Latest Odisha News

BREAKING NEWS

କବିତା : ବଳକା ଆୟୁଷ

ମନୋରମା ସାହୁ 

କ’ଣ କରିବି ଏବେ
ଏତେ ବଳକା ଆୟୁଷକୁ ନେଇ
ସବୁଦେବା, ନେବା,
ପାଇବା, ହଜାଇବାର ସମୀକରଣକୁ
ଭୁଲ ପ୍ରମାଣିତ କରି
ଗୋଟିଏ ଜୀବନରେ
ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ ।

ସବୁ କିଛିକୁ ଭୁଲି
କ୍ଷତରେ ମଲମ ବୋଳି
ଭଙ୍ଗା ଡେଣାକୁ ଯୋଡି
ଫଟା କାନ୍ଥରେ ପଲସ୍ତରା ମାରି
ଛିଣ୍ଡା ମନରେ ରଫୁକରି
ନିଜକୁ ଗୋଟେଇ ପୋଟେଇ
ସଜେଇ ବୁଝେଇ ବାରମ୍ବାର
କିଛିବି ନଘଟିଥିବାର ସାଲିସ୍ ପଣରେ
ଠିଆହୁଏ ଗୋଟା ହୋଇ
କିନ୍ତୁ କାହିଁକି କେଜାଣି
ମତେ ଭାଗକରି ଦିଆଯାଉଥାଏ

ମୋର ସୁକୁମାର ଆତ୍ମାକୁ
ବାରମ୍ବାର ହତ୍ୟା କରି।
ଆଖିରେ ଢେଉ ତୋଳୁଥାଏ
ଅୟୁତେ ଜହ୍ନରାତି
ଓଠରେ ଅସରା ମହୁଫେଣା
ମନରେ ଲକ୍ଷେ ସମ୍ମୋହନର ବନ୍ୟା
ତଥାପି ଭୋଗର ଭାଗବଣ୍ଟାରେ
ଭାଗଫଳ କେମିତି ଶୂନ ହୁଏ
ନିହାତି ଅଜଣା।

କେବେବି ଜାଣିବାକୁ ଚାହିଁନି
ତାରାଟିଏ ଖସିଲେ ଶୁଭ ନା ଅଶୁଭ
ଅସମୟେ ତାରା ପାଲଟି ଯିବାର ବିଭୀଷିକାରେ,
କେବେବି ବଞ୍ଚିନି ରାଜା ପରି
କେବେ ନା କେବେ ରଙ୍କ ପାଲଟିଯିବାର
ବିକଳ ପଣରେ।
କେବେବି ଭାବିନି ‘ତୋର’ ‘ମୋର’
ସମସ୍ତେତ ମୋର
ମୁଁ କିନ୍ତୁ କାହିଁକି କେଜାଣି ହେଲିନି କାହାର
ହୋଇଗଲି ସାତପର।

ତଥାପି ଏବେବି ମୁଁ ଦେବାକୁ ତିଆର
ବୋହି ପାରୁନି ମୁଁ
ବଳକା ଆୟୁଷର ଭାର
ନିଅ ନିଅ ନେଇଯାଅ ମୋର
ଚକ୍ଷୁ,ହାତ,ପାଦ,ଅସ୍ଥି,ସ୍ନାୟୁ
ସକଳ ରୁଧିର
ଖଞ୍ଜି ଦିଅ ନିଜ ଦେହେ
ମୋର ବଳକା ଆୟୁଷ ନେଇ
ବଞ୍ଚିରୁହ ଯୁଗ ଯୁଗାନ୍ତର।

ସରକାରୀ ଉ.ପ୍ରା. ବିଦ୍ୟାଳୟ
ପାରିଓରଡ
ଖୋର୍ଦ୍ଧା।
୭୭୩୫୦୭୫୦୬୫

Comments are closed.