ରବି ପଣ୍ଡା
ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ।
ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା ଅଭିନେତ୍ରୀଙ୍କୁ ମିଳୁଥିଲା ସାବାସୀ। ରାତାରାତି ସେମାନେ ଏତେ ପ୍ରସିଦ୍ଧି ପାଇ ଯାଇଥିଲେ ଯେ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କ ଯୋଗଦାନ ଥିଲା ଏକ ଦୁର୍ଲଭ ଅନୁଭୂତି ପ୍ରଶଂସକମାନଙ୍କ ପାଇଁ। ଆଉ ସେଇ ମଉକାରେ ଅଭିନେତା ଅଭିନେତ୍ରୀମାନେ ନିଜ ନିଜର ପ୍ରାପ୍ଯ ହାସଲ କରୁଥିଲେ ଗାଡି ଭଡା ସହ, କଳାକାର କଳାକୁ ନେଇ ବଞ୍ଚିବା ଦାୟରେ।
ଧାରାବାହିକଟିର ଜନୈକ ମୁଖ୍ଯ ନାରୀ ଚରିତ୍ର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀର ଅଭିନୟ ବାସ୍ତବରେ ଥିଲା ଖୁବ୍ ହ୍ରୁଦୟସ୍ପର୍ଶୀ। ତାର ଥିଲେ ବୋଧହୁଏ ସବୁଠାରୁ ଅଧିକ ପ୍ରସଂଶକ। ଧାରାବାହିକରେ ଅଭିନୟ ପୂର୍ବରୁ କେବେ ଥରେ ଦି’ଥର କଲେଜ ଡ୍ରାମାରେ କେଉଁ ଭୂମିକାରେ ଅଭିନୟ କରି ଭୁଲି ହୋଇ ଯାଇଥିବା ଅଭିନେତ୍ରୀଟି ଯେ ଆଜି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ, ଏଇ ଭାବନା ତାକୁ କିଞ୍ଚିତ ଅହଂକାରୀ କରିଦେଇଥିଲା। ଫଳତଃ ଏବେ ଏବେ ତାର ସୁଟିଂ ସେଟ୍ ରେ ପହଞ୍ଚିବା ହେଉଥିଲା ଡେରି ତ କେତେବେଳେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାକୁ ମଧ୍ଯ ସଂଶୋଧନ କରିଦେବାର ଦୁଃସାହସ କରିଦେଉଥିଲା। ଚରିତ୍ରଟିଏ ପାଇବାପାଇଁ ପ୍ରାଥମିକ ଅବସ୍ଥାର ଦୟନୀୟ ପ୍ରାର୍ଥନା ଏବେ ଏକ ଅହମିକାରେ ପହଞ୍ଚି ଯାଇ ସାରିଥିଲା। ସେ ଜାଣିଥିଲା, କାହାଣୀର ଗତି ଯାହା, ତାର ଅବସ୍ଥିତି, ଉପସ୍ଥିତି ସୁଦୀର୍ଘ ବିସ୍ତାରୀ, ପୁଣି କାହାଣୀକୁ ନୂତନ ମୋଡ ଦେବାରେ ମଧ୍ଯ ତାର ଅଛି ପ୍ରମୂଖ ଭୂମିକା।
ଏଇଟାକୁ ଏକ ସୁଯୋଗ ବୋଲି ଧରିନେଇ ପ୍ରଯୋଜକକୁ ତାର ପ୍ରାପ୍ଯ ଦ୍ୱିଗୁଣିତ କରିବାକୁ ପ୍ରସ୍ତାବ ଦେଲା, ନଚେତ୍ କ୍ୱିଟ୍ କରିବାର ଧମକ ବି ଦେଲା। ସେ ଜାଣେ ତା’ର ଅନୁପସ୍ଥିତିରେ ଧାରାବାହିକ ଧରାଶାୟୀ ହେଇଯିବ।
କୌଣସି ଆଞ୍ଚଳିକ ଭାଷାର, ବିଶେଷକରି ଓଡ଼ିଆ ଧାରାବାହିକ ନିର୍ମାଣ କରିବା ଯେ କେତେ ଆୟସସାଧ୍ୟ ବ୍ୟାପାର ବିଚରା ପ୍ରଯୋଜକ ଜାଣେ। ସେ ନା ପାଏ ବେଶୀ କିଛି ରୟାଲିଟି ନା ମଲ୍ଟି ନେସନାଲ କମ୍ପାନୀର ବିଜ୍ଞାପନ ! ଯାଦୁ ମଲମ, ସ୍ୱାସ୍ଥ୍ୟ ବର୍ଦ୍ଧକ କ୍ୟାପସୁଲ, ବା ସେପରି କିଛି ଶସ୍ତା ବିଜ୍ଞାପନ ନେଇ ସଂସ୍ଥା ଚଳେଇବା କଥା। ଖାଲି ଧାରାବାହିକଟି ହିଟ୍ ହେଉଛି ବୋଲି ଚାଲିଛି ତ ଚାଲିଛି । ଅଥଚ ୟେ ଅଭିନେତ୍ରୀ ର ଡିମାଂଡ ଏକାଥରେ ଡବଲ!!
