Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଶରଣାର୍ଥୀ

ଏଚ ଭି ସାବିତ୍ରାମ୍ମା କନ୍ନଡ ନବଜାଗରଣ ଯୁଗର ଜଣେ ପ୍ରମୁଖ ଲେଖିକା ଭାବେ ଏଚ ଭି ସାବିତ୍ରାମ୍ମା ବେଶ୍ ସୁପରିଚିତ । ୧୯୦୩ ମସିହାରେ ଜନ୍ମିତ ସାବିତ୍ରାମ୍ମା ଅନେକ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ଏହା ବ୍ୟତୀତ ସେ ଇଂରାଜୀ ଏବଂ ରୁଷୀୟ ଭାଷାରୁ ଅନେକ ପ୍ରମୁଖ କୃତିକୁ କନ୍ନଡ ଭାଷାରେ ଅନୁବାଦ କରିଛନ୍ତି । ଦେଶ ବିଭାଜନ ଉପରେ ଏହା ତାଙ୍କର ଏକ କାଳଜୟୀ ଗଳ୍ପ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧

ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା 

ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍‌ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ ଉଦ୍ଧାର ସୁଦ୍ଧା ପାଇବାକୁ ଚାହୁଁ ନ ଥିଲା । ଏପର୍ଯ୍ୟନ୍ତ ତା’ର ମନେ ପଡ଼ିଯାଉଥିଲା ରାୱଲପିଣ୍ଡିରୁ ପ୍ରାଣନେଇ ପଳାଇ ଆସିବାର ସେଇ ଭୟଙ୍କର ଅନୁଭୂତି । ଖଣ୍ଡିଏ ଚେୟାର ଉପରେ ବସି ସେ ଦିନର ସ୍ମୃତିକୁ ଭୁଲିବାଲାଗି ସେ ଚେଷ୍ଟା କରୁଥିଲା । ସେସବୁ ଘଣଟାକୁ ଚନ୍ଦ୍ର ଭୁଲି ଯାଇଥାଆନ୍ତା, ଯଦି କେମଳ ତୁଳସୀ ବଞ୍ଚି ଯାଇଥାଆନ୍ତା । ଏବେ ତୁଳସୀ କେଉଁଠି ଅବା କେଉଁ ପରିସ୍ଥିତିରେ ଅଛି ସେକଥା  ତାକୁ ଜଣା ନଥିଲା । ଏଇସବୁ ପ୍ରଶ୍ନ ଚନ୍ଦ୍ରର ମନକୁ ପ୍ରତି ମୁହୂର୍ତ୍ତରେ ଆକ୍ରାନ୍ତ କରି ରଖିଥିଲା ।

ଚନ୍ଦ୍ର ରାୱଲପିଣ୍ଡିରେ ଡାକ୍ତର ଚାକିରି କରୁଥିଲା । ଯଦିବା ସେ ବିଦେଶ ଯାଇ ଅଧିକ ପଢ଼ାପଢ଼ି କରି ନ ଥିଲା କି ନିଜ ନାଁ ଡାହାଣପଟେ ଗୁଡ଼ିଏ ଶିକ୍ଷାଗତ ଯୋଗ୍ୟତାର ଅକ୍ଷର ଯୋଡ଼ି ନ ଥିଲା ତଥାପି ଜଣେ ଦରଦୀ ଓ ସଫଳ ଡାକ୍ତର ଭାବେ ସେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲା । ତୁଳସୀ ପ୍ରେମ ତା’ ଜୀବନକୁ ଅଧିଖ ଉଜ୍ଜ୍ୱଳ
କରିଥିଲା ଏବଂ ସେ ଖୁସିରେ ପୂର୍ଣ୍ଣତା ଆଣିଥିଲା ରାଧା, ତାଙ୍କର ଝିଅ । ଚନ୍ଦ୍ର ଜୀବନରେ ଆଉ ଅଧିକ କିଛି ଆଶା କରୁ ନ ଥିଲା । ଯଦିବା ସେ ପିଲାଦିନୁ ବାପା-ମା’ଙ୍କୁ ଛେଉଣ୍ଡ ଥିଲା, ତାକୁ ପାଳିପୋଷି, ପାଠଶାଠ ପଢ଼େଇ ମାମୁ ତା’ର ସେଇ ଅଭାବ ପୂରଣ କରିଥିଲେ । ହେତୁ ପାଇବା ଦିନଠାରୁ ଚନନ୍ଦ୍ର ନିଜ ମାମୁଙ୍କୁ ହିଁ ନିଜ
ବାପା ବୋଲି ଭାବୁଥିଲେ । ପରିବାର ଓ ବନ୍ଧୁବାନ୍ଧବ ଜାଣିଥିଲେ ଯେ ଚନ୍ଦ୍ର ଓ ତୁଳସୀ ଦିନେ ପରସ୍ପରଙ୍କୁ ବିବାହ କରିବେ । ତୁଳସୀ ଥିଲା ମାମୁ ଶ୍ରୀନିବାସ ରାଓଙ୍କର ଏକମାତ୍ର ଅଲିଅଳି କନ୍ୟା । ତେଣୁ ଭାଗ୍ୟ ଗୋଟିଏ ପଟେ ଊଣା କରିଥିଲାବେଳେ ଅନ୍ୟ ଗୋଟିଏ ପଟେ ତାକୁ ଭରଣା କରିଥିଲା । ଚନ୍ଦ୍ର ଭଲ ପାଠ ପଢ଼ି ଡାକ୍ତରୀ ପାଶ୍‌ କରିଥିଲା । ଯେଉଁ ବର୍ଷ ଡାକ୍ତରୀ ପଢ଼ା ସରିଲା ସେଇ ବର୍ଷ ତା’ର ତୁଳସୀ ସହ ବାହାଘର ସମ୍ପନ୍ନ ହୋଇଥିଲା । ବାହାଘର ପରେ ମାମୁଁ ଭାବୁଥିଲେ ଚନ୍ଦ୍ର ସରକାରୀ ଚାକିରି ନକରି ସ୍ୱାଧୀନ ଭାବେ ନିଜର କ୍ଲିନିକ୍ ଖୋଲିବ । ଚନ୍ଦ୍ର କିନ୍ତୁ କ’ଣ କରିବ ସେପର୍ଯ୍ୟନ୍ତ ବୁଝି ପାରୁ ନ ଥିଲା । ସରକାରୀ ଚାକିରି ପାଇଁ ପକେଇଥିବା
ଦରଖାସ୍ତଟିକୁ ସରକାର ଗ୍ରହଣ କରିôଥଲେ । ଚନ୍ଦ୍ରକୁ ଯଥାଶୀଘ୍ର ଟେଲିଗ୍ରାମଟିଏ ମିଳିଥିଲା । ସେଥିରେ ତାକୁ ରାୱଲପିଣ୍ଡି ସରକାରୀ ହସପିଟାଲରେ ଯୋଗ ଦେବାକୁ ନିର୍ଦ୍ଦେଶ ôତଲା ।

ଶ୍ରୀନିବାସ ରାଓ କିନ୍ତୁ ଏଥିରେ ଖୁସି ହୋଇ ନ ଥିଲେ । ସେ ଚନ୍ଦ୍ରକୁ ବାରମ୍ବାର ବୁଝାଉଥିଲେ – ‘ତୁ କାଇଁକି ସରକାରୀ ଚାକିରି କରିବୁ? ଘରୋଇ ପ୍ରାକ୍ଟିସ୍ କଲେ ତ ଏଇ ଘରେ ବସି ସେଇ ପାଶ୍ଚଶ’ ଟଙ୍କା ସହଜରେ ରୋଜଗାର କରିପାରିବୁ ।’ ବାଇଁ ସରସ୍ୱତୀଆମ୍ମା ବି ଜ୍ୱାଇଁକୁ କହିଲେ, ‘ତୁମେ ଓ ତୁଳସୀ ଏଠାରୁ ଚାଲିଗଲାପରେ ଆମ
କଥା କିଏ ବୁଝିବ? ଆମେ ଆସି ବୁଢ଼ାବୁଢ଼ୀ ହେଲୁଣି ।’ ଏତିକି କହି ସେ କାନ୍ଦି ପକାଇଥିଲେ । ତୁଳସୀ ମଧ୍ୟ ନିଜ ବାପା-ମା’ଙ୍କୁ ଛାଡ଼ି ଚନ୍ଦ୍ର ସାଙ୍ଗରେ ଏତେ ଦୂରକୁ ଯିବାକୁ ହେଉ ନ ଥିଲା । କିନ୍ତୁ ଚନ୍ଦ୍ର ନିଜ ଜିଦ୍‌ରେ ଅଟଳ ରହିଲା । ସେ ସରକାରୀ ଚାକିରିଟାକୁ ହଜରେ ହାତଛଡ଼ା କରିଦେବାକୁ ଚାହୁଁ ନ ଥିଲା ।

ସରସ୍ୱତୀ ଆମ୍ମା ଶେଷକୁ ମନଦୁଃଖ କରି କହିଲେ, ‘ଯେତେ ହେଲେ ଚନ୍ଦ୍ ଜ୍ୱାଇଁ । ଜ୍ୱାଇଁ କ’ଣ କେବେ ପୁଅ ହୋଇପାରିବ ନା ବାପା- ମା’ଙ୍କ ମନ କଥା ବୁଝି ପାରିବ? ଆମେ ଯେତେ ପାଳିପୋଷି ସ୍ନେହ ଆଦର ଦେଲେ ବି ସିଏ ଆମ ମନକଥା  ବୁଝିବ?’

ଶ୍ରୀନିବାସ ରାଓ ନିଜ ପତ୍ନୀଙ୍କ ବୁଝାଇଥିଲେ, ‘ଏମିତି କଥା ତୁଣ୍ଡରେ ଧରନ୍ତିନି । ଚନ୍ଦ୍ର ଭଲ ପିଲା । ସେମାନଙ୍କୁ ଯିବାକୁ ଦିଅ । କିଛି ଦିନ ବାହାରେ ରହି ସେମାନେ ଦେଶ ଦୁନିଆକୁ ଦେଖନ୍ତୁ, ବୁଝନ୍ତୁ । ସେମାନେ ଯେଉଁଠି ରହନ୍ତୁ, ଭଲରେ ରହନ୍ତୁ ।’ ନିଜ ମନର କ୍ଷୋଭକୁ ଲୁଚାଇ ଶ୍ରୀନିବାସ ରାଓ ଏକଥା କହିଲେ ସିନା, କିନ୍ତୁ ଭିତରେ ଭିତରେ ବେଶ୍‌ ଦୁଃଖ ଅନୁଭବ କରୁଥିଲେ ।

