ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି
ରାମକୁମାର ଜଣେ ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ଏବଂ ହିନ୍ଦୀ ସାହିତ୍ୟିକ । ଗଳ୍ପ ଓ ଉପନ୍ୟାସ ରଚନା ପାଇଁ ସେ ଏକାଧିକ ମର୍ଯ୍ୟାଦାବନ୍ତ ପୁରସ୍କାର ଲାଭ କରିଛନ୍ତି । ଦେଶ ବିଭାଜନ କଥାବସ୍ତୁ ଉପରେ ତାଙ୍କର ଅନେକ କାଳଜୟୀ ଗଳ୍ପ ରହିଛି । ସେଥି ମଧ୍ୟରୁ ‘ପାକିସ୍ତାନୀ ଅତିଥି’ ଅନ୍ୟତମ । ଏହି ଗଳ୍ପ ଦେଶ ବିଦେଶର ପ୍ରାୟ ୫୦ରୁ ଅଧିକ ଭାଷାରେ ଅନୁଦିତ ଓ ଉଚ୍ଚ ପ୍ରଶଂସିତ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨
ମୂଳ ହିନ୍ଦୀ: ରାମକୁମାର
ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ ଗାଧୋଇ ଦେବାଲାଗି ଡାକ ଛାଡ଼ିଲା । ଅଗଣାର ଯେଉଁ କୋଣକୁ ଗଡ଼ାଣିଆ ନଳାଟିଏ ଲାଗିଥିଲା ସେଇଟା ହେଲା ସେମାନଙ୍କର ଗାଧୁଆଜାଗା । ଗାଧୁଆ ସ୍ଥାନ ଚାରିକାଡ଼ ଅଳ୍ପ ଉଚ୍ଚର ଇଟାକାନ୍ଥ ଉଠିଥିଲା । ସରସ୍ୱରତୀ ପୁଣି ଥରେ ଡାକ ପକେଇଲା, ‘ମୁନ୍ନୀ, ମୀଶା! ଜଲଦି ଆସ, ମୁଁ ତୁମ ଦିହିଁଙ୍କି ଗାଧୋଇ ଦେଲାପରେ ମୋର ଆହୁରି କେତେ ପାଇଟି ବାକି ଅଛି । ପରେ ଆଉ ସମୟ ହେବନି । କ’ଣ ତୁମ ଦ’ଜଣଙ୍କୁ ଶୁଭୁଛି ନା ନାଇଁ?’
ପିଲା ଦି’ଜଣ ସେମାନଙ୍କ ଖେଳରେ ବ୍ୟସ୍ତ ଥିଲେ । ସରସ୍ୱତୀ ଦି’ଜଣଙ୍କ ଖୁଆକୁ ଭିଡ଼ିଧରି ପୁଣି ଥରେ ତାଗିଦ୍ କଲା, ‘ପୋଡ଼ି ଯାଉନ! ସବୁବେଳେ ଧୂଳିଧୂଷର ହେଇ ଖେଳି ମଲ । ଭଲକରି ଚାଲିସୁଦ୍ଧା ପାରୁନ । କ’ଣ ତୁମ ଗୋଡ଼ ଛୋଟା ହୋଇଯାଇସଛି ?’
ଏଥର ସେମାନଙ୍କୁ ଟାଣି ଟାଣି ନେଇ ସେ ଗାଧୁଆ ଜାଗାରେ ଠିଆ କଲା । ପାଣି ଭର୍ତ୍ତି ବାଲତି ଦେଖି ଦୁଇଜଣଯାକ ପିଲା ସେଥିରେ ଚବର ଚବର କରି ଖୁସିରେ ଚାରିଆଡ଼େ ପାଣି ଫିଙ୍ଗାଫିଙ୍ଗି ଆରମ୍ଭ କରିଦେଲେ । ସରସ୍ୱତୀ ବିଗିଡ଼ିଯାଇ ପୁଣି ଚିତ୍କାର ଛାଡ଼ିଲା, ‘ଏମିତି ଦୁଷ୍ଟାମୀ ନକରି କ’ଣ ଦଣ୍ଡେ ଠିଆ ହୋଇପାରୁନ?’ ପିଲାଙ୍କ ହାତଘୂରା ଓ ପାଣି ଫିଙ୍ଗା ଭିତରେ ତା’ ଓଢ଼ଣୀଟା ବାଲତିରେ ଲାଖି ଭିଜିଗଲା ଓ ତଳେ ଖସିପଡ଼ିଲା । ଜଲଦି ଓଢ଼ଣୀଟିକୁ ତଳୁ ଉଠେଇ ସେ ଗାଧୁଆଘର ଅଧାକାନ୍ଥି ଉପରେ ତାକୁ ରଖିଦେଲା ।
ସରସ୍ୱତୀ ଦେଖିବାକୁ ବେଶ୍ ଡେଙ୍ଗୀ, ସ୍ୱାସ୍ଥ୍ୟବତୀ ଆଉ ସୁନ୍ଦରୀ । ପିଲା ଦିହେଁ ସେମିତି ପରସ୍ପର ଭିତରେ ପାଣି ଫିଙ୍ଗାଫିଙ୍ଗି ହୋଇ ସରସ୍ୱତୀର କୁର୍ତ୍ତା ପାଇଜାମାକୁ ଓଦା ପରିସାରିଥିଲେ । ସେମାନଙ୍କୁ ସାବୁନ ଲଗେଇ ଗାଧୋଇ ଦେଲାବେଳେ ଦିହିଁଙ୍କ ଆଖିରେ ସାବୁନ ଫେଣ ବାଜିଗଲା । ସେମାନେ ବଡ଼ ପାଟିରେ ଚିତ୍କାର ଛାଡ଼ିଲେ । ସରସ୍ୱତୀ ଦି’ପିଲାଙ୍କ ପିଠିରେ ବିଧାଟିଏ ଲେଖାଏଁ କଫିଦେଇ କହିଲା, ‘ଏଇ, ତୁମ ବାପାଙ୍କ ଫେରିବା ବେଳ ହେଲାଣି । ଖାଇବାକୁ ଏଇଲାଗେ ଆସିବେ । ଲୋକଟା କାମରୁ ଲେଉଟିଲା ବେଳକୁ ଭୋକିଲା ଥିବ । ସରକାରୀ କାମ ଦେଖିବାକୁ ଖରତରାରେ କୁଲି ମଦୁରିଆଙ୍କୁ ଜଗିବାକୁ ପଡ଼ୁଛି। ତୁମେ ଘରେ ବସି ଖାଲି ଗିଳୁଥାଅ ଆଉ ଖେଳୁଥାଅ!’
