ରଞ୍ଜିତା ରାଣୀ ହୋତା
ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ
ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ।
ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର
ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର।
ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ
ଉତ୍ତାଳ ତବ ଉର୍ମିବାହୁର ମିଳନ ପିଆସୀ ପଥେ।
ମରୁ ମରୀଚିକା ସେ ଆଶା ଜୀବନେ ପୂରଣ ହେବ ବା କାହିଁ
ସେ ତୃଷାଦାଉର ଦହନରୁ କିବା ମୁକ୍ତି ମୋହର ନାହିଁ।
କଳ୍ପନା କରେ ତୁମରି ବୁକୁର ତଳପେ ଯିବି ମୁଁ ହଜି
ଦୀର୍ଘ ଏ ପଥ ଅତିକ୍ରମି ଯିବି ଉନ୍ମନା ହୋଇ ଆଜି।
ମୁଗ୍ଧ ପରାଣେ ଅନୁଭବିବି ମୁଁ ପ୍ରଣୟର ମାଦକତା
କ୍ଳାନ୍ତ ମୋହର ତନୁରେ ତନୁରେ ବିଜୁଳି କହିବ କଥା।
ହଜିବା ହାରିବା ନିୟତି ମୋହର ତନୁରେ ମରୁପଥ ସହଚର
ନୀଳତୃଷ୍ଣା ମୋ ଦୂରନ୍ତ ସପନ କାହିଁ ପ୍ରିୟ ପାରାବାର ?
Comments are closed.