ନିହାରିକା ମହାନ୍ତି
ଗୋଧୂଳି ସମୟର କେଳାହଳ ପରିବେଶ। ସମୁଦ୍ର ସାମ୍ନାରେ ମୁଁ । ଦିନସାରା ସଂସାରକୁ ଆଲୋକିତ କରି ଥକି ପଡ଼ିଲେଣି ସୂର୍ଯ୍ୟ ଦେବ । ଜହ୍ନ ଉଇଁବ ଉଇଁବ ହେଉଛି । ତାର ସ୍ନିଗ୍ଧ ଆଲୁଅ ଧିରେ ଧିରେ ମୋ ଦେହକୁ ସ୍ପର୍ଶ କରୁଛି। ଆଉ ମନେ ପକେଇ ଦେଉଛି ଅତୀତର ଅଭୁଲା ସ୍ମୃତିକୁ। ସେଇ କଥା ସବୁ ପୁଣି ଥରେ ପ୍ରଶ୍ନ ହୋଇ ଉଭା ହୋଇଛନ୍ତି ମୋ ପାଖରେ ।
କିଏ ମୁଁ ? କ’ଣ ମୁଁ ? କ’ଣ ମୋର ଅସ୍ତିତ୍ବ ? କ’ଣ ମୋର ପରିଚୟ ? ଝିଅଟିଏ ହେଇ ଜନ୍ମ ହୋଇଛି ବୋଲି ବାପାଙ୍କ ମୁଣ୍ଡର ବୋଝ, ନା ବାହା ହେବା ପରେ ସ୍ବାମୀର ସେବିକା? ରାକ୍ଷୀ ବାନ୍ଧି ଭାଇକୁ ରକ୍ଷାର କର୍ତ୍ତବ୍ଯରେ ବାନ୍ଧିଥିବା ଭଉଣୀ, ନା ପ୍ରେମିକ ମନରେ ଥିବା କାମୁକ ଜିଜ୍ଞାସାର ନାୟିକା?
ଝିଅଟେ ବଡ଼ ହେଲେ ବାପ ମୁଣ୍ଡରେ ଚିନ୍ତା ବଢିଯାଏ। କେମିତି କରିବ ଝିଅର ବାହାଘର? କ’ଣ ଦେବ ତା’କୁ? ଘରୁ ବାହାରକୁ ଗଲେ ସମସ୍ତଙ୍କ ଅନୁମତି ଯେମିତି ଅପରିହାର୍ଯ୍ଯ! ଟିକେ ଡେରୀ ହେଇଗଲେ ଗାଳିର ବର୍ଷା। ଘରଲୋକଙ୍କ କଟୁ କଥା। କ’ଣ ସଂଜ୍ଞା ଦେବି ତା’କୁ? ମୋ ପାଇଁ ସେମାନଙ୍କ ଚିନ୍ତା ନା ମୋ ସ୍ବାଧୀନତାରେ ଶିକୁଳି?
ଛୋଟ ବେଳୁ ହିଁ ମା’ ମତେ ଶିଖେଇ ଦେଇଛି। ଝିଅ ଜନମ ପର ଘରକୁ! ଦୁନିଆର ନିୟମ ତ ସେଇୟା। ଜନ୍ମ ହେଲା ଘରେ ଝିଅର ସ୍ଥାନ ନାହିଁ । ବାହା ହେଇକି ପର ଘରକୁ ଯିବ! ଆଉ ବାହା ହେଲା ପରେ ଶାଶୁଘରେ ସ୍ଥାନ ନାହିଁ। ରହିବ ବି କେମିତି? ବୋହୂ ପରା ପର ଝିଅ, ପର ଘରୁ ଆସିଛି! ତେବେ ନାରୀର ସମ୍ମାନର ସଂଜ୍ଞା କ’ଣ? ସ୍ବାମୀର ଆଖିରେ ଇଜ୍ଜତ ସାରୁ ପତ୍ରରେ ଥିବା ପାଣି ଟିକକ ପରି! ନା କ’ଣ? ଇଜ୍ଜତ? ସମ୍ମାନ? ହା ହା ହା! ସେଇ ଇଜ୍ଜତର ଦାଗ ଆଜି ମୋ ପିଠିରେ ଝଲସି ଉଠୁଛି। ଆଉ ସ୍ବାମୀ ଭକ୍ତିର ପ୍ରସାଦ, ହାତରେ ଭଙ୍ଗା ଚୁଡ଼ି ପଶି ବାହାରୁଥିବା ରକ୍ତରେ ସଫାସଫା ଦେଖାଯାଉଛି।
ସେ ପରା ସ୍ବାମୀ! ସ୍ବାମୀ ଦେବତା! ପତି ପରମେଶ୍ବର! ବୋଧହୁଏ ମୋର ହିଁ ଦୋଷ ରହିଯାଇଥିବ। ନହେଲେ ମୋ ଈଶ୍ବର କ’ଣ ପାଇଁ ରୋଷ କରିଥାନ୍ତେ? ହଁ, ଭୁଲ ମୋର। କାରଣ ଘରର ମଙ୍ଗଳ ଚିନ୍ତା କରି ମୁଁ ତାଙ୍କୁ ମଦ ପିଇବାକୁ ବାରଣ କରିଥିଲି। ରାତିର ଶେଯରେ ମିଳନକୁ ଅସୁସ୍ଥତା କାରଣରୁ ମନା