Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଟ୍ରୟରୁ ଟ୍ରୋଜାନ୍ ଘୋଡ଼ାକୁ ଗ୍ରୀସ୍ ଫେରେଇ ଆଣିଥିବା ଲୋକର ଡାଏରୀ

ମୂଳ ରଚନା : ଜେମ୍‌ସ୍ ଫୋଲ୍‌ଟା

ବଡ଼ ଖବର : ସେନାପତିମାନେ ଘୋଡ଼ାଟାକୁ ଗ୍ରୀସ୍ ନେଇଯିବା ପାଇଁ ମତେ କହିଛନ୍ତି । କି କଥା ! ମୁଁ ଭାବିଥିଲି ଏଟାକୁ ଆମେ ଟ୍ରୟରେ ଛାଡ଼ିକରି ଫେରିିବୁ । ପୂରା ମଇଳା ଆଉ ଖରାପ ହେଇଯାଇଛି ଘୋଡ଼ାଟା । କିନ୍ତୁ ଉଚ୍ଚ ଅଫିସର୍‌ମାନେ ହିଁ ଜିଦ୍ ଧରି ବସିଛନ୍ତି, ଘୋଡ଼ା ଗ୍ରୀସ୍ ଫେରିବା ଦରକାର ।

ମନ କରିଥିଲି, ମୁଁ ମଧ୍ୟ ଅନ୍ୟମାନଙ୍କ ପରି ଜଳଯାତ୍ରାରେ ଘରକୁ ଫେରିଥାନ୍ତି; କିନ୍ତୁ ଯୋଦ୍ଧା “ଇଉରିଡ଼ାମାସ୍‌’’ ମତେ ମନେ ପକେଇଦେଲେ, ଏ ବିରାଟ ବିଜୟ ଗାଥା କବିମାନେ ଯେତେବେଳେ ଗାନ କରିବେ, ସେତେବେଳେ ସେମାନେ ମତେ ନିଶ୍ଚୟ ମନେ ପକେଇବେ । ଆଲେକ୍‌ଜାଣ୍ଡ୍ରୋସ୍ – କି ମସ୍ତ୍ ଘୋଡ଼ାଚାଳକ !

ଘୋଡ଼ା ଗ୍ରୀସ୍ ଫେରିବା ପାଇଁ ଯାତ୍ରା ଆରମ୍ଭ ହେଲା । ପ୍ରକୃତରେ ଟ୍ରୋଜାନ୍ ଯୁଦ୍ଧର ପ୍ରଥମ ଭାଗ ଏମିତିକା ଘୋର କଷ୍ଟକର ଆଉ ବିରକ୍ତିକର ନଥିଲା । ଯୁଦ୍ଧବେଳେ, ମୁଁ ଗୋଟାଏ ପାଚେରୀ ଉପର ଦେଇ ଖାଲି ତୀର ମାରି ଚାଲିଥିଲି, ନହେଲେ ଯୁଦ୍ଧରେ ମୃତ ସୈନିକମାନଙ୍କୁ ଅପସାରଣ କରୁଥିଲି । ଯୁଦ୍ଧବେଳେ ଥରେ ମାତ୍ର ଜଣେ ଦେବତାଙ୍କୁ କେବଳ ଦେଖିଥିଲି । ସେ ଥିଲେ ‘ହେଫେସ୍ଟସ୍‌’ । ଗୋଟାଏ ଢାଲକୁ ସେ ମରାମତ କରୁଥିଲେ । ସେଥିାଇଁ ସେ କୌଣସି ଦୈବୀଶକ୍ତି ଉପଯୋଗ କରୁନଥିଲେ । ତାଙ୍କର ସେତେବେଳେ ଦୈବୀଶକ୍ତି ଥିଲା କି ନାହିଁ ମୁଁ କହିପାରିବି ନାହିଁ । ବରଂ କହିବାକୁ ଗଲେ ଢାଲଟାକୁ ସଜାଡ଼ିବା ପାଇଁ ସେ ଝାଳନାଳ ହେଇସାରିଥିଲେ ।