ଅଳ୍ପ ଦିନ ପରେ ଚନ୍ଦ୍ର ଓ ତୁଳସୀ ନିଜର ବ୍ୟାଗ୍‌ପତ୍ର ବନ୍ଧାବନ୍ଧି କଲେ ଓ ରାୱଲପିଣ୍ଡି ଚାଲିଗଲେ । ସରସ୍ୱତୀଆମ୍ମା ଝିଅ-ଜ୍ୱାଇଁଙ୍କ ଯିବାପରେ ଢେର୍ କନ୍ଦାକନ୍ଦି କଲେ । ଶ୍ରୀନିବାସ ରାଓ ପତ୍ନୀଙ୍କୁ ପୁଣି ବୁଝେଇ କହିଲେ, ‘ ଆରେ ଆମେ ଏକୁଟିଆ ହେଲେ କେମିତି? ଆମେ ଦୁହେଁ ତ ଏକାଠି ଅଛେ । ଯେମିତି ତୁଳସୀ ଓ ଚନ୍ଦ୍ର ଏକାଠି ଅଛନ୍ତି । ତେଣୁ ମନ ଦୁଃଖ କରନା । ବରଂ ଚାଲ ବାହାରେ ବୁଲାବୁଲି କରିଆସିବା ।’ ହେଲେ ସରସ୍ୱତୀଆମ୍ମା ନିଜ ମନକୁ ବୁଝେଇବା ସକାଶେ ଢେର୍ ଦିନ ସମୟ ଲାଗିଗଲା । ଘରେ ପୂଜାପର୍ବ ହେଲେ ତାଙ୍କର ଝିଅଜ୍ୱାଇଁଙ୍କ କଥା ମନେ ପଡ଼ୁଥିଲା । କେତେବେଳେ କିଛି ଭଲ ରୋଷେଇ କଲେ ସୁଦ୍ଧା ତାହା ତାଙ୍କ ତୁଣ୍ଡକୁ ଯାଉ ନ ଥିଲା ।

ତୁଳସୀ ବିନା ତାଙ୍କୁ ଘରଟା ଭାରି ଖାଁ ଖାଁ ଲାଗୁଥିଲା । ତୁଳସୀ ସାଂସାରିକ ଜୀବନର ଆଦ୍ୟ ପର୍ଯ୍ୟାୟରେ ପାଦ ଥାପିଥିଲା । ଚନ୍ଦ୍ରକୁ ସ୍ୱାମୀ ଭାବରେ ପାଇ ସେ ବାପା-ମା’ଙ୍କ ଠାରୁ ବିଚ୍ଛେଦ ଦୁଃଖକୁ ଖୁବ୍ ଶୀଘ୍ର ଭୁଲି ଯାଇଥିଲା । ନୂଆ ନୂଆ ବୈବାହିକ ଜୀବନ, ନୂଆ ପ୍ରେମ, ନୂଆ ଦାମ୍ପତ୍ୟ ସୁଖରେ ସେ ଏକ ନୂଆ ଦୁନିଆରେ ଘୂରି ବୁଲୁଥିବା ପରି ତାକୁ ଲାଗୁଥିଲା । ଚନ୍ଦ୍ର ତାକୁ ସ୍ୱପ୍ନ ରାଜ୍ୟରେ ପହଞ୍ଚାଇଦେବା ପରି ସେ ଅନୁଭବ କରୁଥିଲ ।ା ସେ ଏବେ କେବଳ ନିଜ ଘରକୁ ସୁନ୍ଦର ଭାବେ ସଜାଉଥିଲା, ଭଲ ଭଲ ଚିଜ ରୋଷେଇବାସ କରୁଥିଲା, ନୂଆ ନୂଆ ଶାଢ଼ିମାନ ପିନ୍ଧି ସଜେଇ ହେଉଥିଲା । ଅନ୍ୟୃ କିଛି କଥା ତା’ କଳ୍ପନାରେ ନ ଥିଲା । ଚନ୍ଦ୍ର ବି
ତୁଳସୀକୁ ପାଇ ଯେତିକି ଖୁସି ଥିଲା, ନିଜ ପସନ୍ଦର ଚାକିରିଟିଏ ପାଇଥିବାରୁ ସେତିକି ଆନନ୍ଦ ଓ ଗୌରବ ଅନୁଭବ କରୁଥିଲା ।

ତା’ର ଚିକିତ୍ସା ଓ କର୍ତ୍ତବ୍ୟନିଷ୍ଠାରେ ସମସ୍ତେ ତା’ ପ୍ରଶଂସାରେ ଶତମୁଖ ଥିଲେ ।

: ‘ଆମେ କେବେ ଘରଆଡ଼େ ବୁଲି ଯିବା?’
: ‘ଆମେ କାଇଁକି ଘରକୁ ବୁଲିଯିବା ତୁଳସୀ? ତୁମ ମା-

ବାପାଙ୍କୁ ଏଠିକି ଆସିବାଲାଗି ତୁମେ ଚିଠି ଲେଖ । ସେମାନେ ଆସି ନୂଆ ଜାଗାରେ ବୁଲାବୁଲି କରିଯିବେ । ସେମାନଙ୍କୁ ଭଲ ଲାଗିବ ।’

ତୁଳସୀ କିନ୍ତୁ ବାପଘରକୁ ଯିବାଲାଗି ମନେମନେ ଚାହୁଁଥିଲା । ବାପଘରକୁ ବୁଲିଯିବାରେ ଝିଅମାନଙ୍କ ମନର ସରାଗକୁ କ’ଣ ଆଉ କିଏ ଅନୁଭବ କରିପାରେ? କେବଳ ବାକା-ମା’ ନୁହନ୍ତି, କେତେ ନିଜ ଲୋକ, ପିଲାଦିନର ସାଙ୍ଗସାଥୀଙ୍କୁ ମଧ୍ୟ ସେଠାରେ ଭେଟିହେବ ବୋଲି ତୁଳସୀ ଭାବୁଥିଲା ।

: ‘ମୁଁ ଯଦି ଥରେ ଯାଇ ଘରଆଡ଼େ ବୁଲି ନ ଆସେ, ବାପା ଭାରି ମନ ଦୁଃଖ କରିବେ ।’

‘ଆଉ ମୁଁ? ମୋ କଥା ତ ତୁମେ ମୋଟେ ଭାବୁନ?’ ଚନ୍ଦ୍ର ହସି ହସି ଅଭିଯୋଗ କଲାପରି କହିଲା ।

‘ତୁମେ ବି ମୋ ସାଙ୍ଗରେ ଯଦି ।’ ତୁଳସୀ କହିଲା ।

‘ତୁଳସୀ, ମୁଁ ଯଦି ଏବେ ଛୁଟି ନେଇ ଯାଏ ତା’ହେଲେ ମୋ କାମ ବରବାଦ ହୋଇଯିବ ।’

ତୁଳସୀ ବାପଘରକୁ ଆସିଲା । ତୁଳସୀ ଯିବାପରେ ଚନ୍ଦ୍ରର ତା’ କଥା ସବୁବେଳେ ମନେ ପଡ଼ିଲା । ତେଣୁ କିଛି ଦିନ ପରେ ସେ ଛୁଟିନେଇ ତୁଳସୀ ପାଖକୁ ମାସେ
ପାଇଁ ଚାଲିଗଲା । ମାସେ ବଦଳରେ ସେମାନେ ସେଠାରେ ପ୍ରାୟ ଦି’ମାସ ରହିଲେ । ଝିଅଜ୍ୱାଇଁଙ୍କୁ ପାଖରେ ପାଇ ସରସ୍ୱତୀଆମ୍ମାଙ୍କ ପାଦ ତଳେ ପଡ଼ୁ ନ ଥିଲା । ସେ ଦି’ମାସ ତାଙ୍କୁ ସ୍ୱର୍ଗସୁଖ ଭଳି ଲାଗୁଥିଲା ।

ତୁଳସୀକୁ ଛଅ ତିଅଣ ନଅ ଭଜା କରି ସେ ଖାଇବାକୁ ଦେଲା । ସେତେବେଳକୁ ତୁଳସୀ କୋଳକୁ ଝିଅ ରାଧା ଆସି ସାରିଥିଲା ଓ ତାକୁ ମାତ୍ର ଦି’ମାସ ହୋଇଥିଲା । ଏବେ ଚନ୍ଦ୍ରକୁ ନିଜ କର୍ମକ୍ଷେତ୍ରକୁ ଫେରିଯିବାକୁ ପଡ଼ିବ । ଶାଶୂ କିନ୍ତୁ ପ୍ରସ୍ତାବ ଦେଲେ, ‘ତୁଳସୀ ଏବେ କିଛିଦିନ ଏଠାରେ ଥାଉ । ଏତେ ଛୋଟ ଛୁଆଟାକୁ ଏକୁଟିଆ ସମ୍ଭାଳିବା ତା’ପାଇଁ ଅଡ଼ୁଆ ହେବ ।’

ଚନ୍ଦ୍ର କିନ୍ତୁ କହିଲା, ‘କିଛି ବ୍ୟସ୍ତ ହେବାର ନାହିଁ । ତୁଳସୀକୁ ସାହାଯ୍ୟ କରିବା ଓ ଛୁଆର ଯତ୍ନ ନେବାଲାଗି ମୁଁ ଜଣେ ଆୟା ଯୋଗାଡ଼ କରିଦେବି ।’ ଶାଶୂ କହିଲେ, ‘ଛୋଟ ଛୁଆଟିକୁ ଧରି ଏତେ ବାଟ ଟ୍ରେନରେ ଯିବା କ’ଣ ଭଲ ହେବ?’ ତା’ଦେହମୁଣ୍ଡ ଖରାପ ହୋଇପାରେ ।’ ଚନ୍ଦ୍ର କିନ୍ତୁ ବୁଝେଇ କହିଲା, ‘କିଛି ଅସୁବିଧା ହେବନି । ମୁଁ ପରା ଜଣେ ଡାକ୍ତର । ଜଣେ ଡାକ୍ତର ପାଖରେ ରହିଲେ ପିଲାର କ’ଣ ଅସୁବିଧା ହେବ? ମୁଁ ତା’ର ସବୁ ଦେଖାରଖା କରିବି ।’ ସରସ୍ୱତୀଆମ୍ମା ଚୁପ୍ ରହିଲେ । ଏବେ ସେ ଝିଅକୁ ନୂଆ ଲୁଗାପଟା ପିନ୍ଧେଇ, ମଥାରେ ସିନ୍ଦୂର ମାଖି ବିଦାୟ ଦେଲେ । ଗଲାବେଳେ ଝିଅଜ୍ୱାଇଁ ଓ ନାତୁଣୀକୁ ମନଭରି ଆଶୀର୍ବାଦ କଲେ ।

