ଶ୍ୱେତପଦ୍ମା ପାଢ଼ୀ
ମଙ୍ଗୁ ଖୁବ୍ କାମିକା ରାଜ ମିସ୍ତ୍ରୀ । ଅନ୍ୟ ମିସ୍ତ୍ରୀ ଯୋଉ କାମକୁ ତିନି ଚାରି ଦିନରେ କରିବେ ମଙ୍ଗୁ ତାକୁ ଗୋଟେ ଦିନରେ ସାରିବ । ସକାଳ ଆଠ କି ନ ଟା ସୁଦ୍ଧା ମଙ୍ଗୁ ଆସି ହାଜର ହେଇଯାଏ । କହିଲେ କହିବ ବୁଝିଲ ମାଆ ଆଜିକାଲି ଲେବରଙ୍କ ଭରସାରେ ରହିଲେ ତମୁକୁ କାମ ମିଳିବନି ପରା । ଏ କାମ ଚୋରଙ୍କ କଥା କାହିଁ କହୁଛ ! ସକାଳୁ ସକାଳୁ ହାଣ୍ଡିଆ କି ନାଲି ପାଣି ପିଇ ଅଣ୍ଟା ହଲେଇ ହଲେଇ ସାଢେ ନଅଟାରେ ପହଞ୍ଚିବେ। ମଶଲା ଫେଣ୍ଟି କାମ କଲା ବେଳକୁ ଦିନ ୧୧ଟା ବାଜିବ। ଆଉ ଯେମିତି ପାଞ୍ଚଟା ଛ’ଟା ବାଜିବ ଧୁଆ ଧୋଇ ହେଇ ଯିବାକୁ ବ୍ୟସ୍ତ । ମୁଁ ପରା ସେଇଥିପାଇଁ ଜଲଦି ଆସୁଛି । ମୋତେ ଠକିବାକୁ କୋଉ ପୁଅ ର ସାହାସ୍ ନାହିଁ ମ !
ଖୁବ୍ କାମିକା ହେଲେ କଣ୍ ହେବ ଅଭଦ୍ରଟା ସବୁବେଳେ ବାକି ଲେବର ଗୁଡାଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବ । ଗୋଟେ ପରେ ଗୋଟେ ସିଗାରେଟ ଟାଣି ପରିବେଶ ଟାକୁ ଧୂଆଁମୟ କରି ରଖୁଥିବ । ଏଇ ଗୁଣରୁ କାହା ସାଙ୍ଗରେ ପଡେ ନି । ମାଇକିନା ଲେବର ଗୁଡାଙ୍କ ପାଖରେ ନସର ପସର ହେଉ ଥିବ । ପାଞ୍ଚବର୍ଷ ତଳର କଥା । ସେତେବେଳେ ଆମ ଘରର ଛାତ ପଡିଲା ବେଳକୁ ମେନ୍ ମିସ୍ତ୍ରୀ ଟା ଦେହ ଖରାପରେ ପଡିଲା । ମଙ୍ଗୁକୁ ଡାକି କାମ ଦେଇ ଥାଆନ୍ତି ସୁବ୍ରତ । ତା ହାଭଭାବ ପାଟିରେ ଚବିଶ ଘଣ୍ଟା ସିଗାରେଟ ଆଉ ଅସଭ୍ୟ ଗାଳି ଶୁଣି ଜ୍ୟୋତି ସେତେବେଳେ ରାଗି ଯାଇ ସୁବ୍ରତ କୁ କହିଥିଲେ ଆଉ କେହି ମିଳିଲେନି ତମକୁ ଏ ଅଭଦ୍ର ବାଜେ ଲୋକଟା ମିଳିଥିଲା । ସେଟାକୁ ଦେଖିଲା ବେଳକୁ ମୋତେ ବିରକ୍ତ ଲାଗୁଛି ।
