Latest Odisha News

BREAKING NEWS

ଗଳ୍ପ: ଭୋକ-ମାରୀ

ଲୋପାମୁଦ୍ରା ପରିଡା 

ଏଇ ଆମ ଦୋ’ତାଲା ଉପରୁ ରାସ୍ତାକୁ ଦେଖୁଥିଲି । ଚବିଶ ଘଣ୍ଟା ପେଁ ପେଁ ପେଁ କରୁଥିବା ଏ ରାସ୍ତା ଏବେ ଗଦ ଶୁଙ୍ଘେଇଲା ପରି ଅଚେତା ପଡିଥାଏ । ସଟ୍ ଡାଉନ ପରା ।ମଣିଷ ଭୁଲିଗଲାଣି ସଂସାର ଚଳମାନ ବୋଲି ।

ହଠାତ୍ ଦିଶିଲା ସିଏ । ନୂଆ ଚିଜଟେ ଦେଖିଲା ପରି ଆଖି ଆପେ ଆପେ ତା ଚଲା ପଥରେ ନୀଳ ସ୍ଲିପର ଦିଟିକୁ ଅନୁସରଣ କଲେ ଆଉ ନିଜ ଅନୁଯାୟୀ ଗପ ଗଢିଲେ । ସେଫ୍ଟିପିନ୍ ଟେ ତା’ ସ୍ଲିପର ମଝି କୁ ଯୋଡି ରଖୁଥିଲା ଡାଲାଏ ଧୈର୍ଯ୍ଯରେ ସେଇଟା ଦିଶୁଥିଲା ଚକ୍ ଚକ୍ ।

ସିଏ କେତେ କଣ ଧରିଥିଲା ତା’ ଠେଙ୍ଗା ବାଡିଟିରେ ଲଟକେଇ । ପେଁକାଳୀ, ପ୍ଲାଷ୍ଟିକର କେତେ ପ୍ରକାରେ ଟିକି ଟିକି କଣ୍ଢେଇ ଯାହା ଭିତରେ ଫୁଙ୍କା ପବନ ଗୋଲ ଫେଣ କରା କାଠି, ଟିକି କ୍ଯାମେରା, କାଠି ବଇଁଶୀ,କାର୍ ଆଉ ଲୁଡୁ ପାଲି ଦିଶୁଥିଲେ । କାଗଜ ଚକ୍ରି ବି ଦିଶୁଥିଲା । ଖାଲି ଦିଶୁନଥିଲା ବିପରୀତ ଦିଗରେ ଘୁରୁ ବି ଥିଲା । ପୁରା ଉପରେ ମୁଣ୍ଡ ହଲଉଥିଲେ ମାଙ୍କଡ, କଲିଜା ଆଉକୁମ୍ଭୀର ଆକାରର ମେଞ୍ଚେ ବେଲୁନୁ ।ସିଏ ହାତରେ ବି ଧରିଥିଲା ପେଁକାଳୀଟେ ।ଏକ ଲୟରେ ଆଗକୁ ଆଗକୁ ପାଦ ବଢଉ ବଢଉ କୋଉ ଗୋଟେ ଅନାମଧେୟ ଫିଲ୍ମି ଧୁନ୍ ବଜଉଥିଲା ସିଏ ଛାତି ତଳୁ ତଣ୍ଟି ଫଟେଇ। ଭାରି ସୁରିଲା କିନ୍ତୁ ।ଫମ୍ପା ଫୁସ୍ ଫୁସ୍ ର ତାଳଲୟ ଏକାକାର ।

ମୁଁ ତାକୁ ଦେଖୁ ଦେଖୁ ଭାବୁଥିଲି, ଯଥା କଥାକି ଆମେ ଡାଲି, ଆଳୁଭର୍ତ୍ତା ପଛେ ହଉ ଖାଇକି ଘର ଭିତରଟାରେ ଦେଢବର୍ଷରୁ ମୁହଁ ମାଡି ପଡିଛୁ । କାହା ଭୟରେ ଟି ଗୋଟେ ! ୟାର କଣ ଭୟ ନାହିଁ ? ଆଉ ଯୋଉଠି ପିମ୍ପୁଡିଟେ ବି ଗାତରୁ ବାହାରୁନି ୟାର ପେଁକାଳୀ, ଝୁମୁକା, ବେଲୁନ କିଏ ସେ କିଣିବ ବୋଲି ଭାବିକି ଇଏ ବାହାରିଛି ଭଲା ? ପିଲେ ତ ସାନିଟାଇଜରରେ ହାତ ଧୋଇ ଧୋଇ ଧୋବଲା ଥେୟା ,ୟା ଦାଣ୍ଡ କିଣା ଚିଜ କିଏ ଛୁଇଁବ ଯେ ? ମହରଗ ନ ହଉ ,ମାଗେଣା ବି ଦେଲେ କେହି ନବ କି ଆଗ, ଏବେକା ସମୟରେ ? କାଇଁ ବାହାରି ବିପଦକୁ ଡାକୁଛି କେଜାଣି ? ଏଇମାନଙ୍କ ଯୋଗୁଁ ରୋଗ ବ୍ଯାପୁଛି ।

ଆଗ ଛକରୁ ସିଏ ମୋଡି ମୋଡି ମୋ ଗଳିରେ ପଶିଲା । ଖାଁ ଖାଁ ଦାଣ୍ଡରେ ତାର ଏକୁଟିଆ ପାଦ ଶବ୍ଦ ବି ଭୂମିକମ୍ପ ଭଳିଆ ଥରଉଥିଲା ଯେମିତି ।

ମୋ ଗେଟ୍ ତଳ ଦେଇ ସିଏ ପାରି ହେଇଗଲା । ଅଦୃଶ୍ୟ ହବା ଯାଏ ତା’ ପେଁକାଳୀ ଶବ୍ଦ କରୁଣତର ହେଇ ହେଇ ଯାଉଥିଲେ ବେଳକୁ ବେଳ ।

ସ୍ବରଟା ପାଖେଇ ଆସିଲାରୁ ଭାରି ଚିହ୍ନା ଚିହ୍ନା ଲାଗୁଥିଲା, ବୁଝିହଉଥିଲା ସ୍ପଷ୍ଟ ।

କରୋନା ମହାମାରୀ ଭିତରେ ସିଏ ଡାକୁଥିଲା ଭୋକ ଭୋକ … ଭୋକମାରୀ।

Comments are closed.