କରିଥିଲି। ହଁ, ଭୁଲ ମୋର ହିଁ ଥିଲା। ସେ ସ୍ବାମୀ। ଅଗ୍ନୀକୁ ସାକ୍ଷୀ ରଖି ସେ ମତେ ବାହା ହୋଇଛନ୍ତି। ତାଙ୍କର ମୋ ଉପରେ ପୁରା ଅଧିକାର ଅଛି। ସେ ଯେତେବେଳେ ଚାହିଁବେ ମୋ ଦେହକୁ ଉପଭୋଗ କରିପାରିବେ। ମୋ ବାରଣର ଅପରାଧକୁ ତିରସ୍କାର କରି ସିଗାରେଟ ଧୁଆଁରେ ମତେ ବୁଡ଼େଇ ପାରିବେ। ସମସ୍ତଙ୍କ ଆଗରେ ମତେ ଅପମାନ କରିପାରିବେ। କାରଣ ସେ ମୋ ସ୍ବାମୀ। ସ୍ବାମୀ ପରା ଦେବତା। ଆଉ ଦେବତାଙ୍କୁ ପ୍ରଶ୍ନ କରିବାର ଅଧିକାର ମୋ ପାଖରେ କାହିଁ? ଛୁଆଟି ବେଳରୁ ହିଁ ମତେ ଏସବୁ ତ ଶିଖାଯାଇଛି।
ମା’ କୁହେ ସହିବା ସ୍ତ୍ରୀ ହିଁ ସଂସ୍କାରୀ। ତା’ ପାଖରେ ଶିଷ୍ଟାଚାର ଅଛି। ଆଉ ଯିଏ ସ୍ବାମୀକୁ ପାଲଟା ଜବାବ ଦିଏ, ସେ ଉଦଣ୍ଡୀ। ତା’ ପାଇଁ ନର୍କରେ ବି ଯାଗା ନାହିଁ । ଖୋଦ୍ ଲକ୍ଷ୍ମୀ ପୁରାଣରେ ଏ କଥା ଲେଖା ଯାଇଛି। ଯେଉଠିଁ ମା’ ଲକ୍ଷ୍ମୀ ଏକଥାର ଦ୍ବାହି ଦେଇ ଜଗତ କଲ୍ଯାଣ କଥା କହୁଛନ୍ତି, ସେଇଠି ମୁଁ ତ ଛାର ମଣିଷଟିଏ।
ଆଜି ମୋ ଦେବତା ମତେ ଘରୁ ବାହାର କରିଦେଲେ। କହିଲେ କ’ଣ ନା ମୁଁ କୁଆଡ଼େ ତାଙ୍କ କୂଳକୁ ରକ୍ଷା କରିପାରିଲିନି। କୂଳବଧୁ ନୁହେଁ, ଗୋଟେ କଳଙ୍କିନି। ଯିଏ ବଂଶକୁ ଉଦ୍ଧାର କରିବା ପାଇଁ ଗୋଟେ ସନ୍ତାନଟେ ଦେଇ ପାରିଲା ନାହିଁ, ସେ କୂଳନାଶିନୀ ନୁହେଁ ତ ଆଉ କ’ଣ? ଘରୁ ବାହାର ନ କରି ତ ଆଉ କ’ଣ କରିଥାନ୍ତେ ଯେ?
ବାକି ରହିଲା ବାପଘର! ଯାହା ମୋର କେବେ ନଥିଲା। ବାହାଘର ବେଳେ ମା’ ମୋର କାନେ କାନେ କହିଥିଲା, ସ୍ବାମୀ ସୁଖେ ସୁଖୀ, ସ୍ବାମୀ ଦୁଃଖେ ଦୁଃଖୀ ହୋଇ ଚଳିବୁ। ଭୁଲିଯିବୁ ତୋର କେହି ବାପଘର ଅଛି ବୋଲି। ସେଇଟା ହିଁ ତୋ ଘର। ଭଲ ମନ୍ଦ ସବୁ ଆଦରି ସେଇଠି ରହିବୁ।
ସମୁଦ୍ରର ଢେଉ ଛୁଇଁ ଯାଉଥାଏ ମୋ ପାଦକୁ। ହାତରୁ ଝରି ପଡ଼ୁଥାଏ ଖସଖସିଆ ବାଲି। ଠିକ୍ ସମୟ ପରି। ଜହ୍ନ ଆଲୁଅର ଶାନ୍ତ ପରିବେଶରେ ବି ଥାଏ ଖୁବ୍ ଅଶାନ୍ତ ମୋ ମନ। ପୁଣି ପଚାରେ ମୁଁ ମୋ ମନକୁ। କିଏ ମୁଁ? କ’ଣ ମୋର ଅସ୍ଥିତ୍ବ? କ’ଣ ମୋର ପରିଚୟ?
ଗୋଟେ ନାରୀର ଅସମ୍ମାନ ପଛରେ ସେ ନିଜେ ହିଁ ଦାୟୀ ଥାଏ। ମୋ ମା’ ମତେ ବୈବାହିକ ଜୀବନରେ ସୁଖରେ ରହିବାର ଗୁରୁମନ୍ତ୍ର ତ ଦେଇଦେଲା, ହେଲେ ବୋଧ ହୁଏ ନିଜର ପରିଚୟ କ’ଣ କହିବାକୁ ଭୁଲି ଗଲା !
Comments are closed.