ଚନ୍ଦ୍ର ସ୍ମୃତି ଭିତରେ ଏଇସବୁ କଥା ବାରମ୍ବାର ଧକ୍କା ଖାଉଥିଲା । ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏ ସ୍ମୃତି ରହିଥିବ । ସେତେବେଳେ ଦେଶ ସ୍ୱାଧୀନ ହେବାର ପୂର୍ବାଭାସ ଜଣା ପଡ଼ିସାରିଥିଲା । ଚାହୁଁ ଚାେୁଁ କେଇଟା ଦିନ ଭିତରେ ସେଇ ସ୍ୱାଧୀନତା ମିଳିଗଲା । ଚାରିଆଡ଼େ ଲୋକମାନଙ୍କ ମନରେ ହର୍ଷଉଲ୍ଲାସ ଭରି ରହିବାପରି ଲାଗୁଥିଲା । ସବୁଠାରେ ସ୍ୱାଧୀନତା ପ୍ରାପ୍ତିର ଉଲ୍ଲାସ ଆଉ ଉତ୍ସବ । ବିନା ରକ୍ତପାତରେ ଏଭଳି ସ୍ୱାଧୀନତା ମିଳିଛି । କିନ୍ତୁ ଏଇ ଆନନ୍ଦ ଉଲ୍ଲାସକୁ ଯଥାଶୀଘ୍ର ଢାଙ୍କି ପକାଇବାକୁ ଥିବା ସାମ୍ପ୍ରଦାୟିକ ଦଙ୍ଗାର କଳାବାଦଲ ଯେ ସେତେବେଳକୁ ସାରା ଆକାଶକୁ ଆଚ୍ଛନ୍ନ କରିସାରିଥିଲା, ତା’ର ଲେଶମାତ୍ର ଆଭାସ କେହି ପାଇ ନ ଥିଲେ । ତେଣୁ ସେ ସକାଳ ସମସ୍ତଙ୍କୁ ଏକ ନୂଆ ସକାଳ ପରି ଲାଗୁଥିଲା । ପ୍ରଧାନମନ୍ତ୍ରୀ ଜବାହରଲାଶ ରାଜଧାନୀ ଦିଲ୍ଲୀରେ ତ୍ରିରଙ୍ଗା ଉତ୍ତୋଳନ
କଲେ । ଆକାଶରେ ଏକ ବିରାଟ ଇନ୍ଦ୍ରଧନୁ ଆଙ୍କି ହୋଇଥିଲା । ସତେ ଯେପରି ଈଶ୍ୱରଙ୍କ ଆଶୀର୍ବାଦ! ଆଉ ସ୍ୱାଧୀନତା ଲାଭର ମାତ୍ର ପନ୍ଦରଟା ଦିନ ନପୂରୁଣୁ ଆରମ୍ଭ ହୋଇଯାଇଥିଲା – ଦଙ୍ଗାର ଆତଙ୍କ । ଚାରିଆଡ଼େ ହଣାକଟା, ପୋଡ଼ାଜଳା, ଲୁଗାପାଟ, ଅପହରଣ, ବିସ୍ଫୋରଣ ଆତଙ୍କ ଖେଳାଇଥିଲା ।

ସେଦିନ ଚନ୍ଦ୍ର ତରତର ହୋଇ ହସପିଟାଲରୁ ଘରକୁ ଫେରିଥିଲା । ସେ ଜରୁରି ଅପରେସନ୍ କରୁଥିଲା ଯେତେବେଳେ ସହରରେ ଦଙ୍ଗା ଆରମ୍ଭ ହୋଇଥିଲା । ଏ ଖବର ତାକୁ ଦେବାକୁ କେହି ସାହସ କରି ନ ଥିଲେ । ତେବେ ଅପରେସନ୍ ଥିଏଟରରୁ ବାହାରିବା ମାତ୍ରେ ଆଟେଣ୍ଡଣ୍ଟତାକୁ ସେ ଖବର ଜଣାଇଥିଲା । ଭୟ ଓ ଆଙ୍କା
ଭିତରେ ଚନ୍ଦ୍ର ପଦାକୁ ବାହାରି ଆସିଥିଲା । ‘ହେ ଭଗବାନ! ରାଧା ଓ ତୁଳସୀ ଦୁହେଁ ନିରାପଦରେ ଥାଆନ୍ତୁ ।’ ସେ କେବଳ ମନେମନେ ଏତିକି ପ୍ରାର୍ଥନା କରିଚାଲିଥିଲା । ଦୁର୍ଯୋଗକୁ କାର୍‌ରେ ଯେତେଥର ଚାବିଟା ପୁରାଇ ଘୂରେଇଲେ ସୁଦ୍ଧା ସେଇଟି ଷ୍ଟାର୍ଟ ହେଲାନାହିଁ । ସେତେବେଳକୁ ତା’ ମନର ଭୟ ଓ ଆଶଙ୍କା ଆହୁରି ବଢ଼ି ଯାଇଥିଲା । ତା’ ଦେହରୁ ଗମ୍‌ଗମ୍ ଝାଳ ବହିବାକୁ ଆରମ୍ଭ କଲା । ଶେଷରେ କାର୍‌ ଷ୍ଟାର୍ଟ ହେଲା ଓ ସେ ଏବେ ଛୁଟିଲା ନିଜ ଘର ଅଭିମୁଖେ । ଘର ପାଖରେ  ସେ ଦେଖିଲା ଆଗରେ ପ୍ରବଳ ଲୋକ ଭିଡ଼ । ସେଥିରେ ସେ କାର୍‌କୁ ଆଗକୁ ନେଇ ନପାରି ସେଇଠି ରଖିଦେଲା ଓ ତରତର ହୋଇ ସେଇ ଗହଳି ଭିତରେ ଠେଲିପେଲି ଆଗକୁ ଗଲା । ଆରେ ଏ କ’ଣ? ତାଙ୍କର ଘର ଆଗରେ ଏତେ ଲୋକ! ସର୍ବନାଶ! ଚନ୍ଦ୍ର ଛାତିରୁ ଯେମିତି ଅତଡ଼ାଟିଏ ଖସି ପଡ଼ିଲା । ତା’ରି ଘର, ତୁଳସୀର
ସେଇ ସ୍ନେହର ନୀଡ଼ଟି, ତା’ ସାମ୍ନାରେ ହୁତ୍‌ହୁତ୍ ହୋଇ ଜଳୁଥିଲା । ଚନ୍ଦ୍ର ଭୟରେ ଚିତ୍କାର ଛାଡ଼ିଲା, ‘ତୁଳସୀ!’ ଏମିତି
ଚିତ୍କାର ଛାଡ଼ି ସେ ଘର ଆଡ଼କୁ ଦୌଡ଼ିଗଲା । ହେଲେ କେହି

ଜଣେ ପଛରୁ ତା’ କାନ୍ଧକୁ ଭିଡ଼ିଧରି ତାକୁ ଅଟକାଇଦେଲା । ପଛକୁ ଫେରି ଚାହିଁଲା ଚନ୍ଦ୍ର । ତାଙ୍କ ପୁରୁଣା ବିଶ୍ୱସ୍ତ ଭୃତ୍ୟ ରାମସିଂହ । ତା’କୋଳରେ ରାଧା । ଶିଶୁଟି ଏମିତି ପୋଡ଼ି ଯାଇଥିଲାଯେ ତାକୁ ଚିହ୍ନି ସୁଦ୍ଧା ହେଉ ନ ଥିଲା । ଚନ୍ଦ୍ର ଥମ୍ କରି ସେଇଠି ବସିପଡ଼ିଲା । ରାଧାକୁ ଧୀରେ କୋଳକୁ ନେଲା । ଆଉ ଗୋଟିଏ ହାତର ସ୍ପର୍ଶରେ ଶିଶୁଟି ଯନ୍ତ୍ରଣାରେ ଶିହରି ଉଠିଲା: ‘ମମି!’

ଚନ୍ଦ୍ରର ଅଭିଜ୍ଞ ଡାକ୍ତରୀ ହାତ ଅନୁମାନ କରିପାରିଲା ଯେ ଶିଶୁଟିକୁ ବଞ୍ଚାଇବାର ତଥାପି ଆଶା ଅଛି । ରାମସିଂହ ମୁହଁକୁ ଚାହିଁ ସେ ପଚାରିଲା, ‘ରାଧା କାହିଁ?’ ରାମସିଂହ ଆଖି ଛଳଛଳ ହୋଇଗଲା । ସେ କିଛି ଉତ୍ତର ଦେଇ ନ ପାରି କେବଳ ନିଜ ମୁଣ୍ଡକୁ ହଲାଇଲା । ସେଇଦିନ ରାତି ପ୍ରାୟ ଦଶଟା ବେଳକୁ ରାଧା ଆଖି
ବୁଜିଲା । ଚନ୍ଦ୍ରର ସବୁ ପ୍ରଚେଷ୍ଟା ବିଫଳ ହେଲା । ମଣିଷ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଯନ୍ତ୍ରଣା ସହ୍ୟ କରିପାରିବ । ତା’ଠାରୁ ଅଧିକ ନୁହେଁ । ଚନ୍ଦ୍ରର ମାନସିକ ଯନ୍ତ୍ରଣା ସେତେବେଳକୁ ସୀମା ପାରି କରି ସାରିଥିଲା । ତା’ର ଭୃତ୍ୟ ଓ ସହକର୍ମୀମାନେ ଟାଉନସାରା ଚାରିଆଡ଼େ ଯେତେ ଖୋଜାଖୋଜି କଲେ ସୁଦ୍ଧା ତୁଳସୀର କୌଣସି ଚିହ୍ନବର୍ଣ୍ଣ ପାଇ ନ ଥିଲେ । ଚନ୍ଦ୍ରକୁ ଜଣା ନ ଥିଲା ସେ ରାୱଲପିଣ୍ଡି ସହର ଛାଡ଼ି ତା’ଶ୍ୱଶୁର ଘରେ ଆସି ପହଞ୍ଚିଥିଲା କେମିତି! ତା’ ମାନସିକ ଅବସ୍ଥା ଦେଖି ତା’ ଶ୍ୱଶୁର ଶାଶୂ ମଧ୍ୟ ତାକୁ କିଛି ପଚାରିବାକୁ ସାହସ କୁଳେଇ ପାରୁ ନ ଥିଲେ । ସେମାନେ  ଏତିକି ଜରଣିଥିଲେ ଯେ ରାଧାର ମୃତ୍ୟୁ ଘଟିଛି ଓ ତୁଳସୀ ନିଖୋଜ । ଚନ୍ଦ୍ର

ଯେଉଁଦିନ ଆସି ସେମାନଙ୍କ ନିକଟରେ ପହଞ୍ଚିଥିଲା, ଛୋଟ ପିଲାଟିଏ ଭଳି କାନ୍ଦି କାନ୍ଦି ସବୁକଥା ବଖାଣିଥିଲା ।

ତା’ପରଠାରୁ ସେ ପୂରା ଚୁପ୍ ପଡ଼ିଯାଇଥିଲା । କେବଳ ଖଟଟା ଉପରେ ନିର୍ଜୀବ ପ୍ରାଣୀଟିଏ ପରି ପଡ଼ି ରହିଥିଲା । ସରସ୍ୱତୀଆମ୍ମା ଓ ଶ୍ରୀନିବାସ ରାଓ ଜ୍ୱାଇଁକୁ କିଛି ନ କହି, ତାକୁ ସେମିତି ନିରବରେ ରହିବାକୁ ଛାଡ଼ି ଦେଇଥିଲେ । ତା’ ମନ ଧୀରେ ବାସ୍ତବତାକୁ ଗ୍ରହଣ କରୁ ବୋଲି ସେମାନେ ଚାହୁଁଥିଲେ । ଏମିତି କିଛି ଦିନ ବିତିଗଲା । ଦିନେ ଶ୍ରୀନିବାସ ରାଓ ଚନ୍ଦ୍ର ମୁଣ୍ଡକୁ ଧୀରେ ଆଉଁଷି ତାକୁ ବୁଝେଇବାକୁ ଚେଷ୍ଟା କଲେ: ‘ବାବୁରେ, ଆଉ କେତେ ଦିନ ଏମିତି ଆଖିରୁ ଲୁହ ଗଡ଼େଇ ଚାଲିବୁ? ଯାହା
ଘଟିଗଲା, ଘଟିଗଲା । ଏବେ ତୋ ନିଜ ଭବିଷ୍ୟତ କଥା ଚିନ୍ତା କର । ଏଇ ମୋତେ ଦେଖ୍ । ନିଜକୁ ନିଜେ ବୁଝେଇ ନେ ।’

