Latest Odisha News

BREAKING NEWS

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ 

ଲାଲବତିର ନିଷେଧ ନ ଥିଲା,
ତଥାପି ଝଡ ବେଗରେ ଧାବମାନ କଲିକତା ସହର
ଅତର୍କିତ ଭାବେ ଅଟକିଗଲା,
ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା
ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର ।
‘ଗଲା ଗଲା’ ଆର୍ତ୍ତନାଦରେ ରାସ୍ତାର ଦୁଇ ପାଖରୁ ଯେଉଁମାନେ
ଧାଇଁ ଆସିଥିଲେ –
ମୋଟିଆ, ଫେରିବାଲା, ଦୋକାନି ଓ ଖରିଦ୍ଦାର –
ଏବେ ସେମାନେ ବି ଯେମିତି ସ୍ଥିର ଚିତ୍ରଟିଏ ପରି ଶିଳ୍ପୀର ଇଜେଲରେ
ଟଙ୍ଗା ହୋଇ ରହିଛନ୍ତି ।
ସ୍ତବ୍ଧ ହେଇ ସମସ୍ତେ ଦେଖୁଛନ୍ତି,
ଟଳମଳ ପାଦରେ
ରାସ୍ତାର ଗୋଟେ ପାଖରୁ ଅନ୍ୟ ପାଖକୁ ଚାଲି ଚାଲି ଯାଉଥାଏ
ସମ୍ପୂର୍ଣ୍ଣ ଉଲଗ୍ନ ଗୋଟେ ଶିଶୁ ।

କିଛିଟା ଆଗରୁ ବର୍ଷା ହେଇଛି ଚୌରଙ୍ଗିପଡାରେ ।
ଏବେ ଖରା ପୁଣି ଅତିଦୀର୍ଘ ବର୍ଚ୍ଛା ପରି
ମେଘର ହୃତପିଣ୍ଡ କଣା କରି
ଓହ୍ଲାଇ ଆସୁଛି
ମାୟାବୀ ଆଲୁଅରେ ଭାସୁଛି କଲିକତା ସହର ।

ଷ୍ଟେଟବସର ଝରକାରେ ମୁଣ୍ଡ ରଖି
ଥରେ ଆକାଶକୁ ଦେଖେ, ଥରେ ତମକୁ ।
ଭିକାରି-ମାଆର ଶିଶୁ,
କଲିକତାର ଯୀଶୁ,
ସବୁ ଟ୍ରାଫିକ ମନ୍ତ୍ରବଳରେ ତମେ ଅଟକାଇ ଦେଇଛ ।
ଜନତାର ଆର୍ତ୍ତନାଦ, ଅସହିଷ୍ଣୁ ଡ୍ରାଇଭରର ଦାନ୍ତ କଡମଡ,
କାହାକୁ ଭ୍ରୁକ୍ଷେପ ନାହିଁ ;
ଦୁଇ ପାଖେ ଉଦ୍ୟତ ମୃତ୍ୟୁ, ତମେ ତା’ର ମଝି ଦେଇ
ଟଳମଳ ହୋଇ ଚାଲି ଯାଅ ।
ଯେମିତି ମୂର୍ତ୍ତ ମାନବତା, ସଦ୍ୟ ଚାଲି ଶିଖିଥିବାର ଆନନ୍ଦରେ
ସମଗ୍ର ବିଶ୍ୱକୁ ତମେ ପାଇବାକୁ ଚାହଁ
ହାତ ମୁଠାରେ । ଯେମିତି ସେଇ
ଟଳମଳ ପାଦରେ ତମେ
ପୃଥିବୀର ଗୋଟେ କୋଣରୁ ଅନ୍ୟ କୋଣ ଯାଏଁ ଚାଲିଛ ।

ଅନୁବାଦ : ସରଳ କୁମାର ଦାସ 

ମୋ. ୯୪୩୭୦୩୮୦୧୫
saral_das@yahoo.co.in

Leave A Reply

Your email address will not be published.