ପ୍ରଯୋଜକ, ନିର୍ଦ୍ଦେଶକ, ଗଭୀର ଚିନ୍ତାରେ ପଡିଲେ।
ତା’ପରଦିନ ଅଭିନେତ୍ରୀ ଜଣକ ସେଟରେ ପହଞ୍ଚିଲା ବେଳକୁ ତିଆରି ଚାଲିଛି ଗୋଟେ କୋକେଇ। ଆବଶ୍ୟକୀୟ ସେଟିଂ ବି ରେଡି। ହୁଏତ ଏହା ନିର୍ଦ୍ଦେଶକଙ୍କ ଏକ ନ୍ୟୁ ଗିମିକ୍ ଦର୍ଶକ ମାନଙ୍କ ପାଇଁ, ଏହା ସେ ଭାବିଲା ଓ ମେକପ୍ ରୁମରେ ପଶିଲା। ଆଜି ଏପିସୋଡରେ ଅଛି ତାର ତାର ଏକ ପ୍ରମୁଖ ଅଭିନୟ। ଅଥଚ .. ୟେ ମ୍ୟାନ୍ ତାକୁ ଏ କି ମେକପ୍ ଦେଉଛି !
ସେ ଅଧା ମେକପ ନେଇ ନିର୍ଦ୍ଦେଶକ ପାଖରେ ପହଞ୍ଚିଲା ବେଳକୁ, ସେଠାରେ ଅଛନ୍ତି ନିର୍ଦ୍ଦେଶକ ଓ ଲେଖକ।
ତାକୁ ଦେଖୁ ଦେଖୁ ନିର୍ଦ୍ଦେଶକ କହିଲେ, ସର୍ଟ ନେବା ? ରେଡି?
: ମାନେ!! ଆଜିତ ..
ତା’ର କଥା ନସରୁଣୁ ନିର୍ଦ୍ଦେଶକ କହିଲେ, ବିଷୟବସ୍ତୁକୁ ଏକ ନାଟକୀୟ ମୋଡ ଦେଇ ଦର୍ଶକମାନଙ୍କ ଉତ୍କଣ୍ଠାକୁ ଆହୁରି ବଢେଇବା ଉଦ୍ଦେଶ୍ଯରେ ଏକ ଚମତ୍କାର ଆଇଡିଆ ଆଣିଛନ୍ତି ସ୍କ୍ରିପ୍ଟ ଲେଖକ। ଯେଉଁଥିରେ ଆଜି ତୁମ ଚରିତ୍ରଟି ମରିବ। ଦେଖୁନ, ସବୁ ସେଟ୍ ରେଡି, ଖାଲି ତମର ଶୋଇବା କଥା ..
ଅଭିନେତ୍ରୀ ଜଣକ ହତବାକ୍ ହେଇ ପ୍ରଯୋଜକ ମୁହଁକୁ ଚାହିଁଲା ବେଳକୁ ସେ ମୁର୍କି ହସୁଥିଲେ ତ ଲେଖକ କଲମଟାକୁ ପାଟିରେ ପୂରେଇ କଣ ଭାବୁଥିଲେ, ଯେମିତି ଚରିତ୍ରକୁ ମାରିବା ରଖିବା ତାଙ୍କ ବାଁ ହାତର ଖେଳ ।
Comments are closed.