ଠିକ୍ ସେତିକିବେଳେ ବାହାର କବାଟରେ ଖଟ୍ଖଟ୍ ଶବ୍ଦ ହେଲା । ‘ହେଇଟି, ମୁଁ କହୁନଥିଲି, ସିଏ ଆଜି ଜଲଦି ଆସିବେ ବୋଲି?’ ଗାଧୁଆଘର ଚଟାଣ ଉପରେ ବସି ସରସ୍ୱତୀ କହିଲା । ଏଥର ବାହାର ଦରଜା ଆଡ଼େ ଚାହିଁ କହିଲା, ‘ଟିକିଏ ଅପେକ୍ଷା କର, ପିଲାଙ୍କୁ ଗାଧୋଇ ଦେଇସାରି ମୁଁ ଯାଉଛି ।’
ମୀଶା ପୁଣି ଥରେ ସୁଯୋଗ ପାଇ ପାଣି ବାଲତିକୁ ଚବରଚବର କରିବା ଆରମ୍ଭ କରିଦେଲା ‘ତୁମକୁ ମରଣ ହଉ!’ସରସ୍ୱତୀ ପୁଣି ଥରେ ଗାଳିଦେଲା ଓ ଦି’ପିଲାଙ୍କୁ ଟେକିନେଇ ଅଗଣାରେ ପଡ଼ିଥିବା ଖଟଟା ଉପରେ କଚିଦେଲା । ପିଲା ଦି’ଟାଙ୍କ ଦେହରୁ ପାଣି ଝରି ପଡ଼ୁଥାଏ । ସେଥିରେ ସରସ୍ୱତୀର କୁର୍ତ୍ତି ଆହୁରି ଭିଜିଗଲା ଓ ତା’ଦେହରେ ଜଡେଇ ରହିଲା । ପିଲାମାନଙ୍କ ଆଡ଼କୁ ଟାୱେଲଟା ଫିଙ୍ଗିଦେଇ ଦେହମୁଣ୍ଡ ପୋଛହେବା ଲାଗି ସେ ସେମାନଙ୍କୁ ତାଗିଦ୍ କଲା- ‘ନିଜେ ନିଜେ ଚୁପ୍ଚାପ୍ ପୋଛିହୁଅ । ମୁଁ ସାଙ୍ଗେ ସାଙ୍ଗେ ଆସୁଛି ।’
ସରସ୍ୱତୀ ଦାଣ୍ଡ କବାଟ ଖୋଲିବାକୁ ଗଲା ଓ ବଡ଼ ପାଟିକରି କହିଲା, ‘ମୁଁ ଜାଣିଛି , ତୁମେ ଆଜି ଜଲଦି ଆସିବ । ତୁମକୁ ଭୋକ କରିବଣି । ତୁମେ ଭଲପାଅ ବୋଲି ମୁଁ ଆଜି ଛତୁ ତରକାରୀ ରାନ୍ଧିଛି ।’
ଏତିକି କହି ସରସ୍ୱତୀ କିଳିଣି ଫିଟେଇ ଯାଉଁଳି କବାଟଟାକୁ ଟାଣି ଖୋଲିଦେଲା । କିନ୍ତୁ ତା’ ସ୍ୱାମୀ ବଦଳରେ ସେ ଦେଖିଲା ସାମ୍ନାରେ ଜଣେ ଅଚିହ୍ନା ଲୋକ ଠିଆ ହୋଇଛି । ଏକଥା ଦେଖି ସେ ଏତେ ଆଶ୍ଚର୍ଯ୍ୟ ହୋଇଗଲା ଯେ ତା କଥା ଅଧାରୁ ବନ୍ଦ୍ ହୋଇଗଲା । ଭୟ ଓ ବିସ୍ମୟରେ ସେ କଡ଼କୁ ଘୁଞ୍ଚଗଲା । ତା’ ମୁଣ୍ଡରେ ଦୁପଟ୍ଟାଟା ନଥିଲା । ତେଣୁ ସେ ତରତର ହୋଇ ଦୁପଟ୍ଟାଟା ଟାଣିଆଣି ନିଜ ମୁଣ୍ଡ ଓ ଛାତିରେ ବେଢ଼େଇ ହୋଇପଡ଼ିଲା । ପିଲା ଦି’ଜଣ ଖଟ ଉପରେ ବସି ଟାୱଲ ଖଣ୍ଡିକ ଟଣାଟଣି ହେଉଥିଲେ ଓ ଅଚିହ୍ନା ଲୋକକୁ ଚାହିଁ ପଚାରିଲେ – ‘ସିଏ କିଏ?’
ଲୋକଟି ଯେତିକି ଡେଙ୍ଗା ସେତିକି ହଟ୍ଟାକଟ୍ଟା । ତାଙ୍କ ମୁଣ୍ଡର ବାଳ କୁଞ୍ଚକୁଞ୍ଚିଆ ଓ ନିଶ ଖୁବ୍ ସୁନ୍ଦର ଭାବେ କଟାଯାଇଥିଲା । ପାଦରେ ହଳେ ପେଶୱାରୀ ମୋଟା ଚପଲ । ଲୋକଟି ହସିବାକୁ ଚାହୁଁଥିଲା କିନ୍ତୁ କାହିଁକି କେଜାଣି ନିଜ ଓଠକୁ ଚାପି କୌଣସିମତେ ହସକୁ ଲୁଚାଇନେଲା । ଅଚିହ୍ନା ଲୋକଟି ଗୋଟିଏ ହାତରେ ଚମଡ଼ା ବ୍ୟାଗ୍ଟିଏ ଓ ଅନ୍ୟ ହାତରେ କମ୍ବଳ ଖଣ୍ଡିଏ ଧରିଥିଲା । ଏଥର କେମିତି ଏକ ଆଗ୍ରହଭରା କଣ୍ଠରେ ସେ ପଚାରିଲା, ‘ମୋତେ ଚିହ୍ନିପାରୁନୁ?’ ଏତିକି କହି ସେ
ସାମାନ୍ୟ ହସିବାକୁ ଚେଷ୍ଟାକଲା । ଏଥର ସରସ୍ୱତୀ ତା’ ମୁହଁକୁ ଆହୁରି ଭଲଭାବେ ନିରୀକ୍ଷଣ କଲା । ମୁଣ୍ଡକୁ ଝୁଙ୍କେଇ ସେମିତି ଠିଆହୋଇ ରହିଲା । ସେତେବେଳକୁ ତା’ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଜକେଇ ଆସିଥିଲା ।
ଅଚିହ୍ନା ଲୋକଟି ଏଥର କହିଲା, ‘ମୁଁ ବଳଦେବ, ସରସ୍ୱତୀ । ତୁ ମତେ ଚିହ୍ନିପାରୁନୁ?’
ସରସ୍ୱତୀ ପୁଣି ଥରେ ତା’ ମୁହଁକୁ ଉଣ୍ଡିଲା ଓ ମୁଣ୍ଡକୁ ତଳକୁ କରି ଉଁ ଚୁଁ କିଛି ନକହି ନିଜ ପିଲାମାନଙ୍କ ନିକଟକୁ ଫେରିଆସିବା ଲାଗି ବୁଲି ପଡ଼ିଲା । ତା’ର ସେଇ ଧୀର ଓ ଅସ୍ଥିର ଚାଲି ସୂଚାଉଥିଲା ଯେ ସେ ବଳଦେବକୁ ଚିହ୍ନିପାରିଛି ।
ସତକୁ ସତ ତା’ର ପ୍ରତିଟି ମୁହୂର୍ତ୍ତର କଥା ସ୍ମରଣ ଥିଲା । ତା’ ମୁହଁର ଉତ୍କଣ୍ଠା ଦର୍ଶାଉଥିଲାଯେ ବଳଦେବକୁ ସେ ନିଶ୍ଚିତ ଭାବେ ଭୁଲିପାରି ନଥିଲା । ସତ କଥା ହେଲା, କବାଟ ଖୋଲିବା କ୍ଷଣି ହିଁ ସେ ତାକୁ ଚିହ୍ନି ପାରିଥିଲା । ପିଲା ଦି’ଜଣ ମାଆ ପାଖକୁ ଲାଗି ଆସିଲେ । ସେମାନେ କେମିତି ଭୟ ପାଇବା ପରି ଦିଶୁଥିଲେ । ହଚିହ୍ନା ଲୋକଟା କିଏ ବୋଲି ମନେମନେ ଆଶଙ୍କା କରୁଥିଲେ । ସରସ୍ୱତୀ ପିଲା ଦି’ଜଣଙ୍କୁ ଟାୱେଲରେ ପୋଛିପାଛି ଦେଲା । ବଳଦେବ ସେତେବେଳକୁ ଗୋଟିଏ ଗୋଟିଏ ପାହୁଣ୍ଡ ପକାଇ ଅଗଣା ଭିତରକୁ ଆସି ସାରିଥିଲା । ଏବେ ସେ ସରସ୍ୱତୀ ବସିଥିବା ଖଟ ଦାଢ଼ରେ ଆସି ଠିଆହେଲା । ସରସ୍ୱତୀ ଓ ଦି’ପିଲାଙ୍କ ମୁହଁକୁ ରହି ରହି ସେ ଚାହୁଁଥିଲା । ତା’ ମନ ଓ ମୁହଁରେ ଅସଂଖ୍ୟ ଭାବନା ଓ ଆବେଗ ଢେଉ ପିଟୁଥିଲା । ତା’ ଭିତରେ ଭାବାବେଗର ଅଣଚାଶ ସୃଷ୍ଟି ହେବା ସ୍ୱାଭାବିକ ଥିଲା ।