ଶ୍ରୀନିବାସ ରାଓଙ୍କ ଆଖି ସେତେବେଳକୁ ଲୁହ ଛଳଛଳ ହୋଇ ସାରିଥିଲା । ଚନ୍ଦ୍ର ଲକ୍ଷ୍ୟ କଲା, ଦି’ଠୋକା ତତଲା ଲୁହ ସେଥିରୁ ଖସି ପଡ଼ୁଛି । ଚନ୍ଦ୍ର କେମିତି ଏକ ଅସହାୟ ଦୃଷ୍ଟିରେ ଶ୍ରୀନିବାସ ରାଓଙ୍କ ମୁହଁକୁ ଚାହିଁ କହିଲା, ‘ମୁଁ ବୁଝିପାରୁନି ଏବେ ମୁଁ କରିବି କ’ଣ? ମୋର କ’ଣ କରିବା ଉଚିତ ।’

: ‘ତୁମେ ଏ ପ୍ରଶ୍ନ ମୋତେ କ’ଣ ପଚାରୁଛ? ତୁମେ ଏବେ ଯୁବକ । ତୁମର ଆଗକୁ ଦୀର୍ଘ ଜୀବନ ଲମ୍ବିଛି । ତୁମେ ଚାହିଁଲେ ଜୀବନରେ ଅନେକ କିଛି କରିପାରିବ ।’
: ‘କାହା ପାଇଁ ସେସବୁ କରିବି?’ ‘ମୁଁ କାହାପାଇଁ  ବଞ୍ଚିଛି? କାହାପାଇଁ ଏତେସବୁ କାମ କରୁଛି?’

ଏତିକି କଥା କହି ସାରି ଶ୍ରୀନିବାସ ରାଓ ତାଙ୍କ ଚେୟାର ଉପରେ ବସିପଡ଼ିଲେ ଓ ମୁହଁରେ ହାତଦେଇ କଇଁ କଇଁ ହୋଇ କାନ୍ଦିଚାଲିଲେ ।

ଚନ୍ଦ୍ରକୁ ଭାରି ଲାଜ ମାଡ଼ିଲା । ସେ ଭାବିଲା, ‘ନିଜ ଦୁଃଖରେ ଏମିତି ମୁହଁ ଶୁଖେଇ ବସି ରହି ମୁଁ ନିଜକୁ କେତେ ସ୍ୱାର୍ଥପର ବୋଲି ପ୍ରମାଣିତ କରିଛି! ଶାଶୂ ଶ୍ୱଶୁରଙ୍କ ଦୁଃଖ କଥା ତ ମୁଁ ଦିନେ ପଚାରି ବୁଝିନି!’ ତା’ ମନ ଘୋର ଅନୁଶୋଚନା ଓ ଆତ୍ମଗ୍ଳାନିରେ ଭରିଉଠିଲା । ଏଥର ସେ ବସିବା ସ୍ଥାନରୁ ଉଠି ଶ୍ୱଶୁରଙ୍କ କାନ୍ଧରେ ହାତ ଥାପିଲା ଓ ତାଙ୍କୁ ଆଶ୍ୱାସନା ଦେଲା । ଶ୍ରୀନିବାସ ରାଓ ଆଖିରୁ ଲୁହ ପୋଛି କହିଲେ, ‘ଆଜିକାଲି ଦିଲ୍ଲୀରେ ଡାକ୍ତରମାନଙ୍କ ଲାଗି ଯାହାକୁ ଯେତେ ଚାକିରି । ଲକ୍ଷ ଲକ୍ଷ ଶରଣାର୍ଥୀ ସୀମା ଆରପଟରୁ ଆସି ସେଠାରେ ପହଞ୍ଚିଛନ୍ତି । ସେମାନଙ୍କର ଚିକି୍‌ତ୍ସା ଲାଗି ଦଳ ଦଳ ଡାକ୍ତର ଖୋଜ । ପଡ଼ୁଛନ୍ତି ।’

‘ଶରଣାର୍ଥୀ’ ଶବ୍ଦଟି କାନରେ ପଡ଼ିବା ମାତ୍ରେ ଚନ୍ଦ୍ର ଦେହରେ ଯେମିତି ବିଜୁଳି ଖେଳିଗଲା । ସେ ଉଠିପଡ଼ି ସେଇ କୋଠରୀ ଭିତରେ ବିପର୍ଯ୍ୟନ୍ତ ଭାବେ ପଦଚାରଣ କରିଚାଲିଲା । ଶ୍ରୀନିବାସ ରାଓ ମୁହଁରେ କେମିତି ଏକ ଶୁଖିଲା ହସ ଫୁଟେଇ କହିଲେ, ‘ତୁଳସୀ ସେ ଶରଣାର୍ଥୀମାନଙ୍କ ଭିତରେ ନାହିଁ । ମୁଁ ଭଲଭାବେ ଖୋଜଖବର
ନେଇସାରିଛି ।’

ଚନ୍ଦ୍ର ମନେମନେ ଯେମିତି କିଛି ଗୋଟିଏ କାମ ପାଇଯାଇଥିଲା । ଏବେ ସେ ଦିନ ରାତି ସେଇ ଶରଣାର୍ଥୀ ଶିବିରରେ ଚକ୍କର କାଟି ଚାଲିଲା । ଶରଣାର୍ଥୀମାନଙ୍କଠାରୁ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀମାନ ଶୁଣି ତା’ ଲୋମ ଟାଙ୍କୁରି ଉଠୁଥିଲା । ତୁଳସୀ ଯେ ଏଇଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାଇପାରେ, ସେକଥା ସେ ଚିନ୍ତା ସୁଦ୍ଧା କରିପାରୁ ନ ଥିଲା । କିନ୍ତୁ ସେଇ ଶରଣାର୍ଥୀମାନଙ୍କ ଭିତରେ ଅନେକ ତୁଳସୀ ପରି ଥିଲେ । ସେମନେ ବି ବେଶ୍ ସମ୍ଭ୍ରାନ୍ତ ପରିବାରର । ଏବେ ସର୍ବସ୍ୱ ହରାଇ, ସମସ୍ତଙ୍କୁ ହରାଇ ଶରଣାର୍ଥୀ ଶିବିରରେ ଅସହାୟ ଜୀବନ ବିତାଉଥିଲେ । ଚନ୍ଦ୍ର ସେଇ ଲୋକମାନଙ୍କର ଚିକିତ୍ସା ସେବା କରିବା ଅର୍ଥ ତୁଳସୀକୁ ତ ଭଗବାନ କେଉଁଠି ହେଲେ ଭଲରେ ରଖିଥିବେ! ଏପରିକି ଦିନ ଦିନ ରାତି ରାତି ଧରି ସେ ସାମାନ୍ୟ ବିଶ୍ରାମ ସୁଦ୍ଧା ନେଉ ନ ଥିଲା । ସେମାନଙ୍କର ଚିକି୍‌ତ୍ସା କରି ଔଷଧପତ୍ର
ବାଣ୍ଟିବା  ସହ ଶରଣାର୍ଥୀମାନଙ୍କ ପାଇଁ ସେ ଲୁଗାପଟା ଓ ଖାଦ୍ୟସାମଗ୍ରୀ ମଧ୍ୟ ସଂଗ୍ରହ କରୁଥିଲା । ସେ ଶିବିରରେ ରହୁଥିବା ମହିଳାମାନଙ୍କ ପାଇଁ ଚନ୍ଦ୍ର ସାକ୍ଷାତ୍ ଭଗବାନ ପାଲଟି ଯାଇଥିଲା ।

ଏସବୁ ସତ୍ତ୍ୱେ ଚନ୍ଦ୍ର କିନ୍ତୁ ସଦାବେଳେ ଉଦାସ ରହୁଥିଲା । ତା’ମନରେ ପୂର୍ବର ସରାଗ ନ ଥିଲା କି ମୁହଁରେ ହସ ନ ଥିଲା । ନିଜ ମନର ଦୁଃଖକୁ ଭୁଲିବା ସକାଶେ ବେଳେବେଳେ ସେ ଖାଡ଼ା ଉପବାସ ବି ରହୁଥିଲା । ଚନ୍ଦ୍ରର ଏଭଳି ଅବସ୍ଥା ଦେଖି ସରସ୍ୱତୀଆମ୍ମା ମନେ ମନେ ଆତଙ୍କିତ ହୋଇ ପଡ଼ିଥିଲେ । ସେ ତାକୁ ସଦାବେଳେ ବୁଝେଇ କହୁଥିଲେ, ‘ଯେତେ ଇଚ୍ଛା ସେତେ ଜନସେବା କର, ହେଲେ ଠିକ୍ ସମୟରେ ଘରକୁ ଆସି ଦି’ଟା ଖାଇନେବୁ ଚନ୍ଦ୍ରୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନ ନେଳେ, ଦେହ ସୁସ୍ଥ ନ ରହିଲେ ତୁ ଅନ୍ୟମାନଙ୍କ ହାନିଲାଭ ବୁଝିବୁ କେମିତି?’

