ସୁପ୍ରିୟା ପଣ୍ଡା
ଏଇ ଚୁପଚାପ ବେଳର
ଅସୁମାରୀ କେତେ ପ୍ରହେଳିକା
ପ୍ରଶ୍ନର ପାଚେରୀ
ପୁଣି ନିରୀମାଖୀ ମନ
ଆତଙ୍କିତ ସବୁ ତାରା ମାଳ
ଖିନଭିନ ଛାତି
ଝଡ଼ ପରି ଟିକେ ସ୍ନେହ
ପୁଣି ନିରବତା !
କେତେବେଳେ ସ୍ନେହ
ଆକୁଳତା ଭରା ଉକ୍ତି
ଗଦ ଗଦ ଭାବ
ସମୁଦ୍ରକୁ ଶଙ୍ଖେ ସୁଖ
ପାରିଲା ପଣ
ପୁଣି ବାକରୁଦ୍ଧ !
ଅହେତୁକ ପ୍ରେମର
ଅକୁଣ୍ଠିତ ପରାକାଷ୍ଠା
ଆବୋରିବା ଇଛା
ଜିତିଥିବା ଗଡ଼ରେ
ବିରହର ଧ୍ଵଜ
ଫର ଫର ଉଡ଼ୁଥିବା କ୍ଷୋଭ
ପୁଣି ସନ୍ତୁଳିତ !
ବେଳେ ବେଳେ
ଛିଟ ପ୍ରଜାପତି
କଙ୍କି ଧରା ଦୌଡ଼
ବଇଁଚ କୋଳିର ବାସ୍ନା
ଲୁଚକାଳି ଖେଳ
ପୁଣି ସ୍ୱଗତୋକ୍ତି !
ନିହାତି ନିବିଡ଼ତାର ଚିହ୍ନ
ମନଲୋଭା ସମ୍ପର୍କ
ଖୁବ ପାରିବା ପଣ
ଆକାଶ ଭର୍ତି ଶାନ୍ତି
କୋଳ ପୂର୍ଣ୍ଣ ମନ
ହଠାତ ‘ ଧଡ଼ ‘ ଶବ୍ଦ
ପୁଣି ନିର୍ଜନତା !
ହାତ ମୁଠା ଟାଣ
ପାଦରେ ପୃଥିବୀ
ଠଣ ଠଣ ଶବ୍ଦ
ମୁଣି ଉପରର ଦୃଶ୍ୟ
ସବୁ ରୁଚିକର
ହାଲକା ପଣ କିଛି
ପୁଣି ଏକାକିତ୍ୱ !
ଅଛି ବଳ ବପୁ
ବିଶ୍ୱାସର କାଦୁଅ
ଗଢ଼ି ଜାଣିଲେ
ତାସଘର ବି ସୁନ୍ଦର
ଆତ୍ମବଳେ ସବୁସିଦ୍ଧି
ଖୁସି କଣ ପ୍ରଶ୍ନ?
ସୁଖ କଣ ଚିନ୍ତା ?
ଶାନ୍ତି କଣ ଅଭାବ ?
ସମ୍ପର୍କ ବି ଶସ୍ତା !
ଇଛାର ସ୍ୱପ୍ନ ରାଜ୍ୟ
ପୁଣି
ନିଜର ଇଲାକା ।
Comments are closed.