ନିହାରିକା ମହାନ୍ତି
ବର୍ଷ ସରିବାକୁ ବସିଲାଣି। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ପାଛୋଟି ଆଣିବା ପାଇଁ ସବୁଠି ଖୁସିର ମାହୋଲ୍। ଭୋଜି ଭାତ, ନାଚ ଗୀତରେ କମ୍ପି ଉଠୁଛି ମାନବ ସଭ୳ତା। ମହାମାରୀ ପାଇଁ କଟକଣା ଥିଲେ ମଧ୍ୟ ଲୋକଙ୍କ ମନରେ ମଉଳି ଯାଇନି ଉତ୍ସାହ। ରାଜଧାନୀର ରାଜରାସ୍ତାରେ ଉପୁରିଆ କଟକଣାକୁ ଡରି ଲୁଚାଛପାରେ ଲୋକଙ୍କର ମଉଜ ମସ୍ତି ବେଶ ଝଲକୁଥାଏ।
ଶୀତୁଆ ଆକାଶର ଥଣ୍ଡା ଚାଦର ଘୋଡ଼େଇ ହୋଇ ମନ କଲା ଟିକେ ବାହାରେ ଖୋଲା ପବନକୁ ଦେହରେ ଜାବୁଡ଼ି ଧରନ୍ତି କି? ପୁରୁଣା ସୁଇଟରଟିକୁ ଦେହରେ ଗଳେଇଲି। ଦାଣ୍ଡ ଘର ଜୋତା ଷ୍ଟାଣ୍ଡରୁ ସ୍ଲିପରଟି କାଢିଲି। ହାତରେ ଟର୍ଚ୍ଚଟି ଧରି ପାଦେ ପାଦେ ଆଗକୁ ବଢିଲି। ରାତିର ସୁଲୁସୁଲିଆ ପବନ କେତେ ଅଭୁଲା ଦିନର ସ୍ମୃତିକୁ ସତେଜ କରିଦେଉଥାଏ। ରାସ୍ତା କଡ଼ରେ ଆଗାମୀ ନିର୍ବାଚନ ପ୍ରାର୍ଥୀଙ୍କର ‘ନବବର୍ଷର ଅଭିନନ୍ଦନ’ ବ୳୲ନର ଆଜିର ରାଜନୀତିରେ ତାରତମ୳କୁ ଚେତେଇ ଦେଉଥାଏ। ବୁଲା କୁକୁରମାନେ ରାସ୍ତା ମଝିରେ ନିଜ ଆଡ୍ଡା ଜମାଇ ଦିନ ଜାକର ତମାମ କଥାକୁ ବିଚାର କରୁଥା’ନ୍ତି। ରାତି ବଢୁଥାଏ। ତା ସହ ଶିଶିର ବିନ୍ଦୁ ମଧ୍ୟ ଶୀତଳ ହେଉଥାନ୍ତି। ଶୀତ କଥା ମନକୁ ଆସିଲେ ମନକୁ ଆସେ ଦାରିଙ୍ଗବାଡ଼ି କଥା। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। ମାଇନସ ଡିଗ୍ରୀରେ ହାଡ଼ଭଙ୍ଗା ଶୀତ ଓ ସେଠାକାର ପ୍ରାକୃତିକ ପରିବେଶ, ପର୍ଯ୳ଟକଙ୍କୁ ନିଜ ଆଡକୁ ବେଶ୍ ଆକୃଷ୍ଟ କରିଥାଏ।
ଚାରି ପାଞ୍ଚ ବର୍ଷ ତଳର କଥା। ମୁଁ ମୋ ପରିବାର ସହ ଦାରିଙ୍ଗବାଡ଼ି ଯାଇଥାଏ। ସାଙ୍ଗରେ ଥା’ନ୍ତି ମୋର ଜଣେ ଘନିଷ୍ଠ ବନ୍ଧୁ ଓ ସହକର୍ମୀ ମିଷ୍ଟର୍ ଦାସ। ଏକ ବସ ଯୋଗେ ଆମେ ଆମର ଯାତ୍ରା ଆରମ୍ଭ କଲୁ। ସକାଳ ସମୟରେ ସେଠି ପହଞ୍ଚିଗଲୁ। ସେଠାର ସରକାରୀ ଡାକବଙ୍ଗଳାରେ ପହଞ୍ଚି ଧୁଆଧୋଇ ହୋଇ ଟିକେ ବିଶ୍ରାମ ନେଲୁ। କିଛି ସମୟ ପରେ ଆମ ଗାଇଡ୍ ଆସି ପହଞ୍ଚିଲା। ସାଙ୍ଗରେ ଥିଲାଦଶ ବାର ବର୍ଷର ପୁଅଟେ। ମୋ ସ୍ତ୍ରୀ ଗାଇଡ଼କୁ ପ୍ରଶ୍ନ କଲେ, “ଇଏ କ’ଣ ତମ ପୁଅ?”
