୍ତି । ଚାରି ପାଞ୍ଚଟା ଭକୁଆ ପାଟିକୁ ହାଁ କରି ତାଙ୍କ ମୁହଁକୁ ଚାହିଁଥାନ୍ତି । କାଶିଆ ଅଜା ଗୋଟାଏ ଭକୁଆକୁ ଅନେଇ କହିଲେ ,”ଜାଣିଲୁ ତୁମ ବେଳେ ଏ କି ଲେମ୍ବୁ ! ଦୁଇ ଟଙ୍କାରେ ଗୋଟାଏ ଯେ ଏକୁଉସିଆ ଛୁଆର ଆଖି ଡୋଳାଠୁ ହୀନ । ଚିପୁଡିଲେ ଦି’ ଠୋପା ପାଣି ବାହାରିବନି। ଆଉ ଆମ ବେଳେ…” କହି ଅଣ୍ଟାରୁ ପାନ ଗୋଟାଏ ବାହାର କରି ପାପୁଲିରେ ସେ ଦଳିବାକୁ ଲାଗିଲେ ।

ଯେବେଠୁ ଦାନ୍ତ ପଡ଼ିଲାଣି ଅଜା ଏମିତି ପାନକୁ ଦଳିକି ଖାଉଛନ୍ତି । ଗୋଟାଏ ଭକୁଆ ଅଜା ମୁହଁକୁ ଚାହିଁ ପଚାରିଲା, “କୁହନା ଅଜା ତୁମ ବେଳେ କେମିତିକା ଲେମ୍ବୁ ମିଳୁଥିଲା ?” ଅଜା ଅଧା ପାନ ବିଶିଆ ଜେଜେକୁ ଦେଇ ଅଧା ପାଟିରେ ପକେଇଲେ । ପାଟିକୁ ପାକୁଳେଇ ପାକୁଳେଇ ପୁଣି ଆରମ୍ଭ କଲେ , “ଶୁଣୁ ଆମ ବେଳେ ଏକ ପଇସାରେ ଦୁଇଟା ଲେମ୍ବୁ । ଯଦି ଲେମ୍ବୁ କିଣିବାକୁ ଯିବୁ ତ ପରିବା ବ୍ୟାଗ ନେଇକି ଯିବୁ । ଗୋଟାଏ ହାତରେ ଗୋଟାଏ ଲେମ୍ବୁ ଜାଗା ହବନି । ଫାଳେ ଚିପୁଡିଲେ ଲୋଟାଏ ପାଣି । ” ଖାଲି ଦେହଟାକୁ ଆଉଁସୁ ଆଉଁସୁ ବିଶିଆ ଜେଜେ ମୁଣ୍ଡ ଟୁଙ୍ଗାରି କଥାଟା ସତ ବୋଲି ନିଜର ସମ୍ମତି ଜଣେଇଲେ ।
ଭକୁଆ ମୁଣ୍ଡ କୁଣ୍ଡେଇ ପଚାରିଲା,” ଅଜା ସତେ ନା କଣ !!”

“ଆରେ ତୋ’ ଆଈକୁ ପଚାରେ ଗୋଟାଏ ଲେମ୍ବୁକୁ ଛୋଟ ଛୋଟ କାଟିକି ଦଶ କୁଟୁମ୍ବ ସର୍ବତ କରି ପିଉଥିଲେ ନା ନାହିଁ ।”

