ତପସ୍ୱିନୀ ଜେନା
ମନ ଦିନେ ସାଜିଥିଲା ସାହାରାର
ମରୁ ମରୀଚିକା ତୁଲ୍ୟ,
ବେଦନାର ମୌସୁମୀ ବୁଝୁଥିଲା
ଅନ୍ତର୍ଦ୍ୱନ୍ଦର ମୂଲ୍ୟ।
ମନ ଶରୀରରେ ନିଦାଘର ବହ୍ନି
ଜାଳୁଥିଲା ହୃଦୟକୁ,
ଦହନର ଜ୍ୱାଳା ଅଶ୍ରୁ ପାଲଟିକି
ଭିଜାଉଥିଲା ଗଣ୍ଡକୁ।
ବାରିଦ ଆସିବ ଆଶଙ୍କା ନଥିଲା
ନକହିବି ବରଷିଲା,
ମଳୟ ଅଜ୍ଞାତେ ଆଗମ ବାରତା
ଗୁପତେ କାନେ କହିଲା ।
ନବ କିଶଳୟେ ତରୁ ତରଣୀର
ରୂପ ଧାରଣ କରିଲା,
ଆଶା ସବୁ ନବ ଜଳଧର ସ୍ପର୍ଶେ
ଅଙ୍କୁରୋଦଗମ ହେଲା।
ମରୀଚିକା ଭ୍ରମ ଦୂର ହୋଇଗଲା
ତୁଷାର ବିନ୍ଦୁ ପାଲଟି,
ରକ୍ତ ଗୋଲାପର ପାଖୁଡା ମଧ୍ୟରେ
ଚେନାଏ ମୁଗ୍ଧ ହସଟି।
ମୁଁ ଖାଲି ନିର୍ବାକ ଭାବେ ଚାହିଁଛି
ମନ ଗବାକ୍ଷ ଆଡକୁ,
ଆକାଂକ୍ଷିତ ନାୟକର ପଦକ୍ଷେପ
ଜୀବନର ଇଲାକାକୁ।
କୁଜଙ୍ଗ, ଜଗତସିଂହପୁର
Comments are closed.