Latest Odisha News

BREAKING NEWS

ଗଳ୍ପ : ଗାନ୍ଧୀବାଦୀ

ସୁନୀତା ପ୍ରଧାନ 

ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ପରମ ଗାନ୍ଧୀ ଭକ୍ତ ହେଉଛନ୍ତି ବିପ୍ଳବ ବାବୁ। ସତ୍ୟ, ଅଂହିସା ର ପୃଷ୍ଠ ପୋଷକ ତଥା ଦୁର୍ନୀତି ଲାଞ୍ଚ ମିଛ ଖଚକୁ ଖୁବ୍ ଘୃଣା କରୁଥିବା ଏ ଯୁଗର ଏକ ବିରଳ ବ୍ୟକ୍ତିତ୍ଵ । ପେଶାରେ ଜଣେ ପ୍ରାଥମିକ ଶିକ୍ଷକ ବିପ୍ଳବ ବାବୁ ନିଜ ପିଲାଙ୍କୁ ଅନ୍ୟ ବାପା ମାନଙ୍କ ପରି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ଦେଇ ପାରି ନାହାଁନ୍ତି। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦେଖିଲେ ନିଜର ପକେଟ୍ରୁ କାଟି ଅନ୍ୟକୁ ସଦା ସର୍ବଦା ସାହାଯ୍ୟ କରିବାକୁ ଆଗଭର ହୋଇ ପଡନ୍ତି। ତେଣୁ ଅଭାବ ତାଙ୍କୁ ସବୁବେଳେ ଘେରି ରହିଥାଏ। ଏତେ ଅଭାବ ଅନଟନ ଭିତରେ ବୁଡି ରହି ମଧ୍ୟ କେବେ ବି ନିଜ ଆଦର୍ଶ ଓ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନାହାଁନ୍ତି।

ସେ ନିଜ ଶିକ୍ଷକତା ଜୀବନରେ ସମସ୍ତଙ୍କୁ ଏହି ଗୋଟିଏ ଉପଦେଶ ଦିଅନ୍ତି, “ବିଦ୍ୟାଳୟଟିଏ ମଣିଷ ତିଆରି କାରଖାନା ହେଉ।ସେହି ମଣିଷ ମାନଙ୍କ ଭିତରେ ସତ୍ୟ , ଅହିଂସା , ମାନବିକତା, ଉତ୍ତମ ଚରିତ୍ର , ଜିବେଦୟା,ପରୋପକାର,ସେବା, ଆତ୍ମନିର୍ଭରଶୀଳ ଗୁଣ ସବୁ ଖୁନ୍ଦୀ ହୋଇ ରହୁ। ଅନ୍ୟାୟ ଅନୀତି, ଈର୍ଷା ହିଂସା , ଅହଙ୍କାରର ତିଳେ ମାତ୍ର ଲେଶ ନଥାଉ” ତେଣୁ ସେ ସମସ୍ତ ଅଞ୍ଚଳର ଆଦର୍ଶ ଓ ପ୍ରିୟ ଶିକ୍ଷକ ଭାବେ ଖୁବ୍ ନାଆଁ କମେଇଛନ୍ତି।

ସବୁବେଳେ ହସ ହସ ମିଷ୍ଟ ଭାଷୀ ବିପ୍ଳବ ବାବୁଙ୍କ ଉପରେ ସବୁବେଳେ ଈର୍ଷା କରନ୍ତି ପଡୋଶୀ ରାକେଶ ବାବୁ।ସେ ମଧ୍ୟ ଜଣେ ଶିକ୍ଷକ। କିନ୍ତୁ ,ଗାଡ଼ି ଘୋଡ଼ା ବ୍ୟାଙ୍କ୍ ବାଲାନ୍ସ କୋଉଥିରେ ଅଭାବ ନାହିଁ।ଅଚଳା‌ ଚଳ ସମ୍ପତ୍ତି ତାଙ୍କର।କେମିତି କୁଆଡୁ ଏତେ ସମ୍ପତ୍ତିର ଉତ୍ତରାଧିକାରୀ ସେକଥା ସମସ୍ତେ ଜାଣନ୍ତି,କିନ୍ତୁ କିଛି ବଡବଡିଆ ଲୋକଙ୍କୁ ହାତ ମୁଠାରେ ରଖିଥିବାରୁ ତାଙ୍କ ବିରୋଧ ରେକେହି ମୁହଁ ଖୋଲି ପାରନ୍ତି ନାହିଁ।

ବିପ୍ଳବ ବାବୁଙ୍କଠାରୁ ଷ୍ଟାଟସରେ ଢେର୍ ଉଚ୍ଚାରେ ଥିବା ସତ୍ତ୍ୱେ ତଥାପି କେଜାଣି କାହିଁକି ଇର୍ଷାଳୁ ହୋଇ ପଡନ୍ତି ରାକେଶ ବାବୁ।ଆଉ ବେଳେ ବେଳେ ବ୍ୟଙ୍ଗ କରି ବିପ୍ଳବ ବାବୁଙ୍କୁ କୁହନ୍ତି, “ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେଲେ ଏଇ ନୀତି ଆଦର୍ଶକୁ ତ୍ୟାଗ କରିବାକୁ ପଡେ ନହେଲେ ତୁମ ଭଳି ଦାରିଦ୍ର୍ୟ ଭିତରେ ସାରା ଜୀବନ କଟି ଯିବ”। ବିପ୍ଳବ ବାବୁ କିନ୍ତୁ ସବୁବେଳେ ନିରୁତ୍ତର ରୁହନ୍ତି।

ବିପ୍ଳବ ବାବୁଙ୍କ ସ୍ତ୍ରୀ ଓ ପୁଅମାନେ ରାକେଶ ବାବୁଙ୍କ ଏହି ଆଭିଯାତ୍ୟ ସମ୍ପନ୍ନ ଚାଲି ଚଳନ ଦେଖି ରାକେଶ ବାବୁଙ୍କୁ ତାଙ୍କ ସହ ତୁଳନା କରି ତାଙ୍କୁ ସବୁବେଳେ ଗୋଟିଏ ପ୍ରଶ୍ନ କରନ୍ତି ଆଜି ଯାଏ ଏହି ନୀତି ଆଦର୍ଶକୁ ଧରି ସେ କ’ ଣ ପାଇଛନ୍ତି ??

ଅପର ପକ୍ଷେ ସେ କିନ୍ତୁ ନିର୍ବିକାର ଭାବେ ଏକ ସ୍ମିତ ହାସ୍ୟ ଛଡା ଆଉ କିଛି ଉତ୍ତର ଦିଅନ୍ତି ନାହିଁ।

ରାତି ପାହିଲେ,ଅକ୍ଟୋବର ୨ ତାରିଖ। ପରମ ପୂଜ୍ୟ ଦେଶର ବାପୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ‘ଗାନ୍ଧୀ ଜୟନ୍ତୀ’। ସକାଳୁ ସକାଳୁ ବିପ୍ଳବ ବାବୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସ୍ଥାନଟିକୁ ସଫା ସୁତୁରା କରି , ଫୁଲ ଦୀପ ଧୂପ ନେଇ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଫେରିବା ବେଳେ ଘର ଆଗରେ ଦୁଇ ତିନୋଟି ଗାଡ଼ି ଠିଆ ହେବା ଦେଖି ଟିକିଏ ବ୍ୟସ୍ତ ଓ ବିସ୍ମିତ ହୋଇ ପଡ଼ିଲେ।

ଏହି ସମୟରେ ରାକେଶ ବାବୁ କିଛି ଅଧିକାରୀଙ୍କ ସହ ବସି ଗାଡ଼ିରେ ଯିବା ବେଳେ ବିପ୍ଳବ ବାବୁଙ୍କ ପୁଅ ଆସି କହିଲା,”ବାପା ରାକେଶ ମଉସା ଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଆଜି ପୋଲିସ ଗିରଫ କରି ଜେଲ ପଠେଇଛି”।

ଏଥର ବିପ୍ଳବ ବାବୁ ସ୍ତ୍ରୀ ଓ ପୁଅ ମାନଙ୍କୁ ଚାହିଁ କହିଲେ,ଆଜି ବୁଝି ପାରିଲ ନା ମୁଁ କାହିଁକି ସବୁବେଳେ ନୀତି ଆଦର୍ଶ କୁ ପ୍ରାଧାନ୍ୟ ଦିଏ। ଗାନ୍ଧିଜୀ ସବୁବେଳେ ଗୋଟିଏ କଥା କହୁଥିଲେ “ମଣିଷ ର ଚରିତ୍ର ହିଁ ତା ଜୀବନ”। ଉତ୍ତମ ଚାରିତ୍ରିକ ବିହୀନ ଜୀବନ ପଶୁ ତୁଲ୍ୟ। ତେଣୁ ଦୁନିଆ ଆଖିରେ ନିଜ ପାଇଁ ସ୍ଥାନ ଟିଏ ସୃଷ୍ଟି କରିବାକୁ ହେଲେ ଉତ୍ତମ ଚରିତ୍ରର ଅଧିକାରୀ ହେବାକୁ ପଡେ, ନହେଲେ ସାରା ଜୀବନ ରାକେଶଙ୍କ ପରି ବଦନାମ୍ ମୁଣ୍ଡେଇ ବଞ୍ଚିବାକୁ ହେବ।

ବିପ୍ଳବ ବାବୁଙ୍କ ପତ୍ନୀ ଓ ପୁଅମାନେ ଆଜି ହୃଦୟଙ୍ଗମ କରିପାରୁଥିଲେ ଗାନ୍ଧୀ ବାଦର ପ୍ରକୃତ ସଂଜ୍ଞା….

ଲକ୍ଷ୍ମୀପୁର
କୋରାପୁଟ

Leave A Reply

Your email address will not be published.