ରବି ପଣ୍ଡା
ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ
ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ
ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ
ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ।
ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ
ରୁଣୁଝୁଣୁ ପାଉଁଜିର ମ୍ରୁଦୁସ୍ୱରେ ଗୃହାଙ୍ଗନ ମୁଖରିତ ହୁଏ
ବନ୍ଦାପନା ହୁଳହୁଳି ସହ, ତାଳଦେଇ ଶୁଭୁଥାଏ ଶୁଭ ଶଙ୍ଖନାଦ
ଥିରିଥିରି ପାଦ ଥାପି ଗ୍ରୁହଲକ୍ଷ୍ମୀ ଗୃହାଙ୍ଗନେ ବିଜେ କରୁଥାଏ।
ଏ’ବଧୂ ସାଜିବ କର୍ତ୍ତ୍ରୀ, କୁଳର ଏ ଉଦ୍ଧାରକାରିଣୀ
ରାଜରାଣୀ ମର୍ଯ୍ୟାଦାରେ ସେ ସାଜିବ ବଂଶର ବିଭବ
ତା’ ସଂଭ୍ରମ, ତା’ସଂସ୍କାର ବୁନିୟାଦି ହିତ ପ୍ରଦାୟିନୀ
ଘନ ଘୋର ଜଞ୍ଜାଳେ ବି’ଥାଇ, ରଖିବ ସେ ଘରର ଗୌରବ।
ଇଏ ସେଇ ନବବଧୂ, ଓଠରେ ତା ବଧୂଲୀର ହସ
ତା’ହସରେ ଘର ହସେ, ଆୟୁଷ୍ମାନ ହୁଏ ଇତିହାସ।
Comments are closed.