Latest Odisha News

କବିତା : ଯେଉଁଠି ମୋ ପ୍ରିୟା ରହେ

ରାଜକିଶୋର ନାୟକ

ଯେଉଁଠି ପ୍ରିୟା ମୋ ରହେ
ନିଇତି ମଳୟ ଫୁଲର ମହକ
ପ୍ରିୟା ଦେହ ଛୁଇଁ ଯାଏ
ଫୁଲ ଫଗୁଣର ଘରଟିଏ ।୦।

ଶୁଣିଛି ସେ ଘରେ ସୁନା ଝୁଲଣାରେ
ପ୍ରିୟା ମୋର ଝୁଲୁ ଥାଏ
ରୂପା ପଲଙ୍କରେ ଦୁଗ୍ଧ ଫେନ ଶେଜେ
ଗହମ ନିଦରେ ଶୁଏ,
ଡାକି ନାହିଁ କେବେ ତା ଫୁଲ ଘରକୁ
ସତେ କେମିତିକା ସିଏ ହାଏ । ୧ ।

ଟିକି ତାରା ଫୁଲେ ସଜିଆ ହୋଇଛି
ମୋ ପ୍ରିୟାର ଅଗଣା
ଋତୁ ବସନ୍ତର ସବାରୀ ଭିତରେ
ବସିଥାଏ ସେ ଦୁଲଣା
ପିରତି କବିତା କବୟତ୍ରୀ ସାଜି
ଆଲୋଚନା ସହରେ ସେ ଯାଏ । ୨ ।

ଦେଖିଲି ଦିନେ ମୁଁ ଉଜୁଡି ଯାଇଛି
ମୋ ପ୍ରିୟାର ସେହି ଘର
କାଳ ବଇଶାଖୀ ଜିଭରେ ଚାଟିଛି
ହୋଇ ସେ କେଡେ ନିଷ୍ଠୁର
ମୋ ମନ କେନ୍ଦରା କରୁଣ ରାଗିଣୀ
ବେଦନା ବିଧୁର ଗୀତ ଗାଏ । ୩ । ।

ବ୍ରହ୍ମଗିରି, ପୁରୀ 

Comments are closed.