‘ମା, ମୋ ଦେହ ତ କିଛି ଖରାପ ନାହିଁ । ମୋତେ କାଇଁକି ଏପରି ଉପଦେଶ ଦେଉଛ?’ ଶାଶୂଙ୍କ ଉପଦେଶ ଓ ପ୍ରଶ୍ନବାଣକୁ ଏଡ଼ାଇବା ପାଇଁ ଚନ୍ଦ୍ର ଏପରି କହେ ଓ ସେଠାରୁ ଚୁପ୍‌ଚାପ୍ ଉଠି ଚାଲିଯାଏ । ଶରଣାର୍ଥୀ ଶିବିରରେ ତିନିବର୍ଷର ଶିଶୁଟିଏ ଥିଲା ଯାହାକୁ ଦେଖିଲେ ଚନ୍ଦ୍ରର ରାଧା କଥା ଖୁବ୍ ମନେ ପଡ଼ୁଥିଲା । ତା’ର ମନେ
ପଡ଼ିଗଲା, କେମିତି ସବୁଦିନ ହସପିଟାଲରୁ ଫେରିବା ପରେ ତାକୁ ଗାଡ଼ିରେ ବସାଇ ବାହାରେ ବୁଲେଇ ଆଣିବା ଲାଗି ରାଧା ଉଚ୍ଛନ୍ନ ହୋଇପଡ଼ୁଥିଲା । ନିଜ ମା’ ବିରୁଦ୍ଧରେ ବଖାଣିବାକୁ ତା’ର ହଜାର ଅଭିଯୋଗ ଥିଲା । ସଦାବେଳେ ହସି ଖେଳି ବୁଲୁଥିଲା । ଚନ୍ଦ୍ର ଓ ତୁଳସୀଙ୍କ ହୃଦୟରେ ସେ ଏକ ବିଶେଷ ସ୍ଥାନ ଅଥିକାର କରି ସାରିଥିଲା । ରାଧାକୁ ଖୁଆଇ ପିଆଇ କି ନୂଆ ନୂଆ ପୋଷାକପତ୍ର ପିନ୍ଧାଇବାରେ ତୁଳସୀ କେବେ କ୍ଳାନ୍ତି ଅନୁଭବ କରୁ ନ ଥିଲା । ଯେଉଁଦିନ ଶେଷ ଥରପାଇଁ ଚନ୍ଦ୍ର ଉଭୟ ମା-ଝିଅଙ୍କଠାରୁ ବିଦାୟ ନେଇ ହସପିଟାଲକୁ ଯାଇଥିଲା, ସେଦିନ ମଧ୍ୟ ରାଧାପାଇଁ ନୂଆ କଣ୍ଢେଇଟିଏ ଆଣିବା ସକାଶେ ତୁଳସୀ ଚନ୍ଦ୍ରକୁ ବାରମ୍ବାର କହିଥିଲା । କିନ୍ତୁ ସେଇଦିନ ଅପରାହ୍ଣରେ ଯେତେବେଳେ ଚନ୍ଦ୍ର ରାଧାକୁ ଦେଖିଥିଲା ସେତେବେଳକୁ ତା’ର ଶରୀର ପୋଡ଼ିଜଳି କେମିତି ପୁଳାଏ ମାଂସ ପାଲଟି ସାରିଥିଲା । ଚନ୍ଦ୍ରର ଭାବନା ସଦାବେଳେ ଆସି ସେଇଠି ଅଟକି ଯାଉଥିଲା । ସେ ଭୟଙ୍କର ଦୃଶ୍ୟର ଚିତ୍ରକୁ ଚନ୍ଦ୍ର ନିଜ ମନରୁ ପୋଛି ପାରୁ ନ ଥିଲା । ଆଜି ସୁଦ୍ଧା ତା’ କାନରେ ରାଧାର ସେଇ ଯନ୍ତ୍ରଣାସିକ୍ତ ଚି୍‌ତ୍କାର ବାରମ୍ବାର ଶୁଭି ଯାଉଥିଲା । ଆଉ କ’ଣ ତୁଳସୀ ସେଇ ନିଆଁରେ ପଡ଼ି ମୃତ୍ୟୁବରଣ କଲା! କିଏ ଜାଣେ… ଏକଥା କେହି ନିଶ୍ଚିତ ଭାବେ କହି ପାରିବେନି । ଏକଥା ଚିନ୍ତାକଲେ ସୁଦ୍ଧା ଚନ୍ଦ୍ରର ଦେହ ଶୀତେଇ ଉଠୁଥିଲା । ତା’ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା । ଏବେ ଶିବିରରେ ସେଇ ଛୋଟ ଛୁଆଟିକୁ ବେଳେବେଳେ ହସେଇ ଖେଳେଇ ତାକୁ କିଛି ଖାଇବାକୁ ଦେଇ ଚନ୍ଦ୍ର ନିଜ ମନକୁ ବୁଝାଉଥିଲା ।

ଏମିତି ଦିନେ ସନ୍ଧ୍ୟାବେଳେ ଶ୍ରୀନିବାସ ରାଇ ତାଙ୍କ ଘର ସାମ୍‌ନାରେ ଠିଆ ହୋଇଥିଲେ । ବାହାରକୁ ଯିବାକୁ ଯିବାକୁ ବାହାରିଛନ୍ତି, ଠିକ୍ ସେତିକିବେଳେ ଚନ୍ଦ୍ର ଧଇଁସଇଁ ହୋଇ ସାଇକେଲ ପେଲି ସେଠାରେ ପହଞ୍ଚିଲା ।

ଚନ୍ଦ୍ର ପଚାରିଲା, ‘ଆପଣ କ’ଣ କୁଆଡ଼େ ବାହାରିଛନ୍ତି ନା କ’ଣ?’

‘ଭାବୁଥିଲି ଯାଇ ଗାନ୍ଧୀଜୀଙ୍କ ସନ୍ଧ୍ୟା ପ୍ରାର୍ଥନା ସଭାରେ ବସିଆସିବି ।’ ଶ୍ରୀନିବାସ ରାଓ ଉତ୍ତର ଦେଲେ ।

‘ଆପଣ ଦଣ୍ଡେ ଅପେକ୍ଷା କରନ୍ତୁ । ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ।’

‘ତୁମେ ତ ଏଇ ମାତ୍ର ଘରକୁ ଫେରୁଛ । ମୁହଁହାତ ଧୋଇ କିଛି ଜଳଖିଆ ଖାଇ ଟିକେ ବିଶ୍ରାମ ନିଅ ।’

ଚନ୍ଦ୍ରର ବିଶ୍ରାମ ଦରକାର ନ ଥିଲା । ଅଧ ମିନିଟିଏ ବିଶ୍ରାମ ନେଲେ ତା’ମନକୁ ସେଇ ପୁରୁଣା ଦିନର କଥାସବୁ ଆସିଗୋଳମାଳ କରି ପକାଉଥିଲା । ସେଇ ଅତୀତର ସ୍ମୃତି… ଭୟଙ୍କର ସ୍ମୃତି… ଯାହା କିଛି ତା’ସାଙ୍ଗରେ ବିବତିଯାଇଛି ତାକୁ ବଦଳାଇ ତା’ର ନ ଥିଲା । ତେଣୁ ବିଶ୍ରାମ ତା’ ମନରେ ଶାନ୍ତି ଦେଉ ନ ଥିଲେ । କାମ, କାମ ଆଉ କାମ । ଦେଇ କାମ ହିଁ ତା’ ମନରୁ ସାମୟିକ ଭାବେ ଏପରି ଦୁଶ୍ଚିନ୍ତାକୁ ଦୂରେଇ ରଖୁଥିଲା । ତା’ ଭାରାକ୍ରାନ୍ତ ମନକୁ ସାମୟିକ ସ୍ବାନ୍ତନା ଦେଉଥିଲା । ‘ଏଇ ମୁଁ ସଙ୍ଗେସଙ୍ଗେ ବାହାରିଲି ।’ ଏତିକି କହି ଚନ୍ଦ୍ର ଘର ଭିତରକୁ ପଶିଗଲା । ସରସ୍ୱତୀଆମ୍ମା ତା’ ପାଇଁ ପୂର୍ବରୁ ଜଳଖିଆ ଓ କଫି ପ୍ରସ୍ତୁତ କରି ରଖିଥିଲା । ତେଣୁ ସେ ତରତର ହୋଇ ସେତକ ଖାଇଦେଇ ବାହାରି ପଡ଼ିଲା ।

ଦୁହେଁ ଯାଇ ଗାନ୍ଧୀଜୀଙ୍କ ପ୍ରାର୍ଥନାସ୍ଥଳ ନିକଟରେ ପହଞ୍ଚିଲା ବେଳକୁ ସେଠାରେ ଲୋକ ଭରପୂର ହୋଇ ସାରିଥିଲେ । ଗାନ୍ଧୀଜୀ ମଧ୍ୟ ପ୍ରାର୍ଥନାରେ ଯୋଗ ଦେବାର ସମୟ ହୋଇସାରିଥିଲା । ସେଦିନ ଗାନ୍ଧୀଜୀ ଶରଣାର୍ଥୀମାନଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ପ୍ରାର୍ଥନା ପରେ ଆଲୋଚନା କରିବାର ପ୍ରସଙ୍ଗ ଥିଲା । ବିଶେଷକରି ଶରଣାର୍ଥୀ ମହିଳାମାନଙ୍କ ସମସ୍ୟା ଓ ସେମାନଙ୍କ ନିରାପତ୍ତା ଓ ଥଇଥାନ ବିଷୟରେ ସେ ଲୋକମାନଙ୍କୁ ବୁଝାଇବାକୁ ଥିଲା ।

ପ୍ରାର୍ଥନା ପରେ ଗାନଧୀଜୀ କହିଚାଲିଲେ, ‘ଶରଣାର୍ଥୀ ମହିଳାମାନଙ୍କୁ କେବେ ଜାତିପତିହୀନ କି ଘୃଣ୍ୟ ବୋଲି ହତାଦର କରିବା ଉଚିତ ନୁହେଁ । ଏକଥା କତାପି ନୁହେଁ ଯେ ସେମାନେ ଜାଣିଶୁଣି ଏପରି ସମସ୍ୟା ଭିତରକୁ ଡେଇଁଥିଲେ । ସେମାନେ ଅତ୍ୟାଚାର, ଦୁଷ୍କର୍ମ ଭଳି ଅନେକ ପ୍ରକାର ନିର୍ଯ୍ୟାତନାର ଶିକାର । ଯଦି ଜଣେ ଥିଲାବାଲା କି ସମ୍ଭ୍ରାନ୍ତ ଘରର ଝିଅବୋହୂଙ୍କୁ କେହି ଜୋର ଜବରଦସ୍ତ ଉଠାଇନେଇ ତାଙ୍କ ପ୍ରତି କୌଣସି ଅତ୍ୟାଚାର କରେ, ତାଙ୍କର ଇଜ୍ଜତ ଲୁଟେ, ତେବେ ବିଚାରୀ ମହିଳାଟିର ଭଲା ଦୋଷ କ’ଣ? ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ଭିତରକୁ ଲେଉଟାଇ ଆଣିବାକୁ ହେବ । ସେମାନଙ୍କ ମନରେ ଭୟ ଓ ଆତ୍ମଗ୍ଳାନିକୁ ଦୂର କରିବା ସକାଶେ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ଆପଣାପଣ ପ୍ରଦର୍ଶନ କରିବାକୁ ପଡ଼ିବ ।’

ଚନ୍ଦ୍ର ସେଇଠି ବସି ଗାନ୍ଧୀଜୀଙ୍କ ଆଲୋଚନାକୁ ମନଧ୍ୟାନ ଦେଇ ଶୁଣୁଥିଲା । ଗାନ୍ଧୀଜୀଙ୍କ ଏଭଳି ପ୍ରାର୍ଥନା ସଭାରେ ଯୋଗ ଦେବା ଓ ତାଙ୍କୁ ସାକ୍ଷାତ କରିବା ତା’ ମନରେ ଯଥେଷ୍ଟ ଶାନ୍ତି ପହଞ୍ଚାଇଥିଲା । ସତେ ଯେମିତି ତା ମନକୁ କିଏ ଶାନ୍ତିର ସାଗର ଜଳରେ ଗାଧୋଇ ଦେଇଛି! ତା’ ମନରୁ ସବୁ ଆଶଙ୍କର ଓ ଦୁଃଖ ଦୂର ହୋଇଯାଇଛି ।

