ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୦
ଦିନ ଯାଇ ରାତି ଆସୁଥିଲା। ପାଠପଢା ବେଶ୍ ଚାଲୁଥିଲା। ମୁଁ ଗଧ କିଛି ସେମିତି ଶିଖି ପାରୁନଥିଲି। ସକାଳେ ପଖାଳତୋରାଣି ସହ ବାସି ଆଳୁଚୋପ, ପିଆଜ,କଞ୍ଚାଲଙ୍କା ଯୋଉଦିନ ମିଳୁଥିଲା, ସେଦିନ ଭୁରିଭୋଜନ ଭଳି ଲାଗୁଥିଲା।ଶୁଖିଲା ପାଉଁରୁଟି, ସିପା ବିସ୍କୁଟରେ ପ୍ରାୟ ଅଧିକାଂଶ ଦିନ ବିତୁଥିଲା। ବାବୁଲା ଯୋଗାଡିଆ, ତା’ଦୟାରୁ କେବେ କେମିତି ଆଉ କିଛି ମିଳିଯାଉଥିଲା। ନହଲେ ଅଧାପିଆ ପାଣି ବୋତଲ କି ପାଇପ ପାଣିରେ ପେଟ ପୂରୁଥିଲା।ଡଉଲଡାଉଲଙ୍କୁ କିଏ କାହିଁକି ଭିକ ଦବ ? ନୁଖୁରା ମୁଣ୍ଡରେ ଫଟା ତାଳିପକା ପୋଷାକ ସହ ହାଡୁଆ ଚେହେରା ମାଗିଖିଆପାଇଁ ଉପଯୁକ୍ତ। କାଳୁକୁ ସବୁ ଜଣା। ସେ ଭାଇ ନୁହେଁ। ମିଠାକଥା ଆରମ୍ଭରେ କହି ଏବେ ଯୋଉ ଚଟକଣି ଦେଉଚି ସେ ଆଦୌ ଭାଇ ନୁହେଁ। ରାତିଆସିଲେ ଦିନସାରାର ଯେତେ ରୋଜଗାର ଗଣିନିଏ ମୋଟୁ ,ପେଟୁ, କଣା କାଳୁ।ମନଟା ବିଦ୍ରୋହ କରେ ମୋ’ର।ଘର ମନେପଡେ। ବହିଖାତା ଦେଖାଯାଏ। ସବୁଠି ଗାଳି ମାଡ ଥିଲା ତ, କିନ୍ତୁ ଥିଲା ଅଲଗା ଭାବନା। କିଏ ମର୍ଯ୍ୟାଦା ଚାହୁଁଥିଲା , ଆଉକିଏ ଉପଯୋଗ କରୁଥିଲା ଦେହକୁ। କି ପ୍ରକାର ଗାଣିତିକ ସୂତ୍ରରେ ବନ୍ଧା ଏ ଜୀବନ !
