ନାରାୟଣ ସାହୁ
କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି
ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି,
ଭଙ୍ଗା ମାଠିଆରେ ପାଣି ରଖି
ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି,
ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି!
କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ
ନିଜ ପାପୁଲିରେ ଜଳାଞ୍ଜଳି ଦେଇ
ଦୀପ ଟେ ସାଜିଲି!
ରୋଗ, ବ୍ୟାଧି, ଯନ୍ତ୍ରଣା ଓ ଦୁଃଖକୁ
ନିଜ ଆତ୍ମାର ମଶାଣିରେ ଫିଙ୍ଗିକି ଆସିଲି!
ପରସି ଥିବା ଖାଇବା ଥାଳିରୁ
ଟିକେ ଲୁଣ ଆଣି ,
ତା ନା’ ରକ୍ତ ଦେଲି
ମୋ ଶିରାରେ ରକ୍ତ ଥିଲା ପୂର୍ବବତ୍
ରକ୍ତରଙ୍ଗ ଶାନ୍ତି ସ୍ଵୀକାରିଲି!
ହେଲେ ପ୍ରକୃତରେ ଭୋଗି ପାରିଲିନି ସେଇ
ଗୁଣୁଗୁଣୁ ହେଉଥିବା ଶବ୍ଦ!!
ଜାଣିଛ,
ବେଳେ ବେଳେ ଅଲକ୍ଷ୍ୟରେ ସିଦ୍ଧି ହୁଏ ଇଚ୍ଛା
ଆଉ ବେଳେ ବେଳେ ଏକ ଲୟରେ ଜରିପେଣ୍ଡୁ ଫିଙ୍ଗି
ଭାଙ୍ଗି ହୁଏନା ବାସ୍କେଟ ଥାକ!
ସେମିତି ଚାଲୁଥିଲା ଏ ଜୀବନ !
ଡହ ଡ଼ହ ନିଆଁରେ ପାଦକୁ ସମର୍ପି
ବଟ ବୃକ୍ଷେ ନାଲି ସୂତା ବାନ୍ଧି
ଦୂର ଦୂରାନ୍ତ ପଦ ଯାତ୍ରା କରି,
ଥକି ପଡ଼ି ଗୋଳି ହେଇଗଲି କାହା ପାଶେ!
ଯିଏ ଆଖିର ଆଢ଼ୁଆଳେରେ ରହିବି
ମୋ ପାଇଁ ଲଢ଼ିପାରେ ଶତ ଶତ ଯୁଦ୍ଧ,,
ଯେ ନିଶ୍ବାସର ବାୟୁ ସାଜି
ଛାଣି ପାରେ ମୋ ରକ୍ତ,ମାଂସ ହାଡ଼ର ଜୀବକୋଷରୁ
ଦୂଷିତ ଅଙ୍ଗାରକାମ୍ଳ ସବୁକୁ!
ଯେ ଦେଖି ପାରେ ମୋ ଦୁଃଖର ଋଗ୍ଣତା
ଯେ ମାପି ପାରେ ମୋ ଭୋକର ତୀବ୍ରତା
ଆଉ,
ଯେ ସମର୍ପି ପାରେ ନିଜକୁ ନିଜଠାରୁ!
କିନ୍ତୁ,
ସବୁଥର ଭଳି କଣ ନିହାଣ ମୁନରେ ଜୀବନ୍ତ ହୋଇ ଉଠେକି
ଶୁଖିଲା କାଠ?
ଯେଉଁ ଦୃଶ୍ୟରେ ଦିଗନ୍ତ ପଥିକର ଅଟକିଯିବ ପାଦ!
Comments are closed.