ସବୁ ଭକୁଆ ଆଁ କରି ଅଜା ମୁହଁକୁ ଅନେଇଲେ ।

ଅଜାଙ୍କ ଦରବାର ଟିକେ ଜମିବା ଦେଖି ବିଶିଆ ଜେଜେ ପାନ ଛେପକୁ ଢ଼ୋକି ଆରମ୍ଭ କଲେ , “କାଶୀ ଭାଇ ତୁମର ମନେ ଅଛି ନା ନାହିଁ ସେତେବେଳେ ଯେଉଁ ବଙ୍ଗାଳୀ ଲଙ୍କା ଆସୁଥିଲା । କଲିକତାରୁ ଲଙ୍କା ଜାହାଜରେ ଆସି ପାରାଦୀପରେ ଲାଗୁଥିଲା । ସେଠୁ ଡଙ୍ଗାରେ ତାଳଦଣ୍ଡା କେନାଲ ବାଟ ଦେଇ ଛତ୍ରବଜାରରେ ବିକ୍ରି ହଉଥିଲା । କି ଲଙ୍କା କିହୋ ! ଆହା ସେ ଲଙ୍କା କଣ ଆଉ ଅଛି ! ଗୋଟାଏ ଦଳିଦେଲେ ପୁରା ଘର ବାସ୍ନା ହେଇଯିବ । ଆମ୍ବୁଲ ସାଙ୍ଗରେ ଲଙ୍କାରୁ ଟିକେ କାଟିକି ଦଳିଦେଲେ ସେଇ ବାସ୍ନାରେ ପରା କଂସାଏ ପଖାଳ ଉଠିଯିବ ।

ତୁମ ବୁଢ଼ୀମା ପରା ମୋତେ ନିତି ଗାଳି ଦେଉଥିଲା ଏଇ ଲଙ୍କା ପାଇଁ । ସବୁବେଳେ ଝିକିରି ମିକିରି କରି ମୋ ସାଙ୍ଗରେ ଲାଗିଥିବ । କହିବ ମାସେ ଯାକ ଟିକେ ଟିକେ କାଟିକି ଖାଇଲେ ବି ଗୋଟାଏ ଲଙ୍କା ସରୁନି ଦିଇଟା ଲଙ୍କା କିଣିବା କଣ ଦରକାର ଥିଲା ? ବେକାରଟାରେ ସବୁ ମାସରେ ଗୋଟାଏ ପୋଚା ଲଙ୍କା ଫୋପଡା ହଉଛି । ମୁଁ ବି ତାକୁ ଚିଡ଼େଇବାକୁ ଜାଣିଶୁଣି ସବୁଥର ଦୁଇଟି ଲଙ୍କା କିଣେ । ତୋ’ ବୁଢ଼ୀମା ତ ଆଉ ନାହିଁ ଥିଲେ ପଚାରିଥାନ୍ତୁ । ସେ କାଳ ଜିନିଷ ଆଉ କାହିଁ !”

ବିଶିଆ ଅଜା କଥା ଶୁଣି କାଶିଆ ଅଜା ପାକୁଆ ପାଟିରେ ଟିକେ ମୁରୁକେଇ ଦେଲା । କାଶିଆ ଅଜା ଯଦି ସେ କାଳ କଥା ଟିକେ ଭୁଲି ଯାଏ ତେବେ ବିଶିଆ ଜେଜେ ତାକୁ ମନେପକେଇଦିଏ ସେମିତି ବିଶିଆ ଜେଜେ କହିଲା ବେଳେ କାଶିଆ ଅଜା ମଝିରେ ମଝିରେ ପାଳି ଧରେ । ହବନି କେମିତି ନିତି ଗପ ଶୁଣୁଥିବା ଭକୁଆମାନେ କୁହନ୍ତି କାଳେ ଦୁଇଜଣଙ୍କର ଗୋଟାଏ ଗାମୁଛା । ନଈରେ ଗାଧେଇଲା ବେଳେ କାଶିଆ ଅଜା ପୋଛା ପୋଛି ହେଇ ବିଶିଆ ଜେଜେକୁ ଗାମୁଛା ଦେଲାଯାଏଁ ବିଶିଆ ଜେଜେ ସେମିତି ପାଣି ଭିତରେ ବେକ ଯାଏଁ ବୁଡିକି ଥିବେ । କାଶିଆ ଅଜା ଗାମୁଛା ଦେଲେ ଯାଇଁ ସେ ପାଣିରୁ ବାହାରିବେ ।

ଚଉତରା ଉପରେ ଗୋଟାଏ କଣକୁ ବେନୁଆ ଡ଼ହରା ଚେଇଁ ଶୋଇଥିଲା । ସବୁ ଭକୁଆ ଆଁ କରି ଅଜାଙ୍କ ସେକାଳ କଥାକୁ ପିଇ ଯାଉଥିବା ଦେଖି ବେନୁଆ ଡ଼ହରା କହିଲା,” ହଇରେ ଛୁଆମାନେ ସବୁ ଘରକୁ ଯାଅ । ବାହାରେ ବୁଲନି । ଆକାଶରୁ ପରା ପର୍ବତ ଖସୁଛି ।”

