ରବି ପଣ୍ଡା
ଛାଡି ଆସିଲିଣି ଅନେକ ଦିନରୁ
କଅଁଳ ବୟସ ମନ
ନିଦାଘ ଋତୁର କାମନା ଆତୁର
ଅତୃପ୍ତ ଯଉବନ।
ରୁପମଞ୍ଜୁଳ ଏବେ ପାଂଶୁଳ
ବୟସର କଳାଦାଗ
ଭରିଦେଲାଣି ମୋ’ ଦେହରେ ଦେହରେ
ଜରାଜର୍ଜର ଭୋଗ।
ପାଦତଳ ମାଟି ପରିତ୍ୟକ୍ତ ଏବେ
କଳଙ୍କର ମୁହିଁ ପ୍ରତିମା
ନାଇଁତ ଯମୁନା ନାଇଁ କେଳିକୁଞ୍ଜ
ନାଇଁ ମଧୁବନ ସୁଷମା।
ତମେ ଚାଲିଗଲ ନେଇଗଲ ସବୁ
ଗଢିଥିଲ ଯେଉଁ ସଂପର୍କ
ଖାଁ ଖାଁ ଏବେ ଗୋପଦାଣ୍ଡ ଲାଗେ
କେତେ ଯେ ଫରକ ଫରକ।
ତମ ପ୍ରତୀକ୍ଷାରେ ଦିନ ବିତୁଥିଲା
ରାତି ହେଉଥିଲା ସକାଳ
କେଳିକୁଞ୍ଜରୁ ବଂଶୀସ୍ୱନ ଶୁଣି
ମନ ହେଉଥିଲା ଚଞ୍ଚଳ।
ଏଡି ଦେଉଥିଲି ପରିବାରକୁ ମୋ’
କୁଳଭୂଆଶୁଣୀ ସରମ
ଚନ୍ଦ୍ରସେଣାର କର୍କଶ କଟାଳ
ଶୁଣି ଥରୁଥିଲା ମରମ।
କେଳିକୁଞ୍ଜକୁ ଯାଉଥିଲି ଲୁଚି
ପ୍ରେମରେ ତମର ପ୍ରଗଳଭା
ଦେହ ଓ ମନରେ ଉଚ୍ଚାଟ ଥିଲା
ତମକୁ ପାଖରେ ପାଇବା।
ତମ ପ୍ରେମ ଥିଲା ଆକାଶ ପରି ତ
ମୋର ଭୋକ ଥିଲା ସମୁଦ୍ର
ଦେହର ଦହନେ ଅବିରତ ଜଳି
ରାତି କଟୁ ଥିଲା ବିନିଦ୍ର।
ତମ ପାଇଁ କିଛି ଅଦେୟ ନଥିଲା
ଅଙ୍ଗୀକାର ଥିଲା ଅନେକ
ବହୁ ସପନର ସଘନ ଶେଜରେ
ତମେ ଥିଲ ମୋର ନାୟକ।
ବିରହ ବିଧୂର ବ୍ୟଥିତ ବେଦନା
କରୁଥିଲା ଯେଉଁ ବିଳାପ
ତମ ମୁରଲୀର ମୋହିନୀ ମାୟାରେ
ହରି ଯାଉଥିଲା ସନ୍ତାପ।
ଏବେ ତମେ ସିନା ଏଠି ନାହଁ, ହେଲେ
ସ୍ମ୍ରୁତି ସବୁ ଅଛି ସଜଳ
ପ୍ରୀତି ପାର୍ବଣ ପରବ ଋତୁରେ
ତମ ପାଇଁ ହୁଏ ବ୍ୟାକୁଳ।
ମୋ ଦେହରେ ଅଛି ତମ ଛୁଆଁ ଚିହ୍ନ
ଏବେ ସୁଦ୍ଧା ଲିଭି ନାଇଁ
ବକ୍ଷର ଭାଗେ ସାଇତି ରଖିଚି
ତମ ପ୍ରିୟ କଳାଜାଇ।
ଦେହ ଭୂଗୋଳରେ ଲେଖି ରଖିଅଛି
ପ୍ରୀତି ରଙ୍ଗା ସବୁ ଇତିହାସ
ସେଥିପାଇଁ ସବୁ ସରସ ସରାଗ
ଲାଗୁ ଅଛି ଏବେ ବିଷ ବିଷ।
ଆଖି ଆରପାରେ ଅଛ ସିନା ଏବେ
ମନ ମୁକୁରରେ ଝଳୁଚ
ଦ୍ୱାରକା ନଗରୀ ଅଧିପତି ସିନା
ଗୋପପୁର ପାଇଁ ଝୁରୁଚ।
ସମୟ ତମକୁ ଛଡାଇ ମୋ ଠାରୁ
କରିଛି ନିଃସଙ୍ଗ , ଏକା
ତଥାପି ତମର ପ୍ରତୀକ୍ଷାରେ ଅଛି
ବୃନ୍ଦାବନର ରାଧିକା।
ଭୁବନେଶ୍ୱର
Comments are closed.