ସୈନ୍ୟମାନେ ବାହାରିଗଲାରେ ଘୋଡ଼ାଟା ହାଲୁକା ହେଇଯାଇଥିଲା । ଅସୁବିଧା କଥା ଯେ , ଘୋଡ଼ାଟାକୁ ଜଣେ ସହଜରେ ଚୋରୀ କରି ନେଇିବ । ଘର ଭିତରେ ବି ଘୋଡ଼ାଟାକୁ ରଖି ହେବନାହିଁ, କି ମୋର ଏତେ ଲମ୍ବା ଦୋଉଡ଼ି ନାହିଁ ଯେ ଘୋଡ଼ାଟାକୁ କାହା ଦେହରେ ବାନ୍ଧିଦେବି । ସେଥିପାଇଁ ତାକୁ ବାହାରେ ରଖି, ତା’ ଦେହରେ “କେହି ଛୁଅଁନା ! ପୁରା ସୈନିକ ଭର୍ତ୍ତି ଘୋଡ଼ା !!!’’ ଲେଖାଥିବା ଗୋଟାଏ ନୋଟିସ୍ ମାରି ଦେଉଛି । ଏମିତି କରିବା ଦ୍ୱାରା ଲୋକମାନେ ଘୋଡ଼ାଠୁ ଦୂରେଇ ରହୁଛନ୍ତି; କିନ୍ତୁ, କିଶୋର ଓ କିଛି କିଛି ଉପଦେବତା ଘୋଡ଼ା ପ୍ରତି ଆକୃଷ୍ଟ ହେଇ ଅନୁରାଗ ପ୍ରଦର୍ଶନ କରୁଛନ୍ତି ।

ଗଲା ରାତିରେ ମୁଁ ଆଦୌ ଶୋଇନାହିଁ । ନିଶାଚୂର୍ ସୈନିକ କେତେଜଣ, ଗୋଟାଏ କଳାକାରକୁ ଘୋଡ଼ା ସହିତ ସେମାନଙ୍କର ଚିତ୍ର କରିବାକୁ ଡାକି ଆଣିଥିଲେ । ଏଭଳିଆ ଚିତ୍ରକୁ “ହର୍ସିସ୍‌’’ କୁହାଯାଇପାରିବ । ଚିତ୍ରକର ଚିତ୍ର ଆଙ୍କିସାରି ଗଲାପରେ ପୂରା ସୈନିକ ଦଳ ଗୋଟାଏ ଖୋଲା ଡାଇନୋସୀୟ ପାର୍ଟିରେ ମଜ୍ଜିଗଲେ ତ ମଜ୍ଜିଗଲେ, ପୁଣି ଧକ୍କାମାରି ମତେ ମୋ ଘୋଡ଼ା ପାଖରୁ ବାହାର କରିଦେଲେ । ତାଙ୍କ ପାର୍ଟି ସରିବା ପର୍ପ୍ୟନ୍ତ ମୁଁ ଅପେକ୍ଷା କଲି । ସେ “ହର୍ସିସ୍‌’’ ଚିତ୍ରଟାରେ ବି ମୁଁ ନଥିଲି ।

ଘୋଡ଼ାଟାର ଚକଗୁଡ଼ାକ କେମିତିକା କେଁ କେଁ, କଟର୍ କଟର୍ ଶବ୍ଦ କରୁଥିଲେ । ସେଥିରେ ଗ୍ରୀଜ୍ ଲଗେଇବା ପାଇଁ ଗୋଟାଏ ଯାଗାରେ ଅଟକିଗଲି । ଗ୍ରିଜ୍ ଲଗେଇ ବାହାରିବେଳକୁ ବଣିକ ଜଣକ ମତେ କହିଲେ, “ତୁମର ଏ ପ୍ରକାଣ୍ଡ ଘୋଡ଼ାକୁ ନେଇ ଅତି ସାବଧାନରେ ଯାଅ’’ । ମୁଁ ମଧ୍ୟ ଅନ୍ୟମନସ୍କ ହେଇ ବଣିକଙ୍କୁ କହିଲି, “ତୁମେ ମଧ୍ୟ’’, ଯେମିତିକା ତାଙ୍କର ମଧ୍ୟ କାଠ ଘୋଡ଼ାଟାଏ ଅଛି ! କି ଉଦ୍ଭଟ କଥା !

