Latest Odisha News

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ 

ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ
ତାକୁ ଘୋଷଣା କରିଦିଆଗଲା ମୃତ
ହତ୍ୟା ନା ଆତ୍ମହତ୍ୟା ?
ସନ୍ଦେହ ଘେରରେ ଛନ୍ଦିହେଲା
ଅକାଳରେ ଅପମରଣ

ଚିରି ଭିତରେ ଖୋଜା ଚାଲିଲା
କେଉଁଠି ଲୁଚିଛି ମୃତ୍ୟୁର କାରଣ
ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ
ଡାହାଣ ପଟେ ଗୋଟେ ପାଲଟଣା ନୌକା
ଗଳାପଥରେ ତାର ହୁଗୁଳି ଯାଇଥିବା
ଗୋଟେ ବ୍ରହ୍ମବୀଣା
ପାଟି ଭିତରେ ଗୋଟେ ଲୋହିତ ପଦ୍ମପାଖଡା
ଦ୍ବାର ମୁହଁରେ ଧଳା ବର୍ଦିରେ ଦିଧାଡ଼ି ସୈନିକ
ଡାହାଣ ନାକ ପୁଡ଼ାରେ ସୁନେଲୀ ଖରା
ବାମ ପୁଡ଼ାରେ ରୂପେଲୀ ଜହ୍ନଆଲୁଅ ।

ଆଖି ଡୋଳା ଭିତରେ
ନିସ୍ତରଙ୍ଗ ଦୁଇଟି ସମୁଦ୍ର
ଖପୁରୀର ଛାତ ତଳେ
ଗୁଦିର ଶେଯ ସୁପାତି
ଅନନ୍ତ ଶୟନରେ ଈଶ୍ବର

ଉଦରରେ କାଦୁଅ ଲୁତୁପୁତ ମାଟିର ମାନଚିତ୍ର
ନାଭିର ଚୁଲିରେ ଭାତହାଣ୍ଡି
ଦରଫୁଟା ଭୋକର ବାସ୍ନା ।

ଜଙ୍ଘ ସନ୍ଧିରେ ଛିଡା କୈଳାସ ପର୍ବତ
ତାକୁ ଘେରି ରହିଥିବା ତରାଇ ଅରଣ୍ୟରେ
ମୃଗୁଣୀର ଅନନ୍ତ ବିଶ୍ରାମ

ଜମାଟ ବାନ୍ଧି ନଥିଲା ତଥାପି
ନୀଳ ରକ୍ତର ସହସ୍ର ସ୍ରୋତ
ଆକାଶର ମୁହାଣରେ ଯାହା
ଅଟକି ରହିଥିଲା ନିଶ୍ଚଳ ନିସ୍ତରଙ୍ଗ

ନା ମିଳିଲା ନାହିଁ ମୃତ୍ୟୁର ସୁରାକ
ଏପରିକି ଜଣା ପଡ଼ିଲା ନାହିଁ ମୃତ ନା ଜୀବନ୍ତ
ଜଣା ପଡ଼ିଲା ନାହିଁ ଏ ଦେହ କାହାର ।

Leave A Reply

Your email address will not be published.