ଗଳ୍ପ : ଦେହପୋଡିର ଦୃଶ୍ୟ
ସଚ୍ଚିଦାନନ୍ଦ କର
ମୁଁ ତୁହାକୁତୁହା ଅଣନିଃଶ୍ବାସୀ ହେଉଥିଲି।ମୋ ଆଶଙ୍କା ଝାଳନାଳରେ ଲହୁଲୁହାଣ ହେଉଥିଲା।ଅସ୍ଥିରତା ଏମିତି ଶୀର୍ଷକୁ ଚାଲି ଯାଉଥିଲା ଯେ ମୁଁ ତା’ ଦେହରେ ନିଆଁ ଲଗେଇ ତାକୁ ପୋଡି ମାରିଦେବାକୁ ଇଚ୍ଛା କରୁଥିଲି।
ମୋର ଯେତେ ସବୁ ଅଶ୍ବସ୍ତି,ଲୁହ ଓ ଯନ୍ତ୍ରଣାର ସେ ହିଁ ଥିଲା କାରଣ।
ରକ୍ତ, ମାଂସର ଶରୀର ଧରିଥିବା ମଣିଷଟେ ମୁଁ।କେତେ ମୁଣ୍ଡପାତି ସହିବି ! ତେଣୁ ଏମିତି ମୋର ଇଚ୍ଛା।ହୋଇପାରେ ନିଷ୍ଠୁରତା।
ଅନ୍ୟର ସ୍ବପ୍ନ ଭାଙ୍ଗି ହସ,ଖୁସି, ସୁଖ,ଶାନ୍ତି ଓ ସନ୍ତୋଷ ଲୁଟିବାର ଫଳ ତାକୁ ମିଳିବା ଦରକାର।ତେଣୁ ତାକୁ ଜାଳି ପୋଡି ମୁଠାଏ ପାଉଁଶରେ ପରିଣତ କରି ଦେବାକୁ ମୁଁ ଭାବୁଥିଲି।
ମୋର ଗୋଟେ ହସଖୁସିର ସଂସାର ଥିଲା।ସରଳ ହୃଦୟ ଓ ନିଷ୍କପଟ ମନ ନେଇ ବଞ୍ଚୁଥିଲି ମୁଁ।ହେଲେ ତା’ର କ’ଣ ହେଉଥିଲା କେଜାଣି ସେ ମୋତେ ଉଜାଡି ଦେବା ଉଦ୍ୟମରେ ସବୁବେଳେ ରହୁଥିଲା।ଉଜାଡି ଦେଉଥିଲା ବି।
ଧନ,ମାନ,କ୍ଷମତା କି ଯଶ କିଛି ମୁଁ ଚାହୁଁ ନ ଥିଲି ତା’ ଠାରୁ।ଲୋଡୁଥିଲି କେବଳ ମୁଠାଏ ବିଶ୍ବାସ ଓ ବନ୍ଧୁତ୍ବ।ହେଲେ ସେତକ ବି ଦେଉ ନ ଥିଲା ସେ।ମୋତେ ସବୁବେଳେ ନିରାଶ କରି ଦେଉଥିଲା।
ନିଜକୁ ବୁଝାଉଥିଲି ମୁଁ।ଆଶା, ଆଶ୍ବାସନା ଦେଉଥିଲି।ସମ୍ଭାବନାକୁ ମନରେ ସାଇତି ରଖୁଥିଲି।ହେଲେ ଆଶା, ଆଶ୍ବାସନା ଓ ସମ୍ଭାବନାକୁ ପାଥେୟ କରି ମଣିଷ ଦୀର୍ଘ ପଥରେ ଅଗ୍ରସର ହୋଇପାରେ କ’ଣ !
