ପ୍ରସେନଜିତ ସେଠୀ
ଦଶହରା ସମୟ। ଆଜି ନବମୀ। ଚାରିଆଡ ଉତ୍ସବମୁଖର। ବିଭିନ୍ନ ପ୍ରକାର ଲାଇଟ୍ ରେ ସଜା ହେଇଛି ରାସ୍ତାଘାଟ। ମାଇକ୍ ରେ ଅନେକ ପ୍ରକାର ଗୀତ ବାଜି ଚାରିଆଡ କମ୍ପେଇ ଦେଉଛି। ଶକ୍ତପୀଠ ମାନଙ୍କରେ ପୂଜା ଚାଲିଛି। ବିଭିନ୍ନ ପୂଜା ପେଣ୍ଡାଲରେ ମାଆ ଦଶଭୁଜା ବିରାଜିତ। ସବୁଠାରେ ଜନ ଗହଳି ଜୋରଦାର, ମାଛି ଉଡ଼ିବା ପାଇଁ ଜାଗା ନାହିଁ। ଅତ୍ୟନ୍ତ ଭକ୍ତିର ସହିତ ଲୋକମାନେ ମାଆଙ୍କର ଦର୍ଶନ କରୁଛନ୍ତି।
ସହର ତଳି ବସ୍ତିରେ ଆଜି ଲୋକବାକ କେହି ଗୋଟେ ଦିଶୁ ନାହାନ୍ତି। ଦିଶନ୍ତେ ବା କେମିତି, ବସ୍ତିର ହାଲତ ଯାହା, ଲୋକ ରହିବା ପାଇଁ ବି ଜାଗା ନାହିଁ, ମାଆଙ୍କ ପୂଜା କରିବେ କେଉଁଠି। ତେଣୁ ସମସ୍ତେ ସହରୀ ପୂଜା ମଣ୍ଡପରେ ଯାଇ ଅଧିଆ ପଡିଛନ୍ତି। ଖାଲି ଯାହା କୁକୁର ବୋବେଇବା ଶବ୍ଦ ଶୁଭୁଚି, ଆଉ କିଛି ନାହିଁ। ସମ୍ପୂର୍ଣ୍ଣ ନୀରବ। ହେଲେ ନିରବତାକୁ ଭଙ୍ଗ କରୁଛି, ବସ୍ତି ଶେଷ ମାଧବୀଲତାର ଜ୍ଵର ଗ୍ରସ୍ତ ଶିଶୁର ଚିତ୍କାର।
ଏଇ ସକାଳେ ତ ସବୁ ଠିକ୍ ଥିଲା। ସେ ତା ପୁଅ ସହିତ ଯାଇଥିଲା ପୂଜା ମଣ୍ଡପ ବୁଲି। ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲା ତା ପୁଅ ଓ ସ୍ୱାମୀର ମଙ୍ଗଳ କାମନା କରି। ହେଲେ ହଠାତିଆ ସନ୍ଧ୍ୟା ବେଳକୁ ଜ୍ଵର ମାଡି ଆସିଲା ପୁଅକୁ। ସାହି ମାଇପେଙ୍କ ସହିତ ରାତିରେ ପୁଅକୁ ନେଇ ବୁଲିବାକୁ ଯିବ ବୋଲି ଭାବିଥିଲା ମାଧବୀ, ହେଲେ ଏବେ ସବୁ ଯୋଜନା ପଣ୍ଡୁର୍ ହେଇଗଲା। ସ୍ୱାମୀ ତାର ଯାଇଚି ଅନ୍ୟ ସହରକୁ କାମରେ, ସପ୍ତାହେ ହେଲାଣି ଯାଇଛି। ଆହୁରି ଦଶ ଦିନ ପରେ ଆସିବ। ଏକୁଟିଆ ସେ ଘରେ। ଆଉ କେହି ପୁରୁଷ ନାହାନ୍ତି। ପୁଅଟାକୁ ଧିରେ ଧିରେ ଜ୍ଵର ବଢ଼ିଲାଣି, ଖାଲି କମ୍ପୁଛି, ମରିଯିବି ମରିଯିବି ବୋଲି ଚିଲାଉଛି। ରାତି ବଢିବା ସହିତ କଷ୍ଟ ବି ବଢୁଛି। କଣ କରିବ ମାଧଵୀ, ଔଷଧ ଆଣି ନଦେଲେ, କାଳେ କଣ ହେଇଯିବ ଭାବି ତାର ମୁଣ୍ଡ ଆଉ କାମ କରୁନି।
Comments are closed.