Latest Odisha News

ଅନୁବାଦ ଗଳ୍ପ : ଉପହାର

ମସିହାରେ ଅବିଭକ୍ତ ପଞ୍ଜାବ ପ୍ରଦେଶରେ ଜନ୍ମଲାଭ କରିଥିଲେ । ଲାହୋର ଓ ବମ୍ବେ(ବର୍ତ୍ତମାନ ମୁମ୍ବାଇ)ରେ ସେ ରାଜନୈତିକ ସମ୍ବାଦଦାତା ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଗଳ୍ପ ରଚନାରେ ତାଙ୍କର ବିଶେଷ ପାରଦର୍ଶିତା ଥିଲା । ତାଙ୍କ ରଚିତ ‘ମୁକ ଦି ଗାଲ’ ପଞ୍ଜାବୀ ଭାଷାର ଏକ ଚର୍ଚ୍ଚିତ ଗଳ୍କ ସଂକଳନ । ସାହିତ୍ୟ ରଚନା ପାଇଁ ସେ ପଞ୍ଜାବର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୫ 

ମୂଳ ପଞ୍ଜାବୀ: ସତୀନ୍ଦ୍ର ସିଂହ 

ଲଣ୍ଡନ ‘ଟାଇମ୍ସ’ ପତ୍ରିକା ଉପରେ ଆଖି ବୁଲାଇ ଆଣୁ ଆଣୁ ତରଲୋକ୍‍ଙ୍କ ନଜର ପଡ଼ିଲା ‘ଲଣ୍ଡନରେ ଜେନେରାଲ ସର୍ଫରାଜ’ ଶୀର୍ଷକ ଖବରଟି ଉପରେ । ସେ ପୂରା ଖବରଟିକୁ ଏକା ନିଃଶ୍ୱାସକେ ପଢ଼ିଗଲେ । ‘ଜେନେରାଲ ସର୍ଫରାଜ ଓ ତାଙ୍କ ପରିବାରବର୍ଗ ଲଣ୍ଡନରେ ତିନି ସପ୍ତାହ ଲାଗି ଅବସ୍ଥାନ କରିବେ ।’

ଏଇ ସମ୍ବାଦଟିକୁ ବାରମ୍ବାର ପଢ଼ି ଚାଲିଲେ ସେ । ଢେର୍‍ ଦିନରୁ ଭୁଲି ଯାଇଥିôବା ଗୁପ୍ତଧନର ସନ୍ଧାନ ହଠାତ୍‍ ଯେପରି ମିଳିଯାଇଥିଲା ତାଙ୍କୁ । ହେଲେ ଏଇ ଆନନ୍ଦ ଭିତରେ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରିବାରେ ଲାଗିଲା । ସୁରେୟାକୁ ସେ କିପରି ସ୍ୱାଗତ କରିବେ? ସୁରେୟା, ତାଙ୍କ ଜୀବନର ପ୍ରଥମ ପ୍ରେମିକା । ସୁରେୟା, ଯିଏ ଦିନେ ତାଙ୍କର ପତ୍ନୀ ହୋଇ ତାଙ୍କ ସନ୍ତାନକୁ ଜନ୍ମ ଦେବାକୁ ଆଶା ବାନ୍ଧିଥିଲେ ।

ତରଲୋକ୍‍ ଭାବି ଚାଲିଲେ – ସୁରେୟା ସାଙ୍ଗରେ ତାଙ୍କର ପ୍ରଥମ ଦେଖା ୧୯୪୩ ମସିହାରେ । ବୋଧହୁଏ ଜୁଲାଇ ମାସରେ । ସେତେବେଳେ ସେ ଏମ.ଏ. ଶ୍ରେଣୀର ଛାତ୍ର । ଆଉ ସୁରେୟା ବି.ଏ. ପଢ଼ୁଥିଲା । ସୁରେୟା ପଲିଟିକାଲ ସାଇନ୍ସ ବିଷୟଟି ପଢ଼ିବା ଲାଗି ଜଣକର ସାହାଯ୍ୟ ଲୋଡ଼ୁଥିଲା । ଏଇ ବିଷୟରେ ସେ ପ୍ରଫେସର ଚନ୍ଦ୍ରଙ୍କ ସହ କଥାବାର୍ତ୍ତା କରିବାରେ ସେ ତାକୁ ତରଲୋକର ନାଁ କହିଥିଲେ ଓ ସୁରେୟାକୁ ପଢ଼ାଇବାକୁ ସେ ନିଜେ ମଧ୍ୟ ତାକୁ ଅନୁରୋଧ କରିଥିଲେ । ଆଉ ୟା’ଠାରୁ ବଳି
ଭଲକଥାଟିଏ କ’ଣ ହୋଇପାରେ? ଗୋଟିଏ ସୁନ୍ଦରୀ ଝିଅକୁ ଛାତ୍ରୀଭାବେ ପାଇବା ଓ ତା’ ସାଙ୍ଗକୁ ତା’ର କୁଆଁରୀ ମନ ଭିତରେ ରାଜନୀତି ବିଜ୍ଞାନର ଜଟିଳ ଭାଷାକୁ ପ୍ରାଞ୍ଜଳଭାବେ ଭରିବାର ପାରିଶ୍ରମିକ ମାସକୁ ପଚାଶ ଟଙ୍କା ।

ଟ୍ୟୁସନ ପଢ଼ିବାର କିଛି ଦିନ ପରେ ଦିନେ ସୁରେୟା ଯାଇଥିଲା ତରଲୋକର ଘରକୁ ଗୋଟିଏ ଜରୁରି ସମ୍ବାବଦ ଦେବାକୁ । ତା’ର ମା’କୁ ଟାଇଫଏଡ୍‍ ଜ୍ୱର ହୋଇଚି ଓ ସେବାଶୁଶ୍ରୂଷା କରିବା ଲାଗି ସୁରେୟାକୁ ଅଗତ୍ୟା ଅମ୍ବାଲା ଯିବାକୁ ପଡ଼ିବ କିଛି ଦିନ ଲାଗି । ତରଲୋକର ରୁମ୍‍ ଭିତରେ ଆସବାବପତ୍ରର ଅସ୍ତବ୍ୟସ୍ତ ରୂପେ ଦେଖି ସୁରେୟା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ରୁମଟିର ଚାରିଆଡ଼େ ଏଣେତେଣେ ଜିନିଷପତ୍ର ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା ଓ ସେସବୁ ଜିନିଷ ଉପରେ ଢେର୍‍ ଦିନରୁ ବସିଥିବା ଧୂଳି ଓ ଅଳନ୍ଧୁର ଗୋଟିଏ ପତଳା ଆସ୍ତରଣ । ସତେ ଯେମିତି ଅବୋଧ ଶିଶୁଟିଏ ଘରସାରା ତା’ର ଖେଳଣା କଣ୍ଢେଇଗୁଡ଼ିକୁ ଖେଳେଇ ପକାଇଛି, ଧୂଳିର ଆସ୍ତରଣଟିଏ ବସିଯିବା ଲାଗି! ସୁରେୟା ନିଜର ବିରକ୍ତିକୁ ଚାପି ନ ରଖି ପଚାରି ଦେଇଥିଲା, କ’ଣ ତୁମ ରୁମରେ ଝାଡ଼ୁମୁଠାଟିଏ ସୁଦ୍ଧା ନାହିଁ?’ ତରଲୋକ୍‍ ସୁରେୟାର ମନକଥା ବୁଝିପାରି ସାଙ୍ଗେ ସାଙ୍ଗେ ଜବାବ ଦେଇଥିଲା, ‘ଝାଡ଼ୁମୁଠାଟିଏ ତୁମର କାହିଁକି ଦରକାର ପଡ଼ିଲା, ଶୁଣେ?’ମୁହଁରେ ଶୁଖିଲା ହସଟିଏ ଫୁଟାଇ ସେ ପୁଣି କହିଲା, ‘ଚାକର ଟୋକାଟା ତା’ ଘରକୁ ଛୁଟିରେ ଯାଇଛି । ଆଉ ଝାଡୁଦାର ସ୍ତ୍ରୀଲୋକଟିକୁ ମୁଁ ଗଲା କେଇଦିନ ହେବ ଦେଖିନି । ସେ ଫେରିଲେ ସବୁ ଜିନିଷ ସଫାସୁତୁରା କରି ସଜାଡ଼ି ରଖିଦେବ । ଏସବୁ ଲାଗି ତୁମର ବ୍ୟସ୍ତ ହେବାର କିଛି ଦରକାର ନାହିଁ । ଆସନ୍ତାକାଲି ଆଡ଼କୁ ସେ ଦୁଇଜଣଙ୍କ ଭିତରୁ କେହି ଜଣେ ଆସିଯାଇପାରନ୍ତି ।’