ଟେରା ଭକୁଆ କହିଲା , ଆଇଁ ଆକାଶରୁ ପୁଣି ପର୍ବତ ଖସୁଛି ! କାହିଁ ଆମେ ତ ଜାଣିନୁ !! “ବେନୁଆ ଡ଼ହରା ଛିଗୁଲେଇ କହିଲା,” ଆରେ ମୁଁ ଭାବିଲି କାଶୀ ଅଜା ତୁମକୁ କହିଥିବେ ନା…।”

“ନାହିଁମ… ଅଜା କିଛି କହିନାହାନ୍ତି । ବେନୁ ଦାଦି କଥା କଣ ଆମକୁ ଆଗ କହିଲ । ” ବେନୁଆ ଡ଼ହରା ଶୋଇବା ଜାଗାରୁ ଉଠି ଭକୁଆମାନଙ୍କ ପାଖରେ ଆସି ଛିଡାହେଲା । ସବୁ ଭକୁଆ ଏବେ ବେନୁ ଦାଦି ମୁହଁକୁ ବଲ ବଲ କରି ଅନେଇଲେ । ଆକାଶରୁ ପୁଣି ପର୍ବତ ଖସୁଛି କି କଥା ଆଜି ମଣିଷ ଶୁଣିଲା ମ !!

ବେନୁଆ ଡ଼ହରା ଆରମ୍ଭ କଲା, “ଶୁଣ ପିଲାଦିନେ ଆମ କାଶିଆ ଅଜା ରାମଦଣ୍ଡି ପଡିଆରେ ଖେଳୁଥିଲେ । କଣ ମନ ହେଲା କେଜାଣି ଗୋଟାଏ ଇଟାକୁ ଧରି ଆକାଶ ଆଡକୁ ଫିଙ୍ଗି ଦେଲେ ଯେ କେତେଦିନ ବିତିଗଲା ଇଟା ଆଉ ତଳକୁ ଖସିଲା ନାହିଁ । ବୁଝୁ ବୁଝୁ କଣ ନା ଇଟା ଯାଇଁ ମହାକାଶରେ ବୁଲୁଛି । କେତେବର୍ଷ ବିତିଗଲାଣି । ଏହା ଭିତରେ ଇଟାଟା ବଡ଼ ହେଇ ପର୍ବତ ହୋଇଯାଇଥିବ । ଇଟାଟା ସିନା ହାଲୁକା ବୋଲି ମହାକାଶରେ ରହିଗଲା ହେଲେ ପର୍ବତ ବୋଝ କଣ ମହାକାଶ ସମ୍ଭାଳି ପାରିବ ? ଯଦି ଭାର ସହିନପାରି ମହାକାଶରୁ ଖସିପଡ଼ିଲା? କେତେବେଳେ କୋଉ କଥା । ତୁମେମାନେ ଆଉ ବାହାରେ ବୁଲାବୁଲି କରନା, ଯାଅ ସବୁ ଶୀଘ୍ର ଘରକୁ ପଳାଅ ।

ଏତିକି କହି ବେନୁଆ ଡ଼ହରା ବିଶିଆ ଜେଜେକୁ ଚାହିଁ କହିଲା,” ଜେଜ ଆମ କାଶି ଅଜା ପିଲା ଦିନେ ଗୋଟେ ଇଟା ଆକାଶକୁ ପକେଇ ନଥିଲେ ? ”