ସରସ୍ୱତୀ ହଠାତ୍ ଚମକି ଉଠିଲା ଓ ତାକୁ ଲାଗିଲାଯେ ଏପର୍ଯ୍ୟନ୍ତ ସେ ବଳଦେବକୁ ବସିବାକୁ ସୁଦ୍ଧା କହିନି । ଏବେ କାନ୍ଥ ପାଖକୁ ଡେରା ହୋଇଥିବା ଖଟିଆଟିକୁ ଟାଣି ଆଣି ସେ ଆଗକୁ ପେଲିଦେଇ ବଳଦେବକୁ ବସିବା ଲାଗି କହିଲା । ହାତରେ ଧରିଥିବା ବ୍ୟାଗ୍ ଓ କମ୍ବଳ ଖଣ୍ଡିକୁ ଖଟ ଉପରେ ଥୋଇ ବଳଦେବ ପଚାରିଲା, ‘ଏମାନେ କ’ଣ ତୋରି ପିଲା?’ ସରସ୍ୱତୀ ଏଥର ବି କିଛି ଜବାବ ଦେଲାନି । ତା’ ଚାରିକଡ଼ର ଘଟଣା ଓ ଶବ୍ଦ ପ୍ରତି ସତେ ଯେମିତି ସେ ସମ୍ପୂର୍ଣ୍ଣ ଅବଚେତନ ଥିଲା । ହାତରେ ଧରିଥିବା ଟାୱେଲ ଖଣ୍ଡିକରୁ ସୂତା ଖିଅଟିଏ ଟାଣି ସେ ତା’ ନିଜ ଭାବନାରାଜ୍ୟରେ ଡୁବି ଯାଇଥିଲା । ବଳଦେବ ପିଲା ଦିହିଁଙ୍କ ପାଖକୁ ଯାଇ ସ୍ନେହରେ ସେମାନଙ୍କ ମୁଣ୍ଡବାଳକୁ ସାଉଁଳେଇ ଆଣିଲା । ସେତେବେଳକୁ ତା’ ଆଖି ଛଳଛଳ ହୋଇସାରିଥିଲା ।
ଏଥର କେମିତି ଏକ ଗମ୍ଭୀର ସ୍ୱରରେ ସେ କହିଚାଲିଲା, ‘ମୁଁ ନିଶ୍ଚିତ ଥିଲି ଯେ ତୁ ପୁଣି ଥରେ ବାହାସାହା ହୋଇ ସାରିଥିବୁ । କାଇଁକି ନହେବୁ ଯେ? କିନ୍ତୁ ମୁଁ ଯେତେବେଳେ ଜାଣିଲି ତୁ ବଞ୍ଚିଛୁ , ତୋତେ ଭେଟିବା ଲାଗି ମୁଁ ଘର ଛାଡ଼ି ତୁରନ୍ତ ଦଉଡ଼ି ଆସିଲି । ସାଫି ଢେର୍ କନ୍ଦାକଟା କଲା ଓ ମୋତେ ଅଟକେଇବାକୁ ଚେଷ୍ଟା କଲା । ତୋର ସାଫି କଥା ମନେଅଛି ନା? ଆମ ମିସ୍ତ୍ରୀ ମିଆଁ ସରିଫର ଝିଅ? ତୁ ତାକୁ ଶେଷଥରେ ଯେତେବେଳେ ଦେଖିଥିଲୁ ସିଏ ସାନ ପିଲାଟିଏ ଥିଲା । ଏବେ ବଡ଼ ହେଇଗଲାଣି । ମୋ କାନ୍ଧ ପର୍ଯ୍ୟନ୍ତ ଉଚ୍ଚା ହେଲାଣି ।’
ବଳଦେବ ଦୃଷ୍ଟି ସରସ୍ୱରୀ ଉପରେ ହିଁ ନିବଦ୍ଧ ଥିଲା । ସେ ମନେମନେ ଭାବି ଚାଲିଥିଲା – ସେଇ ଅପରୂପ ସୁନ୍ଦର ଝିଅ – ଯାହାର ହୃଦୟଜିଣା ଚାହାଣି, ମନଲୋଭା ଓଠ ଓ ପୂରିଲା ପୂରିଲା ଶରୀର ଦିନେ ତା’ର ଥିଲା । ସିଏ ତା’ର ପତ୍ନୀ ଥିଲା । ପୁଣି ଥରେ କେମିତି ଏକଆପଣାପଣଭରା ଦୃଷ୍ଟିରେ ସେ ସରସ୍ୱତୀକୁ ଚାହିଁଲା । ସେଥିରେ ସ୍ନେହ ଓ ଆତ୍ମୀୟତା ଭରି ରହିଥିଲା । କିନ୍ତୁ ନିଜ ମନ ଭିତରେ ଉଠୁଥିବା ଝଡ଼କୁ ସେ ନିଜ ଭିତରେ ହିଁ ଚାପି ରଖିବାକୁ ଚେଷ୍ଟା କଲା । ସରସ୍ୱତୀ ଲାଜରେ ଗୋଟାପଣେ ଜଡ଼ସଡ଼ ହୋଇ ଉଠୁଥିଲା । ସେତେବେଳକୁ ସେ ଝାଉଁଳି ପଡ଼ିଲା ପରି ଦିଶୁଥିଲା । ତା’ମୁହଁ ଦୁଃଖରେ ରଙ୍ଗା ପଡ଼ିଯାଇଥିଲା । କାନମୂଳରୁ ଖସି ଆସିଥିବା ଚେନାଏ କେଶ ତା’ ମୁହଁ ଉପରେ ଘୂରି ବୁଲୁଥିଲା । ଆଖିରେ ଆଖିଏ ଲୁହ ଢଳଢ଼ଳ ହେଉଥିଲା । ସେଥିରୁ କେଇବୁନ୍ଦା ଗାଲ ଉପରେ ପଡ଼ି ପୁଣି ତଳକୁ ଖସି ପଡ଼ିଲା ।
ବଳଦେବ ସେଇଠି ସେମିତି ବସି ରହିଥିଲା ଓ ଅନ୍ୟମନସ୍କ ଭାବେ ନିଜ ଗୋଡ଼ ବୁଢ଼ାଆଙ୍ଗୁଠିରେ ତଳେ ବୃତ୍ତ ଓ ଗାର ଟାଣି ତାକୁ ଲିଭେଇ ଚାଲିଥିଲା । ଏମିମତି କିଛି ସମୟ କରିବା ପରେ ସେ ତୁଣ୍ଡ ଖୋଲିଲା, ‘ମୁଁ ଏବେ ପାକିସ୍ତାନରୁ ଆସିଛି ।’ ସରସ୍ୱତୀ ପୁଣି ଥରେ ବଳଦେବର କଣ୍ଡସ୍ୱର ଶୁଣି ଚମକି ପଡ଼ିଲାପରି ମୁହଁ ଉପରକୁ କରି ଚାହିଁଲା । ଏଥର ବଳଦେବ ମୁହଁରେ ସାମାନ୍ୟ ହସ ଫୁଟାଇ କହିଲା, ‘ହଁ, ପାକିସ୍ତାନରୁ । ଆମ ଟାଉନ ମିଆଁୱାଲୀରୁ । ଏବେ କିନ୍ତୁ ମୁଁ ଏଇଠି ରହିବି ।
ନା କ’ଣ କହୁଛୁ ?’
ଏତିକିବେଳେ ହଠାତ୍ ଜଣେ ବୃଦ୍ଧା ଆସି ଅଗଣାରେ ପହଞ୍ଚିଲେ । ଅଗଣାକୁ ଆସିବାବେଳକୁ ତାଙ୍କ ମୁହଁରେ ହସ ଲାଗିରହିଥିଲା । କିନ୍ତୁ ବଳଦେବକୁ ସାମ୍ନାରେ ଦେଖି ସେ ହଠାତ୍ ଆବାକାବା ହୋଇଗଲେ । ସେ ଆଁଟା କରି ତା’ରି ଆଡ଼କୁ ଚାହିଁ ରହିଲେ । କେଇଥର ଆଖି ବନ୍ଦ୍ କରି ଖୋଲି ତାକୁ ଭଲକରି ନିରୀକ୍ଷଣ କଲେ । ସତେ ଯେମିତି ସେ ତାଙ୍କ ନିଜ ଆଖିକୁ ବିଶ୍ୱାସ ସୁଦ୍ଧା କରିପାରୁ ନଥିଲେ । ଏଥର ଗୋଟିଏ ଗୋଟିଏ କାହୁଣ୍ଡ ପକାଇ ସେ ବଳଦେବ ନିକଟକୁ ଯାଇ ପଚାରିଲେ, ‘ତୁ ବଳଦେବଟି ?’
ବଳଦେବ ହଠାତ୍ ଠିଆ ହୋଇପଡ଼ିଲା ଓ ବୃଦ୍ଧାଙ୍କ ପାଦଛୁଇଁ ମୁଣ୍ଡିଆ ମାରୁ ମାରୁ କହିଲା, ‘ହଁ ଆମ୍ମା, ତୁମେ ତ ହେଲେ ମତେ ଚିହ୍ନିପାରିଲ ।’
‘ତତେ କାଇଁକି ଚିହ୍ନିବିନି କହିଲୁ? ହେଲେ… ଆମେ ତ କେବେ ଭାବିନଥିଲୁ ତୁ ଆଉ ବଞ୍ଚିଛୁ ବୋଲି । ଆମେ ଭାବିଥିଲୁ ଦଙ୍ଗାରେ … ତୁ…!’