‘ଜୀବନରେ ଆସନ୍ତାକାଲି କେବେ ଆସେନି, ବୁଝିଲ । ମୁଁ ଏଇ ଦଣ୍ଡକ ଭିତରେ ସବୁ ସଫା କରିଦେବି । ଝାଡ଼ୁଟା କାଇଁ କହିଲ?’ ରୁମକୁ ଲାଗିଥିବା ଅଗଣାକୁ ଯାଉଯାଉ ସୁରେୟା ତାକୁ ଦାବି କଲାଭଳି କହିଲା । ତରଲୋକ କିଛି ନ ବୁଝି ନ ବିଚାରି ସୁରେୟା ହାତଟିକୁ ଧରି ପକାଇ ତାକୁ ଏ କାମ ନ କରିବାକୁ ବାରଣ କରିଥିଲା । ସୁରେୟା ହଠାତ୍‍ ନିଜକୁ ଅପ୍ରସ୍ତୁତ ମଣି ତରଲୋକର ପାଖକୁ ଲାଗିଆସି କହିଥିଲା, ‘ଇଏ କ’ଣ କରୁଛ? ହାତ ଛାଡ଼, ମୁଁ ଯିବି । କାଳେ କିଏ କେଉଁଠି ଚାହିଁ ଦେଖୁଥିବ ।’ ହେଲେ ନିଜ ହାତଟିକୁ ତରଲୋକର ହାତମୁଠାରୁ ମୁକ୍ତ କରିବା ଲାଗି ସେ ଆଦୌ ଚେଷ୍ଟା କରି ନ ଥିଲା । କିନ୍ତୁ ତରଲୋକ ସେଦିନ ସୁରେୟା ହାତକୁ ଛାଡ଼ି ଦେଇଥିଲା ସେଇ ମୁହୂର୍ତ୍ତରେ । ସତେକି ବିଦ୍ୟୁତ୍‍ସ୍ରୋତ ପ୍ରବାହିତ ଗୋଟିଏ ତାରକୁ ସେ ନିଜ ଅଜାଣତରେ ଛୁଇଁ ପକାଇଥିଲା ଭୁଲବଶତଃ । ତା’ପରେ ସେ କେବଳ ଚାହିଁ ରହିଥିଲା ସୁରେୟା ମୁହଁକୁ, ଅପଲକ ଆଖିରେ ।

ସୁରେୟା ମୁହଁରେ ହସର କ୍ଷୀଣ ରେଖାଟିଏ ଉକୁଟି ଉଠି ପୁଣି ଲିଭି ଯାଇଥିଲା । କିନ୍ତୁ ତରଲୋକ ଦୃଷ୍ଟିରୁ ସେ ହସ ରେଖାଟି ବାଦ୍‍ ପଡ଼ିନଥିଲା । ସୁରେୟା ପରକ୍ଷଣରେ ଆଉ ଚାହିଁ ପାରିନଥିଲା ତରଲୋକର ମୁହଁକୁ । ନିଜ ମୁହଁକୁ ଘୋଡ଼ାଇ ନେଇଥିଲା ସେ ଓ ବୁଲି ଚାହିଁଥିଲା ଝରକା ବାହାରକୁ । ତରଲୋକ ନିଜ ଭିତରେ ସାହସ ସଞ୍ଚୟ କରି କହିଥିଲା, ‘ସୁରେୟା, ଲାଜରେ ମୁହଁ ଘୋଡ଼ାଇ ପକାଉଛ କାହିଁକି? ବରଂ ସେଇ ଲାଜଭରା ମୁହଁକୁ ଟିକେ ଦେଖିବାକୁ ଦିଅ ।’ ସୁରେୟା କିନ୍ତୁ ଏ କଥାରେ ନିଜ ମୁହଁ ବୁଲାଇ ନଥିଲା । ତରଲୋକ ନିଜଆଡ଼ୁ ସଫେଇ ଦେଇଚାଲିଲା, ‘ମୋର ଏମିତିକା ବ୍ୟବହାରପାଇଁ ମୋତେ କ୍ଷମା ଦେବ ।ସତ କହୁଛି ମୁଁ ତୁମ ହାତଟିକୁ ଧରି ପକାଇବା ଆଗରୁ ସେପରି କିଛି ଉଦ୍ଦେଶ୍ୟ ମୋ ମନରେ ନ ଥିଲା । ମୁଁ ଗୋଟିଏ କେମିତି ଖିଆଲରେ ତୁମ ହାତ ଧରିପକାଇଥିଲି । ମୁଁ ବାସ୍ତବିକ ଦୁଃଖିତ ।’

ସୁରେୟା ଏଥର ମୁହଁ ଉପରୁ ଆପଣାର ହାତ ଦୁଇଟିକୁ କାଢ଼ିନେଲା ଓ ତରଲୋକ ଆଡ଼କୁ ବୁଲିପଡ଼ି କହିଲା, ‘ଓଃ, ତୁମେ କି ବୋକା ଲୋକ ସତେ! ଗୋଟିଏ କୁଆଁରୀ ଝିଅର ହାତକୁ ଧରି ପକାଇବାର ଅର୍ଥ ଯେ କ’ଣ ତୁମକୁ ସେକଥା ଜଣା ନାହିଁ । ଏଇଟା ମୋଟେ ଭଲ କଥା ନୁହେଁ । ତୁମର ଏଭଳି କରିବା ଆଦୌ ଉଚିତ ହୋଇନି ।’ ସୁରେୟା ପ୍ରକୃତରେ କ’ଣ କହିବାକୁ ଚାହୁଁଥିଲା ସେକଥା ବୁଝିବାକୁ ତରଲୋକକୁ କିଛି ସମୟ ଲାଗିଲା । ସେ ଯେ ତା’ ଜୀବନରେ ନିଜ ମା’,ଉଭଣୀ କିମ୍ବା ଭାଉଜଙ୍କ ଛଡ଼ା ଆଉ ପ୍ରାୟ କୌଣସି ସ୍ତ୍ରୀଲୋକ ସାଙ୍ଗରେ ଏତେ ମନଖୋଲା ଭାବେ କଥାବାର୍ତ୍ତା କରିନି । ତେଣୁ ସୁରେୟାର ଏଇ ଉଦ୍ଦେଶ୍ୟଭରା କଥାର ଅସଲ ଅର୍ଥ ଅବା ତାକୁ ଏତେ ଜଲଦି ମାଲୁମ ପଡନ୍ତା କେମିତି? କିନ୍ତୁ ସେ କ’ଣ ଭାବିଲା କେଜାଣି, ପୁଣିଥରେ ସୁରେୟାର ଦୁଇ ହାତକୁ ଧରିପକାଇ ଫିସ୍‍ଫିସ୍‍ କରି କହିଲା, ‘ମୁଁ ରାଣ ଖାଉଛି , ଆଉ କେବେ ଏମିତି ଭୁଲଟିଏ କରିବିନି ।’

ସୁରେୟା ଏଥର କେବଳ ତରଲୋକର ମୁହଁକୁ ଚାହିଁରହିଲା ପଲକବିହୀନ ଚାହାଣିରେ । ତରଲୋକ ସୁରେୟା ଆଖିକୁ ଚାହିଁ ଦେଖିପାରିଲା ଗୋଟିଏ ବର୍ଷଣୋନ୍ମୁଖୀ ଭରା ବାଦଲର ଜଳଭରା ରୂପ ସତେକି ଧରାକୁ ଛୁଇଁବାକୁ ବ୍ୟାକୁଳ । ଜୀବନରେ ପ୍ରଥମଥର ଲାଗି ତରଲୋକ ଅନୁଭବ କଲା ନିଜ ଭିତରେ ଏତେଦିନ ଧରି ଲୁଚି ରହିଥିବା ପୁରୁଷାକାରକୁ । ପର ମୁହୂର୍ତ୍ତରେ ସେ ସୁରେୟାକୁ ନିଜ ଛାତି ଭିତରେ ଜଡ଼ାଇ ଧରିଲା । ଯେପରି ନିଜ ମନ ଓ ଶରୀର ଉପରେ ସେ ସବୁ ଆୟତ୍ତ ହରାଇ ବସିଛି! କେଇ କ୍ଷଣ ତରଲୋକର ବାହୁବନ୍ଧନୀ ଭିତରେ ରହିବା ପରେ ସୁରେୟା ଥର ଥର କଣ୍ଠରେ କହିଥିଲା, ‘ଦୟାକରି ମତେ ଛାଡ଼, ମୁଁ ଘରକୁ ଯିବି । ମୁଁ ଆଜି ସନ୍ଧ୍ୟାରେ ଅମ୍ବାଲାକୁ ଟ୍ରେନ ଧରିବିବ । ମାମାର ଦେହ ଭଲ ନାହିଁ ।ମୋତେ ଜଲଦି ସେଠାକୁ ଯିବାକୁ ଡକେଇଛି । ମୁଁ ଏଇ କଥା ତୁମକୁ ଜଣେଇବାକୁ ଆସିଥିଲି ।’

ଏଇ ଘଟଣା ପରଠାରୁ ତରଲୋକ ଓ ସୁରେୟା ଭିତରେ ଗଢ଼ି ଉଠିଥିଲା ଗୋଟିଏ ନୂଆ ସମ୍ପର୍କ । ଘରଠୁ କଲେଜ ପର୍ଯ୍ୟନ୍ତ ଦୁହେଁ ସବୁବେଳେ ଏକାଠି ବୁଲୁଥିବାରୁ ସାଙ୍ଗମାନେ ଥଟ୍ଟାରେ କହନ୍ତି, ‘ତରଲୋକ ଓ ସୁରେୟା କାୟା ଓ ଛାୟା ଭଳି । ପୁଣି ସକାଳ ଓ ସଞ୍ଜ ଭଳି । କାଇଁକିନା ଦୁହେଁ ସକାଳଠୁ ସଞ୍ଜଯାଏ ପରସ୍ପରଠାରୁ ଦୂରେଇ ରହି ନ ଥାଆନ୍ତି । ଏଇ ଭିତରେ କେତେବେଳେ ଯେ ଦୁଇବର୍ଷ ବିତି ଯାଇଥିଲା, ସେକଥାର ହିସାବ ଦୁଇ ଜଣଙ୍କ ଭିତରୁ କେହିହେଲେ ରଖି ନ ଥିଲେ ।