ଦିନେ ରବିବାର ଛୁଟି ଦିନରେ ଘରେ କାମ ଚାଲିଥିଲା ବେଳେ ହଠାତ୍ ଜୋରରେ ପାଟିତୁଣ୍ଡ ଶୁଭିଲା ପଛପଟୁ । ଜିନିଷ ପତ୍ର ରଖିବା ପାଇଁ ଆଉ ଗୋଟେ ଲୋକ ଜଗେଇବା ପାଇଁ ଦି ବଖରା ଏମିତି ଉଠେଇ ଦିଆ ହେଇଥିଲା ଉପରେ ଆଜବେଷ୍ଟସ ଦେଇ । ସେଇ ବଖରା ପାଖକୁ ବରପାଲି ପାଇଖାନା ଆଉ ଗାଧୁଆଘର ଗୋଟେ ଛୋଟ ଉଠେଇଥିଲେ, ପରେ ଦରକାର ହେଲେ ଭାଙ୍ଗି ଦେବେ । ସେଇ ପଟୁ ପାଟିତୁଣ୍ଡ ଶୁଭିଲା ରୁ ଦୈାଡି ଯାଇ ଦେଖିଲା ବେଳକୁ ମଙ୍ଗୁ ଗୋଟେ ମାଇକିନା ଲେବର ଝିଅ ସାଙ୍ଗରେ ଜୋରଜବରଦସ୍ତ କରୁଛି । ଝିଅ ବଡ଼ ପାଟି କରି ଡାକିବା ରୁ ସବୁ ରୁଣ୍ଡ ହେଇଗଲେ । ସେ ଝିଅ ର ଅବସ୍ଥା ଦେଖି ଜ୍ୟୋତି ସାଙ୍ଗେ ସାଙ୍ଗେ ନିଜ ଦେହରେ ପଡିଥିବା ଓଢ଼ଣୀ ଟା ତା ଦେହରେ ଗୁଡେ଼ଇ ଦେଲେ ଆଉ ସୁବ୍ରତକୁ ଅନେଇ ରାଗି ଯାଇ କହିଲେ, କେତେ ଥର କହିଲିଣି ତମକୁ କାମ ଦେବା ପାଇଁ ଆଉ କେହି ମିଳିଲେନି ଏଇ ଅଭଦ୍ର ଅସଭ୍ୟ ବାଜେ ଲୋକଟା ମିଳି ଥିଲା । ୟା ପାଇଁ ଦିନେ ବନ୍ଧା ହେଇ ମଣିଷ ଜେଲ ଯିବ ଯାହା ଲାଗିଲାଣି !
ସୁବ୍ରତ ରାଗି ଯାଇ ତାକୁ ବହୁତ କିଛି କହିଲେ ଆଉ କାମରୁ କାଢି ଦେଲେ । ମଙ୍ଗୁ ବହୁତ କରି କହିଲା ଯେ ତାର ଦୋଷ କିଛି ନାହିଁ ,ସବୁ ଝିଅଟାର କାଣ୍ଡ । ହେଲେ ଆଖିରେ ଦେଖିଲା ପରେ କିଏ ବା ବିଶ୍ବାସ କରିବ ? ପୁଣି ଥରେ କହିଲା, କାମ ମଝିରେ ଆପଣ ଭଲ ମିସ୍ତ୍ରୀ କୋଉଠୁ ପାଇବ ? ସୁବ୍ରତ ବିରକ୍ତ ହେଇ କହିଲେ ତୁ ତୋ ନିଜକଥା ବୁଝ୍ ମ ! ମୋ କାମ କେମିତି ହେବ ସେକଥା ମୁଁ ବୁଝିବି । କଳା ହାଣ୍ଡିଆ ଭଷା ବାଦଲ ପରି ଦୁଃଖ ସତେକି ମଙ୍ଗୁ ମୁହଁରେ ଲଦି ହେଇଗଲା । ମୁଣ୍ଡ ତଳକୁ ପୋତି ପଳେଇଲା ।
ପାଖାପାଖି ଦେଢବର୍ଷ ପରେ ଦିନେ ହଠାତ୍ ଆସି ଗେଟ୍ ପାଖରେ ହାଜର । ସେତେବେଳକୁ ଘର ତିଆରି ସରିଥାଏ ଆଉ interior design ଚାଲିଥାଏ । ତାକୁ ଦେଖି ଭିତରକୁ ଡାକିବାକୁ ଇଛା ନ ଥିଲା ଜ୍ୟୋତି ର । ଯୋଉ ଭଳିଆ ପରିସ୍ଥିତି ରେ କାମ ରୁ କଢା ଯାଇଥିଲା, ଏମିତିରେ ବି ତା ଉପରେ ଅଶାନ୍ତି ପୁଣି ତାକୁ ଘରକୁ ଡାକି ଅଧିକା ଅଶାନ୍ତି କୁ ଡାକି ଆଣିବାକୁ ଚାହୁଁ ନ ଥିଲା ଜ୍ୟୋତି ।
କିରେ ମଙ୍ଗୁ, ଏତେଦିନ ପରେ ମନେ ପଡିଲା।
ମାଆ ଜୁହାର , ଆପଣଙ୍କ ପାଖରେ ଟିକେ କଥା ଥିଲା ମ!!