ତାଙ୍କୁ ତୁଣ୍ଡରେ କଥା ଅଧା ରହିଗଲା । ସେ ଚୁପ୍ ପଡ଼ିଗଲେ । ଏଥର ସେ ନିଜ ଝିଅଆଡ଼େ ଚାହିଁ ଆକଟ କଲାପରି କହିଲେ, ‘ତୁଁ ସେଠି କାଇଁକି ବସିଚୁ ଶୁଣେ? ତୋ ମୁହଁରେ କ’ଣ ଲାଜ ସରମ ବୋଲି କିଛି ନାହିଁ? ଘର ଭିତରକୁ ଯା’ । ଲଜ୍ଜା ଓ ଆଘାତ ପାଇଲାପରି ସରସ୍ୱତୀ ନିଜ ମୁଣ୍ଡ ଉପରେ ଓଢ଼ଣୀଟି ଟାଣିନେଇ ନିଜ ଦି’ପିଲାଙ୍କୁ ଭିଡ଼ିଧରି ଘର ଭିତରକୁ ଚାଲିଗଲା । ତା’ର ମାଆ ଏବେ ବଳଦେବ ପାଖରେ ଖଟ କଡ଼କୁ ମସିପଡ଼ି ସେମିତି କହିଚାଲିଲେ, ‘ଭଗବାନଙ୍କୁ କୋଟି ଦଣ୍ଡବଦ, ତୋତେ ବଞ୍ଚେଇ ରଖିଚନ୍ତି । ତୋ ଉପରେ କାହାରି ଅଶୁଭ ନଜର ନପଡ଼ୁ । ହେଲେ ଏବେ ମୁଁ କ’ଣ କରିବି? ଆମେ ତ ଭାବିନଥିଲୁ ଯେ ଆଉ ଥରେ ତୋ ସାଙ୍ଗରେ ଭେଟ ହେବ । ଆମେ ଭାବିସାରିଥିଲୁ ଯେ ତୁ… ନା,ନା, ସିଏ ଅଲକ୍ଷଣା କଥା ମୁଁ ତୁଣ୍ଡରେ ଧରିବିନି । ମୋ ଜିଭ ଛିଣ୍ଡିପଡ଼ୁ, ମୋତେ ମରଣ ହଉ । ସେଇ ମରଣ କଥା ଭାବିଲେ ପରା ମୋ ଛାତି ଥରିଉଠୁଛି ।
କିନ୍ତୁ … ମୁଁ ଏବେ କ’ଣ କରିବି ମତେ କିଛି ବୁଦ୍ଧିବାଟ ଦିଶୁନି ।’
ଏଥର ବୃଦ୍ଧା ଜଣକ ଉଠିପଡ଼ି ସରସ୍ୱତୀ ବସିଥିବା କୋଠରୀ ଭିତରକୁ ପଶିଗଲେ ଓ ପର ମୁୁହୂର୍ତ୍ତରେ ସେ କହୁଥିବାର ଶୁଭିଲା, ‘ଆଲେ ସରସ୍ୱତୀ, ଏବେ ଆମେ କରିବା କ’ଣ? ତୁ କହ, କ’ଣ କରିବା, ମୋ ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁନି ।’ କିନ୍ତୁ ସରସ୍ୱତୀ କିଛି କହିବା ଆଗରୁ ସେ ପୁଣି ଅଗଣାକୁ ଲେଉଟି ଆସିଲେ । ବାହାରୁ କାହାକୁ ଡାକି ଆଣିବା ଲାଗି ତରତର ହୋଇ ଘରୁ ପଦାକୁ ବାହାରିଗଲେ । ହେଲେ ବଳଦେବ ବୃଦ୍ଧାଙ୍କ ଆଗରେ ଠିଆହୋଇ ତାଙ୍କୁ ରୋକିଲା । ବାରଣ କଲା । ତା’ପରେ ତାଙ୍କ କାନ୍ଧରେ ହାତଥାପି ଖଟ ଉପରେ ବସାଇଲା ଓ ବୁଝେଇବା ଭଳି ସ୍ୱରରେ କହିଲା, ‘ଆମ୍ମା, ତୁମେ ଏତେ ବ୍ୟସ୍ତ ବିବ୍ରତ କାଇଁକି ହଉଛ କହିଲ? ମୋତେ ଦେଖି କ’ଣ ତୁମେ ଖୁସି ନୁହଁ?’
ସରସ୍ୱତୀର ମାଆ ନିଜ ଦୁପଟ୍ଟାର ଦୁଇମୁଣ୍ଡକୁ ଜୋରରେ ଭିଡ଼ିଧରି ତା’ରି ଭିତରେ ମୁହଁକୁ ଲୁଚେଇନେଲେ । ଏଥର କଇଁକଇଁ ହୋଇ କାନ୍ଦି ସେ କହିଚାଲିଲେ, ‘ମୋ ଝିଅର ଜୀବନ ବରବାଦ ହେଇଗଲା । ତା’ର ସବୁ ମାନଇଜ୍ଜତ ମାଟିକାଦୁଅରେ ମିଶିଗଲା… ଏବେ ଦି’ ଦି’ଟା ଗେରସ୍ତ । ହେ ଭଗବାନ… ମତେ ଯାହା ମରଣ ନହେଲା! ଆଲୋ ସରସ୍ୱତୀ, ତୁ ମୋ ପାଟିରେ ଟିକେ ବିଷ ଦେଇଦେ’ଲୋ… ବସୁଧା ଫାଟି ଦି’ଫାଳ ହେଇଯାଉ, ମୁଁ କବର ପାଇଯାଏ… ଆଲୋ ପାକିସ୍ତାନର ମାନଇଜ୍ଜତ ଧରି ତ ଆସିଲୁ ।
ଏବେ କିନ୍ତୁ ସବୁ ସରିଗଲା… ଏବେ ମରଣ ଇଁ ତୋ ମାନ ଇଜ୍ଜତ ବଞ୍ଚେଇ ପାରିବ ଲୋ…’
ସରସ୍ୱତୀ ବି ସେତେବେଳକୁ କଇଁକଇଁ ହୋଇ କାନ୍ଦିବା ଆରମ୍ଭ କରି ସାରିଥିଲା । ବେଳକୁ ବେଳ ତା’ର କାନ୍ଦଣା ଅଧିକ ସ୍ପଷ୍ଟ ହେବାରେ ଲାଗିଥିଲା । ବଳଦେବ ଅଗଣାରେ ଚୁପ୍ଚାପ୍ ମୁଣ୍ଡକୁ ତଳକୁ ପୋତି ସେମିତି ଠିଆ ହୋଇ ରହିଥିଲା । ତା’ ତୁଣ୍ଡରୁ ଶବ୍ଦଟିଏ ସୁଦ୍ଧା ବାହାରୁ ନଥିଲା । ଏମିତି କିଛି ସମୟ ବିତିବାପରେ ସେ ସାହସ କୁଳେଇ ଧୀରେ କହିଲା, ‘ଆମ୍ମା, ମୁଁ ଭାବିନେଇଥିଲି ଯେ ଦଙ୍ଗାରେ ତୁମେ ସମସ୍ତେ ମରିସାରିଚ । ସରସ୍ୱତୀର ଚାଚାଙ୍କ ଶବକୁ ତ ମୁଁ ନିଜେ ଭୋଳାଙ୍କ ଘରେ ଦେଖିଥିଲି ।
ସେମାନଙ୍କ ଘର ଆଗରେ ରାମଚନ୍ଦ୍ର ଓ ତାଙ୍କ ପୁଅ ମରିପଡ଼ିଥିବା ବି ମୁଁ ଦେଖିଥିଲି । ମୋରି ଆଖି ଆଗରେ ନବନୀତ ଓ ଲାଜବନ୍ତୀଙ୍କୁ ଦଙ୍ଗାକାରୀମାନେ ସେମାନଙ୍କ ଛାତ ଉପରୁ ତଳକୁ ଫିଙ୍ଗିଦେବା ମୁଁ ଦେଖିଛି । ସେତେବେଳେ ତ କିଛି ଛୋଟିଆ ଗଣ୍ଡଗୋଳ ଲାଗିନଥିଲା । କି ଭୟଙ୍କର ଦଙ୍ଗା! କେତେ ହାଟକାଟ, ପୋଡ଼ାଜଳା! କି ଆତଙ୍କର ଦିନ! ସୀମାର ଦି’ପଟେ ଏକା ଅବସ୍ଥା; ସତେ କି ଲହୁର ନଈ ବହୁଥିଲା! ମୋତେ ତ ଖବର ମିଳିଥିଲା ଯେ ସେଇ ଦଙ୍ଗାରେ ତୁମେ ସମସ୍ତେ ପ୍ରାଣ ହରେଇଚ । ତୁମ ଭିତରୁ ଯେ କେହି କେହି ଜଣେ ହେଲେ ବର୍ତ୍ତିନ । ମୋତେ ଯାହା ଖବର ମିଳୁଥିଲା ସେକଥାକୁ ମୁଁ କେମିତି ଅବା ଅବିଶ୍ୱାସ କରିଥାନ୍ତି?’