ଦିନେ ସୁରେୟା ତରଲୋକକୁ କହିଲା, ‘ଆସ, ଆଜି ଆର୍ମି ହସପିଟାଲକୁ ଯିବା ସର୍ଫରାଜ ଏବେ ସେଠି ଅଛି । ବର୍ମା ସୀମାନ୍ତରେ ଲାଗିଥିବା ଯୁଦ୍ଧରେ ସେ ସିରିଅସ୍‍ ହୋଇ ଏ ହସ୍ପିଟାଲକୁ ଆସିଛି ଚିକିତ୍ସା ପାଇଁ । ଏବେ ଅବଶ୍ୟ ସିଏ ଭଲ ଅଛି । ଏଠିକି ତାକୁ ଟ୍ରାନ୍ସଫର୍‍ କରି ଦେଇଛନ୍ତି । କାଇଁକି ନା ତା’ ନିଜର ଲୋକ ତା’ର ସେବାଶୁଶ୍ରୂଷା କରିପାରିବେ ।’

:‘ଓ! ସେଇ ସର୍ଫରାଜ ନା?’
:‘ହଁ, ସେଇ ପିଲା । ମୋ ମାଉସୀ ପୁଅ । ମାମା ତ ଏକା ଜିଦ୍‍ ଲଗେଇଛି ତା’ସାଙ୍ଗରେ ମୋର ବାହାଘର
କରିଦେବ ବୋଲି ।’
:‘ତା’ହେଲେ ତୁମେ ବାହା ହୋଇ ଯାଉନ କାହିଁକି? ଅସୁବିଧା କ’ଣ? ସର୍ଫରାଜ ତ ଭଲ ଚାକିରି କରିଛି । ବେଶ୍‍ ଭଲ ଦରମା ପାଉଛି ।’
:‘ଆଜି ତୁମର କ’ଣ ହେଇଚି ମୁଁ ପ୍ରଥମେ ଶୁଣେ? ପାଟିକି ଯାହା ଆସିଲା ପାଗଳଙ୍କ ପରି ବକି ଚାଲିଛ? ତୁମ ମୁଣ୍ଡ ଠିକ୍‍ ଅଛି ତ?’

‘ଆରେ, ଏଥିରେ ମୁଣ୍ଡ ବିଗିଡ଼ି ଯିବାର କ’ଣ ଅଛି?’ ତରଲୋକ ବେଶ୍‍ ସ୍ୱାଭାବିକ ଭାବେ ପଚାରିଲା ଓ ପୁଣି କହିଚାଲିଲା, ‘ଆଚ୍ଛା, ତୁମେ ନିଜେ ମୋତେ ଥରେ କହି ନ ଥିଲ ଯେ ସର୍ଫରାଜ ତୁମକୁ ଏତେ ଭଲପାଏ ଯେ ତୁମ ଲାଗି ସେ ଜୀବନ ସୁଦ୍ଧା ଦେଇଦେବ ବୋଲି? ଏବେ ସିଏ ସେନା ମେଜର୍‍ । ଆଉ ତୁମେ ଯଦି ଏମିତି ଜଣେ ଭଲ ଚାକିରି କରିଥିବା ଯୁବକକୁ ବାହା ହୁଅ, ସତ କହିଲ, ତୁମ ମା’ ବହୁତ ଖୁସି ହେବ କି ନାହିଁ? ୟା’କୁ କହନ୍ତି ଗୋଟିଏ ଢେଲାରେ ଦି’ ଦି’ଟା ପକ୍ଷୀ ଶିକାର
କରିବା ।’

:‘ତୁମକୁ ଆଲ୍ଲାଙ୍କ ଦ୍ୱାହି, ଏମିତି କଥା ତୁମେ ବନ୍ଦ୍‍ କର । ତୁମେ କେବଳ ମୋ ସାଙ୍ଗରେ ଟିକେ ଚାଲ । ମୁଁ ସେଇ ଅସୁସ୍ଥ ଲୋକଟିକୁ ଡାକ୍ତରଖାନାରେ ଟିକେ ଭେଟି ମୋ କର୍ତ୍ତବ୍ୟ ପୂରା କରିଦେବି । ସିଏ ତ ଏବେ ଗୋଟାପଣେ ମାଙ୍କଡ଼ ପାଲଟି ଯାଇଛି ।’

:‘ହେ ଭଗବାନ! ଉଚ୍ଚଶିକ୍ଷାର କି କୁପରିଣାମ! ଆଚ୍ଛା, ତୁମେ ତୁମର ଭାବୀ ସ୍ୱୀମୀକୁ କେମିତି ମାଙ୍କଡ଼ ବୋଲି କହିପାରୁଛ,ଶୁଣେ?’

:‘ମୋର ତୁମ ସାଙ୍ଗରେ ଅଯଥା ଯୁକ୍ତି କରିବାକୁ ସମୟ ନାହିଁ କି ଧୈର୍ଯ୍ୟ ନାହିଁ । ମୋ ସାଙ୍ଗରେ ଚାଲ, ଆଉ ନିଜେ ଦେଖି ଆସ । ଜନାମ୍‍ ବୁଢ଼ା ହନୁଟିଏ ଭଳି ଦେଖା ଯାଉଛନ୍ତି କି ନାହିଁ । ପୁଣି ମୋର ସିଏ ଯେଉଁ ମାଉସୀ, ସାଂଘାତିକ ବଦ୍‍ରାଗୀ । ଏମିତିକା ନାକ ଅଗରେ ରାଗ ଥିବା ଲୋକମୁଁ ଆଉ କେଉଁଠି ଦେଖିନି । ଜାଡ଼ରେ ବି ତା’ ରାଗରେ ଘରେ କ୍ଷୀର ଛିଣ୍ଡି ଛେନା ହୋଇଯିବ । ଏବେ ବୁଝିଲ, ମୁଁ କେବଳ ତୁମକୁ ଭରସା କରିଛି । ମତେ ଏ ବିପଦରୁ ତୁମେ ହିଁ ବଞ୍ଚେଇ ପାରିବ । ସାରା ଅମ୍ବାଲା ସହର ତୁମକୁ ସବୁଦିନ ଲାଗି ମନେ ରଖିବ ।’

:‘ତୁମେ ମୋତେ ଆଉ ଗୋଟିଏ ଡନ୍‍ ଜୁଆଁ ପାଲଟାଇ ଦିଅନା । ମୋ ମୁହଁଟା ତ ଗୋଟିଏ କଖାରୁ ଭଳି ନେଫେଡ଼ା, ମୋ ନାକଟା ଚେପଟା ଓ ଆଖି ଦି’ଟା କେଡ଼େ ଛୋଟ ।’ ‘ହଉ ହେଲା, ମାନିଲି ତୁମେ କାସାନୋଭା ନୁହଁ । କିନ୍ତୁ ତୁମର ଅକଲ ବୋଲି ତ କିଛି ଅଛି । ଆଉ ମୁଁ ରୂପ ଅପେକ୍ଷା ଗୁଣକୁ ପସନ୍ଦ କରିବି ।’ ସୁରେୟା ତା’ର ଦି’ହାତରେ ତରଲୋକ ଅଌକ୍ଷଗ୍ଧ;ାକୁ
କୁଣ୍ଢାଇ ଧରି କହିଲା ।

ସେଇଦିନ ଦି’ପହର ବେଳେ ସୁରେୟା ଓ ତରଲୋକ ଯାଇଥିଲେ ଆର୍ମି ହସ୍ପିଟାଲକୁ, ସର୍ଫରାଜକୁ ଭେଟିବାକୁ ।ସର୍ଫରାଜ ଦେଖିବାକୁ କେତେ ଅସୁନ୍ଦର ସତରେ! କାହିଁ ଆଫ୍ରିକାର କେଉଁ ଗୋଟିଏ ଜଙ୍ଗଲୀ ଲୋକ ଭଳି ତା’ର ଚେହେରା । ଡାକ୍ତର ତା’ ମୁହଁରୁ ବ୍ୟାଣ୍ଡେଜ ସବୁ ଖୋଲି ସାରିଥିଲେ । ହେଲେ ଅଣ୍ଟାଠାରୁ ପାଦତଳିପାଯାଏ ଏବେ ସୁଦ୍ଧା ପ୍ଲାଷ୍ଟର ଲାଗିଥାଏ । ସୁରେୟା ଓ ତରଲୋକକୁ ଦେଖି ସର୍ଫରାଜ ଖୁବ୍‍ ଖୁସି ହୋଇଯାଇଥିଲା ଓ ବଡ଼ପାଟିରେ କହି ଉଠିଥିଲା, ‘କ୍ଷମା କରିବ ସୁରେୟା, ତୁମମାନଙ୍କୁ ସ୍ୱାଗତ କରିବା ଲାଗି ମୁଁ ଶେଯରୁ ସୁଦ୍ଧା ଉଠି ପାରୁନି ।’

ସୁରେୟା ତା’ପରେ ତରଲୋକକୁ ଚିହ୍ନା କରେଇ ଦେଇଥିଲା ସର୍ଫରାଜ ସାଙ୍ଗରେ । ସର୍ଫରାଜ ଏ ଚିହ୍ନା ପରିଚୟରେ ତିଳେହେଲେ ବିସ୍ମୟ ପ୍ରକଟ କରି ନ ଥିଲା । ବରଂ ସେ ଅନେକ ଦିନପରେ ଜଣେ ପୁରୁଣା ବନ୍ଧୁକୁ ଭେଟିବା ଭଳି ତରଲୋକ ସାଙ୍ଗରେ କଥାବାର୍ତ୍ତା ଜମେଇଥିଲା ।

