ମଞ୍ଜୁ ରାଣୀ ବେହେରା
କେଜାଣି କାହିଁକି
ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି
ନିଜକୁ ଖୁବ୍ ଏକଲା ପାଏ।
ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ
ଅସ୍ପଷ୍ଟ ଆବେଗ ସବୁ
ମେଘାଚ୍ଛନ୍ନ ଆକାଶରେ
ହତାଶାର ଧୁମ୍ରାଭ କୁହେଳିକା
ପାଲଟିଯାଏ।
ମୁଁ ସେମିତି ଠିଆ ହୋଇଥାଏ
ପୁରା ଚୁପଚାପ୍
ଆଞ୍ଜୁଲାଏ ଅସହାୟପଣକୁ
ନିଜ ନିଃଶ୍ୱାସରେ ଭରିଦେଇ।
ଅଧୈର୍ଯ୍ୟ, ଅବସନ୍ନ
ଚକ୍ଷୁ ଯୁଗଳ କିନ୍ତୁ ମାଡ଼ିଯାଏ
ଦୂର ଦୁରାନ୍ତର ଯାଏଁ
ସମବେଦନାର ପାପୁଲିରୁ
କିଛି ଉଷୁମ ପରଶ ପାଇଁ।
ନିଜ ଭିତରେ ଚାଲିଥିବା
ଯୁଦ୍ଧର ଅନ୍ତ ପାଇଁ
ବେଳେ ବେଳେ ନୀରବି ଯିବା ବି
ଠିକ୍ ମନେ ହୁଏ,
ଆସ୍ତେ କରି ଖସୁଥିବା ସମୟଠୁ
ଜୋର୍ ଜବରଦସ୍ତି ଦାବି କରି
କେହି କଣ ମାଗି ପାରେ?
ଜାଣେ, ବିଶ୍ୱାସ ଅବିଶ୍ବାସର
ସୂକ୍ଷ୍ମ ପରଦା ଆଢୁଆଳେ
ତମାମ ଜୀବନ ଏକାକୀତ୍ଵକୁ
ବାଛି ନେଇଥିବା ମଣିଷଟି
ଏକ ନିଷିଦ୍ଧ ଇଲାକାକୁ ଚାଲିଯାଏ,
ମୁକ୍ତ ହୋଇ ଉଡିବା ଲାଳସାରେ
ଅବା ବନ୍ଧନର ବାନ୍ଧି ହେବା ପ୍ରତୀକ୍ଷାରେ
ନିଜ ଯନ୍ତ୍ରଣା ସବୁକୁ ଗଣ୍ଠିଲିରେ ପୁରେଇ
ଅଳନ୍ଧୁ ଲଗା ସେଇ ପୁରୁଣା ସିନ୍ଦୁକରେ ଭରିଦିଏ।
ମେଣ୍ଡା, ସୁବର୍ଣ୍ଣପୁର
Comments are closed.