ଆହତ ବାଘୁଣୀଟିଏ ପରି ସରସ୍ୱତୀର ମା’ ଚିତ୍କାର ଛାଡ଼ିଲେ, ‘ହେଲେ କାଇଁକି? କାଇଁକି ଆମକୁ ଖୋଜିବା ଲାଗି ତୁ ଚେଷ୍ଟା କଲୁନି? ପ୍ରଥମେ ମୋ କଥାର ଜବାବ ଦେ ।’ ‘ଆମ୍ମା, ମୁଁ ଭଲ କ’ଣ କରିପାରିଥାନ୍ତି? ଯେତେବେଳେ ମୁଁ ସମସ୍ତଙ୍କଠାରୁ ଶୁଣି ବିଶ୍ୱାସ କରିନେଇଥିଲିଯେ ତୁମେମାନେ ମରିସାରିଚ, ଆଉ ଖୋଜାଖୋଜି କେଉଁଠି କରିଥାନ୍ତି,ଅବା କ’ଣ ପାଇଁ କରିଥାନ୍ତି?’
‘ଆମେ ତ ପୁଣି ତୋ ବିଷୟରେ ସେଇ ଏକା କଥା ଶୁଣିଥିଲୁ । ଆମେ ବି ଭୁଲି ନଥିଲୁ । ମୁଁ ତ ଚାହିଁନଥିଲି ଯେ ଦଙ୍ଗାରେ ତୁ ପ୍ରାଣ ହରା ବୋଲି… ତା’ହେଲେ ସରସ୍ୱତୀକୁ ମୁଁ ଅନ୍ୟ ଜାଗାରେ, ଆଉ ଜଣକୁ ବାହା ଦେବି । ବାପା-ମାଆମାନେ ଏତେ ନୀଚନଚ ନୁହନ୍ତିରେ ପୁଅ । ନାଇଁ, କେବେ ସେମାନେ ଏତେ ନିଷ୍ଠୁର ହୋଇପାରିବେନି ।’ ବୁଢ଼ୀ ଆଖିରୁ ଲୁହ ଗଡ଼ି ଚାଲିଥିଲା । ସେ ସେମିତି ହାଉଳି ଖାଇ ଚାଲିଥିଲା । ‘ତୋ ବିଷୟରେ ଆମକୁ କେହି କିଛି ହେଲେ ଖବର ଦେଇନଥିଲେ । ସରସ୍ୱତୀ ଓ ମୁଁ ତୋତେ ଚାରିଆଡ଼େ ଖୋଜାଖୋଜି କଲୁ । ସବୁ ରେଳ ଷ୍ଟେସନକୁଯାଇ ତୋତେ ଅପେକ୍ଷା କଲୁ । ପ୍ରତି ଟ୍ରେନକୁ ତଲାସିଲୁ । ଯେତେ କାନ୍ଦବୋବାଳି କଲୁ, ଯେତେ ଖୋଜିଲୁ କେଉଁଠି ପାଇଲୁନି । ଆମକୁ ଯେତେବେଳେ ଖବର ମିଳିଲାଯେ ତୋ ବାପାମାଆ ଓ ଭାଇମାନେ ଦଙ୍ଗାରେ ପ୍ରାଣ ହରାଇଚନ୍ତି, ଆମେ କେମିତି ବିଶ୍ୱାସ କରିଥାନ୍ତୁ ଯେ ତୁ ଏକା ବର୍ତ୍ତିଯାଇଛୁ ବୋଲି ?’
‘ପୁଅରେ, ଆମେ ବଞ୍ଚିବୁ କି ମରିବୁ ସେକଥା ଭଗବାନଙ୍କ ହାତରେ ଅଛି । ସେଇ ଭଗବାନ ଯିଏ ଆମ ଉପରେ ବେଳେବେଳେ ବିପଦର କଳାବାଦଲ ଆଣି ଲଦି ଦେଇଥାନ୍ତି ।’
‘ଆମ୍ମା, ତୁମେ କ’ଣ ମୋତେ ଦିନେ ଖୋଜିପାଇବ ବୋଲି ଅପେକ୍ଷା କରିପାରି ନଥାନ୍ତ?’
‘ଅପେକ୍ଷା? ମୋ ଝିଅ ମରିବାର ଶେଷ ଦିନ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥାନ୍ତି । ଆମେ କାହାକୁ ତା’ ଚିତାରେ ନିଆଁ ଲଗାଇବାକୁ ଦେଇନଥାନ୍ତି । ଯଦି ମୁଁ ଜାଣିଥାନ୍ତି ଯେ ତୁ ବଞ୍ଚିଛୁ ବୋଲି । ତା’ ଖୁଆରେ ଗୁଳି ବାଜିଲାବେଳେ ସରସ୍ୱତୀ ତ ପୂରା ମରି ସାରିଥିଲା କହିଲେ ଚଳେ । ହଁ, ମରି ଯାଇଥିଲେ ଭଲ ହୋଇଥାନ୍ତା । ହେଲେ ମଲାନି । ବଞ୍ଚି ରହିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁନ୍ଦର ଦାସ ତାକୁ ଆଣି ଆମରି କ୍ୟାମ୍ପରେ ପହଞ୍ଚେଇ ଥିଲା । ଆମକୁ ବଞ୍ଚେଇବା ଲାଗି ସିଏ ବାରମ୍ବାର ନିଜ ଜୀବନକୁ ବିପଦ ମୁହଁରେ ପକେଇଥିଲା । ଆମେ ଭାରତରେ ନିରାପଦରେ ପହଞ୍ଚିବାଯାଏ ସେ ହିଁ ଆମରି ରକ୍ଷାକର୍ତ୍ତା ସାଜିଥିଲା । ବଳଦେବ ବି ତା’ ବାହୁରେ ଥିବା ଗଭୀର କ୍ଷତଚିହ୍ନକୁ ଦେଖେଇଲା ଓ କହିଲା, ‘ଏଇଠି ହାତରେ ଗୁଳି ବାଜିଥିବାରୁ ମୁଁ ଆମ ବାଲକୋନୀ ଉପରେ ମୂର୍ଚ୍ଛାହୋଇ ପଡ଼ିଥିଲି । ନହେଲେ ତୁମମାନଙ୍କୁ ରକ୍ଷା କରିବାଲାଗି ମୁଁ ମଧ୍ୟ ଆସିପାରିଥାନ୍ତି ।’
ସେତେବେଳକୁ ସରସ୍ୱତୀଙ୍କ ଅଗଣାରେ କିଛି ଲୋକ ଆସି ରୁଣ୍ଡ ହୋଇସାରିଥିଲେ । ସରସ୍ୱତୀର ବୟୋବୃଦ୍ଧ ବାପା, ତା’ର ମାଇଁ ଓ ସାଇପଡ଼ିଶାର ଆଉ କିଛି ଲୋକ । ସମସ୍ତେ କିଛି ଠଉରାଇ ପାରୁନଥିଲେ । କାହାରି ତୁଣ୍ଡରେ କିଛି ଭାଷା ନଥିଲା । ଏବେ ସରସ୍ୱତୀର ମାଆ ଜୋରରେ ହାଉଳି ଖାଇଲାପରି ରଡ଼ି ଛାଡ଼ିଲା, ‘ଆରେ, ତୁମେମାନେ କ’ଣ କେହିହେଲେ ତାକୁ ଚିହ୍ନିପାରୁନ? ମୋ ଝିଅ ମୁହଁରେ କଳାବୋଳିବା ଲାଗି ସିଏ ଆସି ପହଞ୍ଚିଛି । ଏବେ ସାରା ଦୁନିଆ ଆମକୁ ଚାହିଁ ହସିବ । ଉପହାସ କରିବ ।’
ସରସ୍ୱତୀର ବାପା କେଇ ପାହୁଣ୍ଡ ଆଗକୁ ଆଗେଇ ଆସିଲେ । ଅନ୍ୟମାନେ ସେମିତି ଯେଝାଯେଝା ସ୍ଥାନରେ ଠିଆ ହୋଇ
ରହିଥାନ୍ତି ।
ଲାଲା ବୋଧରାଜ ତା’ ମୁହଁକୁ ଚାହିଁ ପଚାରିଲେ, ‘ତୁ କ’ଣ ସତରେ ବଳଦେବ?’ ତାଙ୍କ କଣ୍ଠସ୍ୱର ଥରଥର । ନିଜର ସେଇ ମୋଟା ନିଶ ହଳକ ପଛରୁ ସେ ଶବ୍ଦ କେମିତି ଅସ୍ପଷ୍ଟ ଶୁଭୁଥିଲା ।
‘ହଁ, ଲାଲାଜୀ ।’ ବଳଦେବ ଏତିକି କହି ନଇଁପଡ଼ି ତାଙ୍କ ପାଦ ଛୁଇଁଲା ।
‘ହେଲେ ତୁ ଏତେ ଦିନ ଥିଲୁ କେଉଁଠି?’ ‘ପାକିସ୍ତାନରେ । ଆମ ନିଜ ଘରେ ଥିଲି ଲାଲାଜୀ ।’
‘ପାକିସ୍ତାନରେ? ତା’ହେଲେ ଏତେଦିନ ତୁ ସେଠାରେ କରୁଥିଲୁ କ’ଣ?’
