ମୂଳ ବାଂଲା : ଶାମସୁର ରାହମାନ
ଏଇ ଅଧରାତିରେ
ଏତେ ଜୋରରେ
କିଏ କବାଟ କଡ଼ା ହଲେଇଲା ?
ଶବ୍ଦଟା ଶୁଣିବା ପରେ
ମୋ ଛାତି ଭିତରେ
ଯେମିତି ଏକ ପେଚା ଡାକି ଉଠିଲା ।
ମୁଁ ଅବଶ୍ୟ ଶୋଇ ପଡ଼ିନଥିଲି,
କିଛି ଦିନ ହେଲା ଉଚ୍ଚାକାଂକ୍ଷୀ ରକ୍ତଚାପଟା
ମୋତେ ଖୁବ୍ କଷ୍ଟ ଦେଉଛି ।
ଧଡ଼ ଧଡ଼ ହୃଦୟ ନେଇ
ଦରଜା ଖୋଲି ଚମକି ପଡ଼ିଲି
ଜଣେ ବେଶ ବପୁବାନ ବ୍ୟକ୍ତି ଛିଡ଼ା ହୋଇଛନ୍ତି
ମୋ ଦ୍ୱାରଦେଶରେ ।
ତାଙ୍କର ଚକଚକ କଳା ପଥର ପରି
ଆଖି ଦୁଇଟାକୁ ଅନାଇଁ ମୋର ମନେ ହେଲା
ଲୋକଟି ଯେମିତି କୋଲରିଜଙ୍କର ସେଇ ପ୍ରାଚୀନ ନାବିକ !
କିନ୍ତୁ ସେ ଯେ କୌଣସି ନାବିକ ଫାବିକ ନୁହେଁ
ସେଇଟା ଜଣା ପଡ଼ିଲା କିଛି ସମୟ ପରେ।
ସେ ତା’ କାନ୍ଧରେ ଝୁଲୁଥିବା ମାଟିଆ ରଙ୍ଗର
ବ୍ୟାଗରୁ ଏକ ଟେଲିଗ୍ରାମ ବାହାର କରି
ମୋ ହାତକୁ ବଢ଼ାଇ ଦେଲା ।
ସାଦା ଧଳା ଥାନ ଲୁଗାପରି ସେଇ ଟେଲିଗ୍ରାମଟିକୁ ହାତକୁ ନେଇ ମୁଁ ପ୍ରାୟ ଅଜ୍ଞାନ
ନାମହୀନ , ଠିକଣାହୀନ, ଅକ୍ଷର ବିହୀନ
ସେଇ କାଗଜଟି ତାକୁ ଫେରାଇ ଦେଇ କହିଲି ” କିଛିବିତ ଲେଖା ନାହିଁ ” !
ଏକ ଅଦ୍ଭୁତ ହସ ହସି ସେ କହିଲା,
” ସରି ଭୁଲ ହୋଇ ଯାଇଛି,
ଆରଥରକୁ ଏମିତି ଭୁଲ ହେବ ନାହିଁ’ ।
ତା’ପରେ ତରତରରେ ସିଡ଼ି ଦେଇ ଓହ୍ଲାଇ
ଲମ୍ବା ଲମ୍ବା ପାଦ ପକାଇ
ଲୋକଟି ଅନ୍ଧକାରରେ ଗଲା ମିଳାଇ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.