ଏହା ପରେ ସୁରେୟା ଓ ତରଲୋକ ଅନେକ ଥର ହସପିଟାଲ ଯାଇ ସର୍ଫରାଜକୁ ଭେଟିଛନ୍ତି ଓ କଥାବାର୍ତ୍ତା ବି ହୋଇଛନ୍ତି । ଗଲାବେଳେ ପ୍ରତ୍ୟେକ ଥର ସେମାନ ନିଜ ସାଙ୍ଗରେ ବହିଟିଏ କିମ୍ବା ଫୁଲତୋଡ଼ାଟିଏ ନେଇଥାଆନ୍ତି । ସେମାନେ ସର୍ଫରାଜର କ୍ୟାବିନରେ ପଶୁପଶୁ ପ୍ରତ୍ୟେକ ଥର ସର୍ଫରାଜ ପଚାରେ, ‘ଆଜି ମୋ ପାଇଁ କି ତୋଫା ଆଣିଛ?’ ତା’ପରେ ସୁରେୟା ସର୍ଫରାଜ ହାତକୁ ବଢ଼େଇଦେବ ବହିଟିଏ କି ଫୁଲ ତୋଡ଼ାଟିଏ । ସର୍ଫରାଜ ମନ ଆତ୍ମସନ୍ତୋଷରେ ଭରିଉଠିବ ଓ ସେ ଉପହାରଟିକୁ ନିଜ ଛାତିରେ ଜାକିଧରି ସୁରେୟାକୁ ଧନ୍ୟବାଦ ଦେବ ।

ସୁରେୟା ଓ ତରଲୋକଙ୍କ ସମ୍ପର୍କକୁ ନେଇ ସର୍ଫରାଜ କେବେ ଦୁହିଁଙ୍କୁ କିଛି ହେଲେ ପଚାରିନି । ସେ ଅନ୍ୟ ସବୁ କଥା ଅନେକ ସମୟ ଧରି ଗପିଚାଲେ ଓ ମନଖୁସିରେ ହସେ ବି । ସର୍ଫରାଜ ମୁହଁରେ ହସ ଦେଖି ତରଲୋକର ମନେପଡ଼େ ତା’ର ସ୍ୱର୍ଗୀୟ ଜେଜେବାପାଙ୍କର ଗୋଟିଏ କଥା । ଜେଜେବାପା ତା’ର ସଦାବେଳେ ଗୋଟିଏ କଥା କହୁଥିଲେ, ‘ପୁଅ, ମୋଟାଲୋକ ଓ କଦାକାର ଚେହେରାର ଲୋକେ ସଦାବେଳେ ନିଜ ଦୁର୍ଦ୍ଦଶା ପାଇଁ ହସିଥାଆନ୍ତି ଓ ଅନ୍ୟକୁ ହସିବାକୁ ଖୋରାକ ଯୋଗାଇଥାଆନ୍ତି ।’

ମିଲିଟାରୀ ହସପିଟାଲରେ ପ୍ରାୟ ନଅ ଦଶମାସ ରହିବା ପରେ ସର୍ଫରାଜ ଡାକ୍ତରଖାନାରୁ ଡିସଚାର୍ଜ ହେଲା । ଏବେ ତାକୁ ଫେରିଯିବାକୁ ହେବ ନିଜର କର୍ମକ୍ଷେତ୍ରକୁ । ନୂଆ ପୋଷ୍ଟିଂ ସ୍ଥାନ, ବାଙ୍ଗାଲୋରକୁ । କିନ୍ତୁ ବାଙ୍ଗାଲୋର ଯିବା ପୂର୍ବରୁ ସେ ଉଭୟ ସୁରେୟା ଓ ତରଲୋକକୁ ଦିନେ ନିମନ୍ତ୍ରଣ କରିଥିଲା ତା’ ସହ ଡିନର ପାଇଁ । ସହରର ସବୁଠୁ ମହାର୍ଘ ରେସ୍ତୋରାଁକୁ । ତା’ପରେ ସେ ଚାଲିଯାଇଥିଲା ବାଙ୍ଗାଲୋର ।

ସର୍ଫରାଜ ଚାଲିଯିବା ପରେ ସୁରେୟା ଓ ତରଲୋକଙ୍କ ସମ୍ପର୍କ ଚାଲିଯାଇଥିଲା ନିବିଡ଼ତାର ଆଉ ଏକ ପର୍ଯ୍ୟାୟକୁ । ଏପରିକି ତରଲୋକ ସାଙ୍ଗରେ କେଇ ରାତି ଏକତ୍ର କଟାଇଥିଲା ସୁରେୟା । ଆଉ ଫାଇନାଲ ପରୀକ୍ଷା ସରୁଣୁ ନ ସରୁଣୁ ତାକୁ ଆଉ ଏକ ବଡ଼ ଫାଇନାଲ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଥିଲା । ସୁରେୟା ସେଇ ମାସରେ ତାର ପିରିୟଡ ମିସ୍‍ କରିଥିଲା । ମନେମନେ ଖୁବ୍‍ ଭୟ ପାଇଯାଇଥିଲା ସେ । କାହାକୁ ଅବା କହିବ ସେ କଥା? ଶେଷରେ କହିଥିଲା ତରଲୋକକୁ । ତରଲୋକ ସାନ୍ତ୍ୱନା ଦେଇ କହିଥିଲା, ‘ଆରେ, ବେଳେବେଳେ ଏମିତି ହୁଏ । ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଆସନ୍ତା ମାସକୁ ପୁଣି ସବୁ ଠିକ୍‍ ହୋଇଯିବ ।’ ତରଲୋକ ସୁରେୟାକୁ ଏମିତିକା କହି ଭୁଲାଇ ଦେଇଥିଲା ସିନା, ହେଲେ ମନେମନେ ଆତଙ୍କିତ ହୋଇପଡ଼ୁଥିଲା । ନିଜର ସାଙ୍ଗମାନଙ୍କୁ ସେ ପଚାରିଥିଲା ଏଇ ବିଷୟରେ । ଏମିତିକି ସେ ଆଦୌ ପସନ୍ଦ କରୁ ନ ଥିବା ନିଜ କାକୀ ‘ମନୋ’ ଓ ବୁଢ଼ୁ ଧାଈ ‘ମଙ୍ଗୋ’ସାଙ୍ଗରେ ଏଇ କଥା ନେଇ ଶଲାସୂତୁରା ବି କରିଥିଲା । ସେମାନେ ସମସ୍ତେ କହିଥିଲେ ଗରମ କ୍ଷୀର ସାଙ୍ଗରେ କିସମିସ୍‍ ମିଶେଇ ଖାଇବାକୁ । ତା’ସାଙ୍ଗକୁ ଦଉଡ଼ି ଧରି ଡିଆଁଡେଇଁ ଓ ନାଚକୁଦ କରିବାଲାଗି । ହେଲେ କେଉଁଥିରେ କିଛି ସମାଧାନର ବାଟ ଫିଟି ନ ଥିଲା । ତା’ପର ମାସକୁ ସୁରେୟା ତା’ର ଦ୍ୱିତୀୟ ପିରିୟଡ଼ ମିସ୍‍ କଲା ।

ତରଲୋକ କାନରେ ଏକଥା ପଡ଼ିଲା ପରେ ତାକୁ ଚାରିଦିଗ ଅନ୍ଧାର ଦିଶିଲା । ଏ ପରିସ୍ଥିତିରେ କୌଣସି ଲେଡି ଡାକ୍ତରଙ୍କ ସହ ପରାମର୍ଶ ଲାଗି ବି ତା’ର ଭରସା ପୂରୁ ନ ଥିଲା । କଥାଟା କାନକୁ ଦି’କାନ ହୋଇ ଦିନକୁ ଦିନ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଜାଣି ସେ ଆହୁରି ଭୟ ପାଇବାରେ ଲାଗିଲା । ଯିଏ ଯାହା ପରାମର୍ଶ ଦେଲେ ସେସବୁ କରିଚାଲିଲା ସୁରେୟାପାଇଁ । ଜଡ଼ିବୁଟି, ଚେରମୂଳୀ, ଆହୁରି କେତେ କ’ଣ । ହେଲେ ସୁରେୟାର ପିରିୟଡ ଆଉ ରିଭାଇଭ ହୋଇ ନ ଥିଲା । ୟା’ଭିତରେ ତୃତୀୟ ମାସ ବି ଗଡ଼ିଗଲା । ଏବେ ତା’ଆଗରେ କେବଳ ଗୋଟିଏ ହିଁ ବାଟ ରହିଯାଇଥିଲା- ସୁରେୟାକୁ ବାହା ହୋଇଯିବ । ଆଗରୁ କେଇଥର ସେମାନେ ଏ ବିଷୟରେ କଥାବାର୍ତ୍ତା ହୋଇଥିଲେ, ହେଲେ ଆଜି ପ୍ରଥମ ଥର ଲାଗି ଦୁହେଁ ବାହାଘର ବିଷୟରେ ଗଭୀରଭାବେ ଆଲୋଚନା କଲେ ।