ନିଜର ତଳ ଓଠକୁ ଦାନ୍ତରେ କାମୁଡ଼ି ଧରି ବଳଦେବ କହିଲା, ‘ଯାହା ମୁଁ ସଦାବେଳେ କରୁଥିଲି, ସେଇଆ । ମୋ ଛୋଟ ଦୋକାନ ଖଣ୍ଡ଼ି ଚଳାଉଥିଲି ।’
‘ତୁ ବଡ଼ ବିଚିତ୍ର ପିଲା । ତୁ ଭାରତକୁ ପଳେଇ ଆସିଲୁନି କାଇଁକି?’
‘ହଁ, ପାରିଥାନ୍ତି । କିନ୍ତୁ ମୁଁ ଭାବିଲି ମୋର ତ ଆଉ କେହି ସମ୍ପର୍କୀୟ ବଞ୍ଚିନାହାନ୍ତି । ତା’ହେଲେ ଭାରତ ଆସି ଆଉ କି
ଫାଇଦା?’
‘ଆଚ୍ଛା କହିଲୁ, ତୋ ଜୀବନ ପ୍ରତି ସେଠାରେ କିଛି ବିପଦ ନଥିଲା?’
ବଳଦେବ ମୁହଁରେ ଚେନାଏ ଶୁଖିଲା ହସ ଫୁଟେଇ କହିଲା, ‘ସେମାନେ ତାଙ୍କ ହିସାବରେ ମୋତେ ମାରି ସାରିଥିଲେ । ଯେତେବେଳେ ହଜାର ହଜାର ଶରଣାର୍ଥୀଙ୍କ ମର ଶରୀର ଆସି ପାକିସ୍ତାନରେ ପହଞ୍ଚିଲା, ମୋର ସେଠାରେ ଆଉ ତିଷ୍ଠି ରହିବା ଅସମ୍ଭବ ବୋଲି ମୁଁ ଭାବିଲି । କିନ୍ତୁ ଭଗବାନଙ୍କ ଦୟାରୁ ମୋର କେତେଜଣ ପଡ଼ିଶା ଓ ସାଙ୍ଗସାଥୀଙ୍କ ଲାଗି ମୁଁ ବଞ୍ଚିଗଲି । ମିଆଁ ସରିଫ ଓ ହେଡମାଷ୍ଟର ମାଲିକ ଖୁଦାଦାଦ୍ – ସେମାନେ ମୋତେ ଖୁବ୍ ସାହାଯ୍ୟ କଲେ । ମୋର ଯେମିତି କିଛି କ୍ଷତି ନଘଟେ ସେମାନେ ସବୁପ୍ରକାର ବନ୍ଦୋବସ୍ତ କରିଥିଲେ । ଦଙ୍ଗାକାରୀମାନଙ୍କ ଠାରୁ ମୋତେ ଲୁଚେଇ ରଖିଥିଲେ । ମୁଁ ଆଜି ଯଦି ଜୀବନ ଧରି ଅଛି, ତା’ହେଲେ ସେମାନଙ୍କ ସାହାଯ୍ୟ ଲାଗି ହିଁ ବଞ୍ଚିପାରିଛି । ମୋ ଘର ଓ ଦେକାନ ବି ସେମିତି ନିରାପଦ ରହିଛି ।’ କିନ୍ତୁ ବଳଦେବର ଏଭଳି କଥା ଲାଲା ବୋଧରାଜଙ୍କୁ ସନ୍ତୁଷ୍ଟ କରିପାରିଲାନି । ସେ କେମିତି ବ୍ୟସ୍ତ ବିବ୍ରତ ହେଲାଭଳି ପଚାରିଲେ, ‘ଆଚ୍ଛା, ତୁ କ’ଣ ସେଠାରେ କାହାକୁ ବାହାସାହା ହେଇଛୁ ?’
‘ବାହାସାହା?’ ବଳଦେବ ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲା ଓ ସେଠାରେ ରୁଣ୍ଡ ହୋଇଥିବା ସମସ୍ଦଙ୍କ ମୁହଁକୁ କେମିତି ଏକ ଯନ୍ତ୍ରଣାସିକ୍ତ ଚାହାଣିରେ ଚାହିଁଲା । ଅପରିଚିତ ଲୋକମାନେ ତାକୁ ଘେରି ଠିଆ ହୋଇଥିଲେ । ସଭିଏଁ ସମ୍ଭବତଃ ତା’ ତୁଣ୍ଡରୁ ଏଇ ପ୍ରଶ୍ନର ଉତ୍ତର ଚାହୁଁଥିଲେ । ସେଇ ଗୋଯିଏ ପ୍ରଶ୍ନର ଉତ୍ତର ସେମାନଙ୍କୁ ସନ୍ତୁଷ୍ଟ କରିବା ପରି ଲାଗୁଥିଲା । ବୋଧହୁଏ, ସାମ୍ନା କୋଠରୀର କବାଟ ପଛରେ ଠିଆହୋଇ ଆଖିରୁ ଲୁହ ଗଡ଼ାଉଥିବା ସରସ୍ୱତୀ ସୁଦ୍ଧା ଏଇ ପ୍ରଶ୍ନର ଉତ୍ତର ଲାଗି ପ୍ରତୀକ୍ଷା କରୁଥିଲା ।
ସେମାନେ ବଳଦେବଠାରୁ କି ପ୍ରକାର ଉତ୍ତର ଆଶା କରୁଥିଲେ? ସରସ୍ୱତୀର ମାଆ ତ ସେତେବେଳକୁ ଉତ୍କଣ୍ଠା ଓ ଆଶଙ୍କାରେ ଗୋଟାପଣେ ଥରୁଥିଲା । ବିଚରା ବୁଢ଼ା ବ।। ମଧ୍ୟ ଲୁହଭିଜା ଆଖିରେ ବଳଦେବ ଆଡ଼କୁ ଅପଲକ ନୟନରେ ଚାହିଁ ରହିଥିଲେ । ଦୁଃଖ, ଗ୍ଳାନି ଓ ଲଜ୍ଜାରେ ତାଙ୍କ ମୁହଁର କୁଞ୍ôଚତ ରେଖା ଆହୁରି ସ୍ପଷ୍ଟ ଦିଶୁଥିଲା । ସେମାନେ ଆଉ କିପ୍ରକାର ସତ କଥା ଜାଣିବାକୁ ଚାହୁଁଥିଲେ, ବଳଦେବ କିଛି ବୁଝି ପାରୁନଥିଲା । ସେତିକିବେଳେ ଆଉ ଜଣେ ଲୋକ ସାଇକେଲ ଚଢ଼ି ଆସି ସେଠାରେ ପହଞ୍ଚିଲେ । ସାମ୍ନା ଦରଜା ଦେଇ ଅଗଣାକୁ ସେ ପ୍ରବେଶ କଲେ । ଦେହରେ ଖାକି ପ୍ୟାଣ୍ଟ ଓ ଖଣ୍ଡେ ଧଳା ସାର୍ଟ । ଦେହମୁଣ୍ଡ ସର୍ବାଙ୍ଗ ଧୂଳିଧୂସର । ଅଗଣାରେ ଏତେ ଲୋକ ରୁଣ୍ଡ ହେବା ଦେଖି ସେ ପ୍ରଥମେ ବିସ୍ମିତ ହେଲେ- ଘଟଣା କ’ଣ? ତେଣୁ ନିଜ ସାଇକେଲ ଖଣ୍ଡକ ପିଣ୍ଡାକୁ ଆଉଜେଇଦେଇ ନିଜ ପାଦକୁ କେଇଥର ତଳେ ବାଡ଼େଇ ସେ ଜୋତାରୁ ଧୂଳି ଝାଡ଼ିହେଲେ । ଦେହମୁହଁରୁ ରୁମାଲରେ ଝାଳ ପୋଛି ଆଣୁ ଆଣୁ ଲୋକମାନଙ୍କ ଆଡ଼କୁ ଚାହିଁ ସେ ଉତ୍କଣ୍ଠାର ସହ ପଚାରିଲେ, ‘କ’ଣ ହେଲା? ଏଠି କାଇଁକି ଏତେ ଗହଳି ଲାଗିଚି?’