ଯାହା ହେଉ ! ମୁଁ ପ୍ରାୟ ଘରଠିକି ଅଧାବାଟରେ । କିନ୍ତୁ ମୁସ୍କିଲ୍ କଥା ହେଲା , ଘୋଡ଼ାଟା ଦୁଇଟା ଗଛ ଭିତରେ ଲାଖିଗଲା । ଏପଟ ସେପଟ ଯେତେ ଠେଲା ଠେଲି କରି ବା ଧକ୍‌କା ମାରି ମଧ୍ୟ ତାକୁ ସେଠୁ କାଢ଼ିବା ମୋ’ ଦ୍ୱାରା ସମ୍ଭବ ହେଲାନାହିଁ । ମୁଁ ସେଇପଟେ ଯାଉଥିବା ଗୋଟାଏ “ସେଣ୍ଟଉର୍‌’’ (ଉପର ମଣିଷ, ତଳ ଘୋଡ଼ା ପରି ଅର୍ଦ୍ଧମାନବାଶ୍ୱ) କୁ ଘୋଡ଼ାଟାକୁ ଗଛ ଭିତରୁ ବାହାର କରିବାକୁ ଅଟକେଇଲି । ଘୋଡ଼ା ବାହାରି ଆସିଲା । ତା’କୁ ଆୟତ୍ତରେ ରଖି ‘ସେଣ୍ଟ୍‌ଉର୍‌’କୁ ଧନ୍ୟବାଦ ଭାବରେ କିଛି ଓଟ୍‌ସ୍ ଖାଇବାକୁ ଦେଲି । ତାକୁ ଖାଇ ମୋ’ ପାଖରେ ଥିବା ଗୋଟା ବ୍ୟାଗ୍ ଭର୍ତ୍ତି ଓଟ୍‌ସ୍‌କୁ ସେ ଖାଇଦେଲା ମଧ୍ୟ । ସତକଥା, ଗୋଟାଏ ‘ସେଣ୍ଟଉର୍‌’କୁ ବ୍ୟାଗ୍ ଭର୍ତ୍ତି ଓଟ୍‌ସ୍ କେବେ ଖାଇବାର ମୁଁ ଦେଖି ନଥିଲି । ମୋ’ ମୁଣ୍ଡ ଚକ୍କର କାଟିଗଲା ।

କି ଚମତ୍କାର ଦିନ ଆଜି ! ମୁଁ ମହାକବି ହୋମରଙ୍କୁ ବାଟରେ ଭେଟିଲି । ବଢ଼ିଆ ଲୋକ । କିନ୍ତୁ, ଭାରୀ ଗଭୀର ଦର୍ଶନ ତାଙ୍କର । ମତେ ତାଙ୍କ ମହାକାବ୍ୟରେ ରଖିବେ ବୋଲି କହିଲେ । ଏଇକଥା ମୁଁ କହି ଆସୁଛି ଯେତେବେଳେ ଲୋକମାନେ ଯୁଦ୍ଧ ସମ୍ବନ୍ଧରେ କଥାବାର୍ତ୍ତା ହେବେ, ସେମାନେ ନିଶ୍ଚୟ ନିଜେ ନିଜେ ଟ୍ରୋଜାନ୍ ଘୋଡ଼ାକୁ ଟାଣି ଟାଣି ଗ୍ରୀସ୍ ଫେରେଇ ଆଣିଥିବା ମହାନ୍ ଘୋଡ଼ାଚାଳକ ଆଲେକ୍‌ଜାଣ୍ଡ୍ରୋସ୍ ବିଷୟରେ ହିଁ କଥା ହେବେ ।