ବୁଡ଼ିଯାଉଥିବା ଲୋକଟିଏ କୁଟାଖିଅକୁ ଆଶ୍ରା କଲାଭଳି କଥାଟି ଥିଲା । ଆଉ ଅଧିକ କିଛି ନ ଭାବି ତରଲୋକ ସିଧା ଟେଲିଗ୍ରାମଟିଏ ପଠେଇ ଦେଇଥିଲା ବାପା ମା’ଙ୍କ ପାଖକୁ । ‘ମୁଁ ଏଠି ସିଭିଲ ରେଜିଷ୍ଟ୍ରାର ଅଫିସରେ ବାହା ହୋଇଯାଇଛି । ବୋହୂକୁ ଧରି ମୁଁ ସିଆଲକୋଟ ଆସୁଛି ।’ତରଲୋକର ଧାରଣା ଥିଲା, ଏମିତି ଟେଲିଗ୍ରାମ କରି ଅଗତ୍ୟା ଖବରଟା ଜଣେଇଦେଲେ ବାପାମା’ଙ୍କ ବାରଣରୁ ତାକୁ ନିସ୍ତାର ମିଳିଯିବ ଓ ସେମାନେ ତା’ର ସବୁ ଦୋଷକୁ କ୍ଷମା କରିଦେବେ ।
ସିଆଲକୋଟରେ ପହଞ୍ଚିଲା ପରେ ତରଲୋକ ଓ ସୁରେୟାଙ୍କୁ ଦେଖି ଘରଲୋକ କେହି କଥା ପଦେ ସୁଦ୍ଧା କହି ନ ଥିଲେ । ବରଂ ବାପା ମା’ କାନ୍ଦି ବୋବାଇ ଚୁପ୍‍ ରହିଥିଲେ । ତରଲୋକ ଅନୁଭବ କଲା, ଯେମିତି ନିଜ ଘରେ ସେ ଓ ସୁରେୟା ଦୁଇଟି ଅଲୋଡ଼ା ବସ୍ତୁ ପାଲଟି ଯାଇଛନ୍ତି । ତଥାପି ସେ କିଛି ନ କହି ଚୁପ୍‍ ରହିଲା । ହେଲେ କଥାଟା ଅବା ଲୁଚି ରହନ୍ତା କେତେ ଦିନ? କେମିତି କେଜାଣି ଗାଆଁ ଲୋକେ ଜାଣିପାରିଲେ ସୁରେୟା ମୁସଲମାନ ଘରର ଝିଅ । କଥା ଶେଷରେ ବାପାମା’ଙ୍କ କାନରେ ପଡ଼ିଲା ।

ତରଲୋକର ମା’ତ ଏକଥା ଶୁଣୁଶୁଣୁ ଜୀବନ ହାରିଦେବ ବୋଲି ଜିଦ୍‍ ଧରିବସିଲା । ସୁରେୟାର ପାଦ ଏ ଘରେ ପଡ଼ି ସବୁ ଅପବିତ୍ର କରିଦେଇଚି ଏ ଏମିତିକା ପାପଠାରୁ ମରିଯିବା ଭଲ ବୋଲି ସେ ଜିଦ୍‍ କରିଚାଲିଲା । ତରଲୋକ ଆଉ ବରଦାସ୍ତ କରି ପାରିଲାନି । ସୁରେୟାକୁ ଟ୍ରେନରେ ଅମ୍ବାଲା ପଠାଇଦେଇ ନିଜେ ଲାହୋର ଚାଲିଗଲା । ସେ ଅନୁଭବ କଲା ସୁରେୟାକୁ ବାହାହେବା ପରେ ଯେମିତି ମା’ର ସବୁ ସ୍ନେହ ତା’ ଉପରୁ ଲୋପ ପାଇଯାଇଛି! ସୁରେୟାକୁ ଅମ୍ବାଲା ପଠେଇବା ପୂର୍ବରୁ ସେ ତାକୁ ବୁଝେଇଥିଲା, ‘ସୁରେୟା, ବ୍ୟସ୍ତ ହେଲେ ଚଳିବନି ।

ମୁଁ ଲାହୋର ଯାଉଛି । ସେଠି କିଛି ଗୋଟିଏ ଚାକିରି ଯୋଗାଡ଼ କଲା ମାତ୍ରେ ମୁଁ ତୋ ନିକଟକୁ ଟେଲିଗ୍ରାମ ପଠେଇବି । ତା’ପରେ ଆମେ ସେଇଠି ରହିବା । ତେଣୁ ଏଇ କେଇଦିନ ନିଜକୁ ନିଜେ ସମ୍ଭାଳି ନେ ।’ କିନ୍ତୁ ତରଲୋକର ଯୋଜନାଠାରୁ ଈଶ୍ୱରଙ୍କ ଇଚ୍ଛା ଥିଲା ନିଆରା । ତରଲୋକକୁ କେବଳ ଯେ ଲାହୋର ସହରରେ ଚାକିରି ମିଳି ନ ଥିଲା ତା’ନୁହେଁ, ସେଥି ସହିତ ନିଜ ପରିବାର ସହ ତା’ର ସବୁ ସମ୍ପର୍କ ତୁଟି ଯାଇଥିଲା । ଆଉ ସେତିକି ବେଳକୁ ଆସିଥିଲା ସ୍ୱାଧୀନତା । ୧୯୪୭ ମସିହା ଅଗଷ୍ଟ ମାସରେ ଆଉ କେଇଲକ୍ଷ ହିନ୍ଦୁଙ୍କ ସହ ତାକୁ ବି ଅଗତ୍ୟା ଆସିବାକୁ ପଡ଼ିଥିଲା ହିନ୍ଦୁସ୍ତାନକୁ । ସୁରେୟା ଅନ୍ୟ
ମୁସଲମାନ ଲୋକଙ୍କ ସାଙ୍ଗରେ ରହିଯାଇଥିଲା ନୂଆ କରି ଜନ୍ମ ନେଇଥିବା ରାଷ୍ଟ୍ର ପାକିସ୍ତାନରେ ।

ସେଇ ବର୍ଷ ଡିସେମ୍ବର ମାସରେ ସୁରେୟା ଠାରୁ ଗୋଟିଏ ଚିଠି ମିଳିଥିଲା । ସର୍ଫରାଜ ସାଙ୍ଗରେ ତା’ର ବାହାଘର ହୋଇଯାଇଛି ଓ ତା’ର ଗୋଟିଏ ପୁଅ ହୋଇଛି । ସର୍ଫରାଜ ପୁଅଟି ପାଇ ବେଶ୍‍ ଖୁସି ବୋଲି ସୁରେୟା ସେ ଚିଠିରେ ଲେଖିଥିଲା । ଏଇ ଖବର ତରଲୋକପାଇଁ ସତେ କି ଥିଲା ମର୍ମନ୍ତୁଦ । ସେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଏଇ ଚିଠିଟି ଯେମିତି ତା’ପାଇଁ ଥିଲା ଏକ ମୃତ୍ୟୁର ସତର୍କ ଘଣ୍ଟି । ତା’ର ପ୍ରଥମ ପ୍ରେମିକାର ସ୍ୱାମୀ ଓ ତା’ ସନ୍ତାନର ପିତା ଆଉ ଜଣେ ହେଉ ସେକଥା ସେ ଯେପରି ବିଶ୍ୱାସ କରିପାରୁ ନ ଥିଲା । କିନ୍ତୁ ଏଥିରେ ବିଚାରୀ ସୁରେୟାର ଅବା ଦୋଷ କ’ଣ?

ଯେଉଁ ସମାଜରେ, ଯେଉଁ ବିଶ୍ୱାସ ଭିତରେ ସେ ବଞ୍ଚିଥିଲା ସେଥିରୁ ଅବା ସେ ନିଜକୁ କେମିତି ଦୂରେଇ ନେଇଥାଆନ୍ତା? ପୁଣି ତରଲୋକ ବିଶ୍ୱାସ କରିପାରୁନଥିଲା ଯେ ସୁରେୟା ତା’ ସନ୍ତାନର ମା’ବୋଲି ଜାଣି ସୁଦ୍ଧା ସର୍ଫରାଜ କେମିତି ବିବହା କରିବାକୁ ରାଜି ହୋଇଥିଲା? ସୁରେୟା ତାକୁ ଅନେକ ଥର ପ୍ରତ୍ୟାଖ୍ୟାନ କରିଥିଲା ଓ ଅନ୍ୟ ଜଣେ ପୁରୁଷର ଭୃଣକୁ ତା’ଗର୍ଭରେ ସ୍ଥାନ ଦେଇଥିଲା । କିନ୍ତୁ, ପୁଣି ତରଲୋକ ଭାବିଲା, ତା’ର ଏଇ ଅସହାୟ ପରିସ୍ଥିତିରୁ ସର୍ଫରାଜ ସୁରେୟା ବୋଧହୁଏ ବେଶ୍‍
ଫାଇଦା ଉଠାଇଛନ୍ତି । ସର୍ଫରାଜ ନିଜର କଦାକାର ଚେହେରା ଦେଖାଇ ସମ୍ଭବତଃ ସୁରେୟା ଭଳି ରୂପସୀ ପତ୍ନୀଟିଏ ପାଇପାରି ନ ଥାଆନ୍ତା । ଆଉ ନିଜ ସନ୍ତାନକୁ ପିତୃତ୍ୱର ସାମାଜିକ ସ୍ୱୀକୃତି ଦେବାପାଇଁ ସୁରେୟା ବି ସର୍ଫରାଜକୁ ହାତପାଆନ୍ତାରେ ଏକମାତ୍ର ଆଶ୍ରା ବୋଲି ଭାବି ନେଇଥିବ!

ତରଲୋକ ପାକିସ୍ତାନ ହାଇକମିଶନ ଅଫିସକୁ ଫୋନକରି ବୁଝିଲା, ଜେନେରାଲ ସର୍ଫରାଜ ସପତ୍ନୀକ ସାଭୋଏ ହୋଟେଲରେ ରହୁଛନ୍ତି । ତରଲୋକ ତତକ୍ଷଣାତ୍‍ ସାଭୋଏ ହୋଟେଲକୁ ଫୋନ ଲଗାଇ ଜେନେରାଲର ସର୍ଫରାଜଙ୍କ ରୁମକୁ ସଂଯୋଗ କରିବାଲାଗି ଅନୁରୋଧ କଲା ।ଆରପଟୁ ଜଣେ ପୁରୁଷର କଣ୍ଠସ୍ୱର ଶୁଭିଲା । ତରଲୋକ କ’ଣ କହିବ, କିପରି କଥା ଆରମ୍ଭ କରିବ, କିଛି ଭରସି ନ ପାରି ରିସିଭରଟା ଥୋଇଦେଲା । ଏମିତି କେଇଥର ଫୋନକରି ଓ ରିସିଭର ଥୋଇଲା ପରେ ଶେଷରେ ଆରପଟୁ ନାରୀକଣ୍ଠ ଶୁଣି ସେ ସବୁ ସାହସ ସଞ୍ଚୟ କରି ପଚାରିଲା, ‘ମୁଁ ମିସେସ୍‍ ସର୍ଫରାଜଙ୍କ ସାଙ୍ଗରେ
କଥାବାର୍ତ୍ତା କରିପାରେ କି?’

