Latest Odisha News

BREAKING NEWS

କବିତା : ଯୋଜନା

ମାନିନୀ ମିଶ୍ର 

ପୁରୁଣା ଯୋଜନାର ହୋଇଛି ପୂନରାବୃତ୍ତି
ଚାଷୀମାନେ
ଲଙ୍ଗଳଧାରୀ ଯୋଦ୍ଧା
ଆଣ ,ଆଣ ହୋ ଖୋଜି ଆଣ ତାଙ୍କୁ
ଗେଣ୍ଡୁଫୁଲ ମାଳ ଗଳେଇ ,ସେଲଫି ଉଠେଇବା ।

ତାଙ୍କ
ବିଣ୍ତିଧରିଗଲା ଆଙ୍ଗୁଳିରେ
ଉଠିଗଲା ମଳିଚମରେ
ଭୃଲତାର ମଝିରେ
ବସେଇ ଦେବା
ଗୋଟିଏ ଗପର ଗାଁ
ବାହ୍ୟମଳ ଶୂନ୍ୟ ହୋଡିଙ୍ଗ ବସେଇ
ବସେଇ ଦେବା ଦୁଇଟା ବରପାଲି ପାଇଖାନା !!

ଏଥରକ ଯୋଜନାଟା ତାଜା ତାଜା

ଏ ଯୋଜନାରେ ଲାଗିବନି କବର,କି ପୋଡା ହାଡ,ପାଉଁଶ ଗୁଣ୍ଡ

ଶହ ଶହ ଗଦାରୁ ଜୀବନ୍ୟାସ ପାଇ
ଆଖି ମଳି ଉଠି ବସିବେ
ନରେଗା କାମ କରିବାକୁ
ମଙ୍ଗଲୁ,ଗୁରୁବାରୀ,ଚଏତୁ,ସୁଦାମା
ବିଧବା ଭତ୍ତା ନବାକୁ ଆସିବ
ବର୍ଷେ ତଳେ ,ଉଚକି ହୋଇଥିବା
ଆମଗାଁର ସାବୀବୋହୂ କି ରତନୀର ମାଁ !

ହଁ ଧାଇଁ ଧାଇଁ ଫେରିଆସିବ ନିଜ ଗାଁ
ଲଙ୍କା କ୍ଷେତରେ କାମକରୁଥିବା ,ଜମଲୋ ମଡକାମ !!

ଏ ଯୋଜନା ଏବେ ପ୍ରେସର ପ୍ରେସରରେ
ଏ ଯୋଜନାରେ
ଲାଠି ମାଡ ପରେ
ଆଖି ଖୋଲି ପର ଝାଡିବ
ବାଳୁତ କପୋତ !
କପୋତୀର ଖୁଦଗିନା ହେବ
ଅନ୍ନପୂର୍ଣ୍ଣା ଦାନା ପାତ୍ର !!
ଭୋକ ମରିବ,ଶୋଷ ମରିବ!!

ଦୁଃଖ ମାନେ,ଶୋକ ମାନେ,ରୋଗ ମାନେ
ଟିକ୍ ଟକ୍ କରି ଆମ ସାମ୍ନାରେ ଉଚକି ହେବେ

ଉଠରେ ପୁତା ଉଠ୍
ବାହୁନିବା ହେବ ଶେଷ ।।

ଯୋଜନା ହୋ କେତେ କେତେ ଯୋଜନା
ହାତ ଲମ୍ବା କରି ଝାଡି ଜାଣିଲେ
ଯୋଜନା
କେବେ ଥପ୍ ଥପ୍ ଥିପୁଥିବା ମହୁଲ ଫୁଲ

ତ କେବେ ଆଖି ଜଳା ଅରଣ୍ୟର ନିଆଁ ।

 

 

Comments are closed.