ଏହାପରେ ବେନୁଆ ଡ଼ହରା ମୁହଁକୁ ଗାମୁଛାରେ ଘୋଡେଇ ସେଠୁ ପଳେଇଲା । ଭକୁଆମାନେ ବି ପେଟ ଭିତରୁ ବାହାରି ଆସୁଥିବା ହସକୁ ଯେନତେନ ପ୍ରକାରେ ଚାପି ଜଣେ ଜଣେ ସେଠୁ ଖସିବା ଆରମ୍ଭ କଲେ । ସମସ୍ତେ ଜାଣିଛନ୍ତି ବେନୁ ଦାଦି ଏବେ ଯେଉଁ ବମଟା ଏଠି ପକେଇଦେଇ ଗଲେ ସେଇଟା ଏବେ ଫୁଟିବ ଫୁଟିବ ହେଲାଣି । ଜମି ଆସୁଥିବା ଆସରକୁ ବେନୁ ଡହରା ଏମିତି ଭଙ୍ଗେଇ ଦେବ ! ଉପରେ ପୁଣି ଭକୁଆମାନଙ୍କ ଟାହିଆ ହସ ଏହାକୁ କାଶୀ ଅଜା ସହିବେ କେମିତି ?

ବେନୁକୁ ଅନେଇ ତାର ଚଉଦପୁରୁଷ ଉଝାଳି ଦେଲେ । ବିଶିଆ ଜେଜେ କେତେ ବୁଝେଇଲେଣି ଏ ବୟସରେ ଏତେ ରାଗିବା ଭଲ ନୁହେଁ । ଏ ବାଳୁଙ୍ଗାଗୁଡାକ କଣ ଜାଣିବେ ସେ କାଳ ପଖାଳ କଥା । ତୁମେ ଆଗ ତୁନି ପଡ଼ । କିନ୍ତୁ କାଶୀ ଅଜା କୋଉ ଶୁଣିବା ଜନ୍ତୁ ଏମିତି ଖଣ୍ଡ ଅଖଣ୍ଡ ଲଗେଇ ବେନୁ ଡ଼ହରାକୁ ଗାଳି କରୁଥାନ୍ତି ଯେ ସେ ବାଟରେ ଯିବା ଲୋକ କାନରେ ହାତ ନଦେଲେ ଯାଇପାରିବ ନାହିଁ । ଶେଷରେ ମୁଁ ଯାଇ କେମିତି କାଶୀ ଅଜାକୁ ବୁଝେଇଛି ସେଇଟା ମୁଁ ଜାଣିଛି ।

ସେଇ ଦିନଠୁ କାଶୀ ଅଜା ଆଉ ବିଶି ଜେଜେକୁ ଯଦି କୋଉ ବାଳୁଙ୍ଗା ହନୁମାନ ଚଉତରା ଉପରେ ଦେଖିଲା ତେବେ ଟିକେ ଦୂରରୁ ଚିଲେଇ କହିବ,” ଅଜା ଆଈ କହିଛି ଶୀଘ୍ର ଘରକୁ ଯାଆ, ପର୍ବତ ଖସୁଛି ।” ବାଣ ରଞ୍ଜକରେ ନିଆଁ ଲଗେଇ ଯେମିତି ଦୂରକୁ ପଳାନ୍ତି , ଏତକ କହିଲା ପରେ ସିଏ ଯେତେ ବଡ଼ ବାଳୁଙ୍ଗା ହେଇଥାଉ ନା କାହିଁକି ଚଉତରା ପାଖରେ କେହି ରହିବାର ମୁଁ ଦେଖିନି । କେତେ ବୁଝେଇଲିଣି ଏ ଛୁଆଗୁଡାଙ୍କୁ ଅଜା କଣ ଟିକେ ଗେଲରେ କହିଦେଇଥିବେ ସେ କଥାକୁ ଧରିଲେ ହେବ ! ନ ଦେଖିବା ଓଉ ଛଅ ଫଡା । ଯଦି ସେ କାଳ ଲେମ୍ବୁ ସେମିତିକା ହେଇଥିବ ଆମେ କଣ ଦେଖିଛୁ ଯେ କହିବୁ । କିନ୍ତୁ ମୋ କଥା କଣ କିଏ ଶୁଣୁଛି ? ଆଜି କାଲିକା ଛୁଆ ତ, ସବୁ ପରା ଏଠି ଓଳିଆରୁ ପଡି ଗଜା !!

ବନମାଳୀ ଭବନ
ଖାନ ନଗର , କଟକ