‘ହଁ, ମୁଁ ମିସେସ୍‍ ସର୍ଫରାଜ କହୁଚି ।’ ଆରପଟୁ ଗମ୍ଭୀର ସ୍ୱର ଶୁଭିଲା ।
:‘ମୋ ନାଁ ତରଲୋକ ।’

‘ଆରେ, ଆପଣ ଏଠି କ’ଣ କରୁଛନ୍ତି?’ ସୁରେୟା ବେଶ୍‍ ଆନ୍ତରିକତାଭରା ସ୍ୱରରେ ପଚାରିଲା । ‘ଏଇ କେଇଦିନ ହେବ ଲଣ୍ଡନ ଆସିଛି । ସୁରେୟା, ମୁଁ କେଉଁଠି ଓ କେତେବେଳେ ତୁମକୁ ଭେଟିପାରିବି?’ ତରଲୋକ ପଚାରିଲା ।

:‘ଆରେ! ଏଥିରେ ସମୟ ଆଉ ସ୍ଥାନ ଠିକ୍‍ କରିବାର କ’ଣ ଅଛି? ଆଜି ଆସିଯାଅ । ଆମରି ସାଙ୍ଗରେ ଲଞ୍ଚ୍‍ କରିବ । ତା’ଛଡ଼ା ସର୍ଫରାଜ ଆଉ ସୁହାଜତ୍‍ ସାଙ୍ଗରେ ବି ଭେଟ ହୋଇଯିବ ।

ତୁମେ ତ ସୁହାଜତକୁ ଆଦୌ ଦେଖିନ ।’

:‘ସିଏ ବେଶ୍‍ ବଡ଼ ହୋଇଯିବଣି, ନୁହେଁ?’

:‘ହଁ, ଆଉ କିଛି ଦିନ ଭିତରେ ତାକୁ ତେରବର୍ଷ ପୂରିଯିବ । ଦେଖିବାକୁ ଠିକ୍‍ ତୁମରି ଭଳି । ତୁମରି ଭଳି ଏକଜିଦିଆ ଆଉ ସ୍ୱାଭିମାନୀ । ଆଲ୍ଲାଙ୍କୁ ବହୁତ ଧନ୍ୟବାଦ । ଠିକ୍‍ ତୁମରି ଭଳି ବୁଦ୍ଧି ବି ପାଇଚି । ଆଚ୍ଛା, ତୁମେ ଆଜି ଆମ ସାଙ୍ଗରେ ଲଞ୍ଚ୍‍ ଖାଇବାକୁ ଆସୁଛ ତ?’

:‘ନାଇଁ, ନାଇଁ । ଲଞ୍ଚ୍‍ର କୌଣସି ଆବଶ୍ୟକତା ନାହିଁ । ବରଂ ଏମିତି କର, ଆଜି ଚାରିଟାବେଳେ ମାର୍ବଲ ଆର୍ଚ୍ଚ ଷ୍ଟେସନର ଠିକ୍‍ ଆର ପାଖରେ ଥିବା ଏଲିସିୟମ୍‍ ପାଖକୁ ଆସିଯାଅ । ଆମେ ସେଇଠି ଚା’ପିଇବା ଓ କଥାବାର୍ତ୍ତା ହୋଇପାରିବା ।’

:‘ଓଃହୋ! ଏତେ ବର୍ଷ ଭିତରେ ତୁମେ ଆଦୌ ବଦଳିନ । ବାସ୍‍ ବାବା, ତୁମରି କଥା ହେଲା । ଆଜି ଚାରିଟାବେଳେ ଏଲିସିୟମ୍‍ ପାଖରେ ଚା’ପିଇବା ଓ କଥାବାର୍ତ୍ତା ହେବା । କିନ୍ତୁ ଠିକ୍‍ ସମୟରେ ତୁମେ ବି ସେଠି ପହଞ୍ଚିବ । ଡେରି କରିବନି । ଯେମିତି ଘଣ୍ଟା ଘଣ୍ଟା ଡେରିକରି ମତେ ଆଗରୁ ଅପେକ୍ଷା କରାଉଥିଲ । ଆଜି ସେମିତି ଯେପରି ନ କର । ରହିଲି, ବାଏ ।’

ସୁରେୟା ଆରପଟୁ ରିସିଭରଟା ରଖିଦେବା ପରେ ତରଲୋକ ବି ରିସଭରଟିକୁ ଥୋଇଦେଲା ଓ ସାଙ୍ଗେ ସାଙ୍ଗେ ଚିନ୍ତା ରାଜ୍ୟରେ ଡ଼ୁବିଗଲା । ମନେ ମନେ ଚିନ୍ତା କରିଚାଲିଲା: ସୁରେୟା ଆଜି ଚାରିଟାବେଳେ ତାକୁ କେମିତି ସ୍ୱାଗତ କରିବ । ଏତେ ବର୍ଷ ପରେ ସେ କେମିତି ଦିଶୁଥିବ । ସେଇ ପତଳା ଓ ଡେଙ୍ଗା ଚେହେରା ତା’ର ଥିବ ନା ୟା’ଭିତରେ ବାହାସାହା ହୋଇ ପାରିବାରିକ ସୁଖଶାନ୍ତି ଭିତରେ ମୋଟୀ ହୋଇଯିବଣି! ସୁଜାହତ୍‍ର ମୁହଁ ତରଲୋକ ଭଳି ହୋଇଥିବ ନା ସୁରେୟା ଭଳି?
ଏମିତି ଏମିତି ଅନେକ କଥା ଚିନ୍ତାକରି ତରଲୋକ ନିର୍ଦିଷ୍ଟ ସମୟର ଢେର୍‍ ସମୟ ପୂର୍ବରୁ ପହଞ୍ଚି ସାରିଥିଲା ଏଲିସିୟମ୍‍ ପାଖରେ ।

ଏକା ଏକା ସେଠାରେ ବସି ସେଇ ଚିନ୍ତାରେ ସେ ସମ୍ପୂର୍ଣ୍ଣ ରୂପେ ଡୁବି ଯାଇଥିଲା । ଏତିକିବେଳେ ତରଲୋକ କାନରେ ପଡ଼ିଲା ସୁରେୟାର ପରିଚିତ କଣ୍ଠସ୍ୱର । ବହୁଦିନରୁ ଶୁଭି ନ ଥିବା ସେହି ସ୍ୱର ଯେପରି ତରଲୋକର ସମ୍ବିତ ଫେରେଇ ଆଣିଲା । ଆରେ, ଭଲ ଲୋକ ତୁମେ? ମୋତେ ଚାରିଟାବେଳେ ଚା’ପାଇଁ ନିମନ୍ତ୍ରଣ କରି, ଏକା ଏକା କ’ଣ ବସି ଭାବିଚାଲିଛ? ମୁଁ କେତେବେଳୁ ଆସି ତୁମକୁ ଅପେକ୍ଷା କରିଛି ?’

‘ଆରେ, ନା ନା, ଏଇଠି ଏକା ଏକା ବସି ତୁମରି ଆସିବା କଥା ଭାବୁଥିଲି । ତୁମରି ବିଷୟରେ ଦିବାସ୍ୱପ୍ନ ଦେଖି ଚାଲିଥିଲି ।’ତରଲୋକ ନିଜ ଚେୟାର ଛାଡ଼ି ଉଠୁଉଠୁ କହିଲା । ‘ମିଛୁଆ କୋଉଠିକାର!’ ସୁରେୟା ସାମାନ୍ୟ ହସି ତରଲୋକକୁ କହିଲା ଓ ପୁଅ ସୁଜାହତକୁ ଆଗକୁ ଠେଲିଦେଇ କହିଲା,‘ଏଇ ଅଙ୍କଲ୍‍ ତରଲୋକ ସିଂ । ତାଙ୍କୁ ‘ହେଲୋ’ କରିଦିଅ । ଡାଡି ୟା’ଙ୍କ
ବିଷୟରେ ତୁମକୁ ଆଗରୁ କେତେ କଥା କହିଛନ୍ତି ।’

‘ସଲାମ ୱାଲେକମ୍‍, ଅଙ୍କଲ୍‍ ତରଲୋକ ।’

‘ୱାଲେକମ୍‍ ଅସଲ୍ଲା, ବେଟା ।’ସୁଜାହତର ମୁଣ୍ଡରେ ନିଜ ହାତ ବୁଲାଇ ଆଣୁ ଆଣୁ ତରଲୋଲ ସ୍ନେହର ପ୍ରତିମାନ୍ୟ ଜଣାଇଲେ । ସୁରେୟା ଓଠରେ ହସର କ୍ଷୀଣ ରେଖାଟିଏ ଖେଳିଗଲା ଓ ତା’ର ଆଖି ସତେ ଯେମିତି କ୍ଷଣକପାଇଁ ସତେଜ ହୋଇଉଠିଲା ।

ତରଲୋକ ୟା’ଭିତରେ ପ୍ରଥମେ ସୁଜାହତର ମୁହଁକୁ ଭଲଭାବେ ନିରୀକ୍ଷଣ କରି ନେଇଥିଲା ଓ ସୁରେୟା ମୁହଁର ଛାଞ୍ଚଭଳି ସୁଜାହତର ଚେହେରା ହୋଇଥିବା ଦେଖି ମନେମନେ ଆଶ୍ୱସ୍ତ ହୋଇଥିଲା । କେବଳ ତା’ର ହାତ ଓ ଗୋଡ଼ଗୁଡ଼ିକ ତରଲୋକର ହାତଗୋଡ଼ ଭଳି ଦିଶୁଥିଲା ।