ରୁଣ୍ଡ ହୋଇଥିବା ଲୋକମାନେ ତାଙ୍କୁ ଆଗକୁ ଯିବାକୁ ଆଡ଼େଇ ହୋଇଗଲେ । ଏବେ ସେ ଲୋକମାନଙ୍କ ମଝିକୁ ଯାଇ ଠିଆହେଲା । ଲକ୍ଷ୍ୟ କଲା, ଜଣେ ଅଚିହ୍ନା ଲୋକ ଖଟ ଉପରେ ବସିଛି । ତାକୁ ଘେରି ଅନ୍ୟମାନେ ଠିଆ ହୋଇଚନ୍ତି । ଏଥର ସେ ବଳଦେବ ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । କିନ୍ତୁ ତାକୁ ଚିହ୍ନି ପାରିଲାନି । ହେଲେ ମନେମନେ ଅନୁମାନ କରିଲୋ ଯେ ସେଇ (ବଳଦେବ) ହେଉଛି ଏ ଜନଗହଳିର କେନ୍ଦ୍ରବିନ୍ଦୁ । ତେଣୁ ଆହୁରି ବିସ୍ମିତ ହୋଇ ସେ ତାକୁ ଲକ୍ଷ୍ୟ କଲା । ବଳଦେବ ମଧ୍ୟ ଅଚିହ୍ନା ଲୋକଟି ଆଡ଼କୁ ବଳବଲ ହୋଇ ଚାହିଲା । ତା’ ନଜରରେ ପଡ଼ିଲା ଲୋକଟି ମୁହଁରେ ଥିବା ଏକ ଲମ୍ବା କଟାଦାଗ ଉପରେ । ଏବେ ସେ ଠିଆ ହୋଇପଡ଼ି ଲାଲା ବୋଧରାଜଙ୍କୁ ପଚାରିଲା, ‘ଇଏ ସୁନ୍ଦରଦାସ ନା? ମୁଁ ତାକୁ ଚିହ୍ନିଛି ।’
‘ହଁ’ । ଲାଲା ସୁନ୍ଦରଦାସ ଉଦାସ ମନରେ କହିଲେ ଓ ସୁନ୍ଦରଦାସର କାନ୍ଧରେ ନିଜର ହାତ ଥାପିଲେ । ‘ଏଇ ହେଲା ସୁନ୍ଦରଦାସ । ମୁଁ ତୋତେ ତା’ କଥା କହୁଥିଲି । ଏଇ ଆମକୁ ବଞ୍ଚେଇଥିଲା । ଶରଣାର୍ଥୀ ଶିବିରରେ ଆମରି ସହ ସବୁ ଦୁଃଖସୁଖରେ ଭାଗୀ ହୋଇଥିଲା । ଖରା,ବର୍ଷା, ଶୀତ କାକର ସବୁବେଳେ ଆମ ଆଡ଼କୁ ସାହାଯ୍ୟର ହାତ ବଢ଼େଇଥିଲା । ପାକିସ୍ତାନ ପଟେ ଆମେ ଛାଡ଼ିଆସିଥିବା ଘରଦ୍ୱାରା ଜମିବାଡ଼ି, ଧନସମ୍ପତ୍ତିର ଟିକିନିଖି ସବୁ ସମସ୍ୟାର ସମାଧାନ ଏଇ କରିଥିଲା । ସରକାରଙ୍କ ନିକଟରେ ଆମଲାଗି କ୍ଷତିପୂରଣ ଦାବି କରି ସେସବୁ ଆମକୁ ଦିଆଇଥିଲା । ଏଇ ସେଇ ପରୋକକାରୀ ଆତ୍ମା ଯିଏ ସବୁ ବିପଦଆପଦ ବେଳେ ଆମ ପାଖରେ ଠିଆ ହେଇଆସିଛି । ଏଠାରେ ଆସି ପୁଣି ଥଇଥାନ ହେବାର ସାହାଯ୍ୟ କରିଚି । ଏଇ ଛୋଟ ଘରଟି ବି ତା’ରି । ତା’ରି କଷ୍ଟ ଅର୍ଜିତ ଟଙ୍କାରେ ସିଏ ଏ ଘର ଖଣ୍ଡିକ ତୋଳିଚି । ତା’ ନିଜର ଛୋଟ ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ବସାଟିଏ ବାନ୍ଧିଚି – ତା’ ସ୍ତ୍ରୀ ଓ ଦିଓଟି ନିଷ୍ପାପ ଝିଅଙ୍କ ଲାଗି । ତା’ ସଂସାର ସ୍ନେହପ୍ରେମରେ ଭରିଉଠିଛି ।
‘ଇଏ ସେଇ ଆଦର୍ଶ ହୃଦୟବାନ୍ ପିଲା ଯିଏ ମୋ ଝିଅ ଅଳ୍ପ ବୟସରେ ବିଧବା ହୋଇଛି ବୋଲି ଜାଣି ସୁଦ୍ଧା ତାକୁ ବାହା ହେବାକୁ ରାଜି ହୋଇଥିଲା । ଆମ ପାଖରେ ଅବା ଆଉ କି ବିକଳ୍ପ ଥିଲା? ତା’ ହାତରେ ଝିଅକୁ ସମର୍ପି ଦେବା ଛଡ଼ା ଆମେ ଆଉ କିଛି ଭାବି ସୁଦ୍ଧା ପାରିନଥିଲୁ । ଆମକୁ ତ ଜଣା ନଥିଲା ତୁ କେଉଁଠି ଅଛୁ । ଜୀବିତ ଅଛୁ ନା ତ । ସମସ୍ତେ ଆମକୁ ପରାମର୍ଶ ଦେଲେ- ସୁନ୍ଦରଦାସ ସାଙ୍ଗରେ ସରସ୍ୱତୀକୁ ବାହା କରିଦେବାକୁ । ତା’ଛଡ଼ା ମୋ ଭଳିଆ ଗରିବ ଓ ଅସହାୟ ଲୋକ ପାଖରେ ନିଜ ଭୁଆସୁଣୀ ଝିଅର ମର୍ଯ୍ୟାଦା ରକ୍ଷା କରିବାର ଅନ୍ୟ କିଛି ବିକଳ୍ପ ବି ନଥିଲା ।’
ଏକା ନିଃଶ୍ୱାସକେ ଏତକ କଥା କହିଲା ବେଳକୁ ଲାଲା ବୋଧରାଜ କେମିତି ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲେ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା । ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ୁଥିଲା । କିନ୍ତୁ ବଳଦେବ ସେମିତି ଏକାଲୟରେ ସୁନ୍ଦରଦାସ ମୁହଁର ସେଇ ଗଭୀର କଟାଦାଗଟିକୁ ଚାହିଁ ରହିଥିଲା । ସେଇ ଗଭୀର କ୍ଷତଚିହ୍ନଟି ତା’ ମନ ତଳେ ଥିବା ପନ୍ଦରବର୍ଷ ତଳର ସ୍ମୃତିକୁ ଉଜ୍ଜୀବିତ କରୁଥିଲା – ଘୃଣା ଓ ଈର୍ଷାର ଏକ କାହାଣୀକୁ ମନେ ପକାଇ ଦେଉଥିଲା ।
ସେତେବେଳେ ପୌର ନିର୍ବାଚନ ସମୟ । ଯିଏ ଯାହା ସାଙ୍ଗରେ ପାରିଲା ଲଢ଼ିଲା, ଝଗଡ଼ା କଲା, ମାରପିଟ ହେଲା କି ମୁଣ୍ଡ ଫଟାଫଟି ହେଲା । ଏକଥା ସରସ୍ୱତୀକୁ ବି ଜଣାଥିଲା । କିନ୍ତୁ ସୁନ୍ଦରଦାସକୁ ପଚାରିବା ଲାଗି ସେ କେବେ ସାହସ କୁଳେଇ ପାରିନଥିଲା । ପରିସ୍ଥିତି ତାକୁ ବଳଦେବଠାରୁ ଛଡ଼େଇ ନେଇଥିଲା ଓ ସେ ଗୋଟାପଣେ ସୁନ୍ଦରଦାସର ହୋଇ ଯାଇଥିଲା । ଅନ୍ୟଥା ବଳଦେବଠାରୁ ତାକୁ ଛଡ଼େଇ ନେବାଲାଗି ସୁନ୍ଦରଦାସ କଳ୍ପନା ସୁଦ୍ଧା କରିପାରି ନଥାନ୍ତା । ସୁନ୍ଦରଦାସ ମନରେ ଏବେ ଈର୍ଷା ଓ କ୍ରୋଧ ଜମାଟ ବାନ୍ଧୁଥିଲା । ସେ ତା’ର ଦାନ୍ତ କଡ଼ମଡ଼ କରୁଥିଲା । ହଠାତ୍ ସେ ଲୋକମାନଙ୍କୁ ଠେଲି ଆଡ଼େଇ ଘର ଭିତରକୁ ପଶିଗଲା । ଏବେ ସଭିଏଁ ସୁନ୍ଦରଦାସ ଆଡ଼େ ମୁହଁ ଘୂରେଇ ଚାହିଁଲେ । ବଳଦେବ ବି ସେଇ ବନ୍ଦ୍ ଦରଜା ଆଡ଼େ ଚାହିଁଲା । ସେତେବେଳକୁ ସରସ୍ୱତୀର ମାଆ ଗଳା ଫଟେଇ କାନ୍ଦିବା ଆରମ୍ଭ କରିଦେଇଥିଲା । ତା’ ମୁହଁ ଝାଳ ଆଉ ଲୁହରେ ଗୋଟାପଣେ ଭିଜିବା ପରି ଲାଗୁଥିଲା । କିଛି ସମୟ ପରେ ସୁନ୍ଦରଦାସ ଘର ଭିତରୁ ପଦାକୁ ବାହାରିଲା । ଏବେ ତା’ର ଦି’ହାତ ପକେଟ ଭିତରେ ପଶିଥିଲା ଓ ସେ କିଛି ଚିନ୍ତା କରିବା ପରି ଲାଗୁଥିଲା । ସେମିତି କିଛି କ୍ଷଣ ଠିଆ ହେବାପରେ ସେ
