ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା
ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ
ମୁଁ ଚାହେଁ
ତୁମେ ଜାଣିରଖ ଗୋଟିଏ କଥା ।
ତୁମେ ଜାଣିରଖ ଏହା କିପରି ହେଲା
ଯଦି ମୁଁ ନିରେଖେ
ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ
ମୋ ଝର୍କାରୁ
ଯଦି ମୁଁ ଛୁଏଁ
ନିଆଁ କଡ଼ର
ଉଷୁମ ପାଉଁଶକୁ
ଅବା କାଠରକୁଞ୍ଚିତ ଗଣ୍ଡିକୁ
ସଭିଏଁ ନେଇ ଯାଆନ୍ତି ମୋତେ ତୁମରି ପାଖକୁ,
ସତେ ଯେମିତି ଯାହା ସବୁ ଅଛି,
ମହକ, ଆଲୋକ, ଧାତୁ
ଛୋଟ ଛୋଟ ଡଙ୍ଗାସବୁ
ଭାସିଯାଆନ୍ତି
ମୋତେ ଅପେକ୍ଷାରତ ତୁମ ଦ୍ୱୀପପୁଞ୍ଜ ଆଡ଼କୁ ।
ହେଉ, ଏବେ
ତୁମେ ଯଦି ମୋତେ ଧୀରେ ଧୀରେ ଭଲପାଇବା ଛାଡ଼ିଦିଅ
ମୁଁ ବି ଭୁଲିଯିବି ତୁମ ଭଲ ପାଇବାକୁ ଧୀରେ ଧୀରେ ।
ଯଦି ଅକସ୍ମାତ୍
ତୁମେ ମୋତେ ଭୁଲିଯାଅ
ମୋତେ ଆଉ ନଖୋଜ
ତା’ଆଗରୁ ମୁଁ ବି ଭୁଲି ସାରିଥିବି ତୁମକୁ ।
ତୁମେ ଯଦି ଭାବି ଭାବି ପାଲଟି ଯାଅ ବାୟାଣୀ
ବିଜ୍ଞପିତ ବାତ
ମୋ ଜୀବନରେ ଯାହା ବହିଚାଲେ
ଏବଂ ତୁମେ ସ୍ଥିର କର
ମୋତେ ଛାଡ଼ିଯିବା ଲାଗି ହୃଦୟ ବେଳାରେ
ଯେଉଁଠି ରହିଛି ମୋ ଚେର,
ମନେରଖ
ସେଇ ଦିନ,
ସେଇ ମୁହୂର୍ତ୍ତରେ
ମୁଁ ମୋ ହାତ ଟେକିଦେବି
ଆଉ ଉପୁଡ଼ି ପଡ଼ିବ ମୋ ଭିତ୍ତି
ଆଉ ଏକ ଭୂଇଁ ଆଶାରେ ।
କିନ୍ତୁ
ଯଦି ପ୍ରତି ଦିନ,
ପ୍ରତି ମୁହୂର୍ତ୍ତରେ,
ତୁମେ ଅନୁଭବ କର ମୋ ଲାଗି ବିଧିନିର୍ଦ୍ଦିଷ୍ଟ ତୁମେ
ଅତୃପ୍ତ ମଧୁରତା ସହ,
ଯଦି ପ୍ରତିଦିନ ଫୁଲଟିଏ ଖୋଜିଚାଲେ ମୋତେ
ତୁମ ଅଧର ଧାରରେ
ଆଃ ପ୍ରିୟା ମୋର, ମୋର ଅତି ଆପଣାର,
ମୋ ଭିତରେ ସେ ନିଆଁର ଚାଲିଥାଏ ପୁନରାବୃତ୍ତି
ମୋ ଭିତରେ କିଛି ବି ଲିଭିନଥାଏ, ପାଶୋରି ନଥାଏ
ମୋ ପ୍ରେମ ପୁଷ୍ଟ ହୁଏ ତୁମ ପ୍ରେମରୁ, ପ୍ରିୟା
ତୁମେ ବଞ୍ଚିଥିବା ଯାଏ, ଥିବି ତୁମ ବାହୁବେଷ୍ଟନୀରେ
ନିଜକୁ ନ ମୁରୁଛି ।
ମୋ: ୯୪୩୭୦୩୮୦୧୫
Email: saral_das@yahoo.co.in
Comments are closed.