ସ୍ମୃତିରେଖା ଭୂୟାଁ
ସେ ନାଲି ଛିଟା କୃଷ୍ଣଚୁଡ଼ା ଫୁଲଟିଏ
ବୃକ୍ଷର ସର୍ବୋଚ୍ଚ ଶାଖାରେ
ଦିନେ ସେ ବାଟୋଇ ଟାଣି ହୋଇଥିଲା
ତା ରୂପ ମହକର ଡୋରିରେ,
ସେ ସୁଉଚ୍ଚ ବୃକ୍ଷର ଉଚ୍ଚତା ସହ
ଘଡ଼ିଏ ଚାଲିଲା ଦ୍ଵନ୍ଦ,
ବହୁ ଚେଷ୍ଟା ଫଳେ ତୋଳି ଆଣିଥିଲା
ସେ ଫୁଲଟିର ସୁଗନ୍ଧ।
ଏତେ ପାଖରୁ ତା ପାଖୁଡ଼ାର ରଙ୍ଗ
କଲେ ତାକୁ ମନ୍ତ୍ରମୁଗ୍ଧ,
ଭାବେ, ବିନା ଯୋଜନାରେ ତା ରଚନା
ହୋଇ ନ ପାରେ ସାଧ୍ୟ।
ପାଖୁଡ଼ାମାନଙ୍କ ଭିନ୍ନ ଆକୃତିରେ
ତ୍ରୁଟିଟିଏ ଖୋଜି ଖୋଜି,
ହତାଶ ହୋଇ ସେ ନାଲି ଛିଟାରେ
ଯାଇଥିଲା ଦିନେ ହଜି।
ଧୀରେ ଧୀରେ ରବି ପଶ୍ଚିମ ମୁଖି
ଆକାଶ ରକ୍ତ ରଞ୍ଜିତ,
ସତେ କି ସେ ଫୁଲର ନାଲି ରଙ୍ଗ ଉଡ଼ି
ବାୟୁରେ ହୁଏ ବିଚ୍ଛୁରିତ।
ଢଳି ଗଲେଣି ସେ ପାଖୁଡ଼ା ମାନ
ସୁଗନ୍ଧ ହେଲା ମଳିନ,
ହୃଦୟ ଦଣ୍ଡିକା କ୍ଷୀଣ ହୋଇ ହୋଇ
ନଇଁ ଚାଲେ ଦିନୁ ଦିନ।
ବୃକ୍ଷର ଶାଖାକୁ ପାସୋରି ସାରିଛି
ଯାହାର ଆନନ୍ଦ ପାଇଁ,
ସେ ହାତରୁ ଆଜି ଖସିଛି ତା ଦଣ୍ଡିକା
ହୋଇଅଛି ଧରାଶାୟୀ।
ସବୁ ପାଖୁଡ଼ା ଅଜାଡ଼ି ଗୁହାରି କଲେ ବି
ନ ଶୁଭେ ତାକୁ ସେ ଚିତ୍କାର,
ତା କଟୁ କଥାର ସେ ଝାଞ୍ଜି ପବନରେ
ସେ ପାଖୁଡ଼ା ଆଜି ଯାଯାବର।
କେନ୍ଦ୍ରାପଡ଼ା
Comments are closed.