କ୍ରମଶଃ ମନ ବିଳାପ କରୁଥିଲା। ଯୁଦ୍ଧ କରୁଥିଲା ଭିତରେ। ଛାଟିପିଟି ହେଉଥିଲା ପ୍ରାଣ । ଅସହ୍ୟ ଥିଲା ବେଦନା। ବାଟଟିଏ ଖୋଜୁଥିଲି ଡରିଡରି। ଧରାପଡିଲେ ଅଖିଆ ଅପିଆ ରଖିଦେବେ ଅନ୍ଧାର ଘରେ। ସେଇ କିଟିକିଟି ଅନ୍ଧାରକୁ ଘୃଣା କରୁଥିଲି ମନେମନେ ସବୁଦିନ।
ଦେହ ଫିଟୁଥିଲା ଧିରେ ଧିରେ। ପାଖୁଡାଏ ପାଖୁଡାଏ ମେଲୁଥିଲା ଭଳି ଲାଗିଲେ ବି, କଢରୁ ଫୁଲ ହେବାକୁ ଆଉ ବେଶି ସମୟ ନେଲାନି। ଲୁଚକାଳି ଖେଳିପାରୁନଥିଲି ଏଥର ଦେହ ସହ।ମୋ’ ଚାଲି, ମୋ’ ଆଖି, ମୋ’ ହସ ସବୁ ଅଲଗା ସମସ୍ତଙ୍କଠାରୁ ଅଲଗା। ଅସଂଖ୍ୟ କାହିଁକି ଗୁଡେଇଯାଉଥିଲା ଦେହ ମୁଣ୍ଡରେ ସମୟ ଅସମୟରେ ।
ଥଟ୍ଟାତାମସା, ବ୍ୟଙ୍ଗ, ବିଦ୍ରୁପ, ଆକ୍ଷେପ ଦେହସୁହା ହେଉଥିଲା କି ନାହିଁ , ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡୁଥିଲା ମନ।ଅନେକ ଭାବରେ ଅନେକଥର ଦିନର ଆଲୋକ କି ରାତି ଅନ୍ଧାରରେ ଝୁଣିପକଉଥିଲେ ଶାଗୁଣା ପଲ।ସମୟ ଗଡୁନଥିଲା, ଆଗକୁ କି ପଛକୁ ମୁଁ ଫେରିପାରୁନଥିଲି। ଭାବନାସବୁ ଅକ୍ତିଆରରେ ନଥିଲେ ଆଉ। ମୁଁ ଆଉ ମୁଁ ହୋଇ ନଥିଲି। ଭଙ୍ଗା ସ୍ଲେଟ, ଭଙ୍ଗା ଗ୍ଲାସ ଯୋଡିହୁଏକି ଅଠାରେ ? ଆସ୍ଥା, ଭରସା, ଆଶା, ଇଚ୍ଛା ତୁଟିଯାଉଥିଲା ଗୋଳମାଳ ହୋଇଯାଉଥିଲା ଚିନ୍ତା ଚେତନା । ଦିଦି , ବୋଉ, ବାପା , ଗାଁ ହଜିଯାଉଥିଲେ ଯେମିତି ଅକାତକାତ ପାଣି ଭିତରେ, କୁହୁଡିଆ ଧୂଆଁ ଭିତରେ। ସହିବା ସୀମା ପାରହେଉଥିଲା ନାଃ ଆଉ ନୁହେଁ, ଆଉ ନୁହେଁରେ ଦିନ କଟୁଥିଲା। ହଜିଗଲାକି ଏ ଦୁନିଆରୁ ହରି ଶବ୍ଦ, ମଣିଷପଣିଆ, ବିବେକୀହୃଦୟ !
ବିଜୁଳି ଭଳି ବବଲିସହ ଦେଖାହେଲା ଦିନେ। ଝଲକାଏ ଆଲୋକ, ଦଲକାଏ ଥଣ୍ଡା ପବନ, ଆଉ ସଅଁବାଳୁଆରୁ ପ୍ରଜାପତି ଜୀବନଟି ରହିଗଲା। ସେହିଁ ଟାଣି ଆଣିଲା ଏ ଗଙ୍ଗା ଯମୁନା ବସ୍ତିକୁ।ବିକାଶରୁ ବବଲିକୁ ରୂପାନ୍ତରିତ ହେବାକୁ କେତେ ଯେ ସମୟ ଗଲାକେତେ ଟାହିଟାପରା, କେତେ କେତେ ମାନ ଅପମାନ ଅଗଣନ ସେସବୁ। କହିହବନି କି ବୁଝେଇହବନି ସମସ୍ତଙ୍କୁ । ମନେପଡିଗଲେ ଦେହ ଶିରଶିରେଇ ଯାଏ। କୋହ ଉଠେ। ଲୁହ ନୁହେଁ ଛାତିତଳେ ଅସହ୍ୟହୁଏ ବେଦନା। ଫାଙ୍କା ଲାଗେ ସବୁ।