ବିଭାଜନ  ବେଳର ଭୟଙ୍କର ହିଂସାର ଶରବ୍ୟ ହୋଇଥିବା ମହିଳାମାନଙ୍କ ଦୁର୍ଦ୍ଦଶା କଥା କହିଲାବେଳେ ମହାତ୍ମାଙ୍କ ଆଖି ଲୁହ ଛଳଛଳ ହୋଇ ଉଠିଥିଲା । ତାଭ୍‌କ ପରି ଜଣେ ଦୃଢ଼ମନା ବ୍ୟକ୍ତି ଯିଏ ସକଳ ପ୍ରକାର କଷ୍ଟକୁ ସହ୍ୟ କରିବା ଲାଗି ମାନସିକତାର ଅଧିକାରୀ, ସିଏ କେମିତି ଅନ୍ୟର ଦୁଃଖରେ ଭାଙ୍ଗି ପଡ଼ିଥିଲେ, ସେକଥା ଚନ୍ଦ୍ର ପ୍ରତ୍ୟକ୍ଷ କରିଥିଲା । ଏବେ ତୁଳସୀ କଥା ଭାବିଲାବେଳେ ଚନ୍ଦ୍ର ଆଉ ଉତ୍ତେଜିତ ହୋଇ ପଡ଼ୁ ନ ଥିଲା । ସେ ମନେମନେ ଭାବୁଥିଲା, ‘ମୁଁ ଯଦି ଏବେ ମୋ ତୁଳସୀକୁ ଫେରିପାଏ, ତେବେ ତାକୁ ଖୁସି ମନରେ ଘରକୁ ପାଛୋଟିନେବି ଏବଂ ପୁଣି ଥରେ ମୋ ହୃଦୟ ସିଂହାସନରେ ତାକୁ ସ୍ଥାନ ଦେବି । ଜଣେ ମଷିଷ ଯିଏ ଏତେ ଦୁଃଖ, ଅତ୍ୟାତାର ଓ ନିର୍ଯ୍ୟାତନାର ଶିକାର ହୋଇଛି, ତାକୁ କେମିତି ଅବା ଦୂରେଇ ଦେଇପାରିନି, ଘୃଣା କରିବି? ତା’ଛଡ଼ା ତୁଳସୀର ସ୍ଥାନ ଆଉ କିଏ ଭଲା କେମିତି ପୂରଣ କରିପାରିବ? ତେଣୁ ଏବେ ସେ ଗାନ୍ଧୀଜୀଙ୍କ ସନ୍ଧ୍ୟା ପ୍ରାର୍ଥନାସଭାରେ ନିୟମିତ ଭାବେରେ ଯୋଗ ଦେବାକୁ ଯିବା ଆରମ୍ଭ କଲା । ଗାନ୍ଧୀଜୀଙ୍କ କଥା ତା ଶୁଷ୍କ ପ୍ରାଣରେ ଆଶା ଓ ବିଶ୍ୱାସ ଭରି ଦେଉଥିଲା । ଏପରିକି ମହାତ୍ମାଙ୍କ ପ୍ରାର୍ଥନା ସଭା ଶେଷ ହେବାପରେ ସୁଦ୍ଧା ଚନ୍ଦ୍ର ସେଠାରେ ଢେର୍ ସମୟ ପର୍ଯ୍ୟନ୍ତ ବସି ରହୁଥିଲା ।

ଚନ୍ଦ୍ରର ଏଭଳି ପରିବର୍ତ୍ତନ ଦେଖି ଶ୍ରୀନିବାସ ରାଓଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ପଡ଼ୁଥିଲା । ସେ ଦୀର୍ଘଶ୍ୱାସଟିଏ ଛାଡ଼ି ମନକୁ ମନ ପଚାରୁଥିଲେ, ‘ସତରେ କ’ଣ ତୁଳସୀ ପୁଣି ଥରେ ଫେରି ପାଇବ ?’

ତା’ପର ଦିନ ସନ୍ଧ୍ୟାରେ ଯଥାରୀତି ଚନ୍ଦ୍ର ବିରଳା ବିନ୍ଦରକୁ ଗଲା । ସେତେବେଳକୁ ଲୋମାନଙ୍କ ଗହଳି ଆରମ୍ଭ ହୋଇ ନ ଥିଲା । ମହାତ୍ମାଜୀ ତାକୁ ତୁରନ୍ତ ଡକାଇ ପଠାଇଲେ । ତା’ ହାତ ଧରି ସ୍ନେରେ ତାକୁ ପାଖରେ ବସାଇ କହିଲେ, ‘ମୁଁ ଶୁଣୁଛି ତୁମେ ଶରଣାର୍ଥୀମାନଙ୍କ ଲାଗି ଏତେସବୁ ଭଲ କାମ କରୁଛ । ଏକଥା ଜାଣି ମୁଁ ଖୁବ୍‌
ଖୁସି । କହନ୍ତି, ଶ୍ରୀକୃଷ୍ଣଙ୍କ ସ୍ପର୍ଶ ପାଇ ଅର୍ଜୁନଙ୍କ ମନରୁ ସବୁ ବିଷାଦ ଦୂର ହୋଇଯାଇଥିଲା । ଚନ୍ଦ୍ର ମଧ୍ୟ ଗାନ୍ଧୀଙ୍କ ସ୍ନେହବୋଳ କଥା ଓ ତାଙ୍କ ସାନ୍ନିଧ୍ୟ ଲାଭକରି ନିଜ ମନକୁ ସେମିତି ହାଲୁକା ଲାଗୁଥିବା ପରି ଅନୁଭବ କଲା । ତା’ର ଅନୁଭବ ଠିକ୍ ଅର୍ଜୁନ କରି ଥିଲା । ତେଣୁ ସେ କେବଳ ମୁଣ୍ଡକୁ ତଳକୁ କରି ସେଇଠି ବସିରହିଲା ।ମହାତ୍ମାଜୀ କହି ଚାଲିଥିଲେ, ‘ଦୁର୍ଦଶାରେ ଥିବା ଲୋକଙ୍କ ଆଡ଼କୁ ସହାୟତା ଓ ସମବେଦନାର ହାତ ବଢ଼ାଇବା ଏକ ଈଶ୍ୱରଦତ୍ତ ଆଶୀର୍ବାଦ ।’

ଚନ୍ଦ୍ର ଧୀର ସ୍ୱରରେ ଗାନ୍ଧୀଜୀଙ୍କୁ କହିଲା, ‘ବାପୁ, ମୁଁ ମଧ୍ୟ ଢେର୍‌ ଦୁର୍ଦଶା ସହ୍ୟ କରିଛି । ଏକଥା ଶୁଣି ମହାତ୍ମାଙ୍କ ମୁଖମଣ୍ଡଳରେ ସମବେଦନାର ବାଦଲ ଘୋଟିଗଲା । ସେ ଚନ୍ଦ୍ରଠାରୁ ସବୁକଥା ଶୁଣି ଦୃଢ଼ ଆଶ୍ୱାସନା ଦେଲାଭଳି କହିଲେ, ‘ମୋର ଆତ୍ମା କହୁଛି, ତୁମେ ତୁମ ତୁଳସୀକୁ ନିଶ୍ଚୟ ଫେରି ପାଇବ । ଈଶ୍ୱରଙ୍କ ଉପରେ ଭରସା ରଖ । ତେବେ ମନୋବଳକୁ ଦୁର୍ବଳ କରନା । କିନ୍ତୁ ସତର୍କ ରହିଥିବ । ମୁଁ ତୁମକୁ ଏବେ ସାବଧାନ କରିଦେଉଛି । ତୁଳସୀକୁ ସନ୍ଦେହ କି ନିଜସ୍ୱ ଦୃଷ୍ଟିକୋଣରୁ କେବେ ଆକଳନ କରିବାର ଅଧିକାର ଭଗବାନ ତୁମକୁ ଦେଇନାହାନ୍ତି । ତାକୁ ଯେବେ ବି ପାଇବ, ଯେମିତି ଅବସ୍ଥାରେ ପାଇବ, ସ୍ନେହ ଓ ସମ୍ମାନର ସହ ଗ୍ରହଣ କରିନେବ ।’ ସେଦିନ ନ୍ଦ୍ର ଘରକୁ ଫେରିଥିଲା । ଖାଇପିଇ ଖଟ ଧରିବା ମାତ୍ରେ ତାକୁ ଶାନ୍ତିରେ ନିଦ ହୋଇଗଲା । ତୁଳସୀ ଯିବା ଦିନଠାରୁ  ଶାନ୍ତିରେ କୌଣସି ଦିନ ରାତିରେ ସେ ଶୋଇ ନଥିଲା ।

ତା’ପରେ ଆହୁରି ଅନେକ ବିତି ସାରିଥିଲା । ଧୀରେ ଧୀରେ ଗାନ୍ଧୀଜୀଙ୍କ ଆଶ୍ୱାସନା ବାଣୀ ଉପରୁ ଚନ୍ଦ୍ରର ଆସ୍ଥା ମଧ୍ୟ ତୁଟିବାକୁ ଲାଗିଲା । ତୁଳସୀ ଫେରି ନ ଥିଲା – କିଏ ଜାଣେ ନରପିଶାଚମାନେ ତାକୁ ଜୀବନରେ ମାରି ସାରିଥିବେ କି କଅଣ? ଏ ଜନ୍ମରେ ସମ୍ଭବତଃ ତା’ସାଙ୍ଗରେ ଆଉ ଥରେ ଦେଖା ହୋଇ ନ ପାରେ । ମନ
ଦୁଃଖରେ ଚନ୍ଦ୍ର ପୁଣି ତା’କର୍ତ୍ତବ୍ୟରେ ମନୋନିବେଶ କରିଥିଲା । ତା’ ହାତରେ ପର୍ଯ୍ୟାପ୍ତ କାମ ଥିଲା । କେବଳ ଅଭାବ ସମୟ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା ଯେ ସେଇସବୁ ବୁଭୁକ୍ଷୁ ଓ ଅସହାୟ ଶରଣାର୍ଥୀମାନେ ରହୁଥିବା ଶିବିରରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ଆରମ୍ଭ କଲା । ବିଶେଷ କରି ମା’ବାପ ଛେଉଣ୍ଡ ଅସହାୟ ପିଲାମାନଙ୍କ ଠାରେ । ଯେଉଁଦିନ ଏକଥା ଜଣାପଡ଼ିଲା ସେଇଦିନଠାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ଚିକିତ୍ସା ସେବା କରି କରି ଚନ୍ଦ୍ର ହାଲିଆ ହୋଇପଡ଼ୁଥିଲା । ଆକ୍ରାନ୍ତ ଶିଶୁମାନଙ୍କ ଅବସ୍ଥା ଦେଖି ସେ ମନେ ମନେ ଡରି ଯାଇଥିଲା । କାମ କରି କରି ସେତେବେଳକୁ ତା’ର ଆଉ ଠିଆ ହେବାକୁ ସୁଦ୍ଧା ଜୁ’ ପାଉ ନଥିଲା ।

