ମଞ୍ଜୁବାଳା ପଣ୍ଡା
ବାସ୍ , ଅଳ୍ପ କେଇଦିନର ହୋହଲ୍ଲା
ପରେ ପରେ ସବୁ ନିରବିଯିବ
ଖୁଲମ୍ ଖୁଲା ଚାଲିବ
ନିତି ପ୍ରତିଦିନ ,ଯାହା ଯେମିତି ସବୁ ଦିନ ଚାଲୁଛି
ସବୁ କାଳେ , ଯାହା ଯେମିତି ଚାଲୁଥିଲା
କେବଳ ଦେହଘସା ପରିସଂଖ୍ୟାନରେ
ସଂଖ୍ୟାଟିଏ ଯାହା ଯୋଡିହେଲା।
ତୁଣ୍ଡରେ ଧରିଲେ ସିନା ପାପ
କର୍ମରେ କି ପାପ!
ଅତଏବ୍ ଶବ୍ଦକୋଷରୁ
ସେ ଶବ୍ଦଟା ଉଡିଗଲା (?) ବାଏଁବାଏଁ,
ଆସିଗଲା ପ୍ରତିଶବ୍ଦ
ବେଧଡକ୍, ବେଲଗାମ୍, ବେହିସାବ୍ ମାଡିଗଲା ଧାଏଁଧାଏଁ।
ଗୋଟିଏ ପଶୁ ଝୁଣି ଖାଇଲେ
ଆଉ ପଲେ ପଶୁ ଯଦି ଝାମ୍ପି, ରାମ୍ପି, ଖୁମ୍ପି
କଞ୍ଚା ମାଉଁସ ଖାଇ, ରକତ ପିଇ
ଚାଟିଚୁଟି ସଫା କରିଦେଲେ
ସେ ହୁଏ ଆଉ ଏକ ଶବ୍ଦ
ଥୁଃ !!!
ଆଃ ! ନାରୀ
କାଳେ କାଳେ ତୁ ନିର୍ଯ୍ଯାତିତା, ଲୁଣ୍ଠିତା, ଅଭିଶପ୍ତା
ତୋ ଶିଷ୍ଟତା, ଶାଳୀନତା, ସହିଷ୍ଣୁତାକୁ
ଏଠି ଧରିନିଆଯାଏ
ତୋ ଦୁର୍ବଳତା, ବିବଶତା, ଅପାରଗତା।
ଅତଏବ୍ ଉଠ୍ , ଉଠ୍ ମା’!
ତୁ ଯେ ବହ୍ନିକନ୍ୟା!!
ତୋର ମୃତ୍ୟୁ କାହିଁ?
ଶତ ସହସ୍ର ନିଆଁ ଝୁଲ ହେଇ
ତୁ ଯେ ଆମ ସଭିଙ୍କ ଅନ୍ତରାତ୍ମାରେ ରହିଛୁ ଜିଇଁ!!!
ତୁ ଦ୍ରୌପଦୀ!
ଆମେ ସମସ୍ତେ ଦ୍ରୌପଦୀ
ଆଜି ଆମର ଲୋଡା ନାହିଁ
କୃଷ୍ଣଙ୍କ ସୁଦର୍ଶନ , କୃଷ୍ଣତ୍ବ
ଆଉ ମଧ୍ୟ ଲୋଡା ନାହିଁ
ଅର୍ଜୁନଙ୍କ ଗାଣ୍ଡୀବଧନୁ , ଅର୍ଜୁନତ୍ବ
ଏକାକୀ ଦ୍ରୌପଦୀ ଯୁଝିବ
ହୀନବୀର୍ଯ୍ୟ, କାପୁରୁଷଙ୍କୁ ନିପାତ କରିବ
ହେଇ ଦେଖ୍ , ଆସିଗଲାଣି
ବିବସନା ଦ୍ରୌପଦୀର କେଶ ମୁକୁଳିବାର ବେଳ!!
ପାମର ଦୁଃଶାସନ ମାନଙ୍କ ରକ୍ତରେ
କେଶ ପଖାଳିବାର ବେଳ!!!
Comments are closed.