ମୁଁ ବାରମ୍ବାର ଝୁଣ୍ଟୁଥିଲି।ବାରମ୍ବାର ଶିଖୁଥିଲି।ନିରାଶାର ନିଃଶ୍ବାସରେ ଅହରହ ଜଳୁଥିଲି।
ଦିନେ ଆଉ ନିଜକୁ ଆଶା, ଆଶ୍ବାସନା ଦେଇପାରିଲି ନାହିଁ।ସମ୍ଭାବନାର ବୀଜଟି ମୋ ମନରୁ ମରିଗଲା।ନିରୁପାୟ ମୁଁ ତାକୁ ପୋଡି ଜାଳି ପାଉଁଶ କରିଦେବାକୁ ବାହାରିଲି।
ସେଦିନ ଅମାବାସ୍ୟା ହୋଇଥାଏ।ଚାରିଆଡେ ବହଳ ଅନ୍ଧାର।ମୁଁ ମୋର ଲକ୍ଷ୍ୟ ସାଧନ ପାଇଁ ବାହାରି ପଡିଲି।ମୋ ହାତରେ ଥିଲା କିଛି ପେଟ୍ରୋଲ ଓ ଗୋଟେ ଡିଆସିଲି।ଆଜି ସବୁକିଛିର ପରିସମାପ୍ତି କରିଦେବି – ଏଇ ଗୋଟିଏ ଜିଦ୍ ମୋ ଭିତରେ ଥିଲା।
ଅନ୍ଧାରର ସୁଯୋଗ ନେଇ ମୁଁ ଯାଇ ସେ ରହୁଥିବା କୋଠରୀ ପାଖରେ ପହଞ୍ଚିଲି।କବାଟ ଫାଙ୍କ ଦେଇ କ୍ଷୀଣ ଆଲୋକରେ ଭିତରକୁ ଚାହିଁଲି।ହଠାତ୍ ମୋ କାନରେ ପଡିଲା ତା’ର ଆକୁଳ କ୍ରନ୍ଦନ, ହା ହତାଶାର ସ୍ବର ଓ ବଞ୍ଚିବାକୁ ଚରମ ବ୍ୟାକୁଳତା।
ଏଁ ! ଏ କ’ଣ ଶୁଣୁଛି ମୁଁ ! ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା।
ଏବେ ମୁଁ ଧୀରେ ନିରେଖି ଚାହିଁଲି ତା’ ଆଡେ।ଦେଖିଲି – ତା’ ଭିତରେ କାହିଁ କେତେଦିନରୁ ଜମାଟ ବାନ୍ଧିଥିବା ଈର୍ଷା – ଅହଂକାର ନିଆଁରେ ତା’ର ଦେହ,ମନ ଓ ଜୀବନ ହୁତୁହୁତୁ ହୋଇ ଜଳୁଥିବାର କରୁଣ ଦୃଶ୍ୟ।
ଓଃ ! କି ତୀବ୍ରତା ସେ ନିଆଁର ! ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇଗଲି।ଖୁବ୍ ଡରିଗଲି ମଧ୍ୟ।
ଯିଏ ଅହରହ ଜଳୁଛି, ପୋଡି ପାଉଁଶ ହୋଇ ଯାଇଥିବା ତା’ ମୁହଁରେ ମୁଁ ଆଉ କି ନିଆଁ ଜାଳିବି ଯେ ! ମନକୁମନ କହିଲି ମୁଁ।
ପାଦେ ପଛକୁ ଫେରିଲି।ଈଶ୍ୱରଙ୍କୁ ଡାକି କହିଲି – ” ହେ ଈଶ୍ୱର ! ଏ ଡହଡହ ଆଉଟା ପିଣ୍ଡକୁ ଟିକେ ଶୀତଳ ସ୍ପର୍ଶ ଦେଇ ମୁକ୍ତିର ବାଟ ଦେଖାଅ।ଶିଖାଅ ବନ୍ଧୁତ୍ୱର ଲାଭ ଓ ଜୀବନକୁ, ସଂସାରକୁ ଫୁଲବନ କରିବାର ମନ୍ତ୍ର।ଏ ମାଟି ତ ଏତିକି ହିଁ ଚାହେଁ। ”
ଏବେ ମୋର ପାଦ କେବଳ ପଛକୁ ପଛକୁ ହିଁ ପଡୁଥିଲା।ମୋ ହାତରେ ଥିବା ପେଟ୍ରୋଲ ଓ ଡିଆସିଲିକି ମୁଁ ହଜେଇ ଦେଲି ଅନ୍ଧାରରେ। ଗୋଟିଏ ଦୀର୍ଘଶ୍ବାସ ନିଜ ଭିତରୁ ଉତାରି ଦେଇ, ହାତରେ ଆଶାର ମସାଲ୍ ଧରି ଘରକୁ ଫେରି ଆସିଲି।
ବାଟସାରା ଯାହା ମୋ ଆଖି ଆଗରେ ବାରମ୍ବାର ଭାସି ଉଠୁଥିଲା ତାହା ହେଉଛି ତା’ର ଦେହପୋଡିର ଦୃଶ୍ୟ।ହଁ,ଦେହପୋଡିର ଦୃଶ୍ୟ।
” ନିର୍ମାଲ୍ୟ “
ନୂଆପଡ଼ା, ନୟାବଜାର, କଟକ – ୦୪
ମୋ. – ୯୮୬୧୨୧୧୦୫୧
Comments are closed.