:‘ବୋଲ୍‍ ବେଟା, ତୁ କ’ଣ ଖାଇବୁ?’
:‘ନା,ଧନ୍ୟବାଦ, ମୁଁ କିଛି ଖାଇବିନି ।’
:‘କାହିଁକି?’
:‘ମୋତେ ଚା’ କି କଫି ଭଲ ଲାଗେନି ।’
:‘ତା’ହେଲେ ଆଉ କିଛି ଖାଇପାରୁ ।’
:‘ହଟ୍‍ ଡଗ୍‍ ।’
:‘ଆଉ ମୋତେ ତ କିଛି ପଚାରୁନ? ଭଲ, ଯେତେବେଳେ ମୂଳଧନର ହିସାବ ଚାଲେ, ସେତେବେଳେ ସୁଧ ଆପଣାଛାଏ ବାଦ୍‍ ପଡ଼ିଯାଏ, ନୁହେଁ?’ ସୁରେୟା ଆଖି ନଚାଇ ହସିହସି ପଚାରିଲା ।
:‘ଓଃ, ମୁଁ ତ ପୂରାପୁରି ଭୁଲି ଯାଇଥିଲି । ହଁ, ତୁମେ କ’ଣ ନେବ?’
:‘କ’ଣ? ସବୁ ଭୁଲିଗଲଣି? ତୁମର ଯେ କିଭଳିଆ ଭୁଲା ମନ! ପାଇନ ଆପଲ କେକ୍‍, ଆଉ ଚା’ ।’

ୱେଟର ସଙ୍ଗେ ସଙ୍ଗେ ଚା’ଆଣି ଦେଇଗଲା । ସୁରେୟା ଦି’ଜଣଙ୍କପାଇଁ ଦି’କପ୍‍ ଚା’ ତିଆରି କଲା । ସେମାନେ ଦୁହେଁ ଚା’ ପିଉଥିବାବେଳେ ଆସି ପହଞ୍ôଚଲେ ଜେନେରାଲ ସର୍ଫରାଜ । ‘ହେଲୋ ତରଲୋକ!’ ଜେନେରାଲ ସର୍ଫରାଜ ବେଶ୍‍ ଆତ୍ମୀୟତାଭରା କଣ୍ଠରେ ସ୍ୱାଗତ କଲେ । ତରଲୋକ ହାତରୁ ଚା’କପ୍‍ଟି ତଳେ ଖସିପଡ଼ିଲା । ରୋସ୍ତୋରାଁ ଭିତରେ ଅନ୍ୟ ଟେବୁଲରେ ବସିଥିବା ଲୋକମାନେ କପଟି ପଡ଼ିବା ଶବ୍ଦ ଶୁଣି ସେଇଆଡ଼େ ବୁଲି ଚାହିଁଲେ । ତରଲୋକକୁ ଲାଗିଲା ସତେକି ସେଇ ମୁହୂର୍ତ୍ତରେ ସେ ନିଜର ସଂଜ୍ଞା ହରାଇବ ଓ ନିଶ୍ଚିହ୍ନ ହୋଇଯିବ ।

ସର୍ଫରାଜ ତାଙ୍କର ଜେନେରାଲ ୟୁନିଫର୍ମରେ ଥିଲେ । ହସିହସି ପରିହାସ କଲାଭଳି ପଚାରିଲେ, ‘ବାଃ! ମୁଁ ଶୁଣିଥିଲି ଶିଖ୍‍ମାନେ ବେଶ୍‍ ସାହସୀ ଲୋକ ବୋଲି । କିନ୍ତୁ ତୁମେ ଜଣେ ସୈନିକକୁ ଦେଖି ଏକବାର ଶେତା ପଡ଼ିଗଲ ଯେ!’ ତରଲୋକ ନିଜକୁ ସମ୍ଭାଳି ନେବାକୁ ଯାଇ ମୁହଁରେ କୃତ୍ରିମ ହସ ଫୁଟାଇ ଉତ୍ତର ଦେଲା, ‘ହଠାତ୍‍ ତୁମକୁ
ଦେଖି ବିଶ୍ୱାସ କରି ପାରିଲିନି ।’

ସର୍ଫରାଜଙ୍କପାଇଁ ସଙ୍ଗେ ସଙ୍ଗେ ଆଉ ଗୋଟିଏ କପ୍‍ ଚା’ଆଣିବାକୁ ୱେଟରକୁ ଅର୍ଡର ଦେଲା ତରଲୋକ । କାହିଁକି କେଜାଣି ଯେତେ ଚେଷ୍ଟା କରି ସୁଦ୍ଧା ସର୍ଫରାଜ ପରିବାର ଗହଣରେ ସେ ନିଜ ମନର ସ୍ଥିତିକୁ ସ୍ୱାଭାବିକ ରଖିପାରୁ ନ ଥିଲା । ପୁଣି ସବୁଠାରୁ ଅସ୍ୱସ୍ତି ସେ ଅନୁଭବ କରୁଥିଲା, ସୁଜାହତ ଯେତେଥର ତାକୁ ‘ଅଙ୍କଲ୍‍’ ବୋଲି ସମ୍ବୋଧନ କରୁଥିଲା । ସୁଜାହତ ‘ଅଙ୍କଲ’ବୋଲି ସମ୍ବୋଧନ କରିବାବେଳେ ସୁରେୟା ଟେବୁଲ ତଳେ ତରଲୋକର ପାଦକୁ ନିଜ ପାଦରେ ଟିପିଦେଇ ତା’ ମୁହଁକୁ
ଚାହିଁ ମୁରୁକି ହସି ଦେଉଥିଲା । କିନ୍ତୁ ଜେନେରାଲ ସର୍ଫରାଜ ବେଶ୍‍ ସ୍ୱାଭାବିକଭାବେ ତାଙ୍କ ଚା’ ପିଇ ଚାଲିଥାଆନ୍ତି ।

ଚା’ପିଇସାରି ନିଜର ମିଲିଟାରୀ ଷ୍ଟାଇଲରେ ନିଶ ଉପରେ ହାତ ବୁଲାଇ ଆଣି ଲାହୋର ସହରର ସେଇ ଅତୀତ ଦିନର ସ୍ମୃତିକୁ ସେମାନଙ୍କ ଆଲୋଚନା ଭିତରକୁ ଆଣିଥିଲେ । କିନ୍ତୁ କିଛି କ୍ଷଣ ପରେ ସୁରେୟା କିଛି ଗୋଟିଏ କଥା କହି ପ୍ରସଙ୍ଗର ମୋଡ଼ ବୁଲାଇ ଦେଇଥିଲା । ‘ସେସବୁ କଥା କହି ଏଠାରେ କାହିଁକି ସମୟ ନଷ୍ଟ କରିବା? ଆମର ଆଜି ସନ୍ଧ୍ୟା ସାତଟାବେଳେ ପାକିସ୍ତାନ ହାଇକମିଶନ ଦପ୍ତରରେ ଡିନର ଖାଇବାର ଅଝି । ସେକଥା ମନେ ଅଛି ନା ନାହିଁ?’ ସୁରେୟା ପଚାରିଲା ।

‘ସରି ଡାର୍ଲିଂ । ମୁଁ ତ ଏକଥା ପୂରାପୂରି ଭୁଲି ଯାଇଥିଲି । ତୁମେ ମନେ ନ ପକାଇଥିଲେ ମୁଁ ତ ଗପି ଚାଲିଥାଆନ୍ତି ।
ଯେତେହେଲେ ତରଲୋକ ସା’ବଙ୍କ ସାଙ୍ଗରେ ଏତେ ବର୍ଷ ପରେ ଦେଖା ହୋଇଛି ନା ।’ ତା’ପରେ ତରଲୋକ ଉଦ୍ଦେଶ୍ୟରେ ସେ କହିଲେ, ‘ଆଚ୍ଛା,ଦୋସ୍ତ୍‍, ଏବେ ଆମକୁ ଯିବାକୁ ପଡ଼ିବ । କିନ୍ତୁ ଆମେ ସମସ୍ତେ ପୁଣି ଆସନ୍ତାକାଲି ସକାଳେ ଭେଟିବା ଓ ଏକା ସାଙ୍ଗରେ ଲଣ୍ଡନ ସହର ବୁଲିବା । ନା’ କ’ଣ କହୁଛ ?’

