Latest Odisha News

କବିତା : ମୁକ୍ତି

ସ୍ନେହଲତା ଦାସ ଲେଙ୍କା

ଖୁବ୍ ଆକ୍ତାମାକ୍ତା ଲାଗେ ଦି’ପହରର ଏ ଖରାବେଳଟା
ଲଟ୍କିଯାଏ ଛାତି ଭିତରେ
ଭାକୁର କଣ୍ଟାଭଳି କିଛି ଗୋଟେ
ଲକ୍ଷ୍ମଣର ଗାର ପରି ଏରୁଣ୍ଡି ଡେଇଁବାକୁ
ସାହସ ପାଏନା
ମୁଁ ଯେ ନାରୀ…
ମୋତେ ଗାର ଡେଇଁବା ମନା ॥

ଶିରାପ୍ରଶିରାରେ ବହିଯାଉଛି
ମନତଳର କୁହୁଳୁଥିବା ଧୂଆଁ
କ୍ଷତାକ୍ତ ହୋଇଯାଇଛି ମୋ ଡେଣା
ଶୂନ୍ୟ ଆକାଶକୁ ଚାହୁଁଛି
ଉଡି ମୁଁ ପାରୁନି
ମୁଁ ଯେ ନାରୀ….
ମୋତେ ଉଡିବା ମନା ॥

ଅସଜଡା ହୋଇଯାଉଛନ୍ତି ଶବ୍ଦସବୁ
ଧୂଆଁଳିଆ ଦିଶୁଛି କାନଭାସର ଛବି
ନିରିଖେଉଛି…
କାଚଘର ପରି ଭାଙ୍ଗି ଚୁରମାର ହୋଇଯାଉଛନ୍ତି
ସ୍ବପ୍ନସବୁ
ମୁଁ ଯେ ନାରୀ…
ମୋତେ ସ୍ବପ୍ନ ଦେଖିବା ମନା ॥

କିଏ କହେ ମୁଁ ଆଜି ମୁକ୍ତ ?

ମୁକ୍ତଥିଲେ ନିର୍ଭୟା ବି ଦେଖିଥାନ୍ତ
ସକାଳର ସୂର୍ଯ୍ୟ
ଆଉ…..
କୁନ୍ଦୁଲି ବି ଚାଖିଥାନ୍ତା ନିଜ ସମ୍ମାନର ସ୍ବାଦ
ମୁକ୍ତ…!!
ଏସବୁ କେବଳ ତୁଚ୍ଛା ଆସ୍ଫାଳନ
ମୁଁ କାଲି ବି ଥିଲି କୌରଵ ସଭାରେ
ଆଉ…..
ଆଜି ବି ଅଛି ଦୁର୍ଯୋଧନ ମାନଙ୍କ ଚକ୍ରବ୍ୟୁହରେ

ସଖା….

ତମେ କୋଉଠି ଅଛ ?

ମୁକ୍ତି ଚାହେଁ ମୁଁ
ଖୋଲିବାକୁ ଚାହେଁ ପାଦର ଶିକୁଳି
ମନଖୋଲି ହସିବାକୁ ଚାହେଁ ,
ଫିଙ୍ଗିଦେଇ ଆଵୁରୁଜାଵୁରୁ ଦୁଃଖସବୁକୁ
ନାଚିବାକୁ ଚାହେଁ ମସ୍ଗୁଲ୍ ହୋଇ ଭିଜିଭିଜି ସ୍ବପ୍ନର ବର୍ଷାରେ

ସଖା

ମୋତେ ମୁକ୍ତ କର
ମୋତେ ମୁକ୍ତ କର ମୋତେ ମୁକ୍ତ କର ॥

Comments are closed.