ମୁଁ ମଧ୍ୟ ବିହ୍ୱଳିତ ହୋଇ ଗୋଟିଏ ନୂଆ ଉପଦେବତା, “ହର୍‌ସେନିଆକ୍ସ’’ଙ୍କୁ କେମିତି ଭେଟିଲି ସେକଥା ହୋମରଙ୍କୁ କହିଲି । “ହର୍‌ସେନିଆକ୍ସ’’ ହେଉଛନ୍ତି ଅଧା ମଣିଷ ଆଉ ଅଧା ଗୋଟାଏ ବିରାଟ କାଠଘୋଡ଼ା । ସେ ହେଉଛନ୍ତି ସବୁ ବିଶାଳ-ଘୋଡ଼ା ଚାଳକଙ୍କର ରକ୍ଷାକର୍ତ୍ତା ! କି ମନଗଢ଼ା କଥା ! ଆଶା କରୁଛି ଯେ, ମୋ’ ଆବିଷ୍କୃତ ଏ “ହର୍‌ସେନିଆକ୍ସ’’ ମଧ୍ୟ ହୋମରଙ୍କ ମହାକାବ୍ୟରେ ସ୍ଥାନପାଉ ।

ବାଟରେ ଗୋଟାଏ ପାନ୍ଥଶାଳାରେ ଶୁଣିଲି ଯେ ,ପ୍ରତ୍ୟେକ ଗ୍ରୀକ୍ ଜଳଯାତ୍ରା କଲାବେଳେ କିଛି ନା କିଛି ବିଜ୍ଜନକ କିମ୍ବା ବିକୃତିକର ଘଟଣାର ଯଥା : ଝଡ଼, ପ୍ରତିଶୋଧ ପରାୟଣ ଦେବତା, ଏକ ଆଖିବାଲା ରାକ୍ଷସଙ୍କର ସମ୍ମୁଖୀନ ହୋଇଥିଲେ । ସେ ଲୋକଙ୍କ ଭିତରୁ କିଛିତ ଘୁଷୁରି ବନି ଯାଇଥିଲେ । ଟ୍ରୋଜାନ୍ ଘୋଡ଼ାଟାକୁ ଟାଣି ଟାଣି ନେବା ଏସବୁ ତୁଳନାରେ କିଛି ବରାଟ କଥା ନଥିଲା ।

ଅଦ୍ୟତମ ଘଟଣା : ବାଟରେ ଘୋଡ଼ାକୁ ଗଡ଼େଇ ଗଡ଼େଇ ଆଣିଲାବେଳେ, ସେ ରାସ୍ତାରେ ଏକ ମୃତ ପଶୁ ଉପରେ ଚଢ଼ିଗଲା ।ଫଳ ସ୍ୱରୂପ ପଶୁଟିର ଅଂଶବିଶେଷ ଛିନ୍‌ଛତର୍ ହୋଇ ଚାରିଆଡ଼େ ବିକ୍ଷିପ୍ତ ହୋଇଗଲା । କି ବିରକ୍ତିକର କଥା । ଏ ଘଟଣା ନିଶ୍ଚୟ ସ୍ୱଭୂମୀ ଫେରନ୍ତା ଗ୍ରୀକ୍‌ମାନଙ୍କ ସାଙ୍ଗରେ ଘଟୁଥିବା ବିଷୟଠାରୁ ଅତ୍ୟନ୍ତ ଖରାପ ଏଟା ନିଶ୍ଚିତ ।

ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଟିପ୍ପଣୀ : କିଛି ସତସତିକା ଘୋଡ଼ା ମୋର ବିରାଟ ନକଲି ଘୋଡ଼ାକୁ ଦେଖି ଡରିଯାଉଥାନ୍ତି, କିନ୍ତୁ ଆଉ କେତେକ ଘୋଡ଼ା ତାକୁ ଦେଖି କୁଲୁରି ଉଠୁଥାନ୍ତି । ଦେବତାମାନେ କେବଳ ଜାଣିଥିବେ ସେ ଘୋଡ଼ାମାନଙ୍କ ମସ୍ତିଷ୍କରେ କ’ଣ ଚାଲିଛି ।