“ନା ମ୳୲ଡାମ, ଇଏ ମୋ ପୁଅ ନୁହେଁ। ୟା ବାପା ସହରରେ ରୁହେ। ମା’ ଟି ପାଗେଳି। ମଣିଷ ଚିହ୍ନି ପାରେନି। କ’ଣ ଖାଏ, କ’ଣ କରେ ତା’ର ହୋସ ରୁହେନି। ଆଉ ଏ ପିଲାଟା କରିବ କ’ଣ? ସାହି ପଡିଶା, ବନ୍ଧୁ ବାନ୍ଧବ ବି ସେମିତି କେହି ନାହାନ୍ତି ଯେ ଦୁଇ ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡେଇବ। ଦାଦା ବଡବାପାମାନେ ଥାଇ ମଧ୳ କେହି ସାହା ହୁଅନ୍ତିନି। ସେଥିପାଇଁ ମୁଁ ୟାକୁ ମୋ ସାଙ୍ଗରେ ରଖିଛି। ଦୁଇ ପଇସା ପାଇଗଲେ ଦି ଟା ଜୀବନ ବଞ୍ଚିଯିବ। ଆପଣ ଚାଲନ୍ତୁ, ନହେଲେ ଡେରି ହୋଇଯିବ। ”
ଆମେ ବାହାରି ପଡିଲୁ ଆମ ଗନ୍ତବ୳ସ୍ଥଳ ଆଡ଼େ । ଦାରିଙ୍ଗବାଡ଼ିର ଶୀତ, ସେଠାକାର ପ୍ରାକୃତିକ ପରିବେଶ ଓ ସୁନ୍ଦର ସବୁଜିମାରେ ଥାଏ ଶାନ୍ତି। ଯାହା ମନର ଦୁଃଶ୍ଚିନ୍ତା, ବ୳ଗ୍ରତା, ଦୁଃଖ, ପୀଡ଼ା ଆଦିକୁ ଶାନ୍ତ କରିଦେଉଥାଏ। ମୁଁ ସେଇ କୁନି ପୁଅର ମୁହଁକୁ ଚାହେଁ। ମନର ଶାନ୍ତ ପୋଖରୀରେ ତା’ର ଆଖି ଦୁଇଟି ପଥରଟିଏ ପକାଇ ତରଙ୍ଗ ସୃଷ୍ଟି କରୁଥାଏ। ମୁଁ ତା’ ପାଖକୁ ଯାଇ ନରମ ସ୍ବରରେ ପଚାରେ, “ତୋ ନାଁ କ’ଣ?”
-“ସୁବା”
-“ତୋ ବାବା କ’ଣ କରୁଛି ସହରରେ?”
-” ବାବା ସହରକୁ ବଡ଼ ଚାକିରୀ କରିବାକୁ ଯାଇଛନ୍ତି। ମୋ ମା’ ଦେହ ଭଲ ରୁହେନି। ଡାକ୍ତର କହିଛନ୍ତି ମା’ କୁ ଭଲ କରିବା ପାଇଁ ବହୁତ ଟଙ୍କା ଦରକାର। ବାବା ଯାଇଛନ୍ତି ଟଙ୍କା ରୋଜଗାର କରିବାକୁ। ଜାଣିଛ ବାବୁ!!! ବାବା ଗଲା ବେଳେ କହିକି ଯାଇଥିଲେ ଯେ, ସେ ସହର ଯାଉଛନ୍ତି। ନୂଆ ବର୍ଷ ବେଳକୁ ଫେରିବେ। ଫେରିଲା ବେଳେ ବହୁତ ଟଙ୍କା ନେଇକି ଆସିବେ। ମୁଁ ପାଠ ବି ପଢି ପାରିବି। ଆଉ ମୋ ମା’ ଦେହ ବି ଭଲ ହୋଇଯିବ। ହେଲେ…”
-“ଆରେ ହେଲେ ପୁଣି କ’ଣ?”