ସେମିତି ଦିନେ ସେ ଗୋଡ଼ ଘୋଷାରି ଘରକୁ ଫେରୁଥିଲା । କିଛି ସମୟ ପରେ ଚନ୍ଦ୍ର ଲକ୍ଷ୍ୟକଲା, ତା’ ପଛରେ ଜଣେ କିଏ ସ୍ତ୍ରୀଲୋକ ଚାଲୁଛି । ମହିଳା ଜଣକ ମୁହଁରେ ଓଢ଼ଣା ଢାଙ୍କି ଥିବାରୁ ଚନ୍ଦ୍ର ତାକୁ ଚିହ୍ନି ପାରୁ ନ ଥିଲା । ତେଣୁ ଚନ୍ଦ୍ର ଜାଣିଶୁଣି ତା’ ଚାଲିବାକୁ ଧୀର ମନ୍ଥର କରିନେଲା । ସେଇ ଅପରିଚିତ ସ୍ତ୍ରୀଲୋକଟିକୁ ଆଗକୁ ଯିବା ଲାଗି ସେ ପରୋକ୍ଷରେ ଇସାରା ଦେଲା । ସ୍ତ୍ରୀ ଲୋକଟି କିନ୍ତୁ ଚନ୍ଦ୍ର ନିକଟକୁ ଆସି ଠିଆହେଲା ଓ ନିଜ ମୁହଁରୁ ଓଢ଼ଣିଟି ଖସେଇଦେଲା । ତା’ ସାମ୍ନାରେ ଚନ୍ଦ୍ର ଏବେ ଯାହା ଦେଖୁଥିଲା ସେଥିରେ ସେ ନିଜ ଆଖିକୁ ସୁଦ୍ଧା ବିଶ୍ୱାସ କରିପାରୁ ନ ଥିଲା । ତୁଳସୀ ତା’ ଆଗରେ ସଶରୀରେ ଠିଆ ହୋଇଥିଲା । ତା’ର ବିପର୍ଯ୍ୟସ୍ତ ଅବସ୍ଥା ଓ ଶୁଖିଲା ମୁହଁକୁ ଦେଖି ଚନ୍ଦ୍ର ହତବାକ୍ ହୋଇଗଲା । ଗଲା କେତେଦିନ ଧରି ସେ ମୁଣ୍ଡ ସୁଦ୍ଧା କୁଣ୍ଡାଇ ନ ଥିଲା ସେକଥା କିଏ ଜାଣେ? ତଥାପି ସେ ତୁଳସୀ, ତା’ ହୃଦୟର ରାଣୀ । ଚନ୍ଦ୍ର ତା’ ଆଡ଼କୁ ଦି’ହାତ ବଢ଼ାଇ ଚିତ୍କାର ଛାଡ଼ିଲା- ‘ତୁଳସୀ!’

ତୁଳସୀ କିନ୍ତୁ ଦି’ପାହୁଣ୍ଡ ପଛକୁ ଘୁଞ୍ôଚଗଲା । ସଯେ ଯେମିତି ସେ ଏପରି ଡାକରେ ଭୟ ପାଇ ଯାଇଥିଲା ଚନ୍ଦ୍ର ବିସ୍ମିତ ଓ ଅନିଶ୍ଚିତ କଣ୍ଠରେ ତାକୁ ପଚାରିଲା, ‘ତୁ ମୋର ତୁଳସୀ ନା ନୁହେଁ?’ ଏଇ ପଦକ କଥାରେ ତୁଳସୀ ଆଖିରୁ ଦି’ଧାର ଲୁହ ଗଡ଼ିପଡ଼ିଲା ।

‘ହଁ, ମୁଁ ସେଇ ହତଭାଗିନୀ ତୁଳସୀ ।’ ସେ ଉତ୍ତର ଦେଲା । ସେ ପର୍ଯ୍ୟନ୍ତ ସୁଦ୍ଧା ଚନ୍ଦ୍ରକୁ ସ୍ୱପ୍ନ ଦେଖିବାପରି ଲାଗୁଥିଲା । କାହିଁ କେତେ ଦିନରୁ ପ୍ରତିଦିନ ରାତିରେ ସେ ମନେ ମନେ ଏଇଭଳି ଏକ ଘଟଣା ଓ ଦୃଶ୍ୟ ତ ଆଶା କରି ଆସୁଥିଲା । କିନ୍ତୁ ବାସ୍ତବତାକୁ ସତେ ଯେମିତି ସେ ଗ୍ରହଣ କରିପାରୁ ନ ଥିଲା । ସେ ତ ମନେ ମନେ ପ୍ରତିଜ୍ଞା କରିଥିଲା ତୁଳସୀକୁ ପାଇଲେ ତାକୁ ତୁରନ୍ତ ଆପଣାଇ ନେବ, ତା’ ମନରୁ ସବୁ ଦୁଃଖ ଗ୍ଳାନି ପୋଛି ପକାଇବ । କିନ୍ତୁ ଏବେ କାହିଁକି ତା’ ତୁଣ୍ଡରୁ କଥାପଦେ ସ୍ଫୂରୁ ନ ଥିଲା । ସେ କେବଳ ଆବାକାବା ହୋଇ ତାକୁ ଚାହିଁ ରହିଥିଲା । ତୁଳସୀ ମଧ୍ୟ  ନିଶ୍ଚଳ  ମୂର୍ତ୍ତିଟିଏ ପରି ତା’ରି ସାମ୍‌ନାରେ ଠିଆ ହୋଇ ରହିଥିଲା । କେବଳ ଯାହା ମଝିରେ ମଝିରେ ସେ ନିଜ ଶାଢ଼ି କାନିରେ ଆଖି ଲୁହକୁ ପୋଛି ନେଉଥିଲା । ହଠାତ୍ ସମ୍ବିତ୍ ଫେରି ପାଇବାପରି ଚନ୍ଦ୍ର କହିଉଠିଲା,

‘ଚାଲ, ତୁଳସୀ, ଘରକୁ ଚାଲ ।’

‘ମୁଁ କ’ଣ ଘରକୁ ଫେରିପାରିବି?’ ତୁଳସୀ ପଚାରିଲା ।

‘ତୁ ଏମିତିକା ଅଜବ ପ୍ରଶ୍ନ ପଚାରୁଛୁ କାହିଁକି ଶୁଣେ? ତୋ ନିଜ ଘରକୁ ଲେଉଟିବା ସକାଶେ କ’ଣ ମୋ ଅନୁମତି ଲୋଡ଼ିବା ଦରକାର? ଚାଲ, ଘରକୁ ଯିବା ।’
‘ତା’ହେଲେ ଅପେକ୍ଷା କର । ମୁଁ ମୋ ଛୁଆଟିକୁ ଆଣୁଛି ।’

ଛୁଆ! ଚନ୍ଦ୍ର ଚମକି ପଡ଼ିଲା । ତା’ ଚିନ୍ତାରେ କେବଳ ତୁଳସୀ ହିଁ ଥିଲା । କୌଣସି ଶିଶୁ ତ ନ ଥିଲା । ତାକୁ ଲାଗିଲା ଯେମିତି କେହି ଜଣେ ତାକୁ ଶକ୍ତ ଚାପୁଡ଼ାଟିଏ ପକାଇଲା! ତୁଳସୀର ଛୁଆ, ଯାହା ତା’ର ନୁହେଁ! ତା’ ମୁଣ୍ଡ ଲଜ୍ଜାରେ ନଇଁ ପଡ଼ୁଥିଲା । ସେ ଆଗକୁ କିଛି ଚିନ୍ତା ସୁଦ୍ଧା କରିପାରୁ ନ ଥିଲା । ତା’ ମନର ଏଭଳି ଦ୍ୱନ୍ଦ୍ୱକୁ ଠଉରାଇପାରି ତୁଳସୀ କହିଲା, ‘ହଁ, ଚନ୍ଦ୍ର । ମୋ ପାଖରେ ବାପା-ମା’ ଛେଉଣ୍ଡ ଚାରିମାସର ଶିଶୁଟିଏ ଅଛି ।

ଆଚ୍ଛା, ରାଧା ଭଲ ଅଛି ତ?’

‘ରାଧା ଆଉ ଏ ସଂସାରରେ ନାହିଁ ।’ କୌଣସି କଥା ନ ଲୁଚେଇ ଚନ୍ଦ୍ର ରୋକଠୋକ ସତ କଥାସବୁ ତୁଳସୀକୁ କହିଦେଲା ।

କେଇକ୍ଷଣ ଲାଗି ଉଭୟ ଚନ୍ଦ୍ର ଓ ତୁଳସୀ ସେମାନଙ୍କ ଆଗରେ ସତେକି ପ୍ରଳୟର ଲେଲୀହାନ ଅଗ୍ନିଶିଖାକୁ ପ୍ରତ୍ୟକ୍ଷ କରୁଥିଲେ! ଆଉ ସେଇ ନିଆଁ ଭିତରେ ସେମାନଙ୍କ ସୁଖର ସଂସାର ପୋଡ଼ିଜଳି ଛାରଖାର ହୋଇଯାଉଥିଲା! ନିକଟ ଅତୀତରେ ତୁଳସୀ ଏତେ ଝଡ଼ଝଞ୍ଜା ଓ ନିର୍ଯ୍ୟାତନା ଭିତର ଦେଇ ଗତି କରିଥିଲା ଯେ ରାଧାର ମୃତ୍ୟୁ ଖବର ତା’ କାନରେ ପଡ଼ିବା ମାତ୍ରେ ତା’ଠାରେ ସେପରି କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା । ସତେ ଯେମିତି ଯନ୍ତ୍ରଣା ସହ୍ୟ କରି କରି ତା’ ଛାତି ଭିତରଟା ପଥର ପାଲଟି ସାରିଥିଲା । ସେ ଛାତିତଳେ କିଛି ଭାବାବେଗ ନ ଥିଲା ।

ଚନ୍ଦ୍ର କିନ୍ତୁ ଭବିଷ୍ୟତକୁ ନେଇ ବେଶ୍ ଦୁଶ୍ଚିନ୍ତା ଭିତରେ ଥିଲା । ସେ ତୁଳସୀକୁ ପ୍ରସ୍ତାବ ଦେଲା, ‘ଚାଲ, ଶିଶୁଟିକୁ କୌଣସି ଗୋଟିଏ ଅନାଥାଶ୍ରମରେ ଛାଡ଼ି ଆସିବା । ତୁଳସୀ, ତୁମେ ଘରକୁ ଫେରିଚାଲ ।’ କିନ୍ତୁ ତୁଳସୀ ଆଉ ଏବେ ତା’ର ସେଇ ପୁରୁଣା ଦିନର ମାନସିକତାକୁ ନେଇ ବଞ୍ଚୁ ନ ଥିଲା । ଦୁଃଖ ଓ ଯନ୍ତ୍ରଣା ତା’ ମନରୁ ସବୁ
କୋମଳପଣ ଓ ଦୟାମାୟାକୁ ନିଃଶେଷ କରିଦେଇଥିଲା । ଏ କଠୋର ଦୁନିଆକୁ ସାମ୍‌ନା କରିବାକୁ ହେଲେ, ବଞ୍ଚି ରହିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ । ଛାତିକୁ ପଥର କରିବାକୁ ହେବ ।

‘ମୁଁ ଏ ଛୁଆଟିକୁ କଦାପି ଛାଡ଼ି ପାରିବିନି । ତୁମେ ଯଦି ଚାହୁଁଛ ତେବେ ଆମେ ଦୁହେଁ ଘରକୁ ଯିବୁ ।’ ତୁଳସୀ କେମିତି ସର୍ତ୍ତ ରଖିବାଭଳି ଦୃଢ଼ ସ୍ୱରରେ କହିଲା ।