ତା’ପରେ ଯେତେଦିନ ତରଲୋକ ଲଣ୍ଡନରେ ରହିଲା ପ୍ରାୟ ସର୍ଫରାଜଙ୍କ ପରିବାର ଭିତରେ ହିଁ ତା’ର ଅଧିକାଂଶ ସମୟ ବିତାଇଲା । କେଉଁଦିନ ବ୍ରିଟିଶ୍‍ ମ୍ୟୁଜିୟମ, ୱେଷ୍ଟମିନିଷ୍ଟର, ହାଇଡ୍‍ ପାର୍କରେ

ବୁଲା ତ କେଉଁଦିନ କେମ୍ବ୍ରିଜ, ଅକ୍ସଫୋର୍ଡ, ବର୍ମିଂହାମ୍‍ ବୁଲା । ୟା’ଭିତରେ ଲଣ୍ଡନରେ ଥିବା ଅନ୍ୟ ସାଙ୍ଗମାନଙ୍କୁ ଦେଖା କରିବାକୁ ସୁଦ୍ଧା ସେ ଭୁଲି ଯାଇଥିଲା । ସେମାନେ ତରଲୋକର ଏଇ ପୁରୁଣା ସମ୍ପର୍କର ନୂଆ ଯୋଗସୂତ୍ର କଥା ଜାଣି ତାକୁ କେତେ ପ୍ରକାର ଟାହି ଟାପରା କଲେ । ହେଲେ ସର୍ଫରାଜ, ସୁରେୟା ଓ ସୁଜାହତକୁ ଗୋଟିଏ ଦିନ ନ ଦେଖିଲେ ତରଲୋକ ପାଗଳ ପରି ହୋଇ ଯାଉଥିଲା । ସେ ତା’ର ଲଣ୍ଡନ ରହଣିର ସବୁ ସମୟ ସର୍ଫରାଜ ପରିବାର ସହ ବିତାଇବାକୁ ଚାହୁଁଥିଲା । ତାକୁ ଜଣା ନ ଥିଲା ଏଇ ସାକ୍ଷାତ ପରେ ଆଉ କେବେ ସୁରେୟାକୁ ସେ ଜୀବନରେ ଭେଟିବ ନା ନାହିଁ । ପୁଣି ଯଦି ଭେଟେ ତାହା କେବେ । ତା’ର ଭାରତୀୟ ବନ୍ଧୁମାନଙ୍କୁ ତ ସେ ଭାରତରେ ଭେଟିପାରିବ । କିନ୍ତୁ ସୁରେୟାକୁ ଭେଟିବାକୁ ସେ ପାକିସ୍ତାନ ଦୌଡ଼ି ଯାଇ ପାରିବନି କି ସୁରେୟା ତାକୁ ଦେଖିବାକୁ ଭାରତ ପଳାଇ ଆସି ପାରିବନି ।

ୟା’ ଭିତରେ ତା’ର ଲଣ୍ଡନ ରହଣିକାଳ କେତେବେଳେ ସରି ଯାଇଥିଲା, ସେ ନିଜେ ସୁଦ୍ଧା ସେ କଥା ଜାଣି ପାରି ନ ଥିଲା । ଯେଉଁଦିନ ସେ ଲଣ୍ଡନ ଛାଡ଼ି ଭାରତ ଫେରିବ ସେଇ ଦିନ ସବୁ ସାଙ୍ଗଙ୍କୁ ଫୋନ ଯୋଗେ ତା’ର ଫେରିଯିବା କଥା ଜଣାଇ ଦେଇଥିଲା । ସେଦିନ ସକାଳେ ସେ ଜଳଖିଆ ଖାଇସାରିବା ପରେ ସର୍ଫରାଜ ଦମ୍ପତ୍ତି ଓ ସୁଜାହତ ଆସି ତା’ରୁମରେ ପହଞ୍ଚିଥିଲେ । ତାକୁ ସେଦିନ ବେଶ୍‍ ରେଷ୍ଟଲେସ୍‍ ଲାଗୁଥିଲା । ନିର୍ଦ୍ଦିଷ୍ଟ ଭାବେ ସେଦିନ ତା’ ହାତରେ ସେମିତି କିଛି କାମ ବି କରିବାକୁ ନ ଥିଲା ।

‘ସକାଳୁ ସକାଳୁ ଏତେ ବ୍ୟସ୍ତ କାହିଁକି ତରଲୋକ ସା’ବ୍‍? ତୁମର ପ୍ଲେନ ବେଳ ତ ସାଢ଼େ ବାରଟାରେ ।’ସର୍ଫରାଜ ପଚାରିଲେ ।

‘ନା, ମତେ ଏୟାରଲାଇନ୍ସ ବସ୍‍ ଧରିବାକୁ ହେବ ଓ ସେଥିଲାଗି ମୋତେ ଦଶଟା ପଇଁଚାଳିଶ ସୁଦ୍ଧା ଟର୍ମିନାଲରେ ପହଞ୍ଚିବାକୁ ପଡ଼ିବ ।’

:‘ବସ୍‍ ଟର୍ମିନାଲକୁ ଯିବା ଦରକାର ନାହିଁ । ଆମେ ତୁମକୁ ହିଥ୍ରୋ ବିମାନବନ୍ଦରରେ ପହଞ୍ଚାଇ ଦେବୁ ।’
:‘ଆରେ ନା, ତୁମେମାନେ ଅଯଥାରେ କାହିଁକି ହଇରାଣ ହେବ? ଆଉ ପୁଣି ୟେ ଫର୍ମାଲିଟିର ବା ଦରକାର କ’ଣ?’

ହଠାତ୍‍ ସୁରେୟା ହସିହସି ଦାବି କଲାପରି କହିଲା, ‘ହଇରାଣ? ଫର୍ମାଲିଟି? ବାରଣା ବାଜିବା ଲାଗି ଏବେ ଆହୁରି ତିନି ଘଣ୍ଟା ବାକି ଅଛି । କିନ୍ତୁ ସର୍ଦାର ସା’ବ୍‍, ତୁମେ ଇଣ୍ଡିଆରେ ପହଞ୍ଚିବାକୁ ଏତିକିବେଳୁ ଅଥୟ ହୋଇପଡ଼ିଲଣି, ନୁହେଁ? ମୁଁ ତୁମର ସବୁ ଜିନିଷପତ୍ର ପ୍ୟାକ୍‍ କରିଦେଉଛି । ସେ ଦାୟିତ୍ୱ ତୁମେ ମୋ ଉପରେ ଛାଡ଼ିଦିଅ । ତୁମେ ସର୍ଫରାଜ ସାଙ୍ଗରେ ଗପସପ କର । କିଏ ଜାଣେ, ପୁଣି କେବେ ତୁମ ସାଙ୍ଗରେ ଦେଖା ହେବ କି ନା!’

ତରଲୋକ ନିଜପାଇଁ ଓ ସର୍ଫରାଜ ଲାଗି ବିଅର୍‍ ମଗାଇଲା ଓ ସୁରେୟା ଓ ସୁଜାହତ ଲାଗି ମିଲ୍କ ଚକୋଲେଟ । ଏଇ କଥାବାର୍ତ୍ତା ଭିତରେ ଗୋଟିଏ ଘଌକ୍ଷଗ୍ଧ;ା ହସଖୁସିରେ ବିତି ଯାଇଥିଲା । ପ୍ୟାକିଂ ତ ସରିଥିଲା । ତା’ପରେ ସମସ୍ତେ କାରରେ ବାହାରିଗଲେ ଏୟାରପୋର୍ଟ ଅଭିମୁଖେ । ତରଲୋକ ନିଜର ଲଗେଜ ସବୁ ‘ଚେକ୍‍ ଇନ୍‍’କରାଇଦେଇ ସାଙ୍ଗେସାଙ୍ଗେ ଫେରିଆସିଲା ସର୍ଫରାଜ ଦମ୍ପତ୍ତିଙ୍କ ନିକଟକୁ । ଏବେ ପ୍ଲେନରେ ସେ ବସିବାକୁ ଯିବ । ସୁଜାହତର କପାଳରେ ସ୍ନେହର ସୁମାଟିଏ ଦେଲା ତରଲୋକ । ତା’ପରେ ସୁରେୟାକୁ ‘ବାଏ’ କହି ବୁଲିପଡ଼ିଲା ସର୍ଫରାଜଆଡ଼େ । ସର୍ଫରାଜର ଦୁଇ
ହାତକୁ ଜାବୁଡ଼ି ଧରି କହିଲା, ‘ମୁଁ କିପରି ଭାବେ ଯେ ମୋ ଆନ୍ତରିକ ଧନ୍ୟବାଦ ତୁମକୁ ଜଣାଇବି…’

ସର୍ଫରାଜ ତରଲୋକର ଧନ୍ୟବାଦର ସଂଜ୍ଞା ବୁଝି ନ ପାରି କହିଲେ, ‘ମୋତେ ତୁମେ ଧନ୍ୟବାଦ ଦେବାର କାରଣ କ’ଣ, ତାହା ମୁଁ ବୁଝି ପାରୁନି, ତରଲୋକ । ବରଂ ମୁଁ ତୁମ ନିକଟରେ ଚିରଦିନ ଋଣୀ । ସେଥିଲାଗି ତୁମକୁ ମୋତେ ଧନ୍ୟବାଦ ଜଣେଇବା କଥା । ମୋତେ ବିଶ୍ୱାସ କର ବନ୍ଧୁ, ଯଦି ତୁମେ ଆମ ଦୁହିଁଙ୍କୁ ସୁଜାହତ ଭଳି ଗୋଟିଏ ସୁନ୍ଦର ଉପହାର ଦେଇ ନ ଥାନ୍ତ, ଲୋକଙ୍କ ତୁଣ୍ଡରୁ ବୋଧହୁଏ ମୋତେ ସାରା ଜୀବନ ଶୁଣିବାକୁ ପଡ଼ିଥାଆନ୍ତ ଯେ ସର୍ଫରାଜର ଉଦ୍ୟାନରେ କେବେ ଫୁଲ ଫୁଟେନି କି ଫଳ ଧରେନି । ମୋ ଜୀବନ ଅପୂର୍ଣ୍ଣ ରହି ଯାଇଥାଆନ୍ତା । ତୁମ ସୁରେୟା ବି ଦୁଃଖରେ ଭାଙ୍ଗି ପଡ଼ି ସାରିଥାଆନ୍ତା ।’

ତରଲୋକ କାନରେ ସର୍ଫରାଜର ଆଉ କିଛି ବକ୍ତବ୍ୟ ପଡ଼ିବା ପୂର୍ବରୁ ସେ ବୁଲିପଡ଼ି ଚାଲିଥିଲା କିଛି ଦୂରରେ ଅପେକ୍ଷାରତ ପ୍ଲେନ ଆଡ଼େ । ପଛକୁ ବୁଲି ଚାହିଁବାକୁ ତା’ର ଆଉ ସାହସ ପାଉ ନଥିଲା ।

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Leave A Reply

Your email address will not be published.