-“ବାବାଙ୍କ ଯିବାର ୫ ବରଷ ବିତିଗଲାଣି। ୟା ଭିତରେ କେତେ ଯେ ନୂଆ ବର୍ଷ ଆସିଲାଣି ହେଲେ ବାବାଙ୍କ ଦେଖା ମିଳିନି। ବୋଧ ହୁଏ ଟଙ୍କା ବହୁତ ହେଇ ଯାଇଛି ଆଉ ବାବାଙ୍କୁ ବୁହାଇ ଆଣିବାକୁ କଷ୍ଟ ହେଉଥିବ। କିନ୍ତୁ ମୋର ବିଶ୍ବାସ ଯେ ବାବା ଖୁବ୍ ଶୀଘ୍ର ଫେରି ଆସିବେ। ଆଉ ସବୁ କିଛି ଆଗ ପରି ଠିକ୍ ହୋଇଯିବ।”
କେଡ଼ିକି କୁନି ପିଲାଟା। ହେଲେ ବୟସ ଅନୁପାତରେ ପରିପକ୍ବତାର ଜ୍ଞାନରେ କେତେ ବଡ। ଆଖିରେ କେତେ ଯେ ଅସୁମାରୀ ସ୍ବପ୍ନକୁ ସାଇତି ଆଗକୁ ବଢି ଚାଲିଛି। ମା’ର ଅସୁସ୍ଥତାକୁ ନେଇ କେତେ ପରିଶ୍ରମୀ ସୁବା। ବାପର ବାଟକୁ ଚାତକ ପରି ଚାହିଁ ରହିଛି। ଭଗବାନ ତା’ ଗୁହାରୀ ଶୁଣି ଦିଅନ୍ତୁ।
ଦାରିଙ୍ଗବାଡ଼ିରେ ଆମର ଶେଷ ଦିନ ଥାଏ। ବୁଲାବୁଲି ସାରି ଆମେ ଜିନିଷ ସଜାଡ଼ୁଥାଉ। ଘରମୁହାଁ ହେବା ପାଇଁ ସମସ୍ତେ ସଜ ହେଉଥାନ୍ତି। ମୋ ସ୍ତ୍ରୀ ସୁବାକୁ ପାଖକୁ ଡାକିଲେ। ତା ହାତରେ ଟଙ୍କା ୨୦୦ ଦେଇ କହିଲେ, “ନେ ରଖିଥା। ଚକଲେଟ୍ ଖାଇଦେବୁ।”
-“ନାଇଁ ମା, ଚକଲେଟ ଖାଇଲେ କେଉଠି ଦାନ୍ତ ପୋକ ଖାଇବ। ମୁଁ ନେବିନି।”
-“ଆରେ ନହେଲେ ମା’ ପାଇଁ ଔଷଧ କିଣିଦେବୁ ରଖ।”
ତା’ ସ୍ବାଭିମାନୀ ମନ ପଇସା ରଖିବାରେ ଟିକେ ସଙ୍କୋଚ କରୁଥାଏ। ବହୁତ ବାଧ୍ୟ କଲା ପରେ ସେ ପଇସା ରଖିଲା। ସ୍ମିତ ହସ ହସି ଦେଇ ସେ ସେଠୁ ପଳେଇଲା। ମୁଁ ଆମ ଗାଇଡ଼କୁ ତା ଫୋନ୍ ନମ୍ବର ମାଗିଲି। ଆମେ ଏବେ ଘରକୁ ଆସିବା ପାଇଁ ବାହାରି ପଡିଲୁ। ବାଟ ସାରା କେତେ କ’ଣ କଥା ମନକୁ ଆସୁଥାଏ। ବାହାରୁ ଲୋକ ମନର ଶାନ୍ତି ପାଇଁ ଦାରିଙ୍ଗବାଡ଼ି ଆସିଥାନ୍ତି। ହେଲେ ସୁବା ପରି ପିଲା ସେଠାକାର ବାସିନ୍ଦା ହୋଇ ମଧ୍ୟ ଶାନ୍ତି ଟିକକ ପାଇଁ ବିକଳ।
