Latest Odisha News

BREAKING NEWS

କବିତା : ମୁଁ ଆଉ ତୁମେ

ସରୋଜ କୁମାର ପଣ୍ଡା 

ମୁଁ ତ ଆଖି ବନ୍ଦ କରି ବାହୁ ବନ୍ଧନରେ
ବାନ୍ଧି ହୋଇଥିଲି
ପ୍ରସ୍ତୁତ ଥିଲି ନିଜକୁ ସମର୍ପି ଦେବାକୁ
ଶୁନଶାନ ରାତିର
ବନ୍ଦ କୋଠରୀରେ,
ତମେ ଥିଲ , ମୁଁ ଥିଲି
ଆଉ ଥିଲା ଏକ ଏକାନ୍ତ ମୁହୂର୍ତ୍ତ
ହୃଦ-ସ୍ପନ୍ଦନ ବଢ଼ୁଥିଲା
ନିଶ୍ୱାସର ଶବ୍ଦ ସହ ଥରୁଥିଲା ଓଠ
ଆଉ କମ୍ପୁଥିଲା ରୁଦ୍ଧ ଦ୍ୱାର ଓ ହୃଦୟ
ଇଛାଥିଲା ସବୁ ସଂଭ୍ରମକୁ ପାର କରି
ମିଳେଇଯିବାକୁ ଦେହରେ ତୁମରି
ଇଶାରା ଦେଉଥିଲି
ଆଖିରେ ,ସ୍ପର୍ଶରେ
ସବୁ ତ ଜାଣି ପାରୁଥିଲ
ହେଲେ ବାହୁ ବନ୍ଧନରେ ତୁମ
ପାହିଗଲା ଏକ ପ୍ରେମଭର୍ତ୍ତି ରାତି
ଦେହରେ ଦାଗ ନ ଥିଲା
ନା ଥିଲା ମନରେ କଷ୍ଟ
ଆଇନା କୁ ବିନା ଦ୍ବିଧାରେ ସାମ୍ନା କରିହେଲା
ଭୋଗି ହେଲା ପରବର୍ତ୍ତୀ କଅଁଳ ସକାଳ
କଜ୍ଜ୍ଵଳ ସାଜି ନଥିଲା ପ୍ରେମଜ କଳଙ୍କ

ସତ କୁହ,କିଏ ତମେ ?
କୋଉଠୁ ଆସିଛ !
କେମିତି ସାଉଁଟି ନେଲନି
ସେ ସୁବର୍ଣ୍ଣ ସୁଯୋଗ ,
କେମିତି ବାନ୍ଧି ରଖିଲ ନିଜକୁ
ଯେଉଁଠି ଦେହର ଗନ୍ଧ ମହ ମହ
ଅନ୍ୟ ସବୁ ତ ପାଗଳ ଏଠି
ହାସଲ କରିବାକୁ ଆରଣ୍ୟକ ମନର କାମନା
ଅଣଦେଖା କରି,
ନାରୀର ଇଛା ବା ଅନିଚ୍ଛା
ନିଜ ବାହୁ ବଳରେ ଅକ୍ତିଆର କରି
ସର୍ବସ୍ୱ ଲୁଟି ନେଇ ଯା’ନ୍ତି

କୁହ ତୁମେ କେମିତି ଆଙ୍କିଲ
ଏ ହସ୍ତାକ୍ଷର ଏକ ନିରୋଳା ପ୍ରେମିକପଣର!

Leave A Reply

Your email address will not be published.