ବଳଦେବ ନିକଟକୁ ଆସି ଉପରକୁ ଚାହିଁ ସ୍ୱାଭାବିକ ଅଥଚ ବେଶ୍ ଦୃଢ଼ ସ୍ୱରରେ କହିଲା, ‘ତୁ ଯଦି ଚାହୁଁଚୁ ତା’ହେଲେ କୋର୍ଟରେ ଆବେଦନ କର ।’
ଅଗଣାରେ ରୁଣ୍ଡ ହୋଇଥିବା ସମସ୍ତେ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକାଇଲେ । ସତେ ଯେମିତି ସୁନ୍ଦରଦାସଠାରୁ ସଭିଏଁ ଏଇ ଉତ୍ତର ଆଶା କରୁଥିଲେ । ଏବେ ସେମାନେ ବଳଦେବର ଉତ୍ତରକୁ ପ୍ରତୀକ୍ଷା କରି ରହିଲେ । ସେମାନେ ସମସ୍ତେ ଗୋଟିଏ ପଟେ ଓ ଏକା ବଳଦେବ ଆଉ ଗୋଟିଏ ପଟେ- ନୀରବ ଓ ଏକାକୀ । ଦୀର୍ଘ ଦଶବର୍ଷ ଧରି ଏଭଳି ନୀରବତା ଓ ନିର୍ଜନତାକୁ ସେ ହଜମ କରି ଆସିଥିଲା । ତଥାପି ତା’ ତୁଣ୍ଡରୁ କିଛି ହେଲେ ବାକ୍ୟ ସ୍ଫୁରୁନଥିଲା । ସିଏ ସେମିମତି ନିଶ୍ଚଳ ମୂର୍ତ୍ତିଟିଏ ପରି ଏକୁଟିଆ ଠିଆ ହୋଇଥିଲା । କୌଣସି ଉତ୍ତର ନଦେଇ ସିଏ ସୁନ୍ଦରଦାସ ଆଡ଼େ ସେମିତି ଆଉ କିଛି କ୍ଷଣ ଚାହିଁଲା । ତା’ପରେ ତା’ର ମୁହଁ ଘୂରିଗଲା ସାମ୍ନାରେ ଦିଶୁଥିବା ଦରଆଉଜା କବାଟ ଆଡ଼େ, ଯାହା ପଛରେ ସରସ୍ୱତୀ ଠିଆ ହୋଇଥିଲା । ସେ ଲକ୍ଷ୍ୟ କଲା,ସେ କବାଟଟା ସାମାନ୍ୟ ହଳି ପୁଣି ସ୍ଥିର ହୋଇଗଲା ।
ବୋଧହୁଏ ସରସ୍ୱତୀ ସେ କପାଟକୁ ପଛପଟୁ ଖୁବ୍ ଜୋର୍କରି ଜାବୁଡ଼ି ଧରିଥିଲା । ଏଥର ସେ ନିଜର ଗଳା ସଫାକରି କହିଲା, ‘ଆଇନତଃ ସରସ୍ୱତୀ ମୋର ପତ୍ନୀ । ସିଏ କେବେ ବି ଭୁଲିmପାରିବନି ଯେ ମୁଁ ତାକୁ କେତେ ଭଲ ପାଏ । ହଁ, ତା’ ଉପରେ ମୋର ଅଧିକାରକୁ ଅବଶ୍ୟ ସମସ୍ତେ ସ୍ୱୀକାର କରିବେ । କିନ୍ତୁ ତାକୁ ମୋ ହାତରେ ସମର୍ପିଦେବା ବଦଳରେ ମୋତେ କହୁଚ ମୁଁ ଯାଇ କୋର୍ଟରେ ନାଲିଶ କରିବି । ବିଚାରାଳୟର ଦ୍ୱାରସ୍ଥ ହେବି । ମୋର ଏ ବିଶ୍ୱାସ ବି ଅଛି ଯେ ବିଚାରଳୟରୁ ମୋତେ ଅବଶ୍ୟ ନ୍ୟାୟ ମିଳିବ । କିନ୍ତୁ ସେଥିପାଇଁ ଢେର୍ ଦିନ ସମୟ ଲାଗିବ । ସେ ପ୍ରକ୍ରିୟାଟି ଲମ୍ବା । ମୁଁ ଜାଣେନା ଏଥିପାଇଁ ମୋତେ କେତେ ବର୍ଷ ଅପେକ୍ଷା କରିବାକୁ ହେବ । ବରଂ, ଏଇ ମୁହୂର୍ତ୍ତରେ ମୁଁ ଆଉ ଏକ ନ୍ୟାୟାଳୟର କବାଟ ବାଡ଼େଇବି । ମୋର ସେ ନ୍ୟାୟାଳୟ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଓ ସେ ନ୍ୟାୟାଳୟରୁ ମୋତେ ନିଶ୍ଚିତ ନ୍ୟାୟ ମିଳିବ ।
ବଳଦେବ ଏକଥା କହିଲାବେଳେ ଭାବାବେଗରେ ତା’ସ୍ୱର ଆହୁରି ଗମ୍ଭୀର ହୋଇ ଉଠୁଥିଲା । ସେ ଆଉ କିଛି କହି ପାରିଲାନି । ତା’ ଆଖି ଲୁହ ଛଳଛଳ ହୋଇଉଠିଲା । ସେ ପୁଣି ଥରେ ସେଇ ଦରଆଉଜା ଅନ୍ଧାରୁଆ କୋଠରୀ ଆଡ଼କୁ ଚାହିଁଲା ଓ ମନରେ ଦମ୍ଭ କୁଳେଇ କହିଲା, ‘ସରସ୍ୱତୀ, ତୁ ମୋତେ ଜବାବ ଦେ’ । ମୁଁ ଆଉ କାହାଠାରୁ କିଛି ଶୁଣିବାକୁ ଚାହୁଁନି । ମୁଁ କେବଳ ତୋରିଠାରୁ ପଦେ ଶୁଣିବାକୁ ଚାହୁଁଛି ।’ ହଠାତ୍ ଘର ଭିତରୁ କାହାର ଚିତ୍କାର ଶୁଭିଲା । ସରସ୍ୱତୀ ଭୋ କରି କାନ୍ଦି ଉଠିଲା । ଅଗଣାରେ ରୁଣ୍ଡ ହୋଇଥିବା ସବୁ ସ୍ତ୍ରୀଲୋକଙ୍କ ଆଖି ଲୁହରେ ଭରି ସାରିଥିଲା । ଏତିକିବେଳେ ଘରର ସାମ୍ନା ଦରଜା ପାଖରେ ଆଉ ଜଣେ ଲୋକର ଆବିର୍ଭାବ ଘଟିଲା । ସେ ତା’ ହାତରେ ମାଟିଆ ରଙ୍ଗର ସରକାରୀ ଚିଠି ଖଣ୍ଡେ ଧରିଥିଲା । ସେ ଭିତରକୁ ପଶିଆସି ପଚାରିଲା, ‘ଏ ଘରକୁ କେହି ଜଣେ ପାକିସ୍ତାନରୁ ବୁଲି ଆସିଚନ୍ତି କି?’
ବଳଦେବ ତା’ ହାତରୁ ଲଫାପାଟି ନେଇ ତାକୁ ଖୋଲି ପଡ଼ିଲା ଓ ପୁଣି ଥରେ ପୋଷ୍ଟମ୍ୟାନକୁ ଚିଠିଟିକୁ ଫେରେଇ ଦେଉ ଦେଉ କହିଲା, ‘ହଁ, ସେ ଲୋକ ଏଇଠି ଅଛି । କିନ୍ତୁ ସେ ଆଜି ପାକିସ୍ତାନ ଲେଉଟିଯିବ ।’
ଏଥର ବଳଦେବ ନିଜ ସାର୍ଟରେ ଆଖିର ଲୁହକୁ ପୋଛିନେଲା ଏବଂ ବ୍ୟାଗ୍ ଓ କମ୍ବଳ ଖଣ୍ଡି ଧରି ଧୀରେ ଧୀରେ ଅଗଣାରୁ ନିଷ୍ପ୍ରାନ୍ତ ହୋଇଗଲା ।
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.