ଚନ୍ଦ୍ର ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲା । ତା’ର ମନେ ପଡ଼ିଗଲା ବାପୁଙ୍କ କଥା – ଅନ୍ୟକୁ ଆକଳନ କରିବାର ଅଧିକାର ତୁମର ନାହିଁ… କିନ୍ତୁ ଚନ୍ଦ୍ର ନିଜ ଭିତରୁ କେମିମତି ଏକ ପ୍ରତିବାଦର ସ୍ୱର ଶୁଣି ପାରୁଥିଲା । ତା’ର ସ୍ୱାଭିମାନ ଓ ଅହଂକାରର ସ୍ୱର । ଏପରିକି ସେ ଶିଶୁଟିକୁ ଦେଖିବାକୁ ସୁଦ୍ଧା ଚାହୁଁ ନ ଥିଲା । ତୁଳସୀ ପ୍ରସ୍ତାବ ଦେଲା, ‘ଏବେ ତୁମେ ଏଇଠି ଥାଅ । ମୁଁ ସନ୍ଧ୍ୟାବେଳକୁ ଆଉ ଥରେ ଆସିବି । ତୁମ ବାପା-ମା’ଙ୍କ ସାଙ୍ଗରେ ଟିକେ କଥାବାର୍ତ୍ତା କରିବାକୁ ଚାହେଁ ।’ ତୁଳସୀ ତା’ କଥାରେ ସମ୍ମତି ଭରି ସେଠାରୁ ଚାଲିଗଲା । ଚନ୍ଦ୍ର ଚାଲିଚାଲି ଘରକୁ ଫେରୁଥିଲା । ବାଟସାରା ସେଇ ଗୋଟିଏ କଥା ତା’ ମନକୁ ଆଚ୍ଛନ୍ନ କରି ରଖିଥିଲା । ସେ ମନେ ମନେ ଭାବୁଥିଲା
ତୁଳସୀକୁ ତ ସେ ପାଇବାକୁ ସଦାବେଳେ ବ୍ୟାକୁଳ ହେଉଥିଲା । କିନ୍ତୁ ଏବେ ବାସ୍ତବତା ତା’ନିକଟରେ ପହଞ୍ଚେଇଲା କ’ଣ? ଯଦି ତୁଳସୀ ନିକଟରେ ସେ ଅନାଥ ଶିଶୁଟି ନ ଥାଆନ୍ତା! କିମ୍ବା ତା’ କଥା ମାନି ଛୁଆଟିକୁ କେଉଁ ସ୍ଥାନରେ ଛାଡ଼ି ଦେବାକୁ ତୁଳସୀ ରାତି ହୋଇଥାଆନ୍ତା! ଯଦିବା ଜଣେ ଡାକ୍ତର ଭାବରେ ତାକୁ ଜଣାଥିଲା,
କୌଣସି ବସ୍ତୁ କିମ୍ବା ବ୍ୟକ୍ତି ପ୍ରତି ସେ ମନରେ ବିଶେଷ ଦୁର୍ବଳତା ରଖିବା ଉଚିତ ନୁହେଁ, ଏବେ ତୁଳସୀ ଓ ତା’ ମଝିରେ ଠିଆ ହୋଇଥିବା ଅହଂକାରର ଏକ ଅଦୃଶ୍ୟ ପ୍ରାଚୀର । କେମିମତି ଅବା ସେ ଗୋଟି, ଅଜଣା ଅଚିହ୍ନା ଶିଶୁଟିକୁ ପାଖରେ ରଖିପାରିବ ଯାହା ତାକୁ ତୁଳସୀ ପ୍ରତି ଘଟିଥିବା ଅତ୍ୟାଚାର କଥା ପ୍ରତି ମୁହୂର୍ତ୍ତରେ ସ୍ମରଣ କରାଇ ଚାଲିଥିବ? ରାଧାକୁ ସେ ଯେମିତି ଭଲ ପାଉଥିଲା, ଏ ଅନାଥ ଶିଶୁଟିକୁ କ’ଣ ସେ କେବେ ସେତିକି ସ୍ନେହ ଆଦର କରିପାରିବ? ତେଣୁ ସେ କ’ଣ କରିବ, କି ସିଦ୍ଧାନ୍ତ ନେବ ତାହା ବୁଝିପାରୁ ନ ଥିଲା ।

ଗାନ୍ଧୀଜୀ ଯେତେବେଳେ ତାକୁ ତୁଳସୀକୁ ଗ୍ରହଣ କରିନେବା କଥା କହିଥିଲେ, ତା’ ମନରେ କୌଣସି ଦ୍ୱିଧା ନ ଥିଲା । ଏବେ କିନ୍ତୁ ଏହା ତାକୁ ଅସମ୍ଭବ ପରି ଲାଗୁଥିଲା । ଘରକୁ ଯାଇ କିଛି ଗଣ୍ଡେ ଖାଇଦେଇ ଚନ୍ଦ୍ର ଖଟରେ ଗଡ଼ିପଡ଼ିଲା । କିନ୍ତୁ ତାକୁ ଜମାରୁ ନିଦ ହେଲାନି । ଶେଷରେ ସେ ଉଠିପଡ଼ି ଖଣ୍ଡିଏ ଚିଠି ଲେଖିଲା ଓ ତାକୁ ଟେବୁଲ ଉପରେ ଥୋଇଦେଲା । ସେ ନିଶ୍ଚିତ ଥିଲା ଯେ ସେ ଚିଠିଖଣ୍ଡିକ ଅବଶ୍ୟ ତାଙ୍କ ଶ୍ୱଶୁରଙ୍କ ନଜରରେ ପଡ଼ିବ । ଏବେ ସେ ସାଇକେଲ ଖଣ୍ଡିକ ଧରି ଘରୁ
ପୁଣି ବାହାରିଗଲା । ସନ୍ଧ୍ୟାବେଳେ ଶ୍ରୀନିବାସ ରାଓ ପଦାକୁ ବୁଲି ବାହାରିଲାବେଳେ ତାଙ୍କର ନଜର ପଡ଼ିଲା ଟେବୁଲ ଉପରେ ଥୁଆ ହୋଇଥିବା ଚିଠିଖଣ୍ଡିକ
ଉପରେ । ସେ ତାକୁ ଉଠେଇ ପଢିଲେ । ସେଥିରେ ଲେଖାଥିଲା: ‘ମୁଁ ଆପଣମାନଙ୍କ ସ୍ନେହ କିମ୍ବା ତୁଳସୀର ପ୍ରିୟଭାଜନ ହେବାକୁ ଯୋଗ୍ୟ ନୁହେଁ ।

ମୋତେ କ୍ଷମା କରିଦେବ । ଆଜି ସନ୍ଧ୍ୟାବେଳେ ଆପଣ ତୁଳସୀକୁ ଭେଟିପାରିବେ । ଶରଣାର୍ଥୀ ଶିବିର ପାଖରେ ଥିବା ଅଶ୍ୱତ୍ଥ ଗଛମୂଳେ ସେ ଅପେକ୍ଷା କରିଥିବ ।’ ଚନ୍ଦ୍ର ସେ ଚିଠିରେ ଏତିକି ମାତ୍ର ଲେଖିଥିଲା । ଶ୍ରୀନିବାସ ରାଓ ହଡ଼ବଡ଼େଇ ଗଲେ । ତେବେ ପର ମୁହୂର୍ତ୍ତରେ ସେନିଜକୁ ସମ୍ଭାଳିନେଲେ । ସରସ୍ୱତୀଆମ୍ମାଙ୍କୁ ସେ ଚିଠିଟି ବିଷୟରେ କିଛି ନ ଜଣେଇ ଚନ୍ଦ୍ର ସୂଚାଇଥିବା ସ୍ଥାନଟି ଉଦ୍ଦେଶ୍ୟରେ ସେ ତରତର ହୋଇ ବାହାରିଗଲେ । ଏତେ ଦିନ ପରେ ବାପାଙ୍କୁ ଦେଖି ତୁଳସୀ
ନିଜକୁ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି କହିଉଠିଲା, ‘ବାପା!’ ଆଉ କିଛି ଶବ୍ଦ ତା’କୋହଭରା କଣ୍ଠରୁ ବାହାରୁ ନ ଥିଲା । ଶ୍ରୀନିବାସ ରାଓ ମଧ୍ୟ ନିଜକୁ ସମ୍ଭାଳି ରଖି ପାରିଲେନି । ତାଙ୍କ ଆଖିରୁ କେବଳ ଧାର ଧାର ଲୁହ ଗଡ଼ି ଚାଲିଥିଲା । ଏବେ ସେ କେବଳ କହିଲେ, ‘ଚାଲ୍ ମା’, ଘରକୁ ଚାଲ୍ ।’

ପୁଣି ଥରେ ତୁଳସୀର ହୃଦୟ କଠୋର ପାଲଟିଗଲା । ସେ କହିଲା, ‘ନା ବାବା । ମୁଁ ଯାଇପାରିବିନି । ମୋ ସାଙ୍ଗରେ ଗୋଟିଏ ଛୁଆ ଅଛି । ଯଦି ଘରକୁ ଫେରିବି, ତାକୁ ସାଙ୍ଗରେ ଧରି ଯିବି ।’

ଶ୍ରୀନିବାସ ରାଓ ବିନା ସଂକୋଚରେ କହିଲେ, ‘ସେଥିରେ ପଚାରିବାର କ’ଣ ଅଛି? ତୋ ସନ୍ତାନ କ’ଣ ନାତିନାତୁଣୀ ନୁହନ୍ତି?’

ବାପାଙ୍କ ଉତ୍ତରରେ ତୁଳସୀର ହୃଦୟ ଭରିଉଠିଲା । ସେ କହିଲା, ‘ବାପା, ସତରେ ତୁମେ ଜଣେ ଦେବତା ।’

ଶ୍ରୀନିବାସ ରାଓ କହିଲେ, ‘ମୁଁ ଦେବତା ନୁହେଁ । ଦେବତା ଆଉ କେହି ଜଣେ । ସେ ମୋତେ ଏପରି ମାର୍ଗ ବତେଇ ଦେଇଛନ୍ତି ।’

ବାପ-ଝିଅ ଦୁହେଁ ଖୁସି ମନରେ ଘରକୁ ଫେରିଲେ । ତୁଳସୀ ଖୁବ୍‌ ସନ୍ତର୍ପଣର ସହ ପଚାରିଲା, ‘ସିଏ କାହାନ୍ତି?’

ଶ୍ରୀନିବାସ ରାଓ କିଛି ନ କହି ତା’ହାତକୁ ଚନ୍ଦ୍ରର ଚିଠି ଖଣ୍ଡିକ ବଢ଼େଇଦେଲେ । ତୁଳସୀ ସେ ଚିଠିଟି ପଢ଼ି ମନେମନେ ଭାବିଲା, ‘ମୁଁ ବି ଠିକ୍ ସେଇକଥା ଭାବୁଥିଲି ।’

ଶ୍ରୀନିବାସ ରାଓ ତୁଳସୀ କାନ୍ଧରେ ହାତ ଥାପି କହିଲେ, ‘ଏଭଳି ଘଟଣାରେ ଈଶ୍ୱର ସୁଦ୍ଧା ମଣିଷଙ୍କ ପରୀକ୍ଷା ନେବା ଅନୁଚିତ ।’

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Leave A Reply

Your email address will not be published.