Latest Odisha News

BREAKING NEWS

ଅନୁବାଦ କବିତା : ତୁମେ କହିଥିଲ

ମୂଳ ବାଂଲା : ଶାମସୁର ରାହମାନ

 

ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର
ପୋଡ଼ି ଯାଉଛି ଦୋକାନ ଘର
କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର
ମସଜିଦ ଓ ମନ୍ଦିର।
ସାଙ୍ଘାତିକ ଭାବରେ ଜଳୁଛି
ଚାରିପଟ ଘରଦ୍ୱାର
ପୋଡ଼ି ଯାଉଛି ଶୁଆର ପିଞ୍ଜରା
ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର
ପୁରୁଣା ନଥିପତ୍ର, ଦଲିଲ ଓ ମାନଚିତ୍ର।

ମହୁମାଛି ଫେଣାରେ ନିଆଁ ଲଗେଇ ଦେଲେ
ଦଳ ଦଳ ମହୁମାଛି ସଶବ୍ଦେ ନିଜର
ପ୍ରିୟ ଆଶ୍ରୟ ଛାଡ଼ି ଜୋରରେ ପଳାୟନ କଲାପରି
ସମସ୍ତ ସହରବାସୀ ନିଜ ଘର , ଜାଗା ଛାଡ଼ି
ଦିଗ ବିଦିଗରେ ପଳାୟମାନ।
ନବଜାତକକୁ ଛାତିରେ ଚାପିଧରି
ପାଗଳ ପ୍ରାୟ ଜନନୀ ଛୁଟି ଚାଲିଛି
ସତେ ଯେମିତି ଜ୍ୱଳନ୍ତ ବନାନୀର ହରିଣ।

ଚାରିପାଖରୁ ଗୁଳିର ଶବ୍ଦ, ରାସ୍ତାରେ
ମାଡ଼ି ଚାଲିଛି ସେନାଙ୍କର ସଶସ୍ତ୍ର ଜିପ ଗାଡ଼ି
ଚାରିଆଡ଼େ ଆର୍ତ୍ତନାଦ
ଆମ ଦୁଇଜଣଙ୍କର
ମୁହଁରେ ଗରମ ଧାସ।

ଆଲିଙ୍ଗନ ଭିତରୁ ଥର ଥର କଣ୍ଠରେ
ତୁମେ କହିଥିଲ ମତେ ଏହି ବର୍ବର
ଅଗ୍ନିରୁ ବଞ୍ଚାଅ, ବଞ୍ଚାଅ ମତେ,
ଲୁଚାଇ ରଖ ମତେ ତୁମ ଆଖିର ପତା ଭିତରେ
ହୃଦୟର ଗଭୀରରେ
ଅବା ଏକ ନିଭୃତ ପଞ୍ଜୁରୀରେ
ଅଥବା ନିମିଷକେ ଶୋଷିନିଅ ମତେ
ତୁମ ଚୁମ୍ବନ…. ତୁମ ଚୁମ୍ବନରେ

ପ୍ରଖର ବେଗରେ ଜଳି ଯାଉଛି ନୂଆ ବଜାର
ଆମ ଚାରିପଟେ ଅନଳ
ଗୁଳିର ଲୁହାପଥର ମାଡ଼ ବନ୍ଦ ନାହିଁ
ତୁମେ କହିଥିଲ
ମତେ ବଞ୍ଚାଅ।
ଅସହାୟ ମୁଁ ସେତିକି ବି କହି ପାରିନାହିଁ।

 

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.