ସର୍ବଶେଷରେ ମୁଁ ଘୋଡ଼ାସହ ଗ୍ରୀସ୍‌ରେ ପହଞ୍ଚିଗଲି । ମୋ’ ଦେହସାରା ଛୋଟବଡ଼ ଫୋଟକା । ବାଟରେ ପୁଣି ଗୋଟେ ମୋଡ଼ ପାଖରେ ହାଇଡ଼୍ରାଟେ ଘୋଡ଼ା ଭିତରୁ ବାହାରି ମତେ କଦର୍ଯ୍ୟ ଭାବେ କାମୁଡ଼ି ଧରିଲା । ଯାହାହେଉ ବଡ଼ କଷ୍ଟରେ ମୁଁ ତା’ଠୁ ବର୍ତ୍ତିଗଲି । ଆମ ସେନାଧ୍ୟକ୍ଷ ମତେ ଆଉ ଘୋଡ଼ାକୁ ଦେଖି ସ୍ତମ୍ବିଭୂତ ହେଇଗଲେ । ଲାଗୁଥିଲା, ଘୋଡ଼ାଟାର ଉପସ୍ଥିତି ତାଙ୍କୁ ହଇରାଣ କରିଦେଲା । ଏତେବଡ଼ ଘୋଡ଼ାଟାକୁ କେଉଁଠି ରଖିବେ କିଛି ସ୍ଥିର କରି ପାରିଲେନାହିଁ । ମୁଁ କହିଲି, ଘୋଡ଼ାକୁ ଗୋଟେ ସ୍ଥାନରେ ରଖି ତା’ ଉପରେ ଡାଳପତ୍ର ରଖିଦେଲେ ସେଇଟା ଗୋଟେ ବଡ଼ ଗଛ ପରି ଦିଶିବ । ମୁଁ ସେ କଥା କଲି ମଧ୍ୟ । ସେନାଧ୍ୟକ୍ଷ ମତେ ବଡ଼ ବିବ୍ରତ ଭାବରେ ଗୋଟେ ଚାହାଣି ଦେଲେ । ମୁଁ ଏତେ ହାଲିଆ ହୋଇଯାଇଥିଲି ଯେ ଆଉକିଛି ବିକଳ୍ପ ଭାବିବା ମୋ’ ଆୟତ୍ତରେ ନଥିଲା ।

ଟ୍ରୋଜାନ୍ ଘୋଡ଼ା ଯେ ଏକ ଦୃଢ଼ ସଂକଳ୍ପ ଏବଂ ଲକ୍ଷ୍ୟ ସାଧନର ଏକ ପ୍ରତୀକ, ଭାବିଲାବେଳକୁ ମନ ବହୁତ ଖୁସୀ ହେଇଯାଉଛି । ମୁଁ ବାଜି ମାରି କହୁଛି ଯେ, ଭବିଷ୍ୟତରେ ଲୋକମାନେ ନିଶ୍ଚୟ କହିବେ, “ଆମେ ତା’ ଉପରେ ବିଶ୍ୱାସ ରଖିପାରିବା – ସେ ପ୍ରକୃତରେ ଗୋଟାଏ ଟ୍ରୋଜାନ୍ ଘୋଡ଼ା ।’’

ଯାହାହେଉ, ମୁଁ ନିଜକୁ ନିଜେ ବହୁତ ଧନ୍ୟବାଦ ଦେଉଛି, ମୁଁ ଟ୍ରୋଜାନ୍ ଯୁଦ୍ଧର ହିରୋ, ଯାହାକୁ ଇତିହାସ କେବେବି ଭୁଲିପାରିବ ନାହିଁ, ମହାନ୍ ଘୋଡ଼ାଚାଳକ ଆଲେକ୍‌ଜାଣ୍ଡ୍ରୋସ୍ !

ଅନୁବାଦ: ରୂପଶ୍ରୀ ରାଗିଣୀ ଦାସ

Leave A Reply

Your email address will not be published.