ୟା ଭିତରେ ବହୁତ ବର୍ଷ ବିତି ଗଲାଣି। କେଜାଣି କ’ଣ ପାଇଁ ମୋର ସୁବା କଥା ଜାଣିବା ପାଇଁ ଖୁବ୍ ଇଛା ହେଲା। ବଡ ହେଇ ଯାଇଥିବ ସୁବା। ତା ବାବା ସହରରୁ ଆସିଲା କି ନାହିଁ, ତା” ମା’ ର ଦେହ ଠିକ ହେଲା କି ନାହିଁ ସେ ସବୁ ଜାଣିବା ପାଇଁ ମନ ଚଞ୍ଚଳ ହେଉଥାଏ। ତା’ ବାପା ସହରରୁ ଆସି ନଥିବ? ତା’ର ଆଉ କ’ଣ କିଛି…? ନା ନା ସେମିତି କିଛି ହେଇନଥିବ। ମୁଁ ଘରରୁ ଫେରିଲି।
ଖଟ ଉପରେ ପଡି ରହି ଶୋଇବାକୁ ବହୁତ ଚେଷ୍ଟା କଲି। ହେଲେ ନିଦ ହେଲାନି। ମନ ଅସ୍ଥିର ହେଉଥାଏ। ଟିକେ ଟିକେ ବ୳ବଧାନରେ ଖାଲି ଘଣ୍ଟାକୁ ଦେଖୁଥାଏ। ସମୟର କଣ୍ଟା ଧିରେ ଧିରେ ବଢି ଚାଲିଥାଏ। ରାତି ପାହିଲା। ସକାଳ ହେଲା। ନୂଆ ବର୍ଷ ବୋଲି ସବୁରି ଘରେ ହସ ଖୁସି। ମୁଁ ମୋ ନିତ୳କର୍ମ ସାରି ଖରାରେ ବସିଥାଏ। ଘଢିରେ ସେତେ ବେଳକୁ ୯ ଟା ବାଜିଲାଣି। ଡ୍ରଇଙ୍ଗରୁମ୍ ର ଡ୍ର ରୁ ଫୋନ୍ ବୁକ୍ ଟା କାଢିଲି। ଦାରିଙ୍ଗବାଡ଼ି ଟ୍ରିପ୍ ର ଗାଇଡ୍ ସଦାଶିବ ଟୁଡ଼ୁର ନମ୍ବର ଡାଏଲ କଲି। ଛାତିର ସ୍ପନ୍ଦନ ଧିରେ ଧିରେ ଖୁବ୍ ତିବ୍ର ହେଉଥାଏ। ଖୁବ୍ ସ୍ପଷ୍ଟ । ଏତେ ସ୍ପଷ୍ଟ ଯେ ତାହା ମୋ କାନକୁ ସଫା ଶୁଭୁଥାଏ।
-“ହେଲୋ ସଦାଶିବ ବାବୁ ନମସ୍କାର… ମୁଁ ସୁଧୀର ମହାନ୍ତି କହୁଥିଲି। ୫ ବର୍ଷ ପୂର୍ବେ…”
-” ଆରେ ସାର୍ ନମସ୍କାର!!! ଆପଣଙ୍କୁ କେମିତି ଭୁଲୁବି ଯେ? ଆପଣଙ୍କ ସହଯୋଗ ପାଇଁ ମୋ ଝିଅର ପଢାରେ ବହୁତ ସୁବିଧା ହୋଇଛି । ମୁଁ ପୁଣି ଆପଣଙ୍କୁ ଭୁଲିଯିବି?”
