ଦେବଜ୍ୟୋତି ଅବିନାଶ
ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା’ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ ବ୍ୟସ୍ତବହୁଳ ଜୀବନଶୈଳୀର ଚାପରେ ସିଗାରେଟ ପିଇବାଟା ଗୋଟେ ଅଭ୍ୟାସରେ ପରିଣତ ହୋଇ ଯାଇଛି ରାଜୀବର। ଦିନକୁ ୪-୫ ଟା ସିଗାରେଟ ତ ହେଇ ହିଁ ଯାଏ। ପକେଟରୁ ପ୍ୟାକେଟଟା ବାହାରକୁ କାଢି ସେଥିରୁ ସିଗାରେଟ ଗୋଟେ ବାହାର କଲା ସେ। ସିଗାରେଟଟିକୁ ଲାଇଟରରେ ଜଳେଇ ଓଠରେ ଲଗାଉ ଲଗାଉ ତାକୁ ଲାଗିଲା ତା ମନ ଯେମିତି ତା’ର ଦିନ ଯାକର ଚିନ୍ତା, ବିଷାଦ, ଅଫିସରେ ବସର ତାଗିଦ୍, ସହକର୍ମୀମାନଙ୍କ ଖିଟପିଟ ସବୁ କିଛି ସିଗାରେଟର ଧୁଆଁ ସହ ମିଶି ପବନରେ ମିଳେଇ ଯାଉଛି।
ହଠାତ୍ ତାର ନଜର ପଡ଼ିଲା ପାଖରେ ଛିଡା ହୋଇଥିବା ସ୍କୁଲ ଫେରନ୍ତା ୪-୫ ବର୍ଷର ଛୋଟ ପିଲାଟିଏ ଉପରେ। ନିଜ ମାଆ ସହିତ ବସ ଷ୍ଟପରେ ପଡ଼ିଥିବା ବେଞ୍ଚ ଉପରେ ବସିଥାଏ ସେ। ରାଜୀବ ଦେଖିଲା ପିଲାଟି ନିଜ ଖାତାର ପଛ ପୃଷ୍ଠାରୁ କାଗଜ ଫର୍ଦ୍ଦଟିଏ ଚିରି ତାକୁ ସିଗାରେଟ୍ ଭଳି ମୋଡ଼ି ବାରମ୍ବାର ଓଠରେ ଲଗାଉଛି ତା’ରି ହାତର ମୁଦ୍ରା ଓ ଚେହେରାର ଭାବଭଙ୍ଗୀକୁ ଅନୁକରଣ କରି। ପିଲାଟି ଉପରୁ ନଜର ହଟେଇ ପାଖରେ ବସିଥିବା ତା’ ମାଆଙ୍କ ଆଡ଼କୁ ଥରେ ଚାହିଁଲା ରାଜୀବ। ସେ ତାରି ଆଡ଼କୁ ହିଁ ଦେଖୁଥାନ୍ତି। ଆଖିରେ ତାଙ୍କର ଥାଏ ଏକ ଅକୁହା ଭୟ ଏବଂ ଅବ୍ୟକ୍ତ ଅନୁନୟ। ଚାରି ଆଡେ଼ ଥରେ ନଜର ବୁଲେଇ ଆଣିଲାରୁ ତାକୁ ଅନୁଭବ ହେଲା ଯେମିତି ବସ ଷ୍ଟପରେ ଛିଡା ହୋଇଥିବା ପ୍ରତିଟି ମଣିଷ ତାରି ଆଡ଼କୁ ହିଁ ଚାହିଁ ରହିଛି। ଆଉ ଆଖିରେ ସେମାନଙ୍କର ଭାରି ରହିଛି ଘୃଣା ଆଉ ଧିକ୍କାର। ରାଜୀବ ଜାଣି ବି ପାରିନି କେତେବେଳେ ସିଗାରେଟଟି ଆପେ ଆପେ ତା’ ହାତରୁ ଖସି ପଡିଥାଏ। ପିଲାଟି ଉପରେ ନଜର ପକେଇବାରୁ ଦେଖିଲା ପିଲାଟି ମଧ୍ୟ ନିଜର ମିଛି ମିଛିକା କାଗଜ ସିଗାରେଟଟିକୁ ପକାଇ ଦେଇଛି।
ତଳେ ପଡିଥିବା ଅଧା ସରି ଯାଇଥିବା ସିଗାରେଟଟି ଉପରେ ଥରେ ନଜର ପକାଇଲା ରାଜୀବ। ପୁରା ଲିଭି ନଥିବା ସିଗାରେଟଟି ଏବେ ମଧ୍ୟ ପୁଣି ଥରେ ଜଳି ଉଠିବା ପାଇଁ ଅହରହ ଚେଷ୍ଟା କରୁଥାଏ। ଚେଷ୍ଟା କରୁଥାଏ ପୁଣି ଥରେ ଜୀବନ୍ତ ହୋଇ ଆଉ କେଉଁ ବିଷାଦଗ୍ରସ୍ତ ପୁରୁଷର ଓଠକୁ ଚୁମି ତାର ସବୁ ଚିନ୍ତାକୁ ହରି ନେବା ପାଇଁ। ଥରେ ଇଛା ମଧ୍ୟ ହେଲା ତାର ସିଗାରେଟଟିକୁ ଉଠେଇ ଆଣି ପୁଣି ଥରେ ଓଠରେ ଲଗେଇଦେବା ପାଇଁ। ମାତ୍ର ଠିକ୍ ହାତ ବଢ଼େଇଲା ବେଳକୁ ଆଖି ଆଖରେ ତାର ନାଚି ଉଠିଲା ସେ ଛୋଟ ପିଲାଟିର ଚେହେରାଟି। କିନ୍ତୁ ଏଥର ସେ କାଗଜ ତିଆରି ମିଛ ସିଗାରେଟ ବଦଳରେ ତା’ ହାତରେ ଥିଲା ସତ ସତିକା ସିଗାରେଟ୍ ଖଣ୍ଡିଏ। ଭୟରେ ଆଖି ବନ୍ଦ କରିଦେଲା ରାଜୀବ ଆଉ ପାଦରେ ଦଳି ଲିଭେଇ ଦେଲା ତଳେ ପଡିଥିବା ସିଗାରେଟଟିକୁ। ବସ ଆସି ସାରିଥାଏ। ରାଜୀବ ଦେଖିଲା ସ୍ତ୍ରୀ ଲୋକ ଜଣଙ୍କ ପିଲାଟିର ହାତ ଧରି ତାକୁ ବସରେ ଚଢାଇ ଦେଉଥାନ୍ତି। ପିଲାଟିର କୁନି ବ୍ୟାଗଟିରେ ଅଙ୍କା ହୋଇଥାଏ ସ୍ପାଇଡରମ୍ୟାନର ବଡ଼ ଛବିଟିଏ। ଏକ ଲୟରେ ସେ ଛବିଟି ଆଡ଼କୁ ଚାହିଁ ରହିଥାଏ ରାଜୀବ। ହଠାତ୍ ବସ କଣ୍ଡକ୍ଟରର ଡାକ ଶୁଣି ସେ ମଧ୍ୟ ତରତର ହୋଇ ଚଢ଼ିଗଲା ବସରେ ଆଉ ବସ ଗଡ଼ି ଚାଲିଲା ରାଜଧାନୀର ଛାତିକୁ ନିଜ ଚକା ତଳେ ଦଳି ଚକଟି ନିଜ ଗନ୍ତବ୍ୟ ଆଡ଼କୁ।
ସ୍ନାତକୋତ୍ତର ଇଂରାଜୀ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ
Comments are closed.