ରଞ୍ଜିତା ରାଣୀ ହୋତା
ତୁମ ନୀରବତା କାଳେକାଳେ ନୀଳ ସାଗର ଉର୍ମି ସମ,
ବାରବାର ଆସି ମଥା ପିଟିଯାଏ ହୃଦ ଉପକୂଳ ମମ ।
ଶବ୍ଦହୀନ ସେ ଓଠର ନିବୁଜ ଭୀରୁ କମ୍ପନ ସାଥେ,
କେତେ ଅପାଶୋରା , ଅୟୁତ ଅଲିଭା କଥା ନ କହିଛ ମତେ।
ଆନତ ଆନନେ ଅଭିମାନ ରେଖା ଆଙ୍କି ଆସିଛ ଯେବେ
ଆୟତ ମୋହର ନୟନ ଫାଙ୍କେ ନିରେଖିଛି ଧୀରେ ତେବେ ।
ଅନ୍ତର ମୋର ଆଦ୍ର ହୋଇଛି ତଥାପି ରହିଛି ଥିର,
ନୀରବତା ଯଦି ଏତେ ମନୋଲଭା ନ ଫୁଟୁ ନ ଫୁଟୁ ଗିର।
ସଞ୍ଜଦୀପର ଆଭାରେ କେବେ କେବେ ସଙ୍ଗୀତ ସୁରେ,
ସେଇ ନୀରବତା ଶ୍ରବଣେ ମୋହର ପୀୟୂଷ ଶ୍ରବଣ କରେ।
ସେ କି ଅସ୍ଫୁଟ ଶବ୍ଦ ରଖିଛ ସଞ୍ଜି ସେ ବୁକୁତଳେ,
ଶବ୍ଦକୋଷ ମୋ ଶୂନ୍ୟ ତାହାରି ବନ୍ଦନା ଗାଇବାରେ ।
ଆହା କି ଆକୁଳ ଆବେଗ ତାହାର ଅସ୍ଥିର କରେ ମତେ,
ତୁମ ନୀରବତା କାହିଁକି ଲାଗଇ ଏତେ ବାଙମୟ ସତେ ?
Comments are closed.