-“ନବ ବର୍ଷ ର ଅଭିନନ୍ଦନ”
-“ଆପଣଙ୍କୁ ମଧ୍ଯ ଶୁଭେଚ୍ଛା”
-“ମୁଁ ସୁବା ବିଷୟ ରେ ଜାଣିବାକୁ ଚାହୁଁଥିଲି। ଯିଏ ଆପଣଙ୍କ ପାଖରେ ରହି କାମ କରୁଥିଲା।”
-“ସାର୍ ତା’ ତଥା ପଚାରନ୍ତୁନି!!! ବିଧାତା ଏଡେ ନିଷ୍ଠୁର ହେବ ବୋଲି କେହି ଜାଣିନଥିଲେ। ମା’ ଦେହ ତ ଭଲ ରହୁ ନଥିଲା। ଦିନ କେଇଟା ପରେ ତା’ ଦିନ କାଳ ପୂରି ଗଲା। ଆଉ ବାପ କଥା ନ କହିବା ଭଲ। ମା’ ଚାଲିଯିବା ପରେ କଅଁଳିଆ ପିଲାଟା ଖୋଜି ଖୋଜି ସହର ଗଲା । ଭଗବାନଙ୍କ ଦୟାରୁ ବାପ-ପୁଅ ଭେଟ ତ ହୋଇଗଲେ । ହେଲେ ସେ ସମ୍ପର୍କ ର କିଛି ମୂଲ୳ ନ ଥିଲା। ବାପ ସେଠି ଅନ୳ ଏକ ସଂସାର ଗଢି ସାରିଛି। ଗାଁ ରେ ଛାଡି ଯାଇଥିବା ପରିବାରକୁ ସେ ଆପଣାଇବା ପାଇଁ ନାରାଜ। ଦୁଃଖ ବାଣ୍ଟିବା ପାଇଁ ଯାଇଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ଧରେଇଦେଲା ତା’ ବାପ।”
-“ଆଉ ସୁବା?”
-“କ’ଣ କହିବି ବାବୁ…ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଭାଇ ଭଗାରୀ ସାଜିଲା। ଜମି ବାଡ଼ି ବାବଦରେ ଦାଦା ବଡ଼ବାପା ମାନେ ମିଛ କେସ୍ ରେ ସୁବାକୁ ଜେଲ୍ ପଠେଇ ଦେଲେ । ସେ ନିରିହ ପିଲାଟା ବି ମୁଣ୍ଡ ପାତି ସବୁ ସହି ଗଲା। ପାଟିରୁ ଉଁ ଚୁଁ କିଛି ବାହାର କଲାନି।”
ଏତିକି ଶୁଣୁଶୁଣୁ ମୋ ପାଦ ତଳୁ ମାଟି ଖସି ଗଲା। ଚାହୁଁ ଚାହୁଁ କେତେ କ’ଣ ଘଟିଗଲା। କୁନି ଆଖିରେ ଥିବା ଅସୁମାରୀ ସ୍ବପ୍ନ ଆଖି ପିଛୁଳାକେ ଭାଙ୍ଗି ଚୁରମାର୍ ହୋଇଗଲା। ମା’ ଚାଲିଗଲା। ଜନ୍ମ କଲା ବାପା ପାଇଁ ମଧ୍ୟ ସେ ପର ପାଲଟିଗଲା। ତେବେ କିଏ ଏଠି ଦାୟୀ? ଦୋଷ କାହାର? ତା’ ବାପାର? ତାଙ୍କ ଆର୍ଥିକ ଅବସ୍ଥାର? ସମାଜର? ମିଛ କାନୁନ ର? ନା ତା’ ର? ବୋଧ ହୁଏ ତା’ ଜୀବନରେ ସେ କରିଥିବା ନୂଆ ବର୍ଷ ର ଅପେକ୍ଷା କେବେ ଆସିଲା ନାହିଁ। ଅବା ସେଇଟା ଏକ ମିଛ ଆଶା ଥିଲା। ବାସ୍ ଥିଲା ଏକ ମିଛ ନୂଆ ବର୍ଷ !
Comments are closed.