ଦେଖାହେଲା ଶ୍ରଦ୍ଧାର ଜୀବନ୍ତ ପ୍ରତିମୂର୍ତ୍ତି ତିଥିଦିଦି ସହିତ । ଆମସମସ୍ତଙ୍କର ଭଲ ମନ୍ଦର ସାଥି। ମନକଥା ଠଉରେଇ ଉପଚାର କରେ। ଆଲୋକ ଦେଖାଏ। ସାହସ ଦିଏ। ସେ ପାଠପଢୁଆ, ଆମସମସ୍ତଙ୍କୁ ପଢାଏ। ପେଟ ପୋଷିବାର ରାସ୍ତା ଦେଖାଏ। ଆଉ କ’ଣ ଦରକାର ଯେ। ଚିମୁଟାଏ ଭଲପାଇବାରେ ବନ୍ଧା ଏ ଜଗତ।ହିଂସ୍ର ପଶୁ ଯଦି ସେଥିରେ ବଶୀଭୂତ ଆମେ ତ ମଣିଷ । ବନ୍ଧା ପଢିଚୁ ତା’ ନିରୁତା ଶ୍ରଦ୍ଧାପାଖରେ।
ଆମ ବସ୍ତିରେ ତିଥିଦିଦିର ଖାତିର କାହିଁରେ କ’ଣ। ଭରସା ତା’ ଉପରେ ସମସ୍ତଙ୍କ ର ସେହିଁ ନେଇପାରିବ ମୋତେ ମୋ’ ବୋଉ ପାଖକୁ। ବିକାଶରୁ ବବଲି ହୋଇଥିବା ମଣିଷକୁ ଘରକୁ ଯିବାକୁ ହବ ଥରେ ମାତ୍ର ଥରଟେ। କିନ୍ତୁ, ସେମାନେ ଗ୍ରହଣ କରିବେ କି ନାହିଁ କେଜାଣି । ଆଉ ଲାଜ କ’ଣ, ମନଟା ଝିଅ ଝିଅ, ସେଇ ଅନୁସାରେ ଶରୀରଟା ଆପେଆପେ ହୋଇଗଲା।’ମନର ମୂଳେ ଏ ଜଗତ’ ,କହୁକହୁ ସତ ହୋଇଗଲା।ଦେହରେ ଫୁଟିଉଠିଲା ମନର କଥା। କାହାକୁ ରାଗିବ, ଆକ୍ରୋଶ ରଖିବ, ଆରୋପ ଲଗେଇବ , ସମସ୍ତେ ନିଜର,ଅତିଆପଣାର। ଦିଦି କହେ ‘ବସୁଧୈବ କୁଟୁମ୍ବକମ୍’ ସାରା ପୃଥିବୀର ଲୋକେ ଗୋଟିଏ ପରିବାର, କାଳୁ, ବାବୁଲା, ଦିନୁକକେଇ, ବାପା, ବୋଉ, ଶୁକୁରା, ବିକ୍ରମ ଏମିତି କି ଇନ୍ଦୁଦିଦି ସବୁ ଗୋଟିଏ ବିନ୍ଦୁରେ ସମସ୍ତଙ୍କ ପାଖରୁ ଏକାଭଳି ବ୍ୟବହାର ପାଇନି ସତ କିନ୍ତୁ ସମସ୍ତେ ରୂପାନ୍ତରଣ ପ୍ରକ୍ରିୟାରେ ଊଣା ଅଧିକେ ଜଡିତ। ଆଉ ଛାଡି ଆସିଥିବା ପୃଥିବୀକୁ ଫେରି ଲାଭ କ’ଣ ହବ ସେଇ ଛାଡିଆସିଥିବା ଅଲୋଡା ଖୋଳପାକୁ ପୁଣି ଗଳେଇବି, ନା,ନା ଜମା ନୁହେଁ। ଫୋପଡା ଚିଜରେ ପୁଣି ମନ କାହିଁକି ଦେବି ଯେ । ଏଥର ନୂଆ ନୂଆ କଥା, ନୂଆ ନୂଆ କାମ , ନୂଆ ପୃଥିବୀ, ନୂଆ ଆକାଶ , ମନମୁତାବକ ସବୁ। ନୂତନତାର ସନ୍ଦେଶ ପ୍ରଚାର କରିବି ସାରା ପୃଥିବୀରେ ଅନାବିଳ ହୃଦୟରେ।