ମନେମନେ ଭାବିଲା ଜ୍ୟୋତି ପୋଡାମୁହାଁ ଦେଢବର୍ଷେ ତଳେ କୁକର୍ମ କରିକି ଯାଇଛୁ ଯେ ଯାଇଛୁ । ଦେଖା ଦର୍ଶନ ନାହିଁ । ଆଜି ହଠାତ୍ ଆସି କହୁଛି କିଛି କାମ ଅଛି ! ତାର କୌଣସି କଥା ଶୁଣିବାକୁ ଜ୍ୟୋତି ର ଇଛା ନଥିଲା । ହେଲେ ସେ କଣ ଯାଉଛି !!
ମାଆ ଗୋଟେ କଥା ଥିଲା….ପାନ ଖିଆ ଦାନ୍ତ ଦେଖେଇ କାନ ମୁଣ୍ଡ କୁଣ୍ଢେଇ ହେଲା । ତା କଥା ହାଵଭାବରେ ଜ୍ୟୋତି କୁ କାହିଁକି କିଛି ଗୋଟେ ନୁଙ୍ଗୁଡା ଗନ୍ଧ ବାରି ହେଉଥିଲା । ମଙ୍ଗୁ ଭିତରକୁ ଆସି ଗ୍ରୀଲ ବାରଣ୍ଡା ପାଖ ତଳେ ବସିଲା …..ଜ୍ୟୋତି କହିଲା, କଣ୍ କହୁଛୁ ଜଲଦି କହ । ମୋର ବହୁତ୍ କାମ ଅଛି । ଏତେ ଗୌରଚନ୍ଦ୍ରିକା ନ ଦେଖେଇ ସିଧା କହ । ନହେଲେ ସୁବ୍ରତ ପହଞ୍ଚି ଗଲେ ଗଳା ଧକ୍କା ଦେଇ ବିଦା କରିଦେବେ….
ମାଆ ! କଥା କଣ କି ମୁଁ ଯୋଉଠି କାମ କରୁଛି ସେଠି ଝିଅ ପିଲାଟେ କାମ କରେ । ସେ ଝିଅକୁ ମୁଁ ଭଲପାଉଚି। ବାହା ହେବି ବୋଲି ଭାବିଛି ।
ଜ୍ୟୋତି ବିରକ୍ତ ହେଇ କହିଲେ, ହତଭାଗା କାହିଁକି ସେ ଝିଅର ଜୀବନ ନଷ୍ଟ କରିବୁ । ତୋ ଅସଲ ରୂପ ବୋଧେ ସେ ଝିଅଟି ଜାଣିନି।
ମାଆ ନଷ୍ଟ କାହିଁକି କରିବି ତା ଜୀବନତ ଆଗରୁ ନଷ୍ଟ ହେଇ ସାରିଛି। ସିଏ ଗୋଟେ ଯାଗାରେ ବାହା ହେଇଥିଲା । ତାର ସ୍ବାମୀ ମରି ସାରିଛି । ଶାଶୁ ଘର ତଡ଼ି ଦେଲେ ଆଉ ଭାଇ ପାଖରେ ରଖିଲାନି ; ଏଇ ଭୂବନେଶ୍ବରରେ ରହି ଲେବର କାମ କରି ଚଳୁଛି । ସେ ଝିଅଟି ନାଁ ମଇନା, ବ୍ରାହ୍ମଣ ଘର ଥିଲା ବାଲା ଘରର ଝିଅ । କାଳେ କ’ଣ ଶାଶୁ ଘର କି ତା ବାପ ଘର ଗଣ୍ଡଗୋଳ କରିବେ, ଭାବୁଥିଲି କଚେରୀ ରେ ବିହା ହେଇ ଯାଇଥାନ୍ତି !…
ଆରେ ବାଃ ତୋର ତ ଭଲ ବୁଦ୍ଧି ମୁଁ ଦେଖୁଛି । ହଉ ଠିକ୍ ଅଛି । ବାହାହେଇ ପଡ ବୋଲି ଜ୍ୟୋତି କହିଲା । ସେଠୁ ମଙ୍ଗୁ କହିଲା, ଆପଣ ଟିକେ ସାହାଯ୍ୟ କଲେ ହେବନା !
ଜ୍ୟୋତି ପଚାରିଲେ, କି ସାହାଯ୍ୟ କରିବି ….ସେ ବି ମୁଁ !!
ମଙ୍ଗୁ କହିଲା, ବାବୁ ଓକିଲ ତାଙ୍କୁ ଆପଣ କହି କଚେରି ରେ ବିହା କରେଇ ଦେଲେ ପରେ କେହି ତା ଗାଁ ରୁ ଆସି ଝଗଡା କରିବେ ନି କି ମୋ ନାଁ ରେ କେସ୍ କରିଵେ ନି …..କେସ୍ ନାଁ ଫେସ୍ । କିଛି କରିବାର ନାହିଁ ବୋଲି ତ ତାକୁ ଘରୁ ତଡ଼ି ଦେଲେ । ନହେଲେ ବିଧବା ଭୁଆସୁଣୀ ଝିଅକୁ କିଏ ଘରୁ ତଡେ ! ମଲା କି ବଞ୍ଚିଲା ଦିନେ ଖବର ନେଲେ ନି…..ବରଂ ମୁଁ ତ କହିବି ତୁ ବଡ ପୂଣ୍ୟ ର କାମ କରୁଛୁ । ବିଚାରିଟା କୂଳରେ ଲାଗିଯିବ । ହେଲେ ବି ମାଆ, କାଳେ କ’ଣ ଅଡ଼ୁଆ ହେବ ତମେ କହିଲେ , ବାବୁ କରନ୍ତେ । ଆଉ କୋଉ ଓକିଲ ପାଖକୁ ଗଲେ ବହୁତ ପଇସା ନେବ । ତାକୁ ତରତର ରେ ବିଦା କରିବା ପାଇଁ ଜ୍ୟୋତି ହଉ ହଉ କହି ଦୁଇ ଦିନ ପରେ ଆସିବାକୁ କହି ବିଦାୟ କରି ଦେଲା ।
ତା ପରଦିନ ମନ୍ଦିରରେ ପାଖ ପଡିଶା ଘର ନାୟକ ମାଉସୀ ଦେଖା ହେଇଗଲେ । ମଙ୍ଗୁ ବାହାଘର କଥା ପଚାରି କହୁ ଥିଲେ । ତାଙ୍କ ଘରକୁ ରୋଷେଇ କରି ଆସୁଥିବା ମାଇକିନା କହୁଥିଲା, ମଙ୍ଗୁ ବିଷୟରେ ଯାହା ଶୁଣିବାକୁ ମିଳିଥିଲା ସବୁ ମିଛ । ପାଟିରେ ସିନା ଅସଭ୍ୟ ଗାଳି ବାହାରେ ,ହେଲେ ପିଲାଟା ଜମା ବାଜେ ନୁହଁ । ସେ ଝିଅଟାର ଖରାପ ପ୍ରକୃତି , ପ୍ରାୟ ବସ୍ତିର ସବୁ ପୁରୁଷଙ୍କୁ ଫସେଇବା ତା କାମ । ଏବେ ପୋଲିସ ହାତରେ କୋଉ ବିଉଟି ପାର୍ଲରୁ ଧରା ହେଇ ଜେଲ ଯାଇଛି । ମଙ୍ଗୁ ତା ପ୍ରକୃତି ଜାଣି ନ ଥିଲା, ସେଦିନ ପାଟି ଖୋଲିଲେ ଝିଅଟା ବଦନାମ ହେବ ବୋଲି ଚୂପ ରହିଲା ।
ମନ ଭିତରଟା କେମିତି ଗୋଳେଇ ଘାଣ୍ଟି ହେଇଗଲା ଜ୍ୟୋତି ର । ନିଜ ଉପରେ ରାଗ ଆସିଲା, ମନେ ପଡିଗଲା ସବୁବେଳେ ମଙ୍ଗୁକୁ ବାଜେ ଲୋକଟା କହି ଗାଳି ଦେବା କଥା ।
ବେଳେ ବେଳେ ଆମେ ମଣିଷ ର ବାହ୍ୟ ରୂପ ଆଉ ହାବଭାବ ଦେଖି ଆକଳନ କରି ଦେଉ ଯେ ବାଜେ ଲୋକଟା ନିହାତି । କଥାରେ ଅଛି ପରା ସବୁ ଚକ ଚକ କରୁଥିବା ଜିନିଷ ସୁନା ନୁହଁ । ଠିକ୍ ସେମିତି ପରିସ୍ଥିତି ଉପରେ ଆଲୋଚନା ନ କରି ଆଖିରେ ଯାହା ପଡିଲା ଦେଖି ନେଇ ମଙ୍ଗୁ କୁ ବାଜେ ଲୋକ ର ଆଖ୍ୟା ଦେଇ ଦେଲି । ଘରକୁ ଫେରିଲା ବେଳେ ଭାବୁ ଥିଲା, ଆଜି ସୁବ୍ରତ କୁ କହି ମଙ୍ଗୁ ର କୋର୍ଟ ମ୍ୟାରେଜ କରେଇ ଦେବି । ପ୍ରକୃତରେ ବାଜେ ଲୋକଟା ଗୋଟେ ଭଲ ମଣିଷ ନ ହେଇ ଥିଲେ , ବିଧବା ଝିଅଟା କୁ ନିଜର କରିବା ପାଇଁ ଏତେ ଦୂରଦୃଷ୍ଟି ଦେଖେଇ ନ